Advertisment

Arvind Mahapatra Supporters Protest: ତାତିଲେ ସମର୍ଥକ, ମାଗିଲେ ଜବାବ, ଶଙ୍ଖ ଭବନ ଆଗରେ ‘ପାଟକୁରା’ ପାଲା

ତାତିଲେ ସମର୍ଥକ, ମାଗିଲେ ଜବାବ। ଶଙ୍ଖ ଭବନ ଆଗରେ ‘ପାଟକୁରା’ ପାଲା। ନିଲମ୍ବନ ପ୍ରତ୍ୟାହାର ଦାବିରେ ଅରବିନ୍ଦଙ୍କ ସମର୍ଥକଙ୍କ ହଲ୍ଲାବୋଲ। ଚକ୍ରାନ୍ତକାରୀଙ୍କୁ ଚିହ୍ନଟ ପାଇଁ ଅରବିନ୍ଦଙ୍କ ସମର୍ଥକଙ୍କ ଜିଦ୍। ପରିସ୍ଥିତି ସମ୍ଭାଳିବାକୁ ବରିଷ୍ଠ ନେତାଙ୍କ ପୁନଃର୍ବିଚାର ପ୍ରତିଶ୍ରୁତି।

Arvind Mahapatra Supporters Protest

ତାତିଲେ ସମର୍ଥକ, ମାଗିଲେ ଜବାବ Photograph: (OTV)

Advertisment

୨୪ ବର୍ଷରେ ଯାହା ହୋଇ ନଥିଲା, ଯେଉଁ ଘଟଣା କେବେ ଘଟି ନଥିଲା, ଆଜି ନଜର ଆସିଲା। ନବୀନଙ୍କ ନିଷ୍ପତ୍ତି ବିରୋଧରେ ମେଳି ବାନ୍ଧିଲେ ସାଧାରଣ କର୍ମୀ। ଅରବିନ୍ଦ ମାହପାତ୍ରଙ୍କୁ ସସପେଣ୍ଡ ପରେ ପାଟକୁରାରେ କୁହୁଳୁଥିବା ଅସନ୍ତୋଷ ନିଆଁ ଆଜି ଭୁବନେଶ୍ବରରେ ଫୁଟି ବାହାରିଛି। ଗତକାଲି ଅରବିନ୍ଦଙ୍କ ଚ୍ୟାଲେଞ୍ଜ ପରେ ଆଜି ପାଟକୁରାରୁ ଆସି ଶଙ୍ଖ ଭବନ ଘେରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ। 

Advertisment

ସେମାନେ ନିଲମ୍ବନର ପୁନର୍ବିଚାର ସହ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି। ତେବେ ଅରବିନ୍ଦ କଣ୍ଟା ଆଗକୁ ବିଜେଡି ପାଇଁ ବଡ଼ ବୁମେରାଂ ହେବ କି ? ତାକୁ ନେଇ ବଢ଼ିଛି ଚର୍ଚ୍ଚା।

ଶଙ୍ଖ ଭବନ ଆଗରେ ହାଇଡ୍ରାମା। ଅରବିନ୍ଦ ସମର୍ଥକଙ୍କ ହଲ୍ଲାବୋଲ। ନିଲମ୍ବନ ପ୍ରତିବାଦରେ ପ୍ର୍ରବଳ ନାରାବାଜି। ବିଜେଡି ଦଳପତିଙ୍କୁ ଖଲା ଚ୍ୟାଲେଞ୍ଜ। ପାଟକୁରାରେ ଆସି ପାୱାର ସୋ କଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ। ବିରାଟ ପଟୁଆରାରେ ମାଡ଼ି ଆସିଲେ, ଘେରିଗଲେ ଶଙ୍ଖ ଭବନ। କାଲି ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ ପରେ ଆଜି ରାଜଧାନୀରେ ଏମିତି ଶକ୍ତି ପ୍ରଦର୍ଶନ କରିଛନ୍ତି ସମର୍ଥକ। ସୁପ୍ରିମୋଙ୍କ ଅର୍ଡର ଓ ଦଳୀୟ ନିଷ୍ପତ୍ତି ବିରୋଧରେ ମହା ଗର୍ଜନ କରିଛନ୍ତି। 

Advertisment

ବିଶାଳ ଶୋଭାଯାତ୍ରା ଦର୍ଶାଉଥିଲା କେତେ ଖପ୍ପା ଅଛନ୍ତି ଅରବିନ୍ଦ ସମର୍ଥକ। କାହିଁକି ବିଧାୟକଙ୍କୁ ସସପେଣ୍ଡ କରାଗଲା ? କଣ ଭୁଲ ଅଛି ଆମକୁ ଜଣାଅ। ଅଭିଯୋଗ ଭିତ୍ତିହୀନ ଓ ବିଧାୟକଙ୍କ ପ୍ରତି ଅବିଚାର ହୋଇଛି। ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ପାଇଁ ଆମ ସୁନାମୁଣ୍ଡା ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ପୁନର୍ବିଚାର କରାଯାଉ ଦାବିରେ ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଅରବିନ୍ଦଙ୍କ ମସର୍ଥକ। ଅନ୍ୟପଟେ ପୁନର୍ବିଚାର କରିବାକୁ ପ୍ରତାପ ଜେନା ଓ ଦେବୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ସେମାନେ କହିଛନ୍ତି।

ଥମୁନି ପାଟକୁରା ଝଡ଼। ଦିନ ଗଡ଼ିବା ସହ ତୀବ୍ର ହେଉଛି ଆରୋପ ପ୍ରତ୍ୟାରୋପ। ଶଙ୍ଖ ଭବନରୁ ନବୀନ ନିବାସ ଯାଏଁ ଘମାସାନ। ଆଜି ଅରବିନ୍ଦ ସମର୍ଥକଙ୍କ ମେଳି ବିଜେଡି ଦଳପତିଙ୍କ ମୁଣ୍ଡବିନ୍ଧା ବଢ଼ାଇଛି। ଗଲା ୨୪ ବର୍ଷରେ ଯାହା ଆଖି କେବେ ଦେଖି ନଥିଲା ଆଜି ଦେଖିବାକୁ ମିଳିଲା। ବିଗତ ବର୍ଷରେ ଦଳୀୟ ଶୃଙ୍ଖଳା ଛାଟ ଆଳରେ ଅନେକ ନେତାଙ୍କୁ ସସପେଣ୍ଡ କରିଛନ୍ତି ନବୀନ। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଏମିତି ଢଙ୍ଗରେ କେହି କେବେ ଚ୍ୟାଲେଞ୍ଜ କରିବାକୁ ସାହସ ଜୁଟାଇ ନଥିଲେ। 

Advertisment

ଶୁକ୍ରବାର ଦିନ ତମାମ ନବୀନ ନିବାସରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଥିଲା। ବରିଷ୍ଠ ନେତାଙ୍କ ସହ ଘନଘନ ବୈଠକ କରିଥିବା ସୂଚନା ମିଳିଛି। ତମାମ ଘଟଣାବଳୀ ଅନେକ ପ୍ରଶ୍ନବାଚୀ ଠିଆ କରୁଛି। ଦଳୀୟ ନିଷ୍ପତ୍ତି ଏବେ ନବୀନ ନେଉଛନ୍ତି ନା ଆଉ କିଏ ? କାନକୁହାରେ ପରିଚାଳିତ ହେଉଛନ୍ତି କି ବିଜେଡି ସଭାପତି ? ଅରବିନ୍ଦ କଣ୍ଟା ବିଜେଡିକୁ ଅଡୁଆରେ ପକାଇଛି କି ? 

ନିଲମ୍ବନ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ସତରେ କଣ ଚକ୍ରାନ୍ତର ଶିକାର ହେଲେ ବିଜୟ ନନ୍ଦନ ? ପ୍ରତିଦିନ ଦଳ ପକ୍ଷରୁ ଭିନ୍ନ ଭିନ୍ନ କାରଣ ଏସବୁ ଦ୍ବନ୍ଦ୍ବକୁ ଆହୁରି ଦୃଢ଼ୀଭୂତ କରୁଛି। ଆକ୍ସନକୁ ନେଇ ନିଜେ ଅରବିନ୍ଦ ଆଶ୍ଚର୍ଯ୍ୟ ଥିବା ବେଳେ କର୍ମୀ ଓ ସମର୍ଥକଙ୍କୁ ବି କାର୍ଯ୍ୟାନୁଷ୍ଠାନର କାରଣ ସନ୍ତୋଷଜନକ ଲାଗୁନି। ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ଆଜି ନବୀନ ନିବାସରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା।

ଆଗକୁ ପାଟକୁରା ବିବାଦ କି ମୋଡ଼ ନେବ ତାହା ସମୟ କହିବ। କିନ୍ତୁ ଅନ୍ୟପଟେ ଆଜି ନବୀନ ନିବାସ ଯାଇଥିଲେ ନବୀନଙ୍କ ବନ୍ଧୁ ତଥା ଭେଟେରାନ୍ ଅନଙ୍ଗ ଉଦୟ ସିଂହଦେଓ। ୨୦୨୪ ବିପର୍ଯ୍ୟୟ ପରେ ସେ ନବୀନ ନିବାସ ଆସୁ ନଥିଲେ। ଆଜିର ଭେଟଘାଟ ପରେ ଚର୍ଚ୍ଚା ହେଉଛି, ଅନଙ୍ଗଙ୍କୁ କାହିଁକି ଲୋଡ଼ିଲେ ନବୀନ। 

Odisha News BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ