Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଲୋକେଶ ରାହୁଲ

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌?

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଲୋକେଶ ରାହୁଲ

ଏକଦା ପ୍ରତିଭାଶାଳୀ ବ୍ୟାଟର୍ ଲୋକେଶ ରାହୁଲ ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ଦୌଡ଼ରେ ସବୁଠାରୁ ଆଗରେ ଥିଲେ । ୨୦୨୦ ନଭେମ୍ବରରୁ ୨୦୨୩ ଡିସେମ୍ବର ମଧ୍ୟରେ ବିଭିନ୍ନ ସମୟରେ ରାହୁଲ ଟିମ୍‌ର ଉପ-ଅଧିନାୟକ, ଏପରିକି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ବି ତୁଲାଇଛନ୍ତି । କିନ୍ତୁ ଏବେ ଗୋଟିଏ ସମୟ ଆସି ପହଞ୍ଚିଛି ଯେତେବେଳେ ନେତୃତ୍ୱ ନେବା ତ ଦୂରର କଥା, ଟିମ୍‌ରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଯାଇଛି ।

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌?

ଧୀରେ ଧୀରେ ସ୍ପଷ୍ଟ ହେଉଛି ଯେ ଟିମ୍ ପାଇଁ ସେ ଆଉ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇ ରହି ନାହାନ୍ତି । ରାହୁଲଙ୍କୁ ଏବେ ୩୨ ବର୍ଷ ବୟସ । ତାଙ୍କ ଭିତରେ ଆହୁରି ଚାରି-ପାଞ୍ଚ ବର୍ଷର କ୍ରିକେଟ୍ ବାକି ଅଛି ବୋଲି କୁହାଯାଇପାରେ । କିନ୍ତୁ ପ୍ରକୃତରେ ତାଙ୍କ କ୍ୟାରିଅର୍ ଆଉ କେତେ ବାଟ ଯିବ, ସେ ବିଷୟରେ ହୁଏତ କେହି ଠିକ୍ ଭାବେ ଆକଳନ କରିପାରିବେ ନାହିଁ ।

କେତେବେଳେ ଫିଟ୍‌ନେସ୍ ତ ଆଉ କେତେବେଳେ ଫର୍ମ ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି । ସେ ଅନ୍ତତଃ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଲାଣି ।

ଟେଷ୍ଟରେ ପ୍ରଭାବଶୂନ୍ୟ ପ୍ରତ୍ୟାବର୍ତ୍ତନ:

ଟେଷ୍ଟରେ ରାହୁଲଙ୍କ ସ୍ଥାନ ନେବା ପାଇଁ ସରଫରାଜ୍ ଖାନ୍‌ଙ୍କ ଭଳି ଯୁବ ଖେଳାଳି ଚାହିଁ ବସିଛନ୍ତି, ଯିଏ ସୁଯୋଗ ପାଇବା ସ୍ଥଳେ ନିଜ ପ୍ରତିଭାର ଯଥାସାଧ୍ୟ ପ୍ରଦର୍ଶନ କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇଥିଲା, ଯେଉଁଠି ରାହୁଲ ଫ୍ଲପ୍ ହୋଇଥିଲେ ଆଉ ସରଫରାଜ୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।

ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ଜରିଆରେ ରାହୁଲ ପ୍ରାୟ ସାଢ଼େ ସାତ ମାସ ପରେ ରେଡ୍‌-ବଲ୍ ଟିମ୍‌କୁ ଫେରିଥିଲେ । କିନ୍ତୁ ପ୍ରଥମ ମ୍ୟାଚ୍‌ରେ ସେ ନିଜ ଛାପ ଛାଡ଼ିପାରି ନ ଥିଲେ ।

ରାହୁଲ ପ୍ରଥମ ଇନିଂସ୍‌ରେ ୫୨ ବଲ୍ ଖେଳି ମାତ୍ର ୧୬ ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ଶର୍ମା, ଶୁଭମନ ଗିଲ୍‌, ବିରାଟ କୋହଲିଙ୍କ ଭଳି ବ୍ୟାଟର୍ ସଅଳ ପାଭିଲିଅନ୍ ଫେରିସାରିଥିଲେ, ଏପରି ସ୍ଥଳେ ଇନିଂସ୍ ସମ୍ଭାଳି ଭଲ ସ୍କୋର୍ କରିବା ପାଇଁ ତାଙ୍କ ପାଖରେ ସୁଯୋଗ ଥିଲା । କିନ୍ତୁ ସେ ବିଫଳ ହୋଇଥିଲେ ।

ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଦୁଇ ଅଲ୍‌ରାଉଣ୍ଡର୍ ନିମ୍ନ କ୍ରମରେ ବ୍ୟାଟିଂ କରି ଟିମ୍‌କୁ ସମ୍ଭାଳିଥିଲେ ଏବଂ ଇନିଂସ୍‌କୁ ସଙ୍କଟରୁ ମୁକୁଳାଇ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ; ଅଥଚ ବିଶେଷଜ୍ଞ ବ୍ୟାଟର୍ ହୋଇ ରାହୁଲ ନିରାଶ କରିଥିଲେ ।

ଦ୍ୱିତୀୟ ଇନିଂସ୍‌ରେ ରାହୁଲ ୨୨ ରନ୍ କରି ଅପରାଜିତ ଥିଲେ । ଭାରତ ଇନିଂସ୍ ସମାପ୍ତି ଘୋଷଣା କରିବାରୁ ସେ ଅବଶ୍ୟ ବ୍ୟାଟିଂ କରିବାର ବେଶୀ ସୁଯୋଗ ପାଇ ନ ଥିଲେ । କିନ୍ତୁ ଦ୍ୱିତୀୟ ଇନିଂସ୍‌ରେ ସ୍ଥିତି ପ୍ରଥମ ଇନିଂସ୍ ଭଳି ନ ଥିଲା, ଯେଉଁଥିରେ ଜଣେ ସିନିଅର୍ ବ୍ୟାଟର୍ ଭାବେ ତାଙ୍କୁ ଦାୟିତ୍ୱସମ୍ପନ୍ନ ହୋଇ ଖେଳିବାର ଆବଶ୍ୟକତା ଥିଲା । ଦ୍ୱିତୀୟ ଟେଷ୍ଟରେ ସେ ଗୋଟିଏ ଇନିଂସ୍ ଖେଳି ୬୮ ରନ୍ କରିଥିଲେ ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲଙ୍କ ପ୍ରଦର୍ଶନକୁ ନେଇ ଅଧିକ ଆଲୋଚନା ହେଉଛି । ସେ ପ୍ରଥମ ଇନିଂସ୍‌ରେ ଖାତା ଖୋଲିପାରି ନ ଥିଲେ ଏବଂ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୨ ରନ୍ କରିଥିଲେ । ଭାରତୀୟ ଟିମ୍ ମାତ୍ର ୪୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

ଦ୍ୱିତୀୟ ଇନିଂସ୍‌ରେ ସରଫରାଜ ସର୍ବାଧିକ ୧୫୦ ରନ୍ କରିଥିବା ବେଳେ ରିଷଭ ପନ୍ତ ୯୯, ବିରାଟ କୋହଲି ୭୦ ଓ ଅଧିନାୟକ ରୋହିତ ଶର୍ମା ୫୨ ରନ୍‌ର ଇନିଂସ୍ ଖେଳିଥିଲେ । ଯଦି ରାହୁଲ ୬୦-୭୦ ରନ୍‌ର ଯୋଗଦାନ ଦେଇଥା’ନ୍ତେ, ତା’ହେଲେ ଟାର୍ଗେଟ୍ ବଢ଼ିପାରିଥା’ନ୍ତା । ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାରିଯାଇଥିଲା ।

ରାହୁଲ ଜାନୁଆରୀ ଶେଷ ବେଳକୁ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୮୬ ଓ ୨୨ ରନ୍‌ର ଇନିଂସ୍ ଖେଳିଥିଲେ । କିନ୍ତୁ ଆଘାତ ଯୋଗୁଁ ସେ ପରବର୍ତ୍ତୀ ଚାରି ମ୍ୟାଚ୍‌ରେ ଖେଳିପାରି ନ ଥିଲେ । ତାଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ସରଫରାଜ୍ ଖାନ୍ ଟିମ୍‌ରେ ସୁଯୋଗ ପାଇ ପ୍ରଭାବିତ କରିପାରିଥିଲେ ।

କିନ୍ତୁ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ରାହୁଲଙ୍କୁ ଅଭିଜ୍ଞତା ଆଧାରରେ ସରଫରାଜ୍‌ଙ୍କ ଠାରୁ ପ୍ରାଥମିକତା ଦିଆଯାଇ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶୁଭମନଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ସହ ସରଫରାଜଙ୍କୁ ବି ସୁଯୋଗ ଦିଆଯାଇଥିଲା ।

ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସ୍ଥଳେ ସେ ଯଦି ଭଲ ପ୍ରଦର୍ଶନ ନ କରନ୍ତି, ତା’ହେଲେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ଟିମ୍‌ରେ ସାମିଲ୍ କରାଯାଇ ନ ପାରେ ।

କୌଣସି ଗୋଟିଏ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଯଥେଷ୍ଟ ନୁହେଁ । ପ୍ରଦର୍ଶନରେ ନିରନ୍ତରତା ଆବଶ୍ୟକ । କ୍ରମାଗତ ଦୁର୍ବଳ ପ୍ରଦର୍ଶନ ତାଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଦିନିକିଆରେ ବି ସ୍ଥାନ ସଂରକ୍ଷଣ ଚାଲେଞ୍ଜ୍‌:

ହ୍ୱାଇଟ୍‌-ବଲ୍ କ୍ରିକେଟ୍‌ରେ ରାହୁଲ ଏବେ ଦିନିକିଆ ମଧ୍ୟରେ ସୀମିତ ହୋଇଗଲେଣି । ସେଠାରେ ବି ସ୍ଥାନ ସଂରକ୍ଷଣ ତାଙ୍କ ପାଇଁ ଚାଲେଞ୍ଜ୍ ହେଲାଣି । ଅନ୍ୟପଟେ, ଟି-୨୦ ଆନ୍ତର୍ଜାତିକରେ ପ୍ରତିଭାଶାଳୀ ଯୁବ ଖେଳାଳିଙ୍କ ଗହଳିରେ ତାଙ୍କର ଆଉ ସ୍ଥାନ ନାହିଁ ।

ଦିନିକିଆ ଆନ୍ତର୍ଜାତିକ ଟିମ୍ ପାଇଁ ବି ଯୁବ ବ୍ୟାଟର୍‌ଙ୍କ ଅଭାବ ନାହିଁ, ଯେଉଁମାନେ ଘରୋଇ କ୍ରିକେଟ୍ ଓ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ଏହାଛଡ଼ା ରିଷଭ ପନ୍ତ ବି ପ୍ରତ୍ୟାବର୍ତ୍ତନ କଲେଣି, ଯାହା ଫଳରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଟିମ୍‌ରେ ସାମିଲ ହେବା ରାହୁଲଙ୍କ ପାଇଁ କଷ୍ଟସାଧ୍ୟ ।

ଟି-୨୦ ବିଶ୍ୱକପ୍ ବିଜୟ ପରେ ଭାରତୀୟ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଖେଳିଥିଲା । ଅଗଷ୍ଟ ଆଦ୍ୟଭାଗରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ରାହୁଲ ଟିମ୍‌ରେ ସ୍ଥାନ ପାଇଥିଲେ । ସେ ପ୍ରଥମ ମ୍ୟାଚ୍‌ରେ ୩୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଖାତା ଖୋଲିପାରି ନ ଥିଲେ । ଟିମ୍ ଇଣ୍ଡିଆ ୦-୨ରେ ଏହି ସିରିଜ୍ ହାରିଯାଇଥିଲା ।

୨୦୨୫ ଫେବ୍ରୁଆରୀ-ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହା ପୂର୍ବରୁ ଭାରତୀୟ ଟିମ୍ ଫେବ୍ରୁଆରୀରେ ଇଂଲଣ୍ଡ ବିପକ୍ଷରେ ଘରେ ତିନି ଦିନିକିଆ ମ୍ୟାଚ୍ ଖେଳିବ । ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ରାହୁଲଙ୍କୁ ସେହି ସିରିଜ୍‌ରେ ସୁଯୋଗ ଦିଆଯାଇପାରେ । ତେବେ ପନ୍ତ ପ୍ରତ୍ୟାବର୍ତ୍ତନ କରିସାରିଥିବାରୁ ରାହୁଲ କେବଳ ବ୍ୟାଟର୍ ଭାବେ ଟିମ୍‌ରେ ସ୍ଥାନ ପାଇପାରନ୍ତି ।

ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ସାମିଲ୍ ହେବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ତାଙ୍କ ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ଉପରେ ନିର୍ଭର କରିବ । ଏହାଛଡ଼ା ସେତେବେଳକୁ ସେ ଶତପ୍ରତିଶତ ଫିଟ୍ ଥିବା ବି ଜରୁରୀ । ଏହି ଆଇସିସି ଟୁର୍ଣ୍ଣାମେଣ୍ଟ (ଯଦି ଟିମ୍‌ରେ ସାମିଲ୍ ହୁଅନ୍ତି) ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ ।

ଉଜ୍ଜ୍ୱଳ ନୁହେଁ ଭବିଷ୍ୟତ:

ଭାରତୀୟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନିକଟରେ ରାହୁଲଙ୍କୁ ଏକ ପରାମର୍ଶ ଦେଇଥିଲେ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନ ଶାସ୍ତ୍ରୀ କମେଣ୍ଟ୍ରି କରୁଥିବା ସମୟରେ କହିଥିଲେ ଯେ ରାହୁଲ ନିଜ ସାମର୍ଥ୍ୟକୁ ବୁଝିବା ଆବଶ୍ୟକ । ଯେଉଁ ଦିନ ରାହୁଲ ଏହି ମାନସିକତା ଓ ବିଚାର ସହିତ ବ୍ୟାଟିଂ କରିବାକୁ ଓହ୍ଲାଇବେ, ସେହି ଦିନ ସେ ଜଣେ ଭିନ୍ନ ଖେଳାଳି ହୋଇଯିବେ ।

ଆଜି ରାହୁଲଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି ସତ; ହେଲେ ସେ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌ରେ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ । ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ୮,୦୦୦ରୁ ଅଧିକ ରନ୍ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଟିମ୍‌ରେ ତାଙ୍କର ଆବଶ୍ୟକତା କେତେ, ତାହା ଅଧିକ ଗୁରୁତ୍ୱ ରଖେ ।

ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ । ଏବେ କେବଳ ପ୍ରଦର୍ଶନରେ ନିରନ୍ତରତା ଯଥେଷ୍ଟ ନୁହେଁ, ଫିଟ୍‌ନେସ୍ ବି ବଜାୟ ରଖିବାକୁ ହେବ । ଖୋଦ୍ ରାହୁଲ ଏ କଥା ବୁଝିପାରୁଥିବେ ।

ହୁଏତ ଆଗାମୀ ଦିନରେ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌କୁ ଦୀର୍ଘସ୍ଥାୟୀ କରିବା ପାଇଁ ରାହୁଲ ରେଡ୍ ଓ ହ୍ୱାଇଟ୍‌-ବଲ୍ କ୍ରିକେଟ୍ ମଧ୍ୟରୁ ଗୋଟିଏକୁ ବାଛିପାରନ୍ତି, ଯାହା ଫଳରେ ଆଘାତର ସମ୍ଭାବନା କମ୍ ରହିବ ଏବଂ ପ୍ରଦର୍ଶନର ନିରନ୍ତରତା ଉପରେ ବି ଫୋକସ୍ କରାଯାଇପାରିବ । ତାଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ହେବ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)