ଦମ୍ ଦେଖାଇବା ଆଗରୁ 'ସାଣ୍ଡୱିଚ୍' ବନିଗଲା ଦାନା ! ହେଲେ କାହିଁକି ଦୁର୍ବଳ ହେଲା ?

ବାତ୍ୟା ଦାନା ଯେଉଁଭଳି ଭାବେ କ୍ଷୟକ୍ଷତି ଘଟାଇବ ଏବଂ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା, ସେହି ଅନୁସାରେ ଦାଉ ସାଧିପାରିଲାନି ଦାନା ।

Cyclone Dana

ବାତ୍ୟା ଦାନା ଯେଉଁଭଳି ଭାବେ କ୍ଷୟକ୍ଷତି ଘଟାଇବ ଏବଂ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା, ସେହି ଅନୁସାରେ ଦାଉ ସାଧିପାରିଲାନି ଦାନା । ତେବେ କାହିଁକି ଓ କେମିତି ଦୁର୍ବଳ ହେଲା ଏହି ଭୀଷଣ ବାତ୍ୟା ? କାହିଁକି ଅଳ୍ପ କିଛି ଜିଲ୍ଲା ଭିତରେ ସଂକୁଚିତ ହୋଇଗଲା ଏହାର ଭୀଷଣ କାୟା? ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ଦାନା ଶକ୍ତିହୀନ ଓ ଅସଙ୍ଗଠିତ ଅବସ୍ଥାରେ ଲ୍ୟାଣ୍ଡଫଲ୍ କରିଥିଲା ।

ଦୁଇଟି ଗୁରୁଚାପ ମଝିରେ ଚେପା ହୋଇଗଲା ବାତ୍ୟା ! ଦମ୍ ଦେଖାଇବା ଆଗରୁ 'ସାଣ୍ଡୱିଚ୍' ବନିଗଲା ଦାନା ! ବାୟୁମଣ୍ଡଳର ଲଘୁଚାପ-ଗୁରୁଚାପ ଖେଳ ଯୋଗୁଁ, ଓଡ଼ିଶାରେ ସେତେ ବେଶି ଖେଳ ଦେଖାଇପାରିଲାନି ଦାନା । ଯେଉଁଠି ଲ୍ୟାଣ୍ଡଫଲ୍ କଲା ସେଠି ପ୍ରବଳ ବର୍ଷିଲା, ଜୋର୍ ପବନ ବି ହେଲା । ହେଲେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ପଡ଼ିଲାନି ବେଶି ପ୍ରଭାବ ।

ନା ସେଭଳି ପବନ, ନା ଜୋର୍ ବର୍ଷା । ହେଲେ ଏହାର କାରଣ କଣ ? ବର୍ଷାର ବିସ୍ତୃତି କମିବା ପଛରେ, ଦୁଇଟି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ୍ ବା ଗୁରୁଚାପ ବଳୟକୁ ଦାୟୀ କରିଛନ୍ତି ପାଣିପାଗ ବିଜ୍ଞାନୀ । ସୂଚନା ଅନୁସାରେ, ୨୩ ତାରିଖ ପର୍ଯ୍ୟନ୍ତ ବାତ୍ୟା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅନୁକୂଳ ପରିବେଶରେ ଥିଲା । ଏହା ସମୁଦ୍ରରେ ବଳ ଗୋଟାଇବା ସହ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍ ଓଡ଼ିଶା ତଟ ଆଡ଼କୁ ଗତି କରୁଥିଲା । ତେବେ ପଶ୍ଚିମ ବଙ୍ଗୋପ ସାଗରରେ ପଶିବା ମାତ୍ରେ, ତାକୁ ଦୁଇପଟୁ ଜାକି ଧରିଲେ ଦୁଇଟି ଶକ୍ତିଶାଳୀ ଗୁରୁଚାପ ବଳୟ ।

ଗୋଟିଏ ପଶ୍ଚିମରେ ଆରବ ସାଗର ଅଞ୍ଚଳରୁ ଆସୁଥିବା ଗୁରୁଚାପ ବଳୟ, ଏବଂ ଅନ୍ୟଟି ମିଆଁମାର ନିକଟ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଗୁରୁଚାପ ବଳୟ । କେବଳ ଏତିକି ନୁହେଁ, ଉତ୍ତର ପଶ୍ଚିମ ଗୁରୁଚାପ ବଳୟରୁ ଶୁଷ୍କ ଓ ଉଷ୍ମ ବାୟୁ ବାତ୍ୟା ଭିତରେ ପଶି ତାକୁ ଶକ୍ତିହୀନ କରିଦେଲା । ଏହାଫଳରେ ବାତ୍ୟା ସାଣ୍ଡୱିଚ୍ ବନି ସିଧାବାଟରେ ଆଗେଇଲା, କିନ୍ତୁ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ବାମ ପଟକୁ ଆକାର ବଢ଼ାଇପାରିଲା ନାହିଁ ଏବଂ କ୍ରମାଗତ ଦୁର୍ବଳ ହୋଇଗଲା ।

ଲ୍ୟାଣ୍ଡଫଲ୍ ପୂର୍ବର ଶେଷ ୨୪ ଘଣ୍ଟା, ବିଶେଷ କରି ଗତକାଲି ଅପରାହ୍ଣ ୩ଟା ବେଳକୁ ଏଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି, ସମୁଦ୍ର ଭିତରେ ସଂଘର୍ଷ କରିଥିଲା ଦାନା । ଆଜି ସକାଳଠୁ ଆସନ୍ତାକାଲି ସକାଳ ଯାଏଁ କେଉଁ ଜିଲ୍ଲାରେ କିଭଳି ବର୍ଷା ହୋଇପାରେ, ଗୋଟିଏ ଗତକାଲିର ପୂର୍ବାନୁମାନ, ଆଉ ଗୋଟିଏ ଆଜି ଜାରି ହୋଇଥିବା ପରିବର୍ତ୍ତିତ ପୂର୍ବାନୁମାନ ।

ପୂର୍ବରୁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳ ସମେତ ୯ଟି ଜିଲ୍ଲାକୁ ଜାରି ହୋଇଥିଲା ରେଡ୍ ୱାର୍ଣ୍ଣିଂ । ଲ୍ୟାଣ୍ଡଫଲ ପରେ ବାତ୍ୟା ପଶ୍ଚିମ-ଦକ୍ଷିଣ-ପଶ୍ଚିମକୁ ରିକର୍ଭ ହେବା ଆଶଙ୍କା କରି, ଜାରି ହୋଇଥିଲା ଏହି ଅତି ପ୍ରବଳ ବର୍ଷା ସତର୍କତା । ହେଲେ ଗୁରୁଚାପ ପ୍ରଭାବରେ ବାତ୍ୟା ଯେହେତୁ ପଶ୍ଚିମକୁ ବଢ଼ିପାରିଲାନି, ତେଣୁ ଆଜିର ନୂଆ ମ୍ୟାପରେ ଏସବୁ ଜିଲ୍ଲା ଅରେଞ୍ଜ ଓ ୟେଲୋକୁ ବଦଳିଯାଇଛି ।

ଅତି ପ୍ରବଳ ବର୍ଷା ଆଶଙ୍କା କରି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ଉତ୍ତର ଓଡ଼ିଶାର ୪ ଜିଲ୍ଲାକୁ । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ । କେବଳ ଏତିକି ନୁହେଁ, ଗୁରୁଚାପ ଭଳି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ ଯୋଗୁଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅଧିକ ମନ୍ଥର ହେଲା ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା । ବାତ୍ୟା ଦୁର୍ବଳ ହୋଇ ବର୍ଷା କମ୍ ହୋଇଥିବାରୁ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ପୂର୍ବାପେକ୍ଷା ବହୁ ମାତ୍ରାରେ ହ୍ରାସ ପାଇଛି ।