ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଦୁର୍ବଳ ପଡୁଛି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି ।

Cyclone Dana

ଦୁର୍ବଳ ପଡୁଛି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ।

ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଦେଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର । ଏସବୁ ଜିଲ୍ଲାର କିଛି ସ୍ଥାନରେ ଅତି ମୂଷଳଧାରାରେ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ବି ଅଧିକ ହେବା ସମ୍ଭାବନା ରହିଛି ।

ସେହିପରି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳକୁ ଜାରି ହୋଇଛି ଅରେଞ୍ଜ ସତର୍କତା । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଗତକାଲି ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା । ହବାଳିଖଟିରେ ଲ୍ୟାଣ୍ଡଫଲ୍ ପରେ ପ୍ରାୟ ୯ ଘଣ୍ଟା ଧରି ଚାଲିଲା ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା । ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।

ରାତି ସହ ତାଳ ଦେଇ ବଢ଼ୁଥାଏ ସୁ ସୁ ପବନ... ଘୋ ଘୋ ସମୁଦ୍ରରୁ ଶୁଭୁଥାଏ ଦାନାର ଦାନବ ଗର୍ଜନ । ଏପଟେ ଭୀତତ୍ରସ୍ତ ମଣିଷ... ବିବ୍ରତ ଗଛବୃଚ୍ଛ.. ଅସ୍ତବ୍ୟସ୍ତ ଜୀବଜନ୍ତୁ । ବାତ୍ୟା କେତେବେଳେ ଆସିବ, କେମିତି ଆସିବ । ସମୟ ପାଖେଇବା ସହ ବଢ଼ୁଥାଏ ଶଙ୍କା-ଆଶଙ୍କା । ଆଉ ମଧ୍ୟରାତ୍ର ପୂର୍ବରୁ ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ସାଢ଼େ ୧୧ଟା ବେଳେ ମାଟି ଛୁଇଁଲା ଦାନା । ଅନ୍ଧାର ହଟିବା ପରେ, ସାମ୍ନାକୁ ଆସୁଥିଲା ବ୍ୟାପକ କ୍ଷୟକ୍ଷତିର ଚିତ୍ର ।