ଚାରିଆଡ଼େ ଜଳମୟ। ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି। ତାହାରି ଭିତରେ ଆରମ୍ଭ ହୋଇଥିଲା ଆମର ଯାତ୍ରା। ଏହି ଯାତ୍ରା ଥିଲା ଭିନ୍ନ ଏକ ସମସ୍ୟାକୁ ପରଖିବା ଉଦ୍ଦେଶ୍ୟରେ। ଜଳବନ୍ଦୀ ଜୀବନ ଭିତରେ ମହିଳାଙ୍କ ଋତୁସ୍ରାବଜନିତ କଷ୍ଟ ଆଉ ସେମାନଙ୍କ ସ୍ୱଚ୍ଛତା ପ୍ରସଙ୍ଗ ସାମ୍ନାକୁ ଆଣିବା। ଆମର ଯାତ୍ରା ଥିଲା ପୁରୀ ଗୋପ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗାଁ ଅଭିମୁଖେ।
ବାତ୍ୟାରୁ ବର୍ତ୍ତିଯାଇ ହେବ, ବନ୍ୟା ଘେରରୁ ମୁକୁଳାଇ ହେବ। ହେଲେ ରୋକି ହେବ ନାହିଁ ଋତୁସ୍ରାବ। କାରଣ ମହିଳାଙ୍କ କ୍ଷେତ୍ରରେ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ହେଲେ ବନ୍ୟାର ବେଦନା ଭିତରେ ଜଳବନ୍ଦୀ ହଜାର ହଜାର କିଶୋରୀ, ଯୁବତୀ, ବୟସ୍କା ମହିଳା କେମିତି ପାଳନ କରୁଥିବେ ସେମାନଙ୍କ ଏହି ମାସିକ ଧର୍ମ? ଆସନ୍ତୁ ଏହାକୁ ନେଇ ଜାଣିନେବା ସନ୍ତରାସ ଗାଁର କିଛି ମହିଳାଙ୍କ ଅସନ୍ତୋଷ ବିଷୟରେ।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚୁଛି ରିଲିଫ୍ ସାମଗ୍ରୀ। ରିଲିଫ୍ରେ ଦିଆଯାଉଛି ଚୁଡ଼ା, ବିସ୍କୁଟ୍ ଆଉ ଅମୂଲ୍। ଏତିକି ମିଳିଗଲା ପରେ ହୁଏତ ଭୋକକୁ ସାମୟିକ ଭାବେ ମେଣ୍ଟାଇ ପାରିବେ ବିପନ୍ନ। କିନ୍ତୁ ଋତୁସ୍ରାବଜନିତ ସମସ୍ୟା ଭିତରେ ଯୁଝୁଥିବା ମହିଳାଙ୍କ ଅକୁହା ଯନ୍ତ୍ରଣା କଥା ବୁଝିବ କିଏ? ଜଳବନ୍ଦୀ ସମସ୍ୟା ଯୋଗୁଁ ଘରୁ ଗୋଡ଼ କାଢ଼ିପାରୁ ନଥିବା ମହିଳାଙ୍କ ପାଖରେ ନାହିଁ ସାନିଟାରୀ ପ୍ୟାଡ୍।
ଏଭଳି ସ୍ଥିତିରେ କାହାକୁ କହିବେ, କାହାକୁ ଜଣାଇବେ, ଘାରିଛି ଲୋକଲଜ୍ଜା ଭୟ। ଗ୍ରାମାଞ୍ଚଳରେ କେବେ କେମିତି କିଛି ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ନ୍ୟାପ୍କିନ୍ ପ୍ୟାଡ୍ ଦିଆଯାଏ। ହେଲେ ବନ୍ୟାବେଳେ କାହାରି ଦେଖା ନାହିଁ। ଏଭଳି ସ୍ଥିତିରେ ମହିଳାମାନେ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ସମସ୍ତେ।
(ରିପୋର୍ଟ : ଭୁବନେଶ୍ୱରରୁ ପ୍ରଜ୍ଞା ଚୌଧୁରୀ)