CUTTACK Photograph: (OTV)
କଟକ ଦୁର୍ଗା ମେଢ଼ ଭସାଣ ଗଣ୍ଡଗୋଳ ଓ ତା ପରବର୍ତ୍ତୀ ଅଶାନ୍ତି ସମ୍ପର୍କିତ ଫଟୋ କି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରୁଥିଲେ ସାବଧାନ। ସାମାନ୍ୟତମ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କଲାଭଳି ସାମଞ୍ଜସ୍ୟ ଥିଲେ ବନ୍ଧା ହେବା ଥୟ, ଲାଗିଯିବ ଦେଶଦ୍ରୋହ ମାମଲା। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପୋଲିସ କମିଶନର।
କର୍ଫ୍ୟୁ ହଟିବା ପରେ ସହରରେ ଶାନ୍ତି ଫେରୁଥିବା ସତ୍ତ୍ବେ କିଛି ଅସାମାଜିକ ତତ୍ତ୍ବ ଭିତରେ ଭିତରେ ପୁଣି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଜାଣି କଟକ ସାରା ପୋଲିସ୍ ଛାଉଣୀ ହୋଇଛି। ଭାଇଚାରା ଭାଙ୍ଗୁଥିବା ଅସମାଜିକଙ୍କୁ କଡ଼ା ଦଣ୍ଡ ଦେବାକୁ ସ୍ଥାନୀୟ ଶାନ୍ତି ସଦଭାବନା ସମିତି ବି ଦାବି କରିଛି।...
ଶାନ୍ତି ଫେରିଛି, ହେଲେ ଶଙ୍କା ଯାଇନି । ଭାଇଚାରା ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି କିନ୍ତୁ ଭୟ ଥମିନି ।
କାହିଁକି ନା- କଟକ ସହରରେ ଏବେ ବି ଲୁଚି ଛପି ଅଶାନ୍ତିର ବାତାବରଣ ସୃଷ୍ଟି ପାଇଁ ଭିତରେ ଭିତରେ ଚକ୍ରାନ୍ତ ଚଳାଇଛନ୍ତି କିଛି ଅସାମାଜିକ ତତ୍ତ୍ବ। ଯାହାର ଠୋସ୍ ପ୍ରମାଣ ପାଇଛି କମିଶନରେଟ୍ ପୋଲିସ୍। ତେଣୁ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି। ପୋଲିସ କମିଶନର ସ୍ପଷ୍ଟ ଭାବେ କହିଛନ୍ତି-ଦୁର୍ଗାମେଢ଼ ଭସାଣ ଗଣ୍ଡଗୋଳ ପରବର୍ତ୍ତୀ ସ୍ଥିତି ପାଇଁ ଜାରି ହୋଇଥିବା କର୍ଫ୍ୟୁ ହଟିବା ପରେ ବି ସାରା ସହର ପୋଲିସ ନଜରରେ ରହିଛି।
ଏବେ ସ୍ଥିତି ସ୍ବାଭାବିକ ଥିଲେ ବି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ଓ ଏହାକୁ ଭାଇରାଲ୍ କରୁଛନ୍ତି। ତୁରନ୍ତ ସେମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ, ପୋଲିସର ସ୍ବତନ୍ତ୍ର ସାଇବର ଟିମ୍ ତାଙ୍କ ଉପରେ ତୀକ୍ଷ୍ନ ନଜର ରଖିଛି। ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ।...
ଯେଉଁ କାରଣରୁ କଟକରେ ଭାଇଚାରା ଭାଙ୍ଗିଲା, ଯେଉଁ କାରଣରୁ ୩୦ ବର୍ଷ ପରେ ପୁଣି ଐତିହାସିକ ସହର କର୍ଫ୍ୟୁ ଦେଖିଲା। ମୋଟ୍ ୯ଜଣଙ୍କୁ ଗିରଫ କରି ପୋଲିସ୍ ତାର କାରଣ ଖୋଜୁଛି। ତେବେ ସହରରେ ପୁଣି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପକ୍ଷରୁ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ସୃଷ୍ଟି ହେବା ପରେ ଆଜି ସକାଳୁ ହଠାତ୍ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦେଇଥିଲା ପୋଲିସ୍। ଗଳିକନ୍ଦିରୁ ଛକ ବଜାର ସବୁଠି କଡା ଚେକିଂ କରିଥିଲା। ଇଏ ସେହି ସମୟର ଦୃଶ୍ୟ। ବହୁ ସ୍ଥାନରେ ପୋଲିସ୍ ଫ୍ଲାଗମାର୍ଚ୍ଚ ବି କରିଛି।
ଆଜି ଶୁକ୍ରବାର ଥିବାରୁ ଦରଘାବଜାର ଅଞ୍ଚଳର କଦମରସୁଲ ଓ ହାତୀ ପୋଖରୀ ଅଞ୍ଚଳରେ ନିଜେ ପୋଲିସ କମିଶନର, ଡିସିପିଙ୍କୁ ସାଙ୍ଗରେ ଧରି ସେଣ୍ଟ୍ରାଲ ଫୋର୍ସ ସହ ଫ୍ଲାଗ ମାର୍ଚ୍ଚ କରିଥିଲେ। ବକ୍ସି ବଜାର ଛକରୁ ଦରଘା ବଜାର ଜେଲ ରୋଡ୍ ପର୍ଯ୍ୟନ୍ତ ପୁରା ପୋଲିସ ଛାଉଣୀରେ ପରିଣତ ହୋଇଥିଲା। ଭୟରେ ସହରର କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ମଧ୍ୟ ରହିଥିଲା।
ସେପଟେ ସୋସିଆଲ ମିଡ଼ିଆରେ ସହରର ଶାନ୍ତି ବ୍ୟାହତ ହେଲା ଭଳି ଯେତେ ସବୁ ପୋଷ୍ଟ କରାଯାଇଛି, ସେସବୁକୁ ପ୍ରଶାସନ ନିଜଆଡୁ ବୈଷୟିକ ସହାୟତା ନେଇ ଡିଲିଟ୍ କରିବାକୁ ଦାବି କରିଛି ଶାନ୍ତି ସଦଭାବନା ସମିତି। ତାସହ ସୋସିଆଲ ମିଡ଼ିଆ ଅପବ୍ୟବହାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିବେଦନ କରିଛନ୍ତି।...
କଟକରେ ଆଗକୁ ଆସୁଛି ଆହୁରି ଦୁଇ ଦୁଇଟି ବଡ଼ ପର୍ବ। କାଳୀପୂଜା ଓ କାର୍ତ୍ତିକେଶ୍ବର ପୂଜା, ତା ସାଙ୍ଗକୁ ଐତିହାସିକ ବାଲିଯାତ୍ରା। ତେଣୁ ସେତେବେଳେ ସହରରେ କିଭଳି ଭାଇଚାରା ସାଙ୍ଗକୁ ଶାନ୍ତି ବଜାୟ ରହିବ, ତାହା ଏବେଠୁ କମିଶନରେଟ୍ ପୋଲିସ ପାଇଁ ହୋଇଛି ଚ୍ୟାଲେଞ୍ଜ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/cuttack-2025-10-10-21-10-07.jpg)