ଡିସେମ୍ବର ୧ରୁ ହେବ ବଡ଼ ପରିବର୍ତ୍ତନ। ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) । ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଜିଓ,ଏୟାରଟେଲ୍, ବିଏସଏନଏଲ୍ ଓ ଭୋଡାଫୋନ୍ ଆଇଡିଆ ବ୍ୟବହାର କରୁଛନ୍ତି ତେବେ ଚିନ୍ତା କରନ୍ତୁନାହିଁ । ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେନାହିଁ । ଏହି ଘୋଷଣା କରି ଗ୍ରାହକଙ୍କୁ ଆଶ୍ବସ୍ତ କରିଛି ଟ୍ରାଇ। ଏଥି ସହ ଗୁରୁତ୍ବପୂର୍ଣ୍ଣ ମେସେଜ୍ ଗୁଡ଼ିକ ବିଳମ୍ବ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଟ୍ରାଇ। ନେଟ୍ ବ୍ୟାଙ୍କିଂ ଓ ଆଧାର ଓଟିପି ପାଇବାରେ ବିଳମ୍ୱ ହେବ ନାହିଁ ।
ତେବେ ଟ୍ରାଇ ଏହା ସ୍ୱୀକାର କରିଛି ଯେ, ଡିସେମ୍ବର ପହିଲାରୁ ଟେଲିକମ କମ୍ପାନିଗୁଡିକ ମେସେଜ୍ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଠକେଇକୁ ନଜରରେ ରଖି ମେସେଜର ସୋର୍ସ ବା ଉତ୍ସକୁ ଜାଣିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ଡିସେମ୍ବର ୧ରୁ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହୋଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବନାହିଁ । ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ ଏପରି କରାଯାଉଛି । ।
Also Read
ଅଧିକ ପଢ଼ନ୍ତୁ: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍
ବ୍ୟାଙ୍କିଂ ଏବଂ ରିଜର୍ଭେସନ କ୍ଷେତ୍ରରେ ଓଟିପି ଲାଗି ଅପେକ୍ଷାକୃତ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସବୁ ଟେଲିକମ୍ କମ୍ପାନି ଏହାକୁ ଲାଗୁ କରିବେ । ସାଇବର ଠକେଇରୁ ଲୋକଙ୍କୁ ରକ୍ଷା କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଇ କହିଛି । ଏହା ପୂର୍ବରୁ ଅକ୍ଟୋବର ୩୧ ଏହାର ସମୟ ସୀମା ରହିଥିଲା । ତେବେ ଟେଲିକମ କମ୍ପାନିଗୁଡିକ ଏ ନେଇ ପ୍ରସ୍ତୁତ ହୋଇନଥିବାରୁ ସମୟ ସୀମାରେ ବୃଦ୍ଧି କରାଯାଇଥିଲା ।
ମେସେଜ୍ ଟ୍ରେସେବିଲିଟି କଣ ?
ସାଧରଣତଃ ଏହା ଏକ ସିଷ୍ଟମ୍ ଯାହାକି ଟେଲିକମ୍ ଅପେରଟର୍ମାନଙ୍କୁ ସାହାଯ୍ୟ କରେ, ବଲ୍କ ମେସେଜ୍ ବା ଏଧିକ ସଂଖ୍ୟାରେ ମେସେଜ୍ କେଉଁଠୁ ଆସିଛି ତାହା ଜାଣିବାରେ । ଏହାର ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହାଦ୍ୱାରା ଜଣାପଡିଯିବ କେଉଁଠୁ ଆସିଛି ଫେକ୍ ମେସେଜ୍ ଓ କିଏ କରିଛି ଏହି ମେସେଜ୍ । ଯାହାଫଳରେ ଠକମାନଙ୍କୁ ସହଜରେ ଚିହ୍ନଟ ସହ ବଡ଼ ବଡ଼ ଠକାମୀ ମଧ୍ୟ ରୋକା ଯାଇପାରିବ । ଏହା ବିନା ମେସେଜ୍କୁ ଟ୍ରେସ୍ କରିବା ବି ଅସମ୍ଭବ ।
ଟ୍ରାଇ ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ଏହାକୁ ଲାଗୁ କରିବା ପାଇଁ ସମୟସୀମା ଦେଇଛି । ଥରେ ଯଦି ଏହା ଲାଗୁ ହୁଏ ତେବେ ସହଜରେ ଫେକ୍ ମେସେଜ୍ କରୁଥିବା ଲୋକଙ୍କୁ ଧରିହେବ । ଟ୍ରାଇ ମଧ୍ୟ ସ୍ପଷ୍ଟ କରିଛି ଯେ, ଏହା ଦ୍ବାରା ବ୍ୟାଙ୍କ୍ ସେବା କିମ୍ବା ଗୁରୁତ୍ବପୂର୍ଣ୍ଣ ସେବାରେ ଯେମିତି କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦେବେକୁ ପଡ଼ିବ ।