ଇଂଲଣ୍ଡ ଗତ କିଛି ବର୍ଷ ଧରି ‘ବାଜ୍ବଲ୍’ ଦୃଷ୍ଟିକୋଣ ନେଇ ଖେଳୁଛି, କିନ୍ତୁ ହ୍ୱାଇଟ୍-ବଲ୍ କ୍ରିକେଟ୍ରେ ଟିମ୍ ଆଶାଜନକ ସଫଳତା ହାସଲ କରିପାରୁ ନାହିଁ । ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଖରାପ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଏହି ଦୃଷ୍ଟିକୋଣର ଅନ୍ତ ଘଟାଇବ? କ୍ରିକେଟ୍ ଜଗତରେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଯଦିଓ ଟେଷ୍ଟରେ ଏହି ଦୃଷ୍ଟିକୋଣ ଇଂଲଣ୍ଡକୁ ସଫଳତା ଦେଉଛି, ତେବେ ଟିମ୍ କ୍ରମାଗତ ତୃତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚି ନ ପାରିବା ଚିନ୍ତାର ବିଷୟ । ଇଂଲଣ୍ଡ କ୍ରିକେଟ୍ର ଭବିଷ୍ୟତ ଏହା ସହ ଯୋଡ଼ି ହୋଇରହିଛି । ଚାମ୍ପିଅନ୍ସ ଟ୍ରଫି ‘ବାଜ୍ବଲ୍’ ପାଇଁ ଏସିଡ୍ ଟେଷ୍ଟ ହୋଇପାରେ ।
Also Read
ସତେଜ ପବନ ଭଳି ଥିଲା ‘ବାଜ୍ବଲ୍’ର ଏଣ୍ଟ୍ରି
୨୦୨୨ ଇଂଲିଶ୍ କ୍ରିକେଟ୍ ସିଜନ୍ ସମୟରେ ‘ବାଜ୍ବଲ୍’ର ନାମକରଣ କରାଯାଇଥିଲା, ଯାହା ଟେଷ୍ଟରେ ଇଂଲଣ୍ଡ ଟିମ୍ର ଖେଳ ଶୈଳୀକୁ ଦର୍ଶାଉଥିଲା । ୨୦୨୨ ମେ’ରେ ବ୍ରେଣ୍ଡନ୍ ମ୍ୟାକୁଲମ୍ଙ୍କୁ ଟେଷ୍ଟ ଟିମ୍ର ମୁଖ୍ୟ କୋଚ୍ ଓ ବେନ୍ ଷ୍ଟୋକ୍ସଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ପରେ ଏହି ଦୃଷ୍ଟିକୋଣ ବିକାଶ ଲାଭ କରିଥିଲା ।
‘ବାଜ୍ବଲ୍’ ଶୈଳୀ ଓ ମାନସିକତାରେ ଆକ୍ରମଣ ଓ ଆତ୍ମରକ୍ଷାରେ ସକାରାତ୍ମକ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଇଥାଏ, ତାହା ବ୍ୟାଟିଂରେ ହେଉ ବା ଫିଲ୍ଡିଂରେ । ଯେତେବେଳେ ଇଂଲଣ୍ଡ ଏହି ନୂଆ ଦୃଷ୍ଟିକୋଣକୁ ଟେଷ୍ଟ କ୍ରିକେଟ୍ରେ ଆପଣାଇଲା, ସେତେବେଳେ ଏହା ସତେଜ ପବନ ଭଳି ଥିଲା । ଏହାର ଖେଳ ଉପରେ କ’ଣ ପ୍ରଭାବ ପଡ଼ିବ ଏବଂ ମ୍ୟାକୁଲମ୍ଙ୍କ ପ୍ରଶିକ୍ଷଣରେ ଟେଷ୍ଟ ଟିମ୍ କିଭଳି ପ୍ରଦର୍ଶନ କରିବ, କେହି ତାହାର ଅନୁମାନ ଲଗାଇପାରି ନ ଥିଲେ ।
ମ୍ୟାକୁଲମ୍ ତାଙ୍କ ଖେଳାଳି କ୍ୟାରିଅର୍ରେ ଯେଉଁଭଳି ଖେଳୁଥିଲେ, ସେହି ମନ୍ତ୍ର (ବାଜ୍ବଲ୍) ଇଂଲଣ୍ଡ ଟେଷ୍ଟ ଟିମ୍କୁ ଶିଖାଇଲେ । ଇଂଲଣ୍ଡ ଟିମ୍ କେବଳ ବ୍ୟାଟିଂ ନୁହେଁ, ସବୁ ବିଭାଗରେ ଆକ୍ରମଣାତ୍ମକତା ଦେଖାଇଲା ଏବଂ ଟେଷ୍ଟ କ୍ରିକେଟ୍ର ସଂଜ୍ଞା ବଦଳାଇ ଦେଲା । କେତେକ ରୋମାଞ୍ଚକ ପ୍ରଦର୍ଶନ ଦେଖିବାକୁ ମିଳିଲା, କାରଣ ଇଂଲଣ୍ଡ ସ୍ଥିର କରିଥିଲା ଯେ ସେମାନେ କେବଳ ଟେଷ୍ଟ ଜିତିବାକୁ ଚାହାନ୍ତି, ଡ୍ର’ ନୁହେଁ । ସେମାନେ ଆବଶ୍ୟକ ସ୍ଥଳେ ଖଣ୍ଡା ଧାରରେ ଚାଲିବାକୁ, ଏପରିକି ଖଣ୍ଡା ଚୋଟରେ ମରିବାକୁ ବି ପ୍ରସ୍ତୁତ ଥିଲେ । ଶେଷରେ ଟିମ୍ ଦୁର୍ବଳ ସ୍ଥିତିରୁ ମୁକୁଳିଲା ।
ଆକ୍ରମଣାତ୍ମକ ଶୈଳୀକୁ ନେଇ ଉଠୁଛି ପ୍ରଶ୍ନ
ସୀମିତ ଓଭର୍ କ୍ରିକେଟ୍ରେ ବି ଇଂଲଣ୍ଡ ଭଲ ସ୍ଥିତିରେ ନ ଥିଲା । ଦିନିକିଆ ବିଶ୍ୱକପ୍ ୨୦୨୩ରେ ଟିମ୍ ସପ୍ତମ ସ୍ଥାନରେ ରହିଥିଲା । ଟି-୨୦ ବିଶ୍ୱକପ୍ ୨୦୨୪ରେ ସ୍ଥିତି ଟିକେ ସୁଧୁରିଥିଲା; ହେଲେ ସେଭଳି ପ୍ରଦର୍ଶନ ଯଥେଷ୍ଟ ନ ଥିଲା, କାରଣ ସୀମିତ ଓଭର୍ରେ ଇଂଲଣ୍ଡ ଆଉ ଏକ ବିଶ୍ୱ ମୁକୁଟ ହରାଇଥିଲା । ପରିଣାମସ୍ୱରୂପ, ଦିନିକିଆ ଓ ଟି-୨୦ ଟିମ୍ର ମୁଖ୍ୟ କୋଚ୍ ମାଥ୍ୟୁ ପିଟର୍ ମଟ୍ ବିଦାୟ ନେଲେ ।
ଟେଷ୍ଟ କ୍ରିକେଟ୍ରେ ସକାରାତ୍ମକ ଫଳାଫଳ ଆସୁଥିବାର ଦେଖି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ମ୍ୟାକୁଲମ୍ଙ୍କୁ ହ୍ୱାଇଟ୍-ବଲ୍ ଟିମ୍ଦ୍ୱୟର ଦାୟିତ୍ୱ ବି ଦେଇଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳର ଆରମ୍ଭ ନୈରାଶ୍ୟଜନକ ହୋଇଛି । ଭାରତ ଗସ୍ତରେ ଇଂଲଣ୍ଡ ଟି-୨୦ରେ ୧-୪ ଓ ଦିନିକିଆରେ ୦-୩ରେ ହାରିଯାଇଥିଲା ।
ଏବେ ଧୀରେ ଧୀରେ ଇଂଲଣ୍ଡର ଆକ୍ରମଣାତ୍ମକ ଖେଳ ଶୈଳୀ ଉପରେ ପ୍ରଶ୍ନ ଉଠୁଛି । କ୍ରିକେଟ୍ ବିଶ୍ଳେଷକମାନେ ଖେଳାଳିମାନଙ୍କୁ ବି ଟାର୍ଗେଟ୍ କରିଛନ୍ତି । ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ଷ୍ଟିଭ୍ ହାର୍ମିସନ୍ ସ୍ପଷ୍ଟ କଣ୍ଠରେ କହିଛନ୍ତି ଯେ ଟିମ୍ ବୁଝିବିଚାରି ବ୍ୟାଟିଂ କରୁ ନାହିଁ । କ୍ରମାଗତ ବିଫଳତା ପରେ ବୋଧହୁଏ ଟେଷ୍ଟ ଓ ଦିନିକିଆରେ ‘ବାଜ୍ବଲ୍’ ଦୃଷ୍ଟିକୋଣ କାମ କରୁ ନାହିଁ । ଆପଣମାନଙ୍କୁ ମୁକ୍ତ ଭାବେ ଖେଳିବାର ଅଧିକାର ହାସଲ କରିବାକୁ ହେବ ।
ହାର୍ମିସନ୍ଙ୍କ କହିବାନୁଯାୟୀ ବ୍ରେଣ୍ଡନ ମ୍ୟାକୁଲମ୍ଙ୍କ ମନ୍ତ୍ର ସକାରାତ୍ମକ ଓ ଆକ୍ରମଣାତ୍ମକ ହେବା, କିନ୍ତୁ କେତେକ ପଏଣ୍ଟରେ ଖେଳାଳିମାନେ ଏହା ଅନୁଭବ କରିବା ଦରକାର ଯେ ମ୍ୟାକୁଲମ୍ ସେମାନଙ୍କ ପାଇଁ ବ୍ୟାଟିଂ କରୁ ନାହାନ୍ତି ।
ସିନିଅର୍ ଖେଳାଳିଙ୍କ ଦୁର୍ବଳ ଫର୍ମ
ଜୋସ୍ ବଟ୍ଲର୍ ଓ ଜୋ’ ରୁଟ୍ ଇଂଲଣ୍ଡ ଟିମ୍ର ଦୁଇ ତାରକା ଖେଳାଳି । ଉଭୟ ଅତୀତରେ ଅନେକ ଦମ୍ଦାର ଇନିଂସ୍ ଖେଳିସାରିଛନ୍ତି । ଏବେ ସେମାନେ ସିନିଅର୍ ଖେଳାଳିର ଭୂମିକାରେ ଅଛନ୍ତି । ସିନିଅର୍ ଖେଳାଳିଙ୍କ ଠାରୁ ଆଶା କରାଯାଏ ଯେ ସେମାନେ ଫ୍ରଣ୍ଟଫୁଟ୍ରୁ ‘ବାଜ୍ବଲ୍’ ଦୃଷ୍ଟିକୋଣର ନେତୃତ୍ୱ ନେବେ । କିନ୍ତୁ ଏବେ ଉଭୟ ଫର୍ମରେ ନାହାନ୍ତି । ଦିନିକିଆ ବିଶ୍ୱକପ୍ ପରେ ବଟ୍ଲର୍ ଏହି ଫର୍ମାଟ୍ରେ ଛଅ ମ୍ୟାଚ୍ ଖେଳି ୧୫୩ ରନ୍ ସଂଗ୍ରହ କରିଥିବା ବେଳେ ରୁଟ୍ ଭାରତ ଗସ୍ତରେ ଦିନିକିଆ ଟିମ୍କୁ ଫେରିି ମାତ୍ର ୧୧୨ ରନ୍ କରିଛନ୍ତି ।
ଯୁବ ଖେଳାଳିମାନେ ବ୍ୟାଟିଂରେ ପ୍ରଭାବିତ କରିପାରିଛନ୍ତି, କିନ୍ତୁ ପୂର୍ବ ଦିନିକିଆ ବିଶ୍ୱକପ୍ ପରଠାରୁ ସେମାନଙ୍କ ପ୍ରଦର୍ଶନରେ ନିରନ୍ତରତା ଦେଖିବାକୁ ମିଳୁ ନାହିଁ । ଯଦି ଇଂଲଣ୍ଡର ଭାଗ୍ୟ ବଦଳାଇବାର ଅଛି, ତା’ହେଲେ ରୁଟ୍ ଓ ବଟ୍ଲର୍ ଆଗକୁ ଆସିବା ଆବଶ୍ୟକ ।
ବୋଲିଂରେ ବି ନିରନ୍ତରତା ସମସ୍ୟା
କାଗଜ-କଲମରେ ଦେଖିଲେ, ଇଂଲଣ୍ଡର ବୋଲିଂ ଲାଇନ୍-ଅପ୍ ମଜଭୁତ ଜଣାପଡ଼ୁଛି । ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ନିଜ ଗତି ଦ୍ୱାରା ଯେକୌଣସି ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇପାରିବେ । ସାକିବ ମହମୁଦ ବି ଭଲ ଖେଳୁଛନ୍ତି । ଗସ୍ ଆଟ୍କିନ୍ସନ୍ ଓ ବ୍ରାଇଡନ୍ କାର୍ସ ବ୍ୟାଟିଂରେ ବି ଭଲ ପ୍ରଦର୍ଶନ କରିପାରିବେ । ଏହାଛଡ଼ା ଅଭିଜ୍ଞ ସ୍ପିନର୍ ଆଦିଲ୍ ରଶିଦ ଏମିତି ଜଣେ ବୋଲର୍, ଯିଏ ଟିମ୍ର ବିଜୟରେ ଅଗ୍ରଣୀ ଭୂମିକା ତୁଲାଇପାରିବେ ।
ତେବେ ଏଠାରେ ବି ନିରନ୍ତରତା ଏକ ସମସ୍ୟା । ଦିନିକିଆ ବିଶ୍ୱକପ୍ ୨୦୨୩ ପରଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବ ଯାଏଁ ଆର୍ଚର ୭ ମ୍ୟାଚ୍ ଖେଳି ୬ ୱିକେଟ୍ ନେଇଛନ୍ତି । ରଶିଦ ଏହି ଅବଧି ମଧ୍ୟରେ ସର୍ବାଧିକ ୧୩ ୱିକେଟ୍ ନେଇଛନ୍ତି, ହେଲେ ତାଙ୍କ ଆଭରେଜ୍ ୪୦ରୁ ଅଧିକ ।
କ୍ରମାଗତ ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ବୋଲର୍ମାନେ ବହୁତ ରନ୍ ଦେଉଛନ୍ତି । ମୁଖ୍ୟ ବୋଲର୍ଙ୍କ ଇକୋନମୀ ରେଟ୍ ୫ରୁ ଅଧିକ ରହିଛି । ଭାରତ ବିପକ୍ଷ ସିରିଜ୍ରେ ଅଧିକାଂଶ ବୋଲର୍ ପ୍ରଭାବଶୂନ୍ୟ ପ୍ରଦର୍ଶନ କରିଥିଲେ ।
ସବୁଠାରୁ ବଡ଼ କଥା ହେଉଛି ଯେ ଇଂଲଣ୍ଡ ଫଳାଫଳ ପାଇଁ ସଂଘର୍ଷ କରୁଛି । ଦିନିକିଆ ବିଶ୍ୱକପ୍ ୨୦୨୩ ପରଠାରୁ ଟିମ୍ ଚାରି ସିରିଜ୍ରେ ପରାଜିତ ହୋଇଛି । ସେଥିମଧ୍ୟରେ ୱେଷ୍ଟଇଣ୍ଡିଜ୍ ଠାରୁ ଦୁଇ ଥର ଏବଂ ଅଷ୍ଟ୍ରେଲିଆ ଓ ଭାରତ ଠାରୁ ଥରେ ଲେଖାଏଁ ସିରିଜ୍ ହାରିଛି । ଭାରତ ବିପକ୍ଷ ସିରିଜ୍ ଦର୍ଶାଇଥିଲା ଯେ ଏବେ ବି ଟିମ୍ରେ ଦୁର୍ବଳତା ରହିଛି ।
ଇଂଲଣ୍ଡ ଏ କଥା ବୁଝିବା ଆବଶ୍ୟକ ଯେ ଟିମ୍କୁ ସକାରାତ୍ମକ ଫଳାଫଳ ଦରକାର । ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଖେଳିବା ଅପେକ୍ଷା ପରିସ୍ଥିତି ଅନୁଯାୟୀ ଖେଳିବା ଅଧିକ ଜରୁରୀ । ଯଦି ଚାମ୍ପିଅନ୍ସ ଟ୍ରଫିରେ ‘ବାଜ୍ବଲ୍’ କାମ ନ ଦିଏ ଏବଂ ସକାରାତ୍ମକ ଫଳାଫଳ ନ ମିଳେ, ତା’ହେଲେ ଇଂଲଣ୍ଡ ଟିମ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ । ଏହାପରେ ଏହି ଦୃଷ୍ଟିକୋଣର ଅନ୍ତ ବି ଘଟିପାରେ ।