ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ; ଆଗକୁ ଭୀଷଣ ଗୁଳୁଗୁଳି, ୩୮ ଛୁଇଁବ ପାରଦ!!

ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା ।

Monsoon Update

ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା । ଚଳିତ ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ ୫ ପ୍ରତିଶତ କମ୍ ବର୍ଷା ହୋଇଛି । ତେଣୁ ଏଣିକି ରାଜ୍ୟରେ ସ୍ୱାଭାବିକ ବର୍ଷା ରହିବ । ହେଲେ ଏବେବି କେନ୍ଦୁଝର, ଦେବଗଡ଼, ଭଦ୍ରକ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ରହିଛି ।

ଏହାସହ ଓଡ଼ିଶାରୁ ଏଣିକି ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହୋଇନାହିଁ । ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ ।

ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆକାଶ ନିର୍ମଳ ସହ ମେଘମୁକ୍ତ ରହିଥିବାରୁ ଆସନ୍ତା ୪ ଦିନ ବିଶେଷ ବର୍ଷା ନାହିଁ । କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ । ସେପଟେ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି ।

ଆଗାମୀ ୩ରୁ ୪ ଦିନ ଯାଏ ୨ରୁ ୩ ଡିଗ୍ରୀ ତାପମାତ୍ରା ରାଜ୍ୟରେ ବୃଦ୍ଧି ପାଇବ । ୩୮ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ । ସେପଟେ ଗତ ୨୪ ଘଣ୍ଟାରେ କାଁଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟ ଜୟପୁରରେ ସର୍ବାଧିକ ୬୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ସେପଟେ ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ଜୁନ ୧ରୁ ଏବେ ସୁଦ୍ଧା ୧୦୯୨ ମିଲିମିଟର ବର୍ଷା ହେଇଛି । ସାଧାରଣ ଭାବେ ଏହି ସମୟ ମଧ୍ୟରେ ୧୧୫୦ ମିଲିମିଟର ବର୍ଷା ହୋଇଥାଏ । ଫଳରେ ଏବେ ବି ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି ।