ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୫ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ପେସର୍ ମହମ୍ମଦ ସିରାଜ ନିଜ ବୋଲିଂରେ ଚହଳ ସୃଷ୍ଟି କରିଛନ୍ତି । ଏପ୍ରିଲ୍ ୬ ସୁଦ୍ଧା ସେ ଚାରି ମ୍ୟାଚ୍ ଖେଳି ଦୁଇ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହେଲେଣି । ଆଇପିଏଲ୍ର ୧୮ତମ ସିଜନ୍ ତାଙ୍କ ପାଇଁ କେତେ ଗୁରୁତ୍ୱ ରଖେ, ଖୋଦ୍ ସିରାଜ ତାହା ଭଲ ଭାବେ ଜାଣନ୍ତି । ସେ ଚଳିତ ସିଜନ୍ରେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହାର ପ୍ରଭାବ ତାଙ୍କ ଆନ୍ତର୍ଜାତିକ ଭବିଷ୍ୟତ ଉପରେ ପଡ଼ିବ ।
ହ୍ୱାଇଟ୍-ବଲ୍ କ୍ରିକେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟା ବଢ଼ିଲାଣି । ଏ କଥାକୁ ଧ୍ୟାନରେ ରଖି ତାଙ୍କୁ ଆଗକୁ ବଢ଼ିବାକୁ ହେବ । ଏହାଛଡ଼ା କେବଳ ଅଭିଜ୍ଞତା ଯଥେଷ୍ଟ ନୁହେଁ, ପ୍ରତିଭା ବି ଗୁରୁତ୍ୱ ରଖୁଛି । ସେଥିପାଇଁ ହର୍ଷିତ ରାଣାଙ୍କ ଭଳି ଖେଳାଳି ଦିନିକିଆ ଆନ୍ତର୍ଜାତିକକୁ ଆସୁ ଆସୁ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ମଞ୍ଚକୁ ଓହ୍ଲାଉଛନ୍ତି, ଅଥଚ ସିରାଜ ୧୫ଜଣିଆ ଟିମ୍ରେ ମଧ୍ୟ ସ୍ଥାନ ପାଉ ନାହାନ୍ତି ।
Also Read
ଚାରି ଆଇପିଏଲ୍ ମ୍ୟାଚ୍ରେ ନଅ ୱିକେଟ୍
ଚଳିତ ଆଇପିଏଲ୍ରେ ଗୁଜରାଟର ସିରାଜ ଏ ଯାବତ ଚାରି ମ୍ୟାଚ୍ ଖେଳି ନଅ ୱିକେଟ୍ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଂଶବିଶେଷ ଥିଲେ । କିନ୍ତୁ ୧୮ତମ ସିଜନ୍ ପାଇଁ ବାଙ୍ଗାଲୋର ଫ୍ରାଞ୍ଚାଇଜୀ ତାଙ୍କୁ ରିଟେନ୍ କରି ନ ଥିଲା । ଏବେ ସିରାଜ ନିଜ ନୂଆ ଟିମ୍ ପାଇଁ କମାଲ୍ କରୁଛନ୍ତି ।
ଏପ୍ରିଲ୍ ୬ରେ ସନ୍ରାଇଜର୍ସ ହାଇଦରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ ୪ ଓଭର୍ରେ ମାତ୍ର ୧୭ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ଏହା ତାଙ୍କ ଆଇପିଏଲ୍ କ୍ୟାରିଅର୍ର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା । ବିଶେଷ କରି ସିରାଜଙ୍କ ଘାତକ ବୋଲିଂ ଯୋଗୁଁ ହାଇଦରାବାଦ ଟିମ୍ ୨୦୦ ସ୍କୋର୍ ଯାଏଁ ଯିବା ତ ଦୂରର କଥା, ୧୫୨ ରନ୍ରେ ଅଟକିଥିଲା । ସେ ନିଜ ପ୍ରଥମ ସ୍ପେଲ୍ରେ ଦୁଇ ଓପନର୍ - ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ସ୍ପେଲ୍ରେ ଅନିକେତ ବର୍ମା ଓ ସିମରଜିତ୍୍ ସିଂହଙ୍କୁ ପାଭିଲିଅନ୍ ପଠାଇଥିଲେ । ଏହା ପୂର୍ବରୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ବି ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେହି ମ୍ୟାଚ୍ରେ ସେ ତିନି ୱିକେଟ୍ ନେଇ ଟିମ୍ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
୧୦୦ ୱିକେଟ୍ କ୍ଲବ୍ରେ ସାମିଲ୍
ହାଇଦରାବାଦ ବିପକ୍ଷ ମ୍ୟାଚ୍ରେ ସିରାଜ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ ସହ ଆଇପିଏଲ୍ରେ ୧୦୦ ୱିକେଟ୍ କ୍ଲବ୍ରେ ସାମିଲ୍ ହୋଇଥିଲେ । ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ଲିଗ୍ ଇତିହାସର ୨୬ତମ ବୋଲର୍ । ସିରାଜ ଏ ଯାବତ ୯୭ ମ୍ୟାଚ୍ ଖେଳି ୧୦୨ ୱିକେଟ୍ ନେଇଛନ୍ତି । ସେ ପୂର୍ବତନ ପେସର୍ ଜାହିର ଖାନ୍ଙ୍କ ସମକକ୍ଷ ହୋଇଛନ୍ତି, ଯାହାଙ୍କ ନାମରେ ଲିଗ୍ରେ ୧୦୨ ୱିକେଟ୍ ରହିଛି । ତାଙ୍କ ଇକୋନମୀ ରେଟ୍ ୮.୬୦ ଥିବା ବେଳେ ଆଭରେଜ୍ ୨୮.୯ ରହିଛି । ସେ ପାୱାର-ପ୍ଲେରେ ୪୨ ୱିକେଟ୍ ହାସଲ କରିଛନ୍ତି । ଏହା ନୂଆ ବଲ୍ରେ ତାଙ୍କ ପ୍ରଭାବଶାଳୀ ପ୍ରଦର୍ଶନକୁ ରେଖାଙ୍କିତ କରୁଛି ।
ସିରାଜ ୨୦୧୭ରେ ହାଇଦରାବାଦ ଫ୍ରାଞ୍ଚାଇଜ୍ ସହିତ ନିଜ ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ, ଯିଏ ତାଙ୍କୁ ୨.୬ କୋଟି ଟଙ୍କାରେ କିଣିଥିଲା । ଏହି ଟିମ୍ ପକ୍ଷରୁ ସେ ଛଅ ମ୍ୟାଚ୍ ଖେଳି ୧୦ ୱିକେଟ୍ ନେଇଥିଲେ । ଏହାପରେ ୨୦୧୮ରେ ବାଙ୍ଗାଲୋର ଫ୍ରାଞ୍ଚାଇଜ୍ ତାଙ୍କୁ ୨.୨୦ କୋଟି ଟଙ୍କାରେ କିଣିଥିଲା । ଏହି ଟିମ୍ ପକ୍ଷରୁ ସେ ୮୭ ମ୍ୟାଚ୍ରେ ୮୩ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ଗତ ବର୍ଷ ନଭେମ୍ବରରେ ହୋଇଥିବା ମେଗା ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ୍ ତାଙ୍କୁ ରିଲିଜ୍ କରିଦେଇଥିଲା । ଏହାପରେ ଗୁଜରାଟ ଫ୍ରାଞ୍ଚାଇଜ୍ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣି ଚର୍ଚ୍ଚାକୁ ଆସିଥିଲା । ଅଦ୍ୟାବଧି ଫ୍ରାଞ୍ଚାଇଜ୍ର ଏହି ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଛି ।
ଫିଟ୍ନେସ୍ ସହ ପ୍ରଦର୍ଶନରେ ନିରନ୍ତରତା ଜରୁରୀ
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଅଭିଜ୍ଞ ସିରାଜଙ୍କୁ ୧୫ଜଣିଆ ଟିମ୍ରେ ସାମିଲ୍ କରାଯାଇ ନ ଥିଲା । କିନ୍ତୁ ଦିନିକିଆ ଆନ୍ତର୍ଜାତିକରେ ସ୍ୱଳ୍ପ ଅଭିଜ୍ଞ ଅର୍ଶଦୀପ ସିଂହ ଓ ନୂଆ ନୂଆ ଆସିଥିବା ହର୍ଷିତ ରାଣାଙ୍କୁ ମହମ୍ମଦ ଶାମୀଙ୍କ ନେତୃତ୍ୱାଧୀନ ପେସ୍ ବାହିନୀରେ ସୁଯୋଗ ଦିଆଗଲା ।
ଆଘାତଜନିତ କାରଣରୁ ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରା ଟିମ୍ରେ ନ ଥିଲେ, ଏପରି ସ୍ଥଳେ ସିରାଜଙ୍କୁ ବାଦ୍ ଦିଆଯିବା ନେଇ ପ୍ରଶ୍ନ ଉଠିଥିଲା । ଅବଶ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଭାବେ ଟିମ୍ରେ ଥିଲେ । ତେବେ ଚୟନକାରୀଙ୍କ ଏହି ନିଷ୍ପତ୍ତି ଯଥାର୍ଥ ଥିଲା । ଦୁବାଇ ପିଚ୍ରେ ପେସର୍ଙ୍କ ତୁଳନାରେ ସ୍ପିନର୍ ପ୍ରମୁଖ ଭୂମିକା ତୁଲାଇଥିଲେ । ହର୍ଷିତ ବି ସୁଯୋଗ ପାଇବା ସ୍ଥଳେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।
ଆନ୍ତର୍ଜାତିକ କ୍ରିକେଟ୍ରେ ୩୧ବର୍ଷୀୟ ସିରାଜ ଏ ଯାବତ ୪୪ ଦିନିକିଆ ଓ ୧୬ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୩୬ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । କିନ୍ତୁ ଏବେ ସମସ୍ତ ଫର୍ମାଟ୍ରେ ତାଙ୍କ ପାଇଁ ଚାଲେଞ୍ଜ୍ ବଢ଼ିଯାଇଛି । ବୁମ୍ରା ସୁସ୍ଥ ହୋଇ କ୍ରିକେଟ୍କୁ ଫେରିଲେଣି । ଶାମୀ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର୍ ସିରିଜ୍ ଜରିଆରେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । କ୍ରିକେଟ୍ର ପାରମ୍ପରିକ ଫର୍ମାଟ୍ରେ ବୁମ୍ରା ଓ ଶାମୀଙ୍କ ପରେ ସିରାଜ ତୃତୀୟ ପେସର୍ ହୋଇପାରନ୍ତି । ପ୍ରତିଭାଶାଳୀ ହର୍ଷିତ ଓ ପ୍ରସିଦ୍ଧ କ୍ରିଷ୍ଣ ବି ତୃତୀୟ ପେସର୍ ଦୌଡ଼ରେ ରହିବେ ।
ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଭାବେ ଶାର୍ଦ୍ଦୂଳ ଠାକୁର ମଧ୍ୟ ଟେଷ୍ଟ ଟିମ୍କୁ ଫେରିପାରନ୍ତି । ଏପରି ସ୍ଥଳେ ଦୁଇ ବିଶେଷଜ୍ଞ ପେସର୍ ଓ ଜଣେ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଚୂଡ଼ାନ୍ତ ଏକାଦଶରେ ଖେଳିପାରନ୍ତି । ସେଠାରେ ସିରାଜ କେମିତି ସ୍ଥାନ ପାଇବେ? ଯଦି କୌଣସି ପେସର୍ ଆହତ ହୁଅନ୍ତି କିମ୍ବା ଭଲ ପ୍ରଦର୍ଶନ ନ କରନ୍ତି, ତା’ହେଲେ ତାଙ୍କର ସମ୍ଭାବନା ଅଛି । ଯଦି ଦିନିକିଆରେ ତିନି ପେସର୍ଙ୍କୁ ଖେଳାଯାଏ, ତା’ହେଲେ ତୃତୀୟ ପେସର୍ ଭୂମିକା ପାଇଁ ସିରାଜଙ୍କ ଛଡ଼ା ହର୍ଷିତ, ଅର୍ଶଦୀପ ଓ ଅନ୍ୟ ବିଶେଷଜ୍ଞ ପେସର୍ ଅଛନ୍ତି । ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେଙ୍କ ଭଳି ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ବି ଅଛନ୍ତି । ଟି-୨୦ରେ ମଧ୍ୟ ସିରାଜଙ୍କ ଆଗରେ ଅନେକ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ।
ଆଗକୁ ଅନେକ ଦ୍ୱିପାକ୍ଷିକ ସିରିଜ୍ ଛଡ଼ା ସେପ୍ଟେମ୍ବରରେ ଏସିଆ କପ୍ ଏବଂ ଆସନ୍ତା ବର୍ଷ ଆଦ୍ୟଭାଗରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ । ଏହି ଦୁଇ ମେଗା ଟୁର୍ଣ୍ଣାମେଣ୍ଟ ଲାଗି ଟିମ୍ରେ ସ୍ଥାନ ପାଇବା ତାଙ୍କ ପାଇଁ ଚାଲେଞ୍ଜ୍ ହୋଇପାରେ । ଅନ୍ତତଃ ହ୍ୱାଇଟ୍-ବଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଚଳିତ ଆଇପିଏଲ୍ ସିଜନ୍ ସିରାଜଙ୍କ ପାଇଁ ବଡ଼ ସୁଯୋଗ । ପୂରା ଟୂର୍ଣ୍ଣାମେଣ୍ଟରେ ଫିଟ୍ନେସ୍ ସହ ନିରନ୍ତରତା ବଜାୟ ରଖିଲେ ତାଙ୍କ ପଥ ସୁଗମ ହେବ ।