Advertisment

BJD Internal Conflict: ଗାୟବ ହେଉଛି ଶଙ୍ଖ ଚିହ୍ନ, ହଜୁଛି ନବୀନଙ୍କ ଚେହେରା

ଗାୟବ ହେଉଛି ଶଙ୍ଖ ଚିହ୍ନ। ହଜୁଛି ନବୀନଙ୍କ ଚେହେରା। ବରିଷ୍ଠଠୁ କନିଷ୍ଠ ଯାଏଁ ସବୁଠି ଶୁଭୁଛି ବିଦ୍ରୋହ ସ୍ବର। ନେତାଙ୍କ ନୂଆ ବର୍ଷ ବ୍ୟାନରରୁ ସ୍ଥାନ ହରାଇଲାଣି ବିଜେଡି ବ୍ରାଣ୍ଡ।

BJD Internal Conflict

ବିଜେଡିରେ ବିଦ୍ରୋହ ଝଡ଼, ନେତାଙ୍କ ବ୍ୟାନରରୁ ନବୀନ ଓ ଶଙ୍ଖ ହେଉଛି ଗାୟବ Photograph: (OTV)

Advertisment

ଗାୟବ ହେଉଛି ଶଙ୍ଖ ଚିହ୍ନ। ହଜୁଛି ନବୀନଙ୍କ ଚେହେରା। ବରିଷ୍ଠଠୁ କନିଷ୍ଠ ଯାଏଁ ସବୁଠି ଶୁଭୁଛି ବିଦ୍ରୋହ ସ୍ବର। ନେତାଙ୍କ ନୂଆ ବର୍ଷ ବ୍ୟାନରରୁ ସ୍ଥାନ ହରାଇଲାଣି ବିଜେଡି ବ୍ରାଣ୍ଡ। ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିନା ଦଳୀୟ ଚିହ୍ନରେ ସାମାଜିକ କାର୍ଯ୍ୟକ୍ରମ କରିଛନ୍ତି। ଖାଲି ରବି ଜେନା ନୁହେଁ ରାଜା ସ୍ବାଇଁ, ଋଷି ସାମନ୍ତରାୟ ଙ୍କ ସହ କିଛି ଯୁବ ନେତାଙ୍କ ନୂଆ ବର୍ଷ ଶୁଭେଚ୍ଛା ପୋଷ୍ଟରରୁ ନବୀନ ବ୍ରାଣ୍ଡ ହଜିଗଲାଣି। 

Advertisment

ରବି, ଋଷି, ରାଜା, ସନା। ନୂଆ ବର୍ଷରୁ ଉଡାଇଲେ ବିଦ୍ରୋହର ବାନା। ବିଜେଡି ନେତାଙ୍କ ପୋଷ୍ଟରରୁ ନବୀନ ଗାଏବ। ଚିହ୍ନ ନାହିଁ କି ଚେହେରା ବି ନାହିଁ। ପୂର୍ବତନ ସାଂସଦ ରବି ଜେନା ଗତକାଲି ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ଆସୁଥିବା ମୟୁରଭଞ୍ଜର ବଡସାହିରେ ଏକ ସାମାଜିକ କାର୍ଯ୍ୟକ୍ରମ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ବ୍ୟାନରରେ ନା ଥିଲା ଦଳର ରଙ୍ଗ, ନା ଥିଲା ଶଙ୍ଖ ନା ନବୀନଙ୍କ ଚେହେରା। ଯାହାକୁ ନେଇ ତେଜିଛି ବାଲେଶ୍ୱର ରାଜନୀତି। 

ବାଲେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରୁ ଏଯାଏ ଜିଲ୍ଲା ସଭାପତି ଘୋଷଣା କରିପାରିନାହାନ୍ତି ନବୀନ ପଟ୍ଟନାୟକ। ଚର୍ଚ୍ଚା ହେଉଛି ଯେ ରବି ଜେନା ଗୋଷ୍ଠୀ ସୁପ୍ରିମୋଙ୍କ ଉପରେ ଖପ୍ପା ହୋଇ ଦଳୀୟ କାର୍ଯ୍ୟକ୍ରମରୁ ଏବେ ଦୂରେଇ ଯାଇଛନ୍ତି। ଏହାସହ ସେ ବିଜେପି ଆଡ଼କୁ ଢଳୁଥିବା କଥା ବି ଜିଲ୍ଲାରେ ଆଲୋଚନା ହେଉଛି। 

Advertisment

ଏପରିକି ନିଜ ପତ୍ନୀ ତଥା ବିଧାୟିକା ସୁବାସିନୀ ଜେନାଙ୍କ ସହ ବିନା ଦଳୀୟ ବ୍ୟାନରରେ ସାମାଜିକ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି। ଖାଲି ରବି ଜେନା ନୁହଁନ୍ତି ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ରାଜା ସ୍ବାଇଁ ଙ୍କ ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ବାର୍ତ୍ତା ବ୍ୟାନରରୁ ନବୀନଙ୍କ ଫଟ ଓ ଶଙ୍ଖ ଚିହ୍ନ ସ୍ଥାନ ପାଇନି। 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନରେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ ଗେରୁଆ ବ୍ୟାନରରେ ଶୁଭେଚ୍ଛା ବାର୍ତ୍ତା ଦେଇ ବିଜେପି ଆଡକୁ ଢଳୁଥିବା ନେଇ ଇସାରା ଦେଇଛନ୍ତି। ବଢୁଥିବା ବିଦ୍ରୋହ ସ୍ବରକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂ ଙ୍କ ପ୍ରତିକ୍ରିୟା ହେଲା ନବୀନ ବାବୁ ଅସନ୍ତୁଷ୍ଟଙ୍କ ସହ ଆଲୋଚନା କରିବା ସହ ଟ୍ରାନସପରେନସି ରଖିବା ଆବଶ୍ୟକ। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ତେରେଛା ବାଣ ମାରି କହିଛନ୍ତି ଆମ ଭିତରେ ଏକତା ରହିଲେ ହିଁ ଦଳ ଉନ୍ନତି କରିବ।

Advertisment

ଅନ୍ୟପଟେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ବିନା ବିଜେଡି ବ୍ରାଣ୍ଡରେ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି। ଖାଲି ବରିଷ୍ଠ କାହିଁକି ପୂର୍ବତନ ବିଜୁ ଛାତ୍ର ଜନତା ଦଳର ଉପସଭାପତି ରାଜେଶ ରାଜ ସ୍ବାଇଁ ମଧ୍ୟ ନୂଆ ବର୍ଷ ଶୁଭେଚ୍ଛା ବ୍ୟାନରରେ ନବୀନଙ୍କ ଫଟୋକୁ ଉଡାଇଦେଇଛନ୍ତି। ଯେଉଁଥିରୁ ସ୍ପଷ୍ଟ ହେଲାଣି ଯେ ନେତୃତ୍ୱଙ୍କ ଉପରୁ ଆସ୍ଥା ହରାଇଲେଣି ବିଜେଡି ନେତା। ବିପର୍ଯ୍ୟୟ ପରେ ଦଳକୁ ସଙ୍ଗଠିତ କରିବାକୁ ନବୀନ ଯେତେ ଚେଷ୍ଟା କଲେ ବି ଫାଟ ଏମିତି ବଢୁଛି ଯେ ଯୋଡିବା କଷ୍ଟ। ଅନ୍ୟପଟେ ଦଳ କହିଛି, ସବୁ ଦଳରେ ମତାନ୍ତର ରହିଥାଏ କିନ୍ତୁ ବିଜେଡି ସଙ୍ଗଠିତ ଅଛି।

ନୂଆ ବର୍ଷ ଆରମ୍ଭରୁ ନବୀନଙ୍କ ମୁଣ୍ଡବିନ୍ଧା ବଢାଇଲେଣି ସ୍ବାଭିମାନୀ ନେତା। ବରିଷ୍ଠଙ୍କ ଠାରୁ କନିଷ୍ଠଙ୍କ ଯାଏ ଦଳପତିଙ୍କୁ ଚାଲେଞ୍ଜ ଦେଉଥିବାବେଳେ ନବୀନ ଏହାକୁ ମ୍ୟାନେଜ କରିବାରେ କେତେ ସଫଳ ହେଉଛନ୍ତି ତାକୁ ଅପେକ୍ଷା।

Naveen Patnaik BJD Odisha Political
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ