Sports: ବିଶ୍ୱ ଫୁଟ୍‌ବଲ୍‌ରେ ନୂଆ ତାରକା ‘ଲାମିନ୍ ୟମାଲ୍‌’ଙ୍କ ଉଦୟ; ନେବେ କି ମେସୀଙ୍କ ସ୍ଥାନ!

ସ୍ପେନୀୟ କିଶୋର ଲାମିନ୍ ୟମାଲ୍‌ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍‌ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍‌ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍‌ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।

ଚର୍ଚ୍ଚାରେ ଲାମିନ୍ ୟମାଲ୍‌

ୟୁରୋପୀୟ ଫୁଟ୍‌ବଲ୍ ଚାମ୍ପିଅନ୍‌ସିପ୍‌ରେ ବେଳେବେଳେ ଏମିତି ଗୋଲ୍ ହୁଏ, ଯାହାକୁ ଦଶନ୍ଧି ଦଶନ୍ଧି ଧରି ସ୍ମରଣ କରାଯାଏ । ବାରମ୍ବାର ଏହାର ଭିଡିଓ ସେୟାର୍ ହୁଏ ଏବଂ ବୈଶିଷ୍ଟ୍ୟକୁ ନେଇ ଚର୍ଚ୍ଚା ହୁଏ।

ୟୁରୋ ୧୯୮୮ ସଂସ୍କରଣରେ ନେଦରଲାଣ୍ଡ୍‌ସର ମାର୍କୋ ଭାନ୍ ବାଷ୍ଟେନ୍‌ଙ୍କ ଚିତ୍ତାକର୍ଷକ ଭଲିରୁ ଗୋଲ୍ ହେଉ କିମ୍ବା ୧୯୯୬ରେ ଚେକ୍ ଗଣତନ୍ତ୍ରର କାରେଲ୍ ପୋବୋର୍ସ୍କିଙ୍କ ଉତ୍କୃଷ୍ଟ ଚିପ୍ ସଟ୍‌ରୁ ଗୋଲ୍ - ଏ ସବୁ ଟୁର୍ଣ୍ଣାମେଣ୍ଟର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇସାରିଛି।

ସର୍ବକନିଷ୍ଠ ଗୋଲ୍‌ସ୍କୋରର୍ ହେବାର ଗୌରବ:

ୟୁରୋ ୨୦୨୪ ସେମିଫାଇନାଲ୍‌ରେ ଫ୍ରାନ୍ସ ବିପକ୍ଷରେ ସ୍ପେନୀୟ କିଶୋର ଲାମିନ୍ ୟମାଲ୍ ନସରାଉଇ ଏବାନାଙ୍କ ଏକ ଚମକପ୍ରଦ କ୍ରସ୍ ସଟ୍‌ରୁ ହୋଇଥିବା ଗୋଲ୍‌କୁ ବି ଏହି ଅଭୁଲା (ଗୋଲ୍‌) ତାଲିକାରେ ଯୋଡ଼ା ଯାଇପାରେ।

ଏହା ସହିତ ୧୬ ବର୍ଷ ୩୬୨ ଦିନ ବୟସରେ ଗୋଲ୍ ଦେଇ ୟମାଲ୍ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ଗୋଲ୍‌ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ।

ନିକଟରେ ସ୍ପେନ୍ ରେକର୍ଡ ଚତୁର୍ଥ ଥର ୟୁରୋ କପ୍ ମୁକୁଟ ହାସଲ କରିଛି । ବର୍ଲିନ୍‌ର ଅଲିମ୍ପିଆ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୦୨୪ ସଂସ୍କରଣର ଫାଇନାଲ୍‌ରେ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ସ୍ପେନୀୟ ଟିମ୍ ଚାମ୍ପିଅନ୍ ହୋଇଛି।

ଏଥିରେ ୟମାଲ୍ ‘ୟଙ୍ଗ୍ ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଛନ୍ତି। ସେ ଗୋଟିଏ ଗୋଲ୍ ଦେଇଥିବା ବେଳେ ସର୍ବାଧିକ ଚାରି ଗୋଲ୍‌ରେ ସହାୟତା କରିଥିଲେ।

ବିଶ୍ୱ ଫୁଟ୍‌ବଲ୍‌ର ନୂଆ ତାରକା ଭାବେ ୟମାଲ୍‌ଙ୍କ ଉଦୟ ହୋଇଛି। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସେ ସ୍ପେନ୍‌ର ମୁକୁଟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏବେ ଏହି ସ୍ପେନୀୟ କିଶୋରଙ୍କୁ ନେଇ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍‌ବଲ୍ ଜଗତରେ ବେଶ୍ ଚର୍ଚ୍ଚା।

ଗୋଟିଏ ଜିନିଅସ୍ କିକ୍‌:

ମ୍ୟୁନିକ୍ ଠାରେ ହୋଇଥିବା ୟୁରୋ ୨୦୨୪ର ପ୍ରଥମ ସେମିଫାଇନାଲ୍‌ର ଆଦ୍ୟଭାଗରେ ସ୍ପେନୀୟ ଟିମ୍ ଫ୍ରାନ୍ସ ଠାରୁ ୦-୧ରେ ପଛରେ ଥିଲା, ଯାହା ଫଳରେ ଖେଳାଳିମାନେ ଚାପଗ୍ରସ୍ତ ହୋଇଯାଇଥିଲେ। ଟିମ୍ ଆଗରେ ଗୋଲ୍ ପରିଶୋଧ ଓ ଏହାପରେ ଅଗ୍ରଣୀ ହାସଲ କରିବାର ଆହ୍ୱାନ ଥିଲା।

ୟମାଲ୍ ଏହି ଆହ୍ୱାନକୁ ଗ୍ରହଣ କରିଥିଲେ ଏବଂ ୨୧ତମ ମିନିଟ୍‌ରେ ବକ୍ସ ବାହାରୁ କ୍ରସ୍ ସଟ୍‌ରୁ ଗୋଲ୍ ଦେଇଥିଲେ। ତାଙ୍କ ସଟ୍‌କୁ ଫ୍ରାନ୍ସର ଗୋଲ୍‌କିପର୍ ଛୁଇଁ ବି ପାରି ନ ଥିଲେ। ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା ଏବଂ ସ୍କୋର୍ ସମାନ ସ୍ଥିତିକୁ ଚାଲିଆସିଥିଲା।

ଲାମିନ୍ ୟମାଲ୍‌ଙ୍କ ଗୋଟେ ଷ୍ଟାଇଲିସ୍ କିକ୍

ସେହି ଗୋଲ୍‌କୁ ଦେଖି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ଓ ସାରା ବିଶ୍ୱରେ ଲାଇଭ୍ ଦେଖୁଥିବା ଫୁଟ୍‌ବଲ୍‌ପ୍ରେମୀ ଚକିତ ହୋଇଯାଇଥିଲେ। ଯେତେବେଳେ ଏହି ଗୋଲ୍ ହୋଇଥିଲା, ସେତେବେଳେ ବେଗ ଅଧିକ ଥିବା ଯୋଗୁଁ ଏହାର ବିଶେଷତ୍ୱ ଜଣାପଡ଼ି ନ ଥିଲା; କିନ୍ତୁ ସ୍ଲୋ ମୋସନ୍‌ରେ ଏହା ପ୍ରଦର୍ଶିତ ହେବା ପରେ ଜଣାପଡ଼ିଲା ଯେ ଏହା ଏକ ଅସାମାନ୍ୟ ଗୋଲ୍ ଥିଲା।

ଏହାର ଚାରି ମିନିଟ୍ ପରେ ଡାନିଏଲ୍ ଓଲମୋ ଗୋଲ୍ ଦେବା ଫଳରେ ସ୍ପେନ୍ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା ଏବଂ ଧାର୍ଯ୍ୟ ସମୟ ସୁଦ୍ଧା ଗୋଟିଏ ଗୋଲ୍‌ରେ ଆଗରେ ଥାଇ ସ୍ପେନ୍ ମ୍ୟାଚ୍ ଜିତିଥିଲା।

ଜଣେ ସୁପର୍‌ଷ୍ଟାର୍‌ର ଜନ୍ମ:

ଇଂଲଣ୍ଡର ପୂର୍ବତନ ଷ୍ଟ୍ରାଇକର୍ ଗ୍ୟାରୀ ଲିନେକର୍‌ଙ୍କ କହିବାନୁଯାୟୀ ୟମାଲ୍‌ଙ୍କ ରୂପରେ ଜଣେ ସୁପର୍‌ଷ୍ଟାର୍‌ର ଜନ୍ମ ହୋଇଛି। ଏହା କେବଳ ସେମିଫାଇନାଲ୍ ମ୍ୟାଚ୍‌ର ନୁହେଁ, ପୂରା ଟୁର୍ଣ୍ଣାମେଣ୍ଟର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ।

ୟମାଲ୍ ଫାଇନାଲ୍ ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ରେ ସହାୟତା କରିବା ସହ ଟୁର୍ଣ୍ଣାମେଣ୍ଟ ଇତିହାସରେ ଫାଇନାଲ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ। ଟୁର୍ଣ୍ଣାମେଣ୍ଟର କୌଣସି ପର୍ଯ୍ୟାୟରେ ୟମାଲ୍‌ଙ୍କ ମଧ୍ୟରେ କେବେ ବି ବିଚଳିତ ଭାବ ଦେଖିବାକୁ ମିଳି ନ ଥିଲା। ଶେଷ ଯାଏଁ ସେ ଆତ୍ମବିଶ୍ୱାସକୁ ବଜାୟ ରଖିଥିଲେ।

ମେସୀ-ୟମାଲ୍‌ଙ୍କ ଭାଇରାଲ୍ ଫଟୋ:

ବିଶ୍ୱର ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍‌ବଲର୍‌ ଲିଓନେଲ୍ ମେସୀଙ୍କ ସହ ଶିଶୁ ଲାମିନ୍ ୟମାଲ୍‌

ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ବିଶ୍ୱର ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍‌ବଲର୍‌ଙ୍କ ମଧ୍ୟରେ ପରିଗଣିତ ଲିଓନେଲ୍ ମେସୀ ଏକ ଛୁଆକୁ ଧରିଛନ୍ତି। ଏହି ଫଟୋ ୧୬ ବର୍ଷ ପୂର୍ବର। ଏହି ଛୁଆଟି ଆଉ କେହି ନୁହେଁ, ଏବେ ବିଶ୍ୱର ଚର୍ଚ୍ଚିତ ଫୁଟ୍‌ବଲର୍ ଲାମିନ୍ ୟମାଲ୍।

ଜଣାଶୁଣା ଫଟୋଗ୍ରାଫର୍ ଜନ୍ ମୋନ୍‌ଫୋର୍ଟ ଏକ ଚ୍ୟାରିଟି କ୍ୟାଲେଣ୍ଡର୍ ପାଇଁ ବାର୍ସିଲୋନା ଖେଳାଳିମାନଙ୍କ ସହ କେତେକ ଶିଶୁ ଓ ସେମାନଙ୍କ ପରିବାରର ଫଟୋ ଉଠାଇଥିଲେ। ସେ ଅନୁମାନ କରିପାରୁଥିଲେ ଯେ ଦିନେ ମେସୀ ଫୁଟ୍‌ବଲ୍ ଜଗତରେ ସୁନାମ ଅର୍ଜନ କରିବେ; କିନ୍ତୁ ସେ କଳ୍ପନା କରି ନ ଥିଲେ ଯେ ମେସୀ ଯେଉଁ ଛୋଟ ଛୁଆକୁ ଧରିଛନ୍ତି, ସେ ଦିନେ ଏତେ କମ୍ ବୟସରେ ନିଜ ପ୍ରଦର୍ଶନ ଦ୍ୱାରା ବିଶ୍ୱକୁ ଚମତ୍କୃତ କରିବ।

ମେସୀଙ୍କ ଭଳି ୟମାଲ୍ ମଧ୍ୟ ବାର୍ସିଲୋନାର ଯୁବ ଏକାଡେମୀରୁ ମୁଖ୍ୟ ଟିମ୍ ଯାଏଁ ଯାତ୍ରା କରିଛନ୍ତି। ବାପାଙ୍କ ଘର ମରକ୍କୋ ଓ ମା’ଙ୍କର ଗିନୀ, ଖେଳନ୍ତି ସ୍ପେନ୍‌ରୁ ୟମାଲ୍‌ଙ୍କ ବାପା ମୁନିର ନସରାଉଇଙ୍କ ଘର ମରକ୍କୋ ଓ ମା’ ଶୀଲା ଏବାନାଙ୍କର ଇକ୍ୱେଟୋରିଅଲ୍ ଗିନୀ। ଏହାସତ୍ତ୍ୱେ ୟମାଲ୍ ସ୍ପେନ୍ ପକ୍ଷରୁ ଫୁଟ୍‌ବଲ୍ ଖେଳନ୍ତି।

ୟମାଲ୍‌ଙ୍କ ଜନ୍ମ:

ଗିନୀର ବନ୍ଦର ସହର ବାଟାରେ ଶୀଲାଙ୍କ ଜନ୍ମ। ପରବର୍ତ୍ତୀ ସମୟରେ ସେ ସ୍ପେନ୍ ଚାଲିଆସିଥିଲେ, ଯେଉଁଠି ତାଙ୍କର ମୁନିରଙ୍କ ସହ ଭେଟ ହୋଇଥିଲା। ୟମାଲ୍ ୨୦୦୭ ଜୁଲାଇ ୧୩ରେ ବାର୍ସିଲୋନାର ଏସ୍‌ପ୍ଲୁଗୁସ୍ ଡି’ ଲୋବ୍ରିଗେଟ୍ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ତାଙ୍କ ବାପା-ମା’ ଅଲଗା ହୋଇଯାଇଥିଲେ, ହେଲେ ସେମାନେ ମିଶିକି ୟମାଲ୍‌ଙ୍କ ଲାଳନପାଳନ କରିଥିଲେ।

ଶିଶୁ ଲାମିନ୍ ୟମାଲ୍‌

ଖେଳ ଜୀବନ ଆରମ୍ଭ:

ଦୁଇ ଆଫ୍ରିକୀୟ ଦେଶ - ଗିନୀ ଓ ମରକ୍କୋ ୟମାଲ୍‌ଙ୍କୁ ନିଜ ଟିମ୍ ପକ୍ଷରୁ ଖେଳାଇବାକୁ ଚାହାନ୍ତି। ଗିନୀର ଇକ୍ୱେଟୋଗିନିଅନ୍ ଫୁଟ୍‌ବଲ୍ ମହାସଂଘ ଓ ମରକ୍କୋର ରୟାଲ୍ ମରକ୍କାନ୍ ଫୁଟ୍‌ବଲ୍ ମହାସଂଘ ଅତୀତରେ ଏ ଦିଗରେ ପ୍ରୟାସ ବି କରିସାରିଛନ୍ତି, ହେଲେ ସଫଳ ହୋଇ ନାହାନ୍ତି।

ସାତ ବର୍ଷ ବୟସ ହୋଇଥିବା ବେଳେ ୟମାଲ୍ ଏଫ୍‌ସି ବାର୍ସିଲୋନାର ଲା’ ମାସିଆ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ସେ ସ୍ଥାନୀୟ କ୍ଲବ୍ ଲା’ ଟୋରେଟାରୁ ଆସିଥିଲେ।

ୟମାଲ୍ ୨୦୨୩ ଏପ୍ରିଲ୍ ୨୯ରେ ଲା’ ଲିଗା ଜରିଆରେ ବାର୍ସିଲୋନା କ୍ଲବ୍‌ର ପ୍ରଥମ ଟିମ୍‌ରେ ପଦାର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବାରେ ସେ କ୍ଲବ୍‌ର ସର୍ବକନିଷ୍ଠ ଖେଳାଳି ଥିଲେ। ଟିମ୍ ସେହି ସିଜନ୍‌ରେ ଚାମ୍ପିଅନ୍ ହୋଇଥିଲା। ୨୦୨୩-୨୪ରେ ସେ ଜାଭୀ ହର୍ଣ୍ଣାଣ୍ଡେଜ୍‌ଙ୍କ ଟିମ୍ ପାଇଁ ମୋଟ୍ ୫୦ ମ୍ୟାଚ୍ ଖେଳି ୭ ଗୋଲ୍ ଦେଇଥିଲେ।

ଆନ୍ତର୍ଜାତିକ ଖେଳିବା ପାଇଁ ଡକରା:

ସ୍ପେନ୍‌ର ବିଭିନ୍ନ ବୟସବର୍ଗ ଟିମ୍‌ରେ ଖେଳିବା ପରେ ୟମାଲ୍‌ଙ୍କୁ ୨୦୨୩ ସେପ୍ଟେମ୍ବର ୧ରେ ବରିଷ୍ଠ ଆନ୍ତର୍ଜାତିକ ଖେଳିବା ପାଇଁ ଡକରା ଆସିଥିଲା। ଜର୍ଜିଆ ଓ ସାଇପ୍ରସ୍ ବିପକ୍ଷ ୟୁରୋ ୨୦୨୪ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ତାଙ୍କୁ ପ୍ରଥମ ଥର ସ୍ପେନୀୟ ଟିମ୍‌ରେ ସୁଯୋଗ ଦିଆଯାଇଥିଲା।

ୟମାଲ୍ ୨୦୨୩ ସେପ୍ଟେମ୍ବର ୮ରେ ଜର୍ଜିଆ ବିପକ୍ଷରେ ସିନିଅର୍ ଆନ୍ତର୍ଜାତିକରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ଗୋଟିଏ ଗୋଲ୍ ଦେଇ ସେ ସ୍ପେନ୍‌ର ସର୍ବକନିଷ୍ଠ ଗୋଲ୍‌ସ୍କୋରର୍ ହୋଇପାରିଥିଲେ। ସାଇପ୍ରସ୍ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ବି ସେ ଗୋଲ୍ ଦେଇଥିଲେ। ସ୍କଟ୍‌ଲାଣ୍ଡ ଓ ନରୱେ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇଥିଲା, ହେଲେ ଆଘାତ ଯୋଗୁଁ ସେ ଖେଳିପାରି ନ ଥିଲେ।

ଲାମିନ୍ ୟମାଲ୍‌ଙ୍କ ଦମଦାର ଗୋଲ୍

ଦୂରରୁ ସଟ୍ ମାରି ଗୋଲ୍ କରିବାର କ୍ଷମତା:

୨୦୨୩ ଅକ୍ଟୋବର ୨ରେ ସେ ବାର୍ସିଲୋନା ସହ ୨୦୨୬ ଜୁନ୍ ୩୦ ଯାଏଁ ଚୁକ୍ତି କରିଥିଲେ । ୧୮ ବର୍ଷ ବୟସ ହୋଇଗଲେ, ସେ କ୍ଲବ୍ ସହ ଆଉ ଏକ ଚୁକ୍ତି ସ୍ୱାକ୍ଷର କରିପାରନ୍ତି, ଯାହାର ମିଆଦ ୨୦୩୦ ଜୁନ୍ ଯାଏଁ ରହିବ ।

ୟମାଲ୍ ଉଭୟ ଏଫ୍‌ସି ବାର୍ସିଲୋନା ଓ ସ୍ପେନ୍‌ର ଜାତୀୟ ଟିମ୍ ପକ୍ଷରୁ ରାଇଟ୍ ୱିଙ୍ଗର୍ ଭାବେ ଖେଳନ୍ତି। ପାଞ୍ଚ ଫୁଟ୍ ୧୦ ଇଞ୍ଚ୍ ଇଚ୍ଚତା ବିଶିଷ୍ଟ ଏହି ଫୁଟ୍‌ବଲର୍ ଡ୍ରିବଲ୍ସ କରି ବକ୍ସରେ ପ୍ରବେଶ କରିବାର କୌଶଳ ଓ ଦୂରରୁ ସଟ୍ ମାରି ଗୋଲ୍ କରିବାର କ୍ଷମତା ପାଇଁ ଫୁଟ୍‌ବଲ୍‌ପ୍ରେମୀଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ବେଳେବେଳେ ବିପକ୍ଷ ଟିମ୍‌ର ରକ୍ଷଣଭାଗ ଖେଳାଳି ବି ତାଙ୍କୁ ବୁଝିପାରନ୍ତିନି।

କମ୍ ବୟସରୁ ବରିଷ୍ଠ ଖେଳାଳିଙ୍କ ଭଳି ପରିପକ୍ୱତା:

ୟମାଲ୍‌ଙ୍କ ଭିତରେ ଏତେ କମ୍ ବୟସରୁ ବରିଷ୍ଠ ଖେଳାଳିଙ୍କ ଭଳି ପରିପକ୍ୱତା ଦେଖିବାକୁ ମିଳିଛି। ଏ କଥା ତାଙ୍କ କୋଚ୍ ବି ସ୍ୱୀକାର କରନ୍ତି। ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ସେ ଆଗକୁ କେତେ ଉପରକୁ ଯିବେ, ତାହା ସମୟ କହିବ। ହୁଏତ ଦିନେ ସେ ମେସୀଙ୍କ ଭଳି ବିଶ୍ୱର ନାମୀ ଖେଳାଳି ହୋଇପାରନ୍ତି।

ଏବେ ଏହି ପ୍ରଚଣ୍ଡ ପ୍ରତିଭା-ସମ୍ପନ୍ନ ଖେଳାଳିଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସେ ଏହିଭଳି ବିନମ୍ର ରହିବା ସହ ମାଟିରେ ହିଁ ନିଜ ପାଦ ରଖନ୍ତୁ। କ୍ରମାଗତ ଶିକ୍ଷା ଲାଭ କରନ୍ତୁ ଏବଂ ଦୃଢ଼ତାର ସହ ଆଗକୁ ବଢ଼ନ୍ତୁ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)