ବାଦଲଫଟା ବର୍ଷା
ବର୍ଷାଋତୁର ଆଗମନ ଗ୍ରୀଷ୍ମ ଜ୍ୱାଳାରୁ ମୁକ୍ତ କରି ଶୀତଳତା ପ୍ରଦାନ କରେ । ବର୍ଷା ଆରମ୍ଭ ହେବା ପରେ ଧରଣୀରାଣୀ ହସିଉଠେ, ପ୍ରକୃତିର ରୂପ ବଦଳିଯାଏ । ହେଲେ ଆମ ଦେଶ ଭାରତ ବର୍ଷରେ ପ୍ରତିବର୍ଷ ବର୍ଷା ଋତୁର ଆଗମନ ପରେ ଅନେକ ପ୍ରକାର ବିପର୍ଯ୍ୟୟ ଘଟିଥାଏ । ପ୍ରଚଣ୍ଡ ରୌଦ୍ର ତାପ ପରେ ବର୍ଷା ଯେତିକି ଆଶ୍ୱିସ୍ତି ଆଣେ , ସେତିକି ଭୟ ମଧ୍ୟ ସୃଷ୍ଟି କରିଥାଏ । ଅତ୍ୟଧିକ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା, ଭୂସ୍ଖଳନ ଓ ବାଦଲଫଟା ବର୍ଷା ଆଦିର ଭୟ ରହିଥାଏ ।
ଏସବୁ ବିପର୍ଯ୍ୟୟ ପାଇଁ ଶହ ଶହ ଲୋକଙ୍କ ଜୀବନ ବିପଦରେ ପଡ଼ିଥାଏ । ବନ୍ୟା ଯୋଗୁଁ ତଳିଆ ଅଞ୍ଚଳର ଲୋକ ହନ୍ତସନ୍ତ ହେବାସହ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଆନ୍ତି । ଅସରା ଅସରା ବର୍ଷାରେ ଫସଲ ନଷ୍ଟ ହେବାସହ ପଶୁପକ୍ଷୀ ମଧ୍ୟ ନାହିଁନଥିବା କଷ୍ଟ ଭୋଗନ୍ତି ।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ରାଜ୍ୟ ଗୁଡ଼ିକରେ ଭୂସ୍ଖଳନ ପରି ଘଟଣା ଅତି ସାଧାରଣ ହୋଇଯାଏ। ଏଥିଯୋଗୁଁ ଯାତାୟାତ ପ୍ରଭାବିତ ହେବାସହ ଅନେକ ଲୋକ ଭୂସ୍ଖଳନର ଶିକାର ମଧ୍ୟ ହୁଅନ୍ତି । ବର୍ଷା ଯୋଗୁଁ ହେଉଥିବା ସମସ୍ତ ପ୍ରକାର ଅଘଟଣ ମଧ୍ୟରୁ ବାଦଲଫଟା ବର୍ଷା ଏକ ବଡ଼ ବିପର୍ଯ୍ୟୟ । ପ୍ରାୟତଃ ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାଦଳଫଟା ବର୍ଷା ଯୋଗୁଁ ଜନଜୀବନ ହାନି ହେଉଥିବା ଘଟଣା ଶୁଣିବାକୁ ମିଳେ । ତେବେ ଏଇଠି ପ୍ରଶ୍ନ ଉଠେ ବାଦଲ ଫଟା ବର୍ଷା ହେବା ପଛର କାରଣ କ’ଣ ? କାହିଁକି ଓ କେବେ ବାଦଲଫଟା ବର୍ଷା ହୋଇଥାଏ?
ବାଦଲଫଟା ବର୍ଷା ଏକ ପାଣିପାଗ ସମ୍ମନ୍ଧୀୟ ଘଟଣା । ଅଚାନକ ପାଗ ଖରାପ ହେବାସହ ଅଳ୍ପ ସମୟ ମଧ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥାଏ । ବାଦଲଫଟା ବର୍ଷା ସାଧାରଣତଃ କିଛି ମିନିଟରୁ ଆରମ୍ଭ କରି କିଛି ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ବିନାଶକାରୀ ହୋଇଥାଏ । ଏଥିଯୋଗୁଁ ବନ୍ୟା, ଭୂସ୍ଖଳନ ଓ ଜନଜୀବନ କ୍ଷୟକ୍ଷତି ହୋଇଥାଏ ।
କେତେବେଳେ ହୁଏ ବାଦଲଫଟା ବର୍ଷା ?
ବାଦଲ ଫାଟିବା ପରି ଘଟଣା ମୁଖ୍ୟତଃ ବର୍ଷା ଋତୁ (ଜୁନରୁ ସେପ୍ଟେମ୍ବର) ସମୟରେ ହୁଏ । ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ଥିବା ସମୟରେ ଏପରି ଅଘଟଣର ଆଶଙ୍କା ଅଧିକ ଥାଏ । ଏହା ହିମାଳୟ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତ ଭଳି ପାହାଡ଼ିଆ ଅଞ୍ଚଳରେ ଅଧିକ ଦେଖାଯାଏ। ସମତଳ ଅଞ୍ଚଳରେ ବାଦଲଫଟା ବର୍ଷାର ସମ୍ଭାବନା କମ ଥାଏ । ବାଦଲ ଫାଟିବା ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଘଟେ। ପ୍ରାୟତଃ ଅପରାହ୍ନରେ କିମ୍ବା ରାତିରେ ଆସେ ଏହି ଅପ୍ରତ୍ୟାସିତ ବିପର୍ଯ୍ୟୟ।
କାହିଁକି ଫାଟେ ବାଦଲ ?
ବାଦଲ ଫାଟିବା ପ୍ରକ୍ରିୟା ପାଣିପାଗ ବିଜ୍ଞାନ ସହିତ ଜଡ଼ିତ। ଏହାର ଅନେକ କାରଣ ରହିଛି ।
ଆର୍ଦ୍ରତାଯୁକ୍ତ ମେଘ: ଆର୍ଦ୍ରତାଯୁକ୍ତ ମେଘକୁ ଗରମ ପବନ ଉପରକୁ ଠେଲିଦେବା ପରେ ବାଦଲ ଗୁଡ଼ିକ ଥଣ୍ଡା ପବନ ସଂସ୍ପର୍ଶରେ ଆସି ଦ୍ରୁତ ଗତିରେ ଥଣ୍ଡା ହୋଇଯାଏ। ଫଳରେ ବାଦଲ ବା ମେଘରେ ଥିବା ଜଳୀୟବାଷ୍ପ ଦ୍ରୁତ ଗତିରେ ଜଳ ଟୋପାରେ ପରିଣତ ହୁଏ, ଯାହା ଫଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଏ ।
ପାର୍ବତୀୟ ଭୂସଂରଚନା: ପାହାଡ଼ରେ ଥିବା ଗଡ଼ାଣିଆ ସ୍ଥାନ ବାୟୁକୁ ଉପରକୁ ଠେଲି୍ଥାଏ । ଯାହା ମେଘ ସୃଷ୍ଟି କରେ ଏବଂ ଦ୍ରୁତ ଗତିରେ ବୃଷ୍ଟିପାତର କାରଣ ହୋଇଥାଏ । ପାର୍ବତ୍ୟ ଅଞ୍ଚଳରେ ବାୟୁ ପ୍ରବାହ ସଂକୁଚିତ ହେବାଯୋଗୁଁ ମେଘଗୁଡ଼ିକ ଗୋଟିଏ ସ୍ଥାନରେ ଜମା ହୋଇଯାଏ , ଯାହା ବାଦଲଫଟା ବର୍ଷାର କାରଣ ହୋଇଥାଏ ।
ନିମ୍ନ ଚାପଯୁକ୍ତ କ୍ଷେତ୍ର: ମୌସୁମୀ ସମୟରେ ନିମ୍ନଚାପ ସୃଷ୍ଟି ହେଉଥିବା ଅଞ୍ଚଳରେ ଉଷ୍ମ ଏବଂ ଆର୍ଦ୍ର ବାୟୁ ଦ୍ରୁତ ଗତିରେ ଉପରକୁ ଉଠିଥାଏ, ଯାହା ଫଳରେ ବାଦଲ ଫାଟି ବର୍ଷା ଆରମ୍ଭ ହୁଏ ।
ତାପମାତ୍ରା ପାର୍ଥକ୍ୟ: ଗରମ ଏବଂ ଥଣ୍ଡା ପବନ ଧକ୍କା ହେବା ବାଦଲ ଫାଟିବାର ଏକ ପ୍ରମୁଖ କାରଣ। ଗରମ ପବନରେ ଅଧିକ ଆର୍ଦ୍ରତା ଥାଏ, ଯାହା ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ ବର୍ଷାରେ ପରିଣତ ହୋଇ ଦ୍ରୁତ ଗତିରେ ପଡ଼ିଥାଏ।
ଜଳବାୟୁ ପରିବର୍ତ୍ତନ: ବର୍ଦ୍ଧିତ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଅନେକ ବିପର୍ଯ୍ୟୟ ଘଟେ । ଏଥିରେ ବାଦଲଫଟା ବର୍ଷା ଓ ବନ୍ୟା ଆଦି ସାମିଲ ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି।
ଏପରି ବିପର୍ଯ୍ୟୟରୁ ନିଜକୁ କିପରି ରକ୍ଷା କରିବେ ?
ବାଦଲଫଟା ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପୂର୍ବରୁ ସତର୍କ ରହିବାକୁ ପଡିବ। ଏଥିରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ନେବାକୁ ପଡିବ।
ପାଣିପାଗ ପୂର୍ବାନୁମାନ: ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି ) ଏବଂ ଅନ୍ୟାନ୍ୟ ସଂସ୍ଥା ଏପରି ଘଟଣା ପାଇଁ ଚେତାବନୀ ଜାରି କରନ୍ତି। ଏହି ଚେତାବନୀଗୁଡ଼ିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ତଦାରଖ ଏବଂ ପରିଚାଳନା: ପାହାଡ଼ିଆ ଅଞ୍ଚଳରେ ଜଳ ନିଷ୍କାସନ ଏବଂ ବନ୍ଧ ପରିଚାଳନାରେ ଉନ୍ନତି ଆଣିବା ଆବଶ୍ୟକ, ଯାହା ଦ୍ଵାରା ବାଦଲଫଟା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ମିଳିବ ।
ସଚେତନତା: ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ଜରୁରୀକାଳୀନ ସ୍ଥିତି ସମ୍ପର୍କରେ ଶିକ୍ଷା ଦିଆଯିବା ଉଚିତ । ପାଣିପାଗ ବିଭାଗ ପୂର୍ବରୁ ମୋବାଇଲ୍ ଫୋନକୁ ମେସେଜ୍ ପଠାଇ ସତର୍କତା ଜାରି କରିଥାଏ। ଏପରି ମେସେଜକୁ ହାଲୁକାରେ ନନେେଇ ସଚେତନ ରହିବାର ଆବଶ୍ୟକତା ରହିଛି । ବାଦଲଫଟା ବର୍ଷା ଏକ ଶକ୍ତିଶାଳୀ ଏବଂ ଅପ୍ରତ୍ୟାଶିତ ପ୍ରାକୃତିକ ଘଟଣା, ଏବଂ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ସମୟୋଚିତ ସତର୍କତା ଏବଂ ପ୍ରସ୍ତୁତି ଆବଶ୍ୟକ।
ବାଦଲ ଫାଟିବା ଭଳି ଘଟଣା ମୁଖ୍ୟତଃ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କାଶ୍ମୀର ଭଳି ପାର୍ବତ୍ୟାଞ୍ଚଳରେ ଘଟେ। ଯେଉଁଠାରେ ଭୌଗୋଳିକ ଏବଂ ପାଣିପାଗ ସ୍ଥିତି ଏଥିପାଇଁ ଅନୁକୂଳ।
୧୯୯୮ରେ ପିଥୋରାଗଡ଼ରେ ବାଦଲଫଟା ବର୍ଷା
୧୯୯୮ ମସିହାର ଅଗଷ୍ଟ ମାସରେ ଉତ୍ତରାଖଣ୍ଡର ପିଥୋରାଗଡ଼ର ମାଲପା ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ ୬୦ ଜଣ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ପ୍ରାୟ ୨୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୦୪ରେ ବଦ୍ରିନାଥ ମନ୍ଦିର ଅଞ୍ଚଳରେ ବିପର୍ଯ୍ୟୟ
୨୦୦୪ ମସିହା ଜୁଲାଇ ମାସରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥ ମନ୍ଦିର ଅଞ୍ଚଳରେ ହୋଇଥିଲା ବାଦଲଫଟା ବର୍ଷା । ଏଥିରେ ମନ୍ଦିର ପରିସରରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୮ ଜଣ ଆହତ ହୋଇଥିଲେ।
୨୦୦୫ରେ ମୁମ୍ବାଇରେ ବାଦଲଫଟା ବର୍ଷା
୨୦୦୫, ୨୬ ଜୁଲାଇରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବାଦଲଫଟା ବର୍ଷା ହୋଇଥିଲା । ଏଥିଯୋଗୁଁ ସମ୍ପୂର୍ଣ୍ଣ ସହର ଜଳମଗ୍ନ ହେବାସହ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ବ୍ୟାପକ ସମ୍ପତ୍ତି କ୍ଷତି ହୋଇଥିଲା।
୨୦୧୩ରେ କେଦାରନାଥରେ ବାଦଲଫଟା ବର୍ଷା
୨୦୧୩ ଜୁନରେ ଉତ୍ତରାଖଣ୍ଡର କେଦାରନାଥରେ ଘଟିଥଲା ଏହି ପ୍ରାକୃତିକ ବିପର୍ଯ୍ୟୟ । ବାଦଲ ଫାଟିବା ଏବଂ ପ୍ରବଳ ବର୍ଷା ଯୋଗୁଁ ବନ୍ୟା କେଦାରନାଥ ଏବଂ ରାମବାଡକୁ ଧ୍ୱଂସ କରି ହୋଇଥିଲା। ଏହି ବିପର୍ଯ୍ୟୟ ରେ ୫,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ହଜାର ହଜାର ଲୋକ ନିଖୋଜ ହୋଇଯାଇଥିଲେ। ଏହା ଭାରତର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ଥିଲା।
ଗତ ମାସରେ ବାଦଲଫଟା ବର୍ଷା
ଜୁନ୍ ୨୦୨୫ରେ ହିମାଚଳ ପ୍ରଦେଶର କୁଲୁରେ ଏପରି ବିପର୍ଯ୍ୟୟ ଘଟିିଥିଲା । କୁଲ୍ଲୁର ସେଞ୍ଜ ଭ୍ୟାଲି, ଜୀବା ନାଲା ଏବଂ ଗଡସା ଅଞ୍ଚଳରେ ମେଘ ଫାଟି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ତିନି ଜଣ ଲୋକ ନିଖୋଜ ହୋଇଗଲେ, ଅନେକ ଘର, ଏକ ସ୍କୁଲ କୋଠା, ରାସ୍ତା ଏବଂ ଛୋଟ ପୋଲ କ୍ଷତିଗ୍ରସ୍ତ ହେଲା। କୃଷି ଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751529456.jpg)