Paris Olympic 2024: ଅଲିମ୍ପିକ୍ସ ହକି ସେମିରେ ଭାରତ, ବଢିଲା ପଦକ ଆଶା

ଅଲିମ୍ପିକ୍ସ ହକିରେ ଭାରତର ବାଜିମାତ । ଟୋକିଓ ପରେ ପ୍ୟାରିସ୍, ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ହକି ଟିମ ।

Hockey Team India

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ । କ୍ୱାର୍ଟର-ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ନିଶ୍ଚିତ ପଦକଠାରୁ ଭାରତ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି । ଗତ ଅଲିମ୍ପିକ୍ସରେ ମଧ୍ୟ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ କ୍ୱାର୍ଟର ଫାଇନାଲରେ ମୁକାବିଲା ହୋଇଥିଲା ।

ଏଥିରେ ଭାରତ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ତେଣୁ ପ୍ୟାରିସରେ ଟୋକିଓ ଅଲିମ୍ପିକ୍ସର ପୁନାରୁବୃତ୍ତି ଦେଖିବାକୁ ମିଳିଛି । ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୪୧ ବର୍ଷ ପରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଏହି ପଦକ ହାସଲ କରିଥିଲା । 

ଭେଟେରାନ ଗୋଲକିପର୍ ପିଆର ଶ୍ରୀଜେଶ ପେନାଲିଟି ସୁଟ୍ ଆଉଟରେ ପୁଣି ଟିମ ପାଇଁ ହିରୋ ରହିଥିଲେ । ଗ୍ରେଟ୍ ବ୍ରିଟେନକୁ ୪-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛି ଭାରତ । ଭାରତ ପକ୍ଷରୁ ମ୍ୟାଚର ୨୨ତମ ମିନିଟରେ କ୍ଯାପଟେନ ହରମନପ୍ରିତ ସିଂ ପ୍ରଥମ ଗୋଲ୍ କରି ଟିମକୁ ଆଗୁଆ କରିଥିଲେ । ମାତ୍ର ଏହାର କିଛି ମିନିଟ୍ ପରେ ଗ୍ରେଟ ବ୍ରିଟେନର ଲି ମର୍ଟନ ଗୋଲ୍ କରିବା ପରେ ସ୍କୋର ବରାବର ହୋଇଥିଲା । ଚତୁର୍ଥ କ୍ୱାର୍ଟର ଶେଷ ହେବାବେଳକୁ ଉଭୟ ଟିମର ସ୍କୋର ୧-୧ରେ ବରାବର ରହିବାରୁ ସୁଟଆଉଟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ସ୍ଥିର ହୋଇଥିଲା । ଯେଉଁଥିରେ ୪-୨ରେ ବିଜୟୀ ହେବା ସହ ସେମିଫାଇନାଲ ଟିକେଟ୍ ହାତେଇଛି ଟିମ ଇଣ୍ଡିଆ । 

ଶ୍ରୀଜେସଙ୍କ ବିପକ୍ଷରେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ପ୍ରଥମ ସୁଟଆଉଟରେ ଆରମ୍ଭ କରିଥିଲେ ଆଲବେରି ଏ ପ୍ରଥମ ଗୋଲ୍ କରିଥିଲେ ।
ପରେ ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରିତ ଗୋଲ୍ କରିବା ପରେ ସ୍କୋର ବରାବର ହୋଇଥିଲା । ଏହାପରେ ସ୍କୋର ୨-୨ରେ ମଧ୍ୟ ବରାବର ହୋଇଥିଲା । ତେବେ ତୃତୀୟ ସୁଟ୍ ଆଉଟରେ ନିଜର ଅଭିଜ୍ଞତା ଦ୍ୱାରା ଚମତ୍କାର କରିଥିଲେ ଗୋଲକିପର୍ ଶ୍ରୀଜେଶ, ଯାହାଫଳରେ ଗ୍ରେଟ୍ ବ୍ରିଟେନର ତୃତୀୟ ପ୍ରୟାସ ବିଫଳ ହୋଇଥିଲା ଓ ଭାରତର ବିଜୟ ଆଶା ବଢ଼ିଥିଲା । ପରେ ଲଳିତ ଉପାଧ୍ୟାୟ ସୁଯୋଗର ଭରପୁର ଫାଇଦା ଉଠାଇ ଭାରତକୁ ୩-୨ରେ ଆଗୁଆ କରାଇଥିଲେ । ପରେ ଗ୍ରେଟ୍ ବ୍ରିଟେନର ଆଉ ଏକ ପ୍ରୟାସକୁ ଶ୍ରୀଜେଶ ବିଫଳ କରି ଭାରତର ବିଜୟ ସୁନିଶ୍ଚିତ କରାଇଥିଲେ । 

ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ ଭାରତ । ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚର ବିଜେତା ଟିମ ସହ ସେମିଫାଇନାଲ ଖେଳିବ ଭାରତ ।