କିନ୍ନରଙ୍କୁ ହତ୍ୟା ମାମଲା; ତୁରନ୍ତ ହତ୍ୟାକାରୀଙ୍କୁ ଧରିବା ଦାବି ସହ ଗର୍ଜିଛି କିନ୍ନର ସଂଘ Photograph: (OTV)
ରାଜଧାନୀ ଉପକଣ୍ଠରେ ଜଣେ କିନ୍ନରଙ୍କୁ ବୀଭତ୍ସ ହତ୍ୟାକୁ ନେଇ ହଲ୍ଲାବୋଲ୍। ଘଟଣାକୁ ୨୪ ଘଣ୍ଟା ପୂରିବାକୁ ଥିଲେ ବି ନା ହତ୍ୟାର କାରଣ ଜଣାପଡ଼ିଛି ନା ହତ୍ୟାକାରୀର ମିଳିଛି ପତ୍ତା। ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ତାଙ୍କୁ କିଏ ଏବଂ କାହିଁ ଛୁରୀ ଭୂସି ମାରିଦେଲା, ତାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ମୃତକ କିନ୍ନର କି ନୁହଁନ୍ତି, ତାକୁ ନେଇ ଉଠିଛି ନାନା ପ୍ରଶ୍ନ।
ଏସବୁ ଭିତରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନଭିନ୍ ଜାରି ରଖିଛି ପିପିଲି ପୋଲିସ। ସେପଟେ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ରାଜରାସ୍ତାରେ ଗର୍ଜିଛି କିନ୍ନର ସଂଘ।.
ରାଜରାସ୍ତାରେ କିନ୍ନରଙ୍କୁ ହତ୍ୟା। ପେଟରେ ଛୁରୀ ଭୁସିଲେ। ଶରୀରର ଏକାଧିକ ସ୍ଥାନରେ କ୍ଷତାକ୍ତ କଲେ। ଜାତୀୟ ରାଜପଥ କଡ଼ରେ ବୀଭତ୍ସ ହତ୍ୟା କରି ଫେରାର ହୋଇଗଲେ। ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟରେ କିନ୍ନର ଅଞ୍ଜଳି ଓରଫ ସୋନା ହତ୍ୟାକାଣ୍ଡ ପରେ ତାତିଛି ସାରା କିନ୍ନର ସମାଜ। ପିପିଲି ଥାନାରେ ମାମଲା ରୁଜୁ କରି ପୋଲିସର ଛାନଭିନ୍ ଭିତରେ ତୁରନ୍ତ ହତ୍ୟାକାରୀଙ୍କୁ ବାନ୍ଧିବା ଦାବିରେ ଗର୍ଜିଛନ୍ତି ରାଜଧାନୀ ସମେତ ଆଖପାଖ ଅଞ୍ଚଳର କିନ୍ନର। କାରଣ ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ତାଙ୍କୁ ଯେଭଳି ହତ୍ୟା କରାଗଲା, ତାକୁ ନେଇ ଦେଖାଦେଇଛି ଉଦବେଗ।
କାହିଁକି ହତ୍ୟା କରାଗଲା ସଂପୃକ୍ତ କିନ୍ନରଙ୍କୁ ? ଲୁଟପାଟ ପାଇଁ ନା କିନ୍ନର ସଂଘ ମଧ୍ୟରେ ଫାଟ ପାଇଁ ? ଥିଲା କି କୌଣସି ପାରିବାରିକ ବିବାଦ ? ଏଭଳି ନାନା ପ୍ରଶ୍ନ ଭିତରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ତଦନ୍ତ କରିଛି ପୋଲିସ। ରାସ୍ତାରେ ଲାଗିଥିବା ସିସିଟିଭି ସହ ଆଖପାଖ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜକୁ ଧରି ଯାଞ୍ଚ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାଲେପୁରର ଅଞ୍ଜଳୀ ଓରଫ ସୋନା କିନ୍ନର ଗତ ୨ ଦୁଇଦିନ ତଳେ ଭୁବନେଶ୍ବର ଆସିଥିଲେ। ବର୍ଷେ ପୂର୍ବରୁ ବିନେଶ ରାଉତ ନାମରେ ପରିଚିତ ଥିଲେ। ବାଣିଜ୍ୟରେ ସ୍ନାତକ ଯାଏଁ ପାଠପଢ଼ିଥିବା ବିନେଶ, ଜଣେ ମେଧାବୀ ଛାତ୍ର। କେବଳ ଏତିକି ନୁହେଁ, ସେ ଏକ ସ୍କୁଲର ଯୋଗ ଶିକ୍ଷକ ମଧ୍ୟ ଥିଲେ। ଗତ ବର୍ଷେ ହେଲା ବିନେଶଙ୍କ ମଧ୍ୟରେ ଅସମ୍ଭବ ପରିବର୍ତ୍ତନ ସହ ମହିଳାଙ୍କ ଭଳି ଆଚରଣ ଦେଖିବାକୁ ପାଇଥିଲେ ଘର ଲୋକ। ଯାହାକୁ ନେଇ ପରିବାର ମଧ୍ୟରେ ବିବାଦ ବି ଲାଗିରହିଥିଲା।
ତେଣୁ ବର୍ଷେ ହେବ ଘର ଲୋକଙ୍କଠୁ ଲୁଚି ରହୁଥିଲେ ଅଞ୍ଜଳୀ ଓରଫ ସୋନା। କିନ୍ତୁ ରହସ୍ୟଜନକ କଥା ହେଉଛି, ପରିବାର ଲୋକ କିମ୍ବା ଯୋଗ ଛାତ୍ରଛାତ୍ରୀ ବିନେଶଙ୍କୁ ଜଣେ କିନ୍ନର ବୋଲି ଗ୍ରହଣ କରିପାରୁନାହାନ୍ତି ।
ରବିବାର ରାତି ସାଢ଼େ ୮ଟାରୁ ୯ଟା। ପିପିଲି ଥାନା ଉତ୍ତରା ଛକ SIFA ନିକଟ ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ତାଙ୍କୁ ଛୁରି ଭୂସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ସ୍ଥଳର କିଛି ଦୂରରେ ଥିବା ଏକ ଆପାର୍ଟମେଣ୍ଟରୁ ପୋଲିସକୁ କିଛି ସୁରାକ ମିଳିଥିବା କୁହାଯାଉଛି। କାରଣ ସନ୍ଧାନୀ କୁକୁର ସେହି ଆପାର୍ଟମେଣ୍ଟକୁ ବି ଯାଇଥିଲା।ତେବେ ଏହି ଆପାର୍ଟମେଣ୍ଟରେ ଲୁଚି ରହିଛି କି ହତ୍ୟାର ସବୁ ରହସ୍ୟ ? ତାକୁ ନେଇ ବଢ଼ିଛି ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/brutal-stabbing-murder-shocks-capital-suburb-2026-02-02-20-37-22.jpg)