Advertisment

SI Exam Scam Odisha: ରାଜ୍ୟର ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ମହାଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ

SI ପରୀକ୍ଷା ସ୍କାମରେ ସନ୍ଦେହରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଭୂମିକା। ସିଲିକେନ୍ ଟେକ୍ ଚଞ୍ଚକତା କରୁଥିବା ବେଳେ କାହିଁକି ନୀରବ ରହିଥିଲା ଓପିଆରବି ? କୋଲକତାରେ ପ୍ରଶ୍ନପତ୍ର ଛାପିବାକୁ କିଏ କହିଥିଲା ? କାହିଁକି ସିଲିକନ୍ ଟେକକୁ ଏକାଧିକ ସେଟ୍ ପ୍ରଶ୍ନପତ୍ର ଛପାଇବାକୁ ଦିଆଯାଇଥିଲା ଅନୁମତି ?

SI Exam Scam Odisha

ରାଜ୍ୟର ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ମହାଦୁର୍ନୀତି Photograph: (OTV)

Advertisment

ରାଜ୍ୟର ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ମହାଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ। ୧୬ ଅଭିଯୁକ୍ତଙ୍କ ଦାଖଲ ହୋଇଥିବା ୬୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟରେ କେଳେଙ୍କାରୀର ଗୁମର ଖୋଲିଛି ତଦନ୍ତକାରୀ ସଂସ୍ଥା। ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇଛି, ସିଲିକନ ଟେକ୍ ପ୍ରାଇଭେଟ ଲିମିଟେଡ ଏମଡି ସୁରେଶ ନାୟକଙ୍କ ପ୍ରଶ୍ନପତ୍ରର ମହା ଚଞ୍ଚକତା। ପ୍ରଶ୍ନପତ୍ରକୁ କେମିତି ବଦଳାଇଥିଲେ ସେ, ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରିଛି ସିବିଆଇ। ହେଲେ ଶତାବ୍ଦୀର ଏହି ମହାକେଳେଙ୍କାରୀ ପଛରେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ତଥା OPRBର ଭୂମିକାକୁ ନେଇ ସିବିଆଇ ବଡ଼ ସନ୍ଦେହ କରିଛି। 

Advertisment

SI ପରୀକ୍ଷା ସ୍କାମରେ ସିବିଆଇ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟରେ OPRBର ଭୂମିକାକୁ ନେଇ ସନ୍ଦେହ କରିଛି ତଦନ୍ତକାରୀ ସଂସ୍ଥା ସିବିଆଇ। ଓଟିଭି ହାତରେ ଲାଗିଥିବା ଚାର୍ଜସିଟ ଅନୁସାରେ ପରୀକ୍ଷା ପାଇଁ ସମସ୍ତ ପ୍ରଶ୍ନପତ୍ର ତିଆରି କରିବା ଓ ଛପେଇବା ଦାୟିତ୍ୱ ଥିଲା ଓପିଆରବିର। ସମସ୍ତ ଲଜିଷ୍ଟିକ ସପୋର୍ଟ ସହ ଲୋକବଳ, ସିସିଟିଭି ଲଗାଇବା, ଯାନବାହନ ଯୋଗାଇବା ଆଦି କାମ ଥିଲା ଥାର୍ଡ ପାର୍ଟି ଏଜେନ୍ସି ସିଲିକନ ଟେକ୍ ଲାବ ପ୍ରାଇଭେଟ ଲିମିଟେଡର। କିନ୍ତୁ କୋଲକାତାର ସରସ୍ୱତୀ ପ୍ରିଣ୍ଟିଂ ପ୍ରେସରେ ଛପାଯାଇଥିବା ପ୍ରଶ୍ନପତ୍ର ମଧ୍ୟ ସିଲିକନ ଟେକ୍ ଏମଡି ସୁରେଶ ନାୟକଙ୍କ ଅନୁସାରେ ହୋଇଥିଲା। ଯେଉଁଠିକି ଗୋଟିଏ ସେଟ୍‌ ପ୍ରଶ୍ନ ପତ୍ର ଛପାଇବା ପାଇଁ OPRB ସ୍ଥିର କରିଥିବା ବେଳେ ସୁରେଶ ଆଉ ଏକ ସେଟ୍ ପ୍ରଶ୍ନ ପତ୍ର ଛାପିବା ଲାଗି ପରାମର୍ଶ ଦେଇଥିଲେ। 

ତେଣୁ ଓପିଆରବି କର୍ତ୍ତୃପକ୍ଷ ଆଉ ଏକ ସେଟ୍ ପ୍ରଶ୍ନପତ୍ରକୁ ବିକଳ୍ପ ଭାବେ ରଖି ଛାପିବାକୁ ରାଜି ହୋଇଥିଲେ। ହେଲେ ଏହାରି ଭିତରେ ସୁରେଶ କାରସାଦି କରି ବିକଳ୍ପ ସେଟର ପ୍ରଶ୍ନପତ୍ରକୁ ମୂଳ ସେଟର ପ୍ରଶ୍ନପତ୍ର ପ୍ୟାକେଟରେ ବଦଳାଇ ଛାପି ଦେଇଥିଲେ। ଏହା ପରେ ଛପାଯାଇଥିବା ପ୍ରଶ୍ନପତ୍ର ଆଣି କଟକ ଷଷ୍ଠ ବାଟାଲିୟନ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା। ତାହାକୁ ସଠିକ ଭାବେ ଓପିଆରବିର ଅଧିକାରୀ ମାନେ ଚେକିଂ କରିନଥିଲେ କାହିଁକି ? 

Advertisment

ଏଭଳି ପ୍ରଶ୍ନକୁ ଧରି ଓପିଆରବି ଏସପି ବଳଭଦ୍ର ଦୀପ ଓ ସେକ୍ସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ଜେରା କରିଛି ସିବିଆଇ। କିନ୍ତୁ ମିଳିନି ସଠିକ ଉତ୍ତର। ସେହିପରି ସିବିଆଇ ଜାଣିବାକୁ ପାଇଛି ଯେ, ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ପୂର୍ବରୁ ସମସ୍ତ ପ୍ରକାରର ଡିଲ୍ ସରିଥିଲା। ତେବେ ଓପିଆରବି ଜାଣି ଜାଣି ଅଜଣା ଥିଲା ନ ନା କିଛି ସୁରାଗ୍ ପାଇନଥିଲା, ସେନେଇ ଚାଲିଛି ଖୋଳତାଡ଼।

ଚାର୍ଜସିଟରେ ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟିକୁ ପୁରା କେଳେଙ୍କାରୀର ମାଷ୍ଟରମାଇଣ୍ଡ ଦର୍ଶାଇଛି ସିବିଆଇ। ଆଇଟିଆଇ ଲିମିଟେଡ ନିକଟରୁ ଥାର୍ଡପାର୍ଟି ଭାବେ ସିଲିକନ ଟେକ ଟେଣ୍ଡର ପାଇଥିବା ବେଳେ ସମସ୍ତଙ୍କ ଅଗୋଚରରେ ପଞ୍ଚସଫ୍ଟ କମ୍ପାନୀକୁ ଦେଇଥିଲା କାମ। ଏହାରି ଭିତରେ ପୋଲିସ ଏସଆଇ ପରୀକ୍ଷା ଘୋଟାଲା ପାଇଁ ଅରବିନ୍ଦ ଦାସ, ମୁନା ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ ଓ ତ୍ରିନାଥ ଜେନାଙ୍କ ଜରିଆରେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଭାବିତ କରିଥିଲେ ଶଙ୍କର ପୃଷ୍ଟି। 

Advertisment

ଏପରିକି ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ପାଇସାରିଥିବା ବେଳେ ତାହାକୁ ଦେଖାଇ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦ ପାଇଁ ଡିଲ କରିଥିଲେ। ଗୋଟିଏ ପଟେ ୧୧୪ ପରୀକ୍ଷାର୍ଥୀ ଆନ୍ଧ୍ର ଯାଉଥିବା ବେଳେ ବହୁଳ ଭାବେ ପରୀକ୍ଷାର୍ଥୀ ପଶ୍ଚିମବଙ୍ଗର ଦୀଘା ଓ ମନ୍ଦାରମଣି ଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିଲା। ଟଙ୍କା ଦେଇଥିବା ପରୀକ୍ଷାର୍ଥୀଙ୍କ ସମସ୍ତ ଅରିଜିନାଲ ସାର୍ଟିଫିକେଟ ସବୁ ଦଲାଲଙ୍କ ଜରିଆରେ ଶଙ୍କର କଲେକ୍ସନ କରିସାରିଥିଲା।

ଶଙ୍କର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତି, ବିଶ୍ୱ ରଂଜନ ବେହେରା, ଅରବିନ୍ଦ ଦାସ, ପ୍ରିୟଦର୍ଶିନୀ ସାମଲ, ସାଗର ଗୌଡ, ବିରଞ୍ଚି ନାୟକ, ଅର୍ଜୁନ ନାୟକ ଓ ନିତିଶ କୁମାରଙ୍କ ଭଳି ୧୬ ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ କରିଛି ସିବିଆଇ। 

୬୦ ପୃଷ୍ଠାର ଏହି ପ୍ରାଥମିକ ଚାର୍ଜସିଟରେ ୧୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ସହ ୧୭୧ଟି ପ୍ରମାଣ ଦାଖଲ କରାଯାଇଛି। ଯେଉଁଥିରେ ରହିଛି ଏକାଧିକ ଅଭିଯୁକ୍ତ ପରୀକ୍ଷାର୍ଥୀ ଓ ତାଙ୍କ ପରିବାର ଲୋକ, ଆନ୍ଧ୍ରପ୍ରଦେଶକୁ ୧୧୪ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବସ ଷ୍ଟାଫ, ହୋଟେଲ ମ୍ୟାନେଜର, ଦୀଘାରେ ବୁକିଂ ହୋଇଥିବା ହୋଟେଲ ଷ୍ଟାଫଙ୍କ ସହ ଓପିଆରବି ଷ୍ଟାଫଙ୍କ ବୟାନ।  

୧୬ ଅଭିଯୁକ୍ତ ବାଦ ଶେଷରେ ବିହାରରୁ ଗିରଫ ହୋଇଥିବା ଅମିତ ଭାରତୀ ବିରୋଧରେ ଦାଖଲ ହୋଇନି ଚାର୍ଜସିଟ। ଏବେବି ମାମଲାର ତଦନ୍ତ ଜାରି ରହିଥିବାରୁ ଆହୁରି ଅନେକ ଲୋକ ସିବିଆଇ ସ୍କାନରରେ। 

Recruitment Scam CBI Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ