Advertisment

ରାଜ୍ୟରେ ଆଉ କେତେ ରୋଗୀ ଏୟାର ଲିଫ୍ଟ ହେବେ?

ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି

ଅଦ୍ୟତନ ହୋଇଛି
ରାଜ୍ୟରେ ଆଉ କେତେ ରୋଗୀ ଏୟାର ଲିଫ୍ଟ ହେବେ?

Ecmo

Advertisment

ଭୁବନେଶ୍ୱର: ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ECMO ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଂ କରିବାକୁ ପଡୁଛି। ଏହି କ୍ରମରେ ଆଜି ଖୋଦ୍ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତା ନିଆଯାଇଛି। ତେଣେ ଲୋକଙ୍କୁ ବ୍ୟୟବହୁଳ ECMO ଚିକିତ୍ସାରୁ ମୁକ୍ତି ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠିବା ପରେ ହଠାତ୍ ନିଦ ଭାଙ୍ଗିଛି। ଡିଏମଇଟି କହିଛନ୍ତି ଆଗରୁ ECMO ମେସିନର ସେତେଟା ବ୍ୟବହାର ନଥିଲା। କରୋନାକାଳରେ ଏହାର ଆବଶ୍ୟକତା ବଢ଼ିବାରୁ ଏବେ SCBରେ ୬ଟି ୟୁନିଟ୍ ଖୋଲିବା ଯୋଜନା ହେଉଛି ।

Advertisment

ପ୍ରାଣରକ୍ଷକ ECMO ଚିକିତ୍ସା ପାଇଁ ଆଜି ଆଉ ଜଣକୁ ଏୟାରଲିଫ୍ଟିଂ କରାଯାଇଛି। ସେ ପୁଣି ହେଲେ ଖୋଦ୍ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଟକରୁ  ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦେବାଶିଷଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ଅଣାଯାଇଥିଲା। ସେଠୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଉଭୟ ଇକ୍ମୋ ଓ କ୍ରିଟିକାଲ କେୟାରର ଦୁଇଟି ଟିମ୍ ବି ଆସିଥିଲେ।

ସେପଟେ ରାଜଧାନୀର ଏକ ଘରୋଇ ମେଡିକାଲରେ ଇକ୍ମୋ ଚିକିତ୍ସାରେ ଥିବା ଆଠଗଡ଼ ଅଞ୍ଚଳର ୩୮ ବର୍ଷ ବୟସ୍କ ଦିବ୍ୟରଞ୍ଜନ ବେହେରାଙ୍କ ସଂଘାତିକ ଫୁସଫୁସ୍‌ ସଂକ୍ରମଣ ହୋଇଛି। ଆକ୍ରାନ୍ତଙ୍କ ଇକ୍ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବାର ଥିଲା, ହେଲେ ସୌଭାଗ୍ୟବଶତଃ ଭୁବନେଶ୍ୱରରେ ହଠାତ୍ ସେ ମେସିନ୍ ଉପଲବ୍ଧ ହୋଇଯିବାରୁ ଚିକିତ୍ସା ଚାଲିଛି। ଦିବ୍ୟରଞ୍ଜନଙ୍କ ଚିକିତ୍ସା ପାଇଁ ଦିନକୁ ଦରକାର ପଡୁଛି ଦେଢ଼ରୁ ୩ଲକ୍ଷ ଟଙ୍କା। ତେଣୁ ସାହାଯ୍ୟ ଅପେକ୍ଷାରେ ପରିବାର। ସେମିତି ଇକ୍ମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ରାଜଧାନୀରେ ଚିକିତ୍ସିତ ଆଉ ଜଣେ ରୋଗୀ ହେଲେ ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ର। ମାତ୍ର ମାସେ ତଳେ ବାହାଘର ହୋଇଥିଲା। ଶଙ୍ଖା, ସିନ୍ଦୁର ବଞ୍ଚାଇବାକୁ ପତ୍ନୀ ଏବେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।

Advertisment

ଏଠି ପ୍ରଶ୍ନ, ଜୀବନ ବଞ୍ଚାଇବାକୁ ଓଡ଼ିଶାରୁ ଆଉ କେତେ ରୋଗୀ ଏୟାର ଲିଫ୍ଟିଂ ହେବେ ? କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍ ସହ ଘାତକ ଦ୍ୱିତୀୟ ଲହରରେ ଗୁରୁତରଙ୍କୁ, ସିଧା ମରଣ ମୁହଁରୁ ଛଡ଼ାଇ ଆଣି ପାରୁଥିବା ଇକ୍ମୋ ବା ଏକ୍ଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ ଅକ୍ସିଜେନେସନ୍ ମେସିନ୍ କାହିଁକି ରାଜ୍ୟର କୌଣସି ସରକାରୀ ମେଡିକାଲରେ ନାହିଁ ? ଗତବର୍ଷ ମାର୍ଚ୍ଚରୁ ମହାମାରୀ ମୃତ୍ୟୁର ତାଣ୍ଡବ ଚାଲିଛି। ଏକଥା ଭଲଭାବେ ଜାଣିବି ବି କାହିଁକି ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ରାଜ୍ୟ ସରକାରଙ୍କୁ ଏ ପ୍ରାଣରକ୍ଷକ ମେସିନ୍ ଆଣିବାକୁ ଦେଇନଥିଲେ ପରାମର୍ଶ ?

ଏହା ସ୍ୱାସ୍ଥ୍ୟ ବିଭାଗର ଅଦୂରଦର୍ଶୀତା ନା ବେପରୁଆ ମନୋଭାବ ବୋଲି ଧରାଯିବ? ରାଜ୍ୟରେ ମାତ୍ର ୨ଟି ଘରୋଇ ହସ୍ପିଟାଲରେ ଏ ସୁବିଧା ଉପଲବ୍ଧ ଥିବାବେଳେ ଅତିକମରେ AIIMS କି SCB ଭଳି ପ୍ରମୁଖ ମେଡ଼ିକାଲରେ କାହିଁକି ଇକ୍ମୋ ମେସିନ୍ ଉପଲବ୍ଧ କରାଇ ନାହାନ୍ତି ସରକାର ? ଏହି ଚିକିତ୍ସା ଲାଗି ଜଣେ ଜଣେ ରୋଗୀଙ୍କୁ କୋଟିଏରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ସାଧାରଣ ଲୋକଟିଏ କେମିତି ପାଇବ ଏ ସୁବିଧା ? କୋଟି କୋଟି ଟଙ୍କା ଯୋଗାଡ଼ କରି ବ୍ୟୟବହୁଳ ଏୟାରଲିଫ୍ଟିଂ ସାହାଯ୍ୟରେ କେତେଜଣ ହାଇଦ୍ରାବାଦ୍, କୋଲକାତା କି ଚେନ୍ନାଇ ଯାଇ ପାରିବେ ? DMETଙ୍କ କହିବାନୁଯାୟୀ ଦେଶରେ ମାତ୍ର ୨୧ଟି ସ୍ଥାନରେ ଇକ୍ମୋ ଚିକିତ୍ସା ହେଉଛି, ଯଦି ଆଗକୁ ସେମାନେ ମନା କରିଦେବେ ତାହାଲେ କଣ ହେବ ରାଜ୍ୟର ଗୁରୁତର ରୋଗୀଙ୍କ ଅବସ୍ଥା ? ଏଭଳି ବହୁ ଚର୍ଚ୍ଚା ଆଲୋଚନା ଓ ପ୍ରଶ୍ନବାଣ ପରେ ହଠାତ୍ ସରକାରଙ୍କ ନିଦ ଭାଙ୍ଗିଛି। ଡିଏମଇଟି କହିଛନ୍ତି ଆଗରୁ ECMO ମେସିନର ସେତେଟା ବ୍ୟବହାର ନଥିଲା ଓ ଏହାକୁ ଚଲାଇବାକୁ ସ୍ୱତନ୍ତ୍ର ମାନବ ସମ୍ବଳ ଆବଶ୍ୟକତା ରହିଛି। ଏବେ SCBରେ ୬ଟି ୟୁନିଟ୍ ଖୋଲିବା ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏବେ ଅପେକ୍ଷା କେତେଶୀଘ୍ର ରାଜ୍ୟରେ ଉପଲବ୍ଧ ହେଉଛି ପ୍ରାଣରକ୍ଷଣ ଇକ୍ମୋ ଚିକିତ୍ସା ସୁବିଧା?
କଟକରୁ ପ୍ରଭାତ ବିଷୋୟୀ, ଆଠଗଡ଼ରୁ ନୀଳକଣ୍ଠ ଦୋରା ଓ ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାଶଙ୍କ ରିପୋର୍ଟ

Advertisment

ECMO Machine In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ