ଅରବିନ୍ଦଙ୍କୁ କାହିଁକି ନିଲମ୍ବନ କଲା ବିଜେଡି ? Photograph: (OTV)
ଥମୁନି ବିଜେଡିର ସସପେଣ୍ଡ ପଲିଟିକ୍ସ । ରବିବାର ବିଜେଡି ପୁଣି ପ୍ରେସ୍ମିଟ୍ କରି ବିଧାୟକ ଅରବିନ୍ଦ ମହାପାତ୍ର ଓ ତାଙ୍କ ବାପା ବିଜୟ ମହାପାତ୍ରଙ୍କୁ ଟାର୍ଗେଟ କରିଛି। କହିଛି, ବାପା ପୁଅ ଦଳୀୟ ଚିହ୍ନ ଓ ସୁପ୍ରିମୋଙ୍କ ଫଟୋ ନ ରଖି ପାଟକୁରାରେ ନିଜ ଇଚ୍ଛାରେ ସଂଗଠନ କରୁଥିଲେ। ଟିକେଟ ନେବା ପରଠାରୁ ଦଳ ସହ ବିଶ୍ୱାସଘାତକତା କରୁଥିଲେ। ଜବାବରେ ଅରବିନ୍ଦ କହିଛନ୍ତି, ପ୍ରତ୍ୟେକ ଥର ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ଏକାଥରେ ସବୁ ଅଭିଯୋଗ କାଗଜରେ ଲେଖି ଦେଇ ଦିଅନ୍ତୁ। ନବୀନଙ୍କୁ ଭେଟିଲା ପରେ ଯାଇ ହିଁ ସବୁ ଅଭିଯୋଗର ଉତ୍ତର ଦେବି।
ଏମିତି ଅଭିଯୋଗ ଫର୍ଦ୍ଦ ବଢୁଥିବା ବେଳେ କାରଣ ଏବେବି ଅସ୍ପଷ୍ଟ। ବିଜେଡିରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ ପରେ ତେଜିଛି ବୟାନ ବାଜି। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପୁଣି ଟାର୍ଗେଟ କରିଛି ଅରବିନ୍ଦ ଓ ତାଙ୍କ ବାପା ବିଜୟ ମହାପାତ୍ରଙ୍କୁ। ବିଜେଡି ସାଧାରଣ ସଂପାଦକ ଅମରେଶ ପତ୍ରୀ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବିଧାୟକ ହେବା ଦିନଠାରୁ ପାଟକୁରାରେ ବିନା ଦଳୀୟ ଚିହ୍ନରେ କାର୍ଯ୍ୟକ୍ରମ କରି ଆସୁଥିଲେ ଅରବିନ୍ଦ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ରଖୁ ନ ଥିଲେ। ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଉଭୟ ବିଜୟ ଓ ଅରବିନ୍ଦ ହରାଇଛନ୍ତି।
ବାପାଙ୍କ ଭଳି ପଛରୁ ଛୁରା ମାରିଛନ୍ତି ପୁଅ ଅରବିନ୍ଦ। ସେ ବିଶ୍ବାସଘାତକତା କରୁଛନ୍ତି ବୋଲି ୨୨ ମାସ ହେବ ଦଳର ଗୁଇନ୍ଦା ରିପୋର୍ଟ ଥିଲା । ପିପିଲି ଯାଇ ଅରବିନ୍ଦ କିଛି ନେତାଙ୍କ ସହ ଆଲୋଚନା କରି ବିଦ୍ରୋହ ଚେଷ୍ଟା କରୁଥିବା ଭଳି ସଙ୍ଗିନ ଅଭିଯୋଗ କରିଛି ବିଜେଡି। ସେପଟେ ଅରବିନ୍ଦ କହିଛନ୍ତି, ବିଜେଡିର ସବୁ ଅଭିଯୋଗ ମିଛ। ସେ ନବୀନଙ୍କୁ ଭେଟି ଆଲୋଚନା କରିବାକୁ ଚେଷ୍ଟା କରିବେ। ସବୁ ଅଭିଯୋଗକୁ ଚାଲେଞ୍ଜ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅରବିନ୍ଦ।
ଏଣେ କେନ୍ଦ୍ରାପଡ଼ା ଡେରାବିଶରେ ରବିବାର ମେଳି କରିଛନ୍ତି ଅରବିନ୍ଦଙ୍କ ସମର୍ଥକ ବିଜେଡି କର୍ମକର୍ତ୍ତା ଓ ନେତା। ଅନେକ ନେତା ଷଡ଼ଯନ୍ତ୍ର କରି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଅରବିନ୍ଦ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। କେବେ ବି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ସମର୍ଥକ।
ଅନ୍ୟପଟେ ସେମାନେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀଙ୍କ ବିରୋଧରେ ବର୍ଷିଛନ୍ତି। ମହାକାଳପଡାରେ ଅତନୁଙ୍କ ପ୍ରତି ସମର୍ଥନ କମୁଥିବାରୁ ସେ ପାଟକୁରା ମୁହାଁ ହୋଇ ଏସବୁ ଷଡଯନ୍ତ୍ର କରିଛନ୍ତି। ଆହୁରି ମଧ୍ୟ ନିର୍ବାଚନ ସମୟରେ ଅରବିନ୍ଦକୁ ହରାଇବା ପାଇଁ ଅତନୁଙ୍କ ଭାଇ ଶାନ୍ତନୁ ନାୟକ ଟଙ୍କା ବାଣ୍ଟିଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅରବିନ୍ଦଙ୍କ ସମର୍ଥକଙ୍କ ଅଭିଯୋଗକୁ ନେଇ ଅତନୁ କିମ୍ବା ଶାନ୍ତନୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପକ୍ଷରେ ଏହାର ସତ୍ୟତା ନାହିଁ ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି କହିବା ସହ ସେମାନେ ଓଲଟା ଅରବିନ୍ଦଙ୍କ ବିଜୟ ପାଇଁ ଚେଷ୍ଟା କରୁଥିଲେ ବୋଲି ସ୍ପଷ୍ଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/18/why-bjd-suspends-arvind-mahapatra-2026-01-18-20-05-04.jpg)