Advertisment

କାହିଁକି ବାରମ୍ବାର ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼?

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି

ଅଦ୍ୟତନ ହୋଇଛି
Cyclone

Cyclone

Advertisment

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା। ଛାନିଆ ହେଲେଣି ଉପକୂଳ ଲୋକେ। ଆତଙ୍କିତ ଅବସ୍ଥାରେ କଟୁଛି ଦିନ। ଅକ୍ଟୋବର ମାସ ଯେତିକି ପାଖେଇ ଆସେ ଉପକୂଳିଆ ଲୋକଙ୍କ ସେତିକି ଚିନ୍ତା ବଢେ। କାରଣ ପ୍ରତିବର୍ଷ ଏହି ବାତ୍ୟା ମାଡ଼ରେ ଅଂଟା ଭାଙ୍ଗିଯାଉଛି ଉପକୂଳିଆବାସୀଙ୍କର। ତେବେ ଆସନ୍ତୁ ଜାଣିବା କାହିଁକି ବାରମ୍ବାର ଓଡ଼ିଶା ମୁହାଁ ହେଉଛି ବାତ୍ୟା....

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଗଭୀର ଅବପାତଦକ୍ଷିଣ ଓଡ଼ିଶାର ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଯାହାକୁ ନେଇ ଏବେଠୁ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଛି।

୨୦୧୯ରେ ଫୋନି, ୨୦୨୦ରେ ଅଂପନ୍ ଓ ଆଉ ଏବର୍ଷ ମେ ୨୬ରେ ଓଡ଼ିଶା ମୁହାଁ ହୋଇଥିଲା ସାମୁଦ୍ରିକ ଝଡ଼ ୟାସ୍। ଲଗାତାର ୩ ବର୍ଷ ଧରି ଓଡ଼ିଶା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ପ୍ରକୋପକୁ ସାମ୍ନା କରିଆସୁଛି। ତେବେ କେବଳ ଏହି ୩ ବର୍ଷ ନୁହେଁ, ଯଦି ଭାରତୀୟ ଭୂଖଣ୍ଡର ପୂର୍ବ ଓ ପଶ୍ଚିମ ତଟକୁ ଦେଖିବା ତେବେ ପ୍ରତିବର୍ଷ ଏକାଧିକ ବାତ୍ୟା ମାଡ଼ ହେଉଛି ଏବଂ ସେଗୁଡ଼ିକ ସାଧାରଣ କି ଦୁର୍ବଳ ବି ନୁହେଁ କେଉଁଟି ଅତି ଭୀଷଣ ତ କେଉଁଟି ଅତ୍ୟନ୍ତ ଭୀଷଣ ହେଉଛି। ତେବେ କାହିଁକି? କାହିଁକି ବାରମ୍ବାର ବଙ୍ଗୋପସାଗର ସୃଷ୍ଟି ହେଉଛି ବାତ୍ୟା ?

Advertisment

ଅକ୍ଟୋବରରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡହୁଡ୍ ହେଉ, କି ମେ ମାସରେ ଆସିଥିବା ଫନି, ଅଂପନ୍ ଓ ୟାସ୍ । ଓଡ଼ିଶାକୁ ପ୍ରାୟ ପ୍ରତ୍ୟେକ ବର୍ଷ କାହିଁକି ପ୍ରଭାବିତ କରୁଛି ବଡ଼ ବଡ଼ ବାତ୍ୟା? କାହିଁକି ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକ ଉପରେ ଲଗାତାର ଦାଉ ସାଧି ଚାଲିଛି ବଙ୍ଗୋପସାଗରରୁ ଉଠୁଥିବା ଏହି ସାମୁଦ୍ରିକ ଝଡ଼? ଓଡ଼ିଶାକୁ ୟାସ୍ ଆସିବା କିଛି ଦିନ ପୂର୍ବରୁ ବି କୋଙ୍କଣ ଓ ସୌରାଷ୍ଟ୍ର ତଟରେ ତାଉତେ ଭୀଷଣ ତାଣ୍ଡବ ରଚିଥିଲା। ତେବେ କାହିଁକି ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ବାରମ୍ବାର ସୃଷ୍ଟି ହେଉଛି ବାତ୍ୟା?

Advertisment

କେଉଁ ବର୍ଷ ଗୋଟିଏ, ତ କେଉଁ ବର୍ଷ ଏକାଧିକ ବିପର୍ଯ୍ୟୟ ପଛର କାରଣ କଣ? ଜଳବାୟୁ ପରିବର୍ତ୍ତନ ସହ ଏହି ଟ୍ରେଣ୍ଡରେ ବୃଦ୍ଧି ଆସିଛି କି? ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦୀର୍ଘବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି, ବଙ୍ଗୋପସାଗରରେ ଭୀଷଣ ଓ ଅତି ଭୀଷଣ ବାତ୍ୟା ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ। ତେବେ ଆରବ ସାଗରରେ ଭୀଷଣ ଓ ଅତିଭୀଷଣ ବାତ୍ୟାର ସଂଖ୍ୟା କିଛି ଦଶନ୍ଧି ହେବ ଅହେତୁକ ବୃଦ୍ଧି ପାଇଛି। ତେବେ କୁହାଯାଉଛି ଯେପରି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି ସେହି କାରଣରୁ ଏହି ଦୈବିଦୁର୍ବିପାକ ଘଟଣା ହେଉଛି।

ତେବେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟାରେ ଉନ୍ନତି ବା ଅବନତି ଆସିନଥିଲେ ବି, ବାତ୍ୟା ସମୁଦ୍ରରୁ ତଟର ନିକଟବର୍ତ୍ତୀ ହେଲା ବେଳକୁ ମନ୍ଥର ହୋଇଯାଉଥିବାରୁ, ଅର୍ଥାତ୍ ଏହା ସାଧାରଣ ବେଗ ଅପେକ୍ଷା ଧିରେ ଧିରେ ଆଗକୁ ବଢ଼ୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେଉଛି ବୋଲି ପୂର୍ବରୁ କହିଥିଲେ ଆଇଏମଡ଼ି ଡିଜି। ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ପରିମାଣରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଦିନ ପ୍ରବଳ ବର୍ଷା ହେଉଛି ଏବଂ କମ୍ ଦିନ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

ବାତ୍ୟା ୟାସ୍ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ହେବା ପଛରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହି ଅତି ଭୀଷଣ ଘୂର୍ଣ୍ଣିଝଡ଼ ସମୁଦ୍ରରେ ଗତି କଲା ବେଳେ ଅତ୍ୟଧିକ ଜଳୀୟ ବାଷ୍ପ ସଂଗ୍ରହ କରିଥିଲା। ତେଣୁ ଉପକୂଳରେ ଅତ୍ୟଧିକ ବର୍ଷା ହେଲା। ଏଥିସହ ବାତ୍ୟା ଅଧିକ ବେଗରେ ଗତି କରିଥିବାରୁ ଉଚ୍ଚ ଜୁଆର ଆସି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଜଳାର୍ଣ୍ଣବ କରିଥିବା କୁହାଯାଉଛି ।

ତେବେ ପୁଣି ଓଡିଶା ମୁହାଁ ହୋଇଥିବା ବାତ୍ୟା ଗୁଲାବ୍‌ ଗୋପାଳପୁର-ମଛଲିପଟ୍ଟନମ ମଝିରେ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଆଜି ପାଗ ମେଘୁଆ ଥିବା ଦେଖାଦେଇଛି।

IMD Forecast Cyclone Forecast Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ