Pitabas Panda Case Photograph: (OTV)
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଓକିଲାତି। ଦଳୀୟ ନେତା ବିକ୍ରମଙ୍କ ଗିରଫଦାରୀ ବିପକ୍ଷରେ ବିଜେଡିର ଓକିଲାତି ପରେ ଏବେ ନ୍ୟାୟିକ ଲଢ଼େଇର ମୈଦାନରେ ୪୪ ଓକିଲ। ବିକ୍ରମ ଓ ଗିରଫ ୨ ସହଯୋଗୀ ତଥା କର୍ପୋରେଟର ମଳୟ ବିଷୋୟୀ ଓ ଛାତ୍ର ନେତା ମଦନ ଦଳେଇଙ୍କ ସପକ୍ଷରେ ୪୪ ଓକିଲ ଲଢ଼ିବା ପାଇଁ ଦାଖଲ କରିଛନ୍ତି ୱକାଲତନାମା।
ତେବେ ବିଜେଡିକୁ ନିଶାନା କରିଛନ୍ତି ଆଇନମନ୍ତ୍ରୀ। କହିଛନ୍ତି, ରାସ୍ତାରେ ଚ୍ୟାଲେଞ୍ଜ ନକରି ବିଜେଡି କୋର୍ଟକୁ ଯାଉ। ସେପଟେ କିଲର୍ କୁରୁପତି ଓ ହତ୍ୟା ପାଇଁ ଡିଲ୍ କରିଥିବା ଉମା ଏବେ ବି ପୋଲିସ ହାତରେ ଲାଗିନଥିବାରୁ ବଢୁଛି ସସପେନ୍ସ।...
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳି ପଡ଼ିଲେ ପୀତବାସ ପଣ୍ଡା। ମାମଲାରେ ଅନ୍ୟମାନଙ୍କ ସହ ଗିରଫ ହେଲେ ବିଜେଡି ନେତା ବିକ୍ରମ ପଣ୍ଡା ଆଣ୍ଡ କୋ। କିନ୍ତୁ ନ୍ୟାୟିକ ଲଢ଼େଇର ମୈଦାନକୁ ଆସିଥିବା ୪୪ ଓକିଲଙ୍କୁ ନେଇ ଚର୍ଚ୍ଚା। କାରଣ ବିକ୍ରମ ଓ ସହଯୋଗୀ ତଥା କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡ଼ି ନେତା ମଦନ ଦଳେଇଙ୍କ ସପକ୍ଷରେ ଲଢ଼ିବାକୁ ପ୍ରାୟ ୪୪ ଓକିଲ ଦାଖଲ କରିଛନ୍ତି ୱକାଲତନାମା। ଏହାବ୍ୟତୀତ ଜାମିନରେ ମୁକୁଳାଇବାକୁ କୋର୍ଟରେ ଜାରି ରହିଛି ଅଣ୍ଟାଭିଡ଼ା ପ୍ରସ୍ତୁତି।
ଗିରଫ ବିକ୍ରମ, ମଳୟ ଓ ମଦନ ଜଣେ ଜଣେ ଆଇନଜୀବୀ। କୋର୍ଟରେ ମାମଲା ଆସି ପହଞ୍ଚିଥିଲେ ବି ପୋଲିସ FIR ଏବଂ ଫରୱାର୍ଡିଂ ରିପୋର୍ଟକୁ ଛାଡ଼ିଦେଲେ ଏଯାଏଁ କୌଣସି କାଗଜପତ୍ର ଦାଖଲ କରିନଥିବା ଅନ୍ୟ ଆଇନଜୀବୀ ଅଭିଯୋଗ କରିଛନ୍ତି। ଏପରିକି ଏମାନଙ୍କୁ ଗିରଫ କରିଥିଲେ ବି ନା କୌଣସି ଓକିଲଙ୍କ ସହ ନା ପରିବାର ଲୋକଙ୍କୁ ଭେଟ କରାଇଥିଲା ପୋଲିସ। ଯାହା ଏକ ବ୍ୟତିକ୍ରମ ବୋଲି କହିବା ସହ ଏବେ ୱକାଲତନାମା ଦାଖଲ ହୋଇଛି। ଏହାପରେ ସମସ୍ତ କାଗଜପତ୍ର ସହ ତଥ୍ୟ ମିଳିବା ପରେ ଜାମିନ୍ ପାଇଁ ଆବେଦନ ହୋଇପାରିବ ବୋଲି କହିଛନ୍ତି ଆଇନଜୀବୀ।
ନିହତ ପୀତବାସଙ୍କ ପାଇଁ ସରକାରୀ ଓକିଲ ତ ଲଢ଼ିବେ। କିନ୍ତୁ ହଠାତ୍ ଅନ୍ୟ ୪୪ ଓକିଲଙ୍କ ୱକାଲତନାମାକୁ ନେଇ ବଢ଼ିଛି ଚର୍ଚ୍ଚା। ଅନ୍ୟ ଆଇନଜୀବୀଙ୍କ କହିବା କଥା, ବିଚାର ପ୍ରକ୍ରିୟା ଉପରେ ସମସ୍ତଙ୍କ ଭରସା ରହୁ। ପୀତବାସଙ୍କୁ ହତ୍ୟା ହୋଇଛି ସତ। କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ନାହାଁନ୍ତି। ତେଣୁ ପୋଲିସକୁ ତଦନ୍ତ ପାଇଁ ଖୋଲା ହାତ ଦିଆଯାଉ ଏବଂ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାନଯାଉ। ଅପରପକ୍ଷେ, ପୀତବାସଙ୍କ ଭାଇ କହିଛନ୍ତି, ଯେତେଜଣ ଓକିଲ ଲଢନ୍ତୁ, ନ୍ୟାୟାଳୟ ଏବଂ ନ୍ୟାୟିକ ପ୍ରକ୍ରିୟା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି।
ସେପଟେ ବିଜେଡିର ଦାବି, ପୀତବାସଙ୍କ ପ୍ରକୃତ ହତ୍ୟାକାରୀକୁ ଧରିବା ସହ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଘଟଣାର ତଦନ୍ତ କରାଯାଉ। ତେବେ ଯାଇ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ। ସାମ୍ବାଦିକ ସମ୍ମିଳନୀବେଳେ ଏସପି ନର୍ଭସ ଥିଲେ। କାରଣ ସେ ସରକାରୀ ଦଳ ପାଇଁ ମିଛ କହୁଥିଲେ ବୋଲି କହିଛି ବିଜେଡି। ଏସବୁ ଭିତରେ ବିଜେଡିକୁ ନିଶାନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପୋଲିସ ନିଷ୍ଠାପର ଭାବେ ତଦନ୍ତ କରୁଛି। ବିଜେଡ଼ି ରାସ୍ତାରେ ଚ୍ୟାଲେଞ୍ଜ ନକରି ନ୍ୟାୟିକ ଦିଗକୁ ଯାଉ।
ମାମଲାରେ କୋରାପୁଟ ଜୟପୁରର ସୁନୀଲ ହୋତାଙ୍କୁ ମିଶାଇ ଏଯାଏଁ ଗିରଫଦାରୀ ସଂଖ୍ୟା ପହଞ୍ଚିଲାଣି ୧୩। ଗତକାଲି ଆତ୍ମସମର୍ପଣ କରିଥିବା ବିକ୍ରମଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ପୋଲିସ ପଚରାଉଚରା କରି ଛାଡ଼ିଦେଇଛି। କିନ୍ତୁ ଟାର୍ଗେଟରେ ଥିବା ସୁଟର୍ କୁରୁପତି ଭୂୟାଁ ଏବଂ ହତ୍ୟାକାରୀଙ୍କ ସହ ଡିଲ୍ କରିଥିବା ଉମା ବିଷୋୟୀ ଗଲେ କୁଆଡ଼େ ? ରାଜ୍ୟ ଭିତରେ ନା ବାହାରେ ? କାହା ଇଙ୍ଗିତ ଓ ଛତ୍ରଛାୟାରେ କେଉଁଠି ଆତ୍ମଗୋପନ କରିଛନ୍ତି ଏହି ୨ ଦୁର୍ଦ୍ଦାନ୍ତ ? ସମସ୍ତଙ୍କ ନଜର ଏବେ ଏମାନଙ୍କ ଉପରେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/pitabas-panda-case-2025-10-24-20-46-26.jpg)