T20 World Cup
ଜୁନ୍-୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି BCCI। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ। ଦଳ ଘୋଷଣା ହେବା ପରେ ଏବେ ଫ୍ୟାନ୍ସଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି। ଦଳରେ ରିଙ୍କୁ ସିଂ ଓ କେ ଏଲ୍ ରାହୁଲଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତେବେ ପ୍ରେସମିଟ ଜରିଆରେ ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ସିଲେକ୍ଟର କମିଟିର ଅଧ୍ୟକ୍ଷ ଅଜିତ ଅଗରକର୍ ଓ ଅଧିନାୟକ ରୋହିତ ଶର୍ମା।
ରିଙ୍କୁ ସିଂଙ୍କୁ ୧୫ ଜଣିଆ ଦଳରୁ ବାଦ ଦେବା ସିଲେକ୍ଟର କମିଟି ପାଇଁ ସବୁଠୁ କଠିନ ନିଷ୍ପତ୍ତି ଥିବା ଅଜିତ ଅଗରକର୍ କହିଛନ୍ତି। ସେ କହିଛନ୍ତି ରିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳରେ ସାମିଲ ନ ହେବା ନେଇ ରିଙ୍କୁଙ୍କର କୌଣସି ଭୁଲ ନାହିଁ। ଶୁବମନ ଗିଲ୍ ମଧ୍ୟ କିଛି ଭୁଲ୍ କରି ନାହାନ୍ତି। ହେଲେ ଅଧିକ ସ୍ପିନ୍ ବିକଳ୍ପ ଲାଗି ଏମାନଙ୍କୁ ୧୫ ଜଣିଆ ଦଳରେ ରଖିବା ସମ୍ଭବ ହେଲାନି।
ସେପଟେ ରାହୁଲଙ୍କ ବାଦ ପଡ଼ିବା ନେଇ ଅଗରକର କହିଛନ୍ତି, ଆମେ ସମସ୍ତେ ଜାଣିଛେ ରାହୁଲ ଜଣେ ଚମତ୍କାର ଖେଳାଳି। ହେଲେ ଆମକୁ ମଧ୍ୟକ୍ରମରେ ଆକ୍ରମଣାତ୍ମକ ସଟ୍ ଖେଳିପାରୁଥିବା ଖେଳାଳି ଦରକାର ଥିଲା। ରାହୁଲ ଟପ୍ ଅର୍ଡରରେ ଖେଳନ୍ତି, ପୁଣି ସଞ୍ଜୁ ସାମସନଙ୍କର ତଳେ ବ୍ୟାଟିଂ କରିବାକୁ ଆସି ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା ରହିଛି। ଏଣୁ ରାହୁଲଙ୍କ ପରିବର୍ତ୍ତେ ସଞ୍ଜୁଙ୍କୁ ଦଳରେ ନେବାକୁ ବାଧ୍ୟ ହେଲୁ। ସେହିଭଳି ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ଅଛନ୍ତି, ତାହେଲେ ତାଙ୍କର କୌଣସି ବିକଳ୍ପ ନାହିଁ। ଏହି କାରଣରୁ ଚଳିତ ଆଇପିଏଲ୍ରେ ଖରାପ କରିବା ସତ୍ତ୍ବେ ତାଙ୍କୁ ଆମେ ଦଳରେ ରଖିଛୁ।
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ରୋହିତ, ହାର୍ଦ୍ଦିକଙ୍କ ବ୍ୟତୀତ ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜଶପ୍ରୀତ ବୁମ୍ରା, ମହମ୍ମଦ ସିରାଜଙ୍କୁ ବିଶ୍ୱକପ୍ ଦଳରେ ସୁଯୋଗ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714824825.jpg)