Paris Paralympics: ଆରମ୍ଭରୁ ଆଥଲେଟିକ୍ସରେ କମାଲ, ପ୍ରୀତି ପାଲ୍ ଜିତିଲେ ବ୍ରୋଞ୍ଜ

ପ୍ୟାରିସ ପାରା ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଖାତା ଖୋଲିଲା ଭାରତ । ମହିଳା ୧୦୦ ମିଟର T-୩୫ ଫାଇନାଲରେ ଭାରତୀୟ ଧାବିକା ପ୍ରୀତି ପାଲ ଜିତିଲେ ବ୍ରୋଞ୍ଜ । 

Preeti Pal bags bronze

ପ୍ୟାରିସ ପାରା ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଖାତା ଖୋଲିଛି ଭାରତ । ମହିଳା ୧୦୦ ମିଟର T-୩୫ ଫାଇନାଲରେ ଭାରତୀୟ ଧାବିକା ପ୍ରୀତି ପାଲ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏଥିସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ୨୩ ବର୍ଷୀୟା ପ୍ରୀତି ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୪.୨୧ ସେକେଣ୍ଡରେ ପହଞ୍ଚିଥିଲେ । ଚୀନର ଜହୌ ଜିଆ ୧୩.୫୮ ସେକେଣ୍ଡରେ ପହଞ୍ଚି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ଜୁଅ କିନକିଆନ ୧୩.୭୪ ସେକେଣ୍ଡରେ ପହଞ୍ଚି ରୌପ୍ୟ ପଦକ ବିଜେତା ହୋଇଛନ୍ତି । 

୨୦୨୪ ୱାର୍ଲ୍ଡ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରୀତି, ଉଭୟ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ ଓ ନ୍ୟାସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜେତା ରହିଛନ୍ତି । ତେବେ ଏସିଆନ ପାରା ଗେମ୍ସରେ ଚତୁର୍ଥ ସ୍ଥାନରେ ରହିବା ସହ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ଉତ୍ତର ପ୍ରଦେଶର ମୁଜାଫରନଗରର ୨୩ ବର୍ଷୀୟା ଆଥଲେଟ୍ ପ୍ରିତି ପାରାଲିମ୍ପିକ୍ସରେ କମାଲ ଦେଖାଇଛନ୍ତି ।

ଅନ୍ୟପଟେ ୧୦ ମିଟର ଏୟାର ରାଇଫଲ ସୁଟିଂରେ ଭାରତୀୟ ସୁଟର ଅବନୀ ଲେଖରା ଇତିହାସ ରଚିଛନ୍ତି । ପ୍ୟାରିସ ପାରା ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଅବନୀ । ପୂର୍ବରୁ ସେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ଦୁଇଟି ବ୍ରୋଞ୍ଜ, ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ସହ ପ୍ୟାରିସ ପାରା ଅଲିମ୍ପିକ୍ସରେ ଏଯାବତ ଭାରତ ୪ଟି ପଦକ ଜିତିସାରିଛି ।