ସରକାରୀ ଚାକିରି ଅଫରକୁ ମନା କଲେ ଏହି ଖେଳାଳି, ପ୍ରଶଂସା କରୁଛି ସାରାଦେଶ

ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସରକାର ଯାଚିଲେ ବଡ଼ ଚାକିରି । ମନା କରିଦେଲେ ଯୁବ ସୁଟର ସରବଜୋତ ।

Sarabjot Singh

ପଦକ ଜିତି ଗର୍ବିତ କରିଥିଲେ ଏବେ ହୃଦୟ ଜିତିଲେ । ପୁଣି ଚର୍ଚ୍ଚାରେ ପ୍ୟାରିସ ଅଲିମିକ୍ସରେ ବୋଞ୍ଜ ବିଜେତା ଯୁବ ସୁଟର ସରବଜୋତ ସିଂହ । ମନୁ ଭାକରଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ସରବଜୋତ । ତେବେ ପୁଣିଥରେ ଖବରର ଶୀରୋନାମାରେ ରହିଛନ୍ତି ସରବଜୋତ୍ । ନିକଟରେ ସରବଜୋତ ନେଇଥିବା ଏକ ନିଷ୍ପତ୍ତି ପାଇଁ ତାଙ୍କୁ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ଏମିତିକି ଅନେକ କ୍ରୀଡାପ୍ରେମୀ ତାଙ୍କୁ ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି । 

ଯୁବ ସୁଟର ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତି ସ୍ୱଦେଶ ଫେରିଛନ୍ତି । ଏହାପରେ ତାଙ୍କର ନିଜ ରାଜ୍ୟ ହରିୟାଣା ସରକାର ଏକ ବଡ଼ ଅଫର ଦେଇଥିଲେ । ମାତ୍ର ସେ ଏହି ଅଫରକୁ ଗ୍ରହଣ କରିନାହାନ୍ତି । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ କ୍ରୀଡାପ୍ରେମୀ ସରବଜୋତଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ହରିୟାଣା ସରକାର ସରବଜୋତଙ୍କୁ  କ୍ରୀଡା ବିଭାଗରେ ଡେପୁଟି ଡିରେକ୍ଟର ପଦବୀ ଅଫର କରିଥିଲେ । ମାତ୍ର ସରକାରୀ ଚାକିରିକୁ ପ୍ରତ୍ୟାଖାନ କରିଛନ୍ତି ଯୁବ ସୁଟର । ଏହାପରେ ଖେଳ ପ୍ରତି ନିଜର ସମର୍ପଣ ମନୋଭାବ ଓ ଉଚ୍ଚ ବିଚାର ପାଇଁ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି ଏହି ଷ୍ଟାର ସୁଟର । କିଛି ଖେଳାଳି ସରକାରୀ ଚାକିରି ହାତେଇବା ପାଇଁ ଖେଳକୁ ବିକଳ୍ପ ଭାବେ ବ୍ୟବହାର କରୁଥିବାବେଳେ ସରବଜୋତ୍ ନିଆରା ଉଦାହରଣ ସୃଷ୍ଟି କରିଥିବା କ୍ରୀଡାପ୍ରେମୀଙ୍କ ମତ ରଖିଛନ୍ତି । ସରକାରୀ ଚାକିରି ବଦଳରେ ନିଜ ଖେଳରେ ଫୋକସ କରିବାକୁ ସେ ଚୟନ କରିଛନ୍ତି ।

ସରକାରଙ୍କ ବଡ଼ ଚାକିରି ଅଫରକୁ ନା

ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜେତା ସୁଟର ସରବଜୋତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହରିୟାଣା ସରକାର ସରବଜୋତଙ୍କୁ  କ୍ରୀଡା ବିଭାଗରେ ଡେପୁଟି ଡିରେକ୍ଟର ପଦବୀ ଅଫର କରିଥିଲେ, ମାତ୍ର ଅଫରକୁ ପ୍ରତ୍ୟାଖାନ କରିଛନ୍ତି ଷ୍ଟାର ସୁଟର । ନିଜ ଖେଳ ଉପରେ ଅଧିକ ଫୋକସ ସହ ଅଧିକ ଭଲ କରିବା ପାଇଁ କହିଛନ୍ତି । ଏଥିସହ ସରକାରୀ ଚାକିରି ଅଫରକୁ ଗ୍ରହଣ କରିନାହାନ୍ତି ସରବଜୋତ୍ । ପରିବାର ସଦସ୍ୟ ମଧ୍ୟ ଏକ ଭଲ ଚାକିରି କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ସେ କେବଳ ସୁଟିଂରେ ଫୋକସ କରିବାକୁ ଚାହୁଁଥିବା କହିଛନ୍ତି ।

ସରବଜୋତ କହିଛନ୍ତି, "ଏହି ଚାକିରି ଭଲ, କିନ୍ତୁ ଏହାକୁ ଏବେ କରିପାରିବି ନାହିଁ । ମୁଁ ପ୍ରଥମେ ମୋର ସୁଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛି । ମୋ ପରିବାର ମଧ୍ୟ ଗୋଟେ ଭଲ ଚାକିରି କରିବାକୁ ମୋତେ କହିଛନ୍ତି, କିନ୍ତୁ ମୁଁ ସୁଟିଂ କରିବାକୁ ଚାହେଁ । ଏପରି କହି କୌଣସି ନିଷ୍ପତ୍ତି ବିରୋଧରେ ଯିବାପାଇଁ ଚାହୁଁନି, ମାତ୍ର ବର୍ତ୍ତମାନ ଚାକିରି କରିପାରିବି ନାହିଁ ।"

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ଭାରତୀୟ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସାଇନି ଓ କ୍ରୀଡାମନ୍ତ୍ରୀ ସଞ୍ଜୟ ସିଂହଙ୍କୁ ଭେଟିଛନ୍ତି । ପରେ କ୍ରୀଡା ବିଭାଗରେ ଡେପୁଟି ଡିରେକ୍ଟର ପଦ ଅଫର କରିଥିଲେ ମୁଖ୍ୟମନ୍ତ୍ରୀ ।