ଫୁଟବଲ୍ ମ୍ୟାଚ୍ ବେଳେ ଦଳାଚକଟା; ୧୭୪ ମୃତ

ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ । 

Indonesia football match

ଇଣ୍ଡୋନେସିଆ ଫୁଟବଲ ଟ୍ରାଜେଡ଼ିରେ ମୃତ୍ୟୁ ସଂଖ୍ୟା ୧୭୪ କୁ ବୃଦ୍ଧି । ଆହତ ହୋଇଛନ୍ତି ୧୮୦ରୁ ଅଧିକ ଲୋକ । ଜାଭାର ମଲଙ୍ଗରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ, ପରାଜିତ ଟିମ୍‌ର ପ୍ରଶଂସକ ପଡ଼ିଆ ଭିତରକୁ ପଶିଆସିବାରୁ ପୋଲିସ ଟିୟରଗ୍ୟାସ ଛାଡ଼ିଥିଲା । ଏହାପରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇ ଏତେ ବଡ଼ ଅଘଟଣର ରୂପ ନେଇଛି । ଏହାପରେ ଟୁର୍ଣ୍ଣାମେଣ୍ଟ ବାତିଲ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ।

ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ । ଇଣ୍ଡୋନେସିଆ କ୍ରୀଡ଼ା ଇତିହାସକୁ କଳଙ୍କିତ କଲା ଭଳି ଘଟଣା ଘଟିଛି । ପୂର୍ବ-ଜାଭାର ମଲଙ୍ଗରର ଗତସାରେ କାଞ୍ଜୁରୁହାନ୍ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଆରେମା ଫୁଟବଲ୍ କ୍ଲବ୍ ବନାମ୍ ପର୍ସେବାୟା ସୁରାବାୟା । ଆରେମା ହୋମ୍‌ଟିମ୍ ହୋଇଥିବାରୁ ପାଭିଲିୟନରେ ଜମିଥିଲା ସେହି ଦଳର ପ୍ରଶଂସକଙ୍କ ଖଚାଖଚ୍ ଭିଡ଼ । ହେଲେ ଅପ୍ରତ୍ୟାଶିତ ଭାବେ ୨ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମାତ୍ ଖାଇଲା ଆରେମା । ଆଉ ଏଥିରେ ଭୀଷଣ ଉତ୍‌କ୍ଷିପ୍ତ ହୋଇ ପଡ଼ିଆ ଭିତରକୁ ଚାରିପଟୁ ମାଡ଼ି ଆସିଲେ ଶହ ଶହ ଉତ୍ତେଜିତ ଆରେମା ଫ୍ୟାନ୍ ।

ସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ଜାଭା ପୋଲିସ । ଫଳରେ ଭୟଙ୍କର ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଟିୟର୍ ଗ୍ୟାସ୍‌ରୁ ବର୍ତ୍ତିବାକୁ ଗୋଟିଏମାତ୍ର ଏକ୍‌ଜିଟ୍‌ ଗେଟ୍ ଦେଇ ଶହ ଶହ ଦର୍ଶକ ବାହାରିବାକୁ ଚେଷ୍ଟା କରିବାରୁ, କିଏ ଦଳା ଚକଟାର ଶିକାର ହେଲା, ତ ଆଉ କିଏ ପ୍ରାଣ ଅଣନିଶ୍ୱାସୀ ହୋଇ ହରାଇଲା । ଘଟଣାରେ ୧୨୫ ଜଣଙ୍କ ଜୀବନ ଯାଇଥିବା ବେଳେ, ୧୮୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକ ୫ ବର୍ଷୀୟ ଶିଶୁ ମଧ୍ୟ ରହିଛି । ଉତ୍‌କ୍ଷିପ୍ତ ଦର୍ଶକ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଷ୍ଟାଡିୟମ ବାହାରେ ଥିବା ୧୩ଟି ପୋଲିସ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି ।

 

ବିଶ୍ୱ ଫୁଟବଲ ଇତିହାସରେ ଏହାକୁ ଅନ୍ୟତମ ଘାତକ ଫୁଟବଲ ଟ୍ରାଜେଡି କୁହାଯାଉଥିବା ବେଳେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ । ଏଥିସହ ସୁରକ୍ଷା ବ୍ୟବସ୍ଥା ଉନ୍ନତ ନହେବା ପର୍ଯ୍ୟନ୍ତ ସବୁ ମ୍ୟାଚ୍ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଡୋନେସିଆ ଫୁଟବଲ ସଂଘ ପୀଡ଼ିତଙ୍କ ପରିବାରକୁ କ୍ଷମା ମାଗିଛନ୍ତି । ତେବେ ଏଭଳି ଘଟଣା ପଛରେ ଦର୍ଶକଙ୍କ ଉତ୍ତେଜନା ଏକମାତ୍ର କାରଣ ନୁହେଁ, ଏଥିପାଇଁ ପୋଲିସର ମାତ୍ରାଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଷ୍ଟାଡିୟମ ପରିଚାଳନାରେ ତ୍ରୁଟିକୁ ମଧ୍ୟ ଦାୟୀ କରାଯାଉଛି ।

ଫିଫା ପକ୍ଷରୁ ଫୁଟବଲ ମ୍ୟାଚ୍ ବେଳେ ଟିୟର ଗ୍ୟାସ୍ ବ୍ୟାନ୍ ଥିବା ବେଳେ, ପୋଲିସ ଗତକାଲି ଆବଶ୍ୟକତା ଠାରୁ ଅଧିକ ଟିୟର ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ଏଥିସହ ଷ୍ଟାଡିୟମକୁ ୩୮ ହଜାର ଟିକେଟ୍ ବିକିବାକୁ ଅନୁମତି ମିଳିଥିବା ବେଳେ, ଏହାକୁ ଅମାନ୍ୟ କରି ପ୍ରାୟ ୪୨ହଜାର ଟିକେଟ୍ ବିକ୍ରି ହୋଇଥିବା କୁହାଯାଉଛି ।

ଇଣ୍ଡୋନେସିଆର ଫୁଟବଲ ଇତିହାସରେ ଫ୍ୟାନ୍ ଭାଓଲେନ୍ସ ବା ପ୍ରଶଂସକଙ୍କ ଦ୍ୱାରା ହିଂସାକାଣ୍ଡ କିଛି ନୂଆ କଥା ନୁହେଁ । ମ୍ୟାଚ୍ ବେଳେ ପାଭିଲିୟନରୁ ସମ୍ପାଇ ମାତି ବା ମୃତ୍ୟୁ ପର୍ଯ୍ୟନ୍ତ ବୋଲି ଚିଲ୍ଲାନ୍ତି ଦର୍ଶକ । ୧୯୯୪ରୁ ୨୦୧୯ ଭିତରେ ଏଭଳି ହିଂସାକାଣ୍ଡରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତେଜନା ରୋକିବାକୁ ଇଣ୍ଡୋନେସିଆର ଅଧିକାଂଶ ମ୍ୟାଚ୍‌ରେ କେବଳ ହୋମ୍ ଟିମ୍‌ର ପ୍ରଶଂସକଙ୍କୁ ଷ୍ଟାଡିୟମକୁ ଛଡ଼ାଯାଏ । ଗତକାଲି ମଧ୍ୟ ପର୍ସେବାୟା ସୁରାବାୟା ଫ୍ୟାନ୍‌ଙ୍କୁ ଟିକେଟ୍ ଦିଆଯାଇନଥିଲା । ବ୍ୟାପକ ପୋଲିସ ମୁତୟନ ସହ ସାଞ୍ଜୁଆ ଗାଡ଼ି ମୁତୟନ ରହେ । ଏସବୁ ସତ୍ତ୍ୱେ ଗତସଂଧ୍ୟାର ଅଘଟଣ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ୨୦୨୩ରେ ଇଣ୍ଡୋନେସିଆରେ ଫିଫା ଅଣ୍ଡର୍-ଟ୍ୱେଣ୍ଟି ହେବାକୁ ଥିବା ବେଳେ, ଏହାର ଶୃଙ୍ଖଳିତ ଆୟୋଜନ ଉପରେ ମଧ୍ୟ ପ୍ରଶ୍ନବାଚୀ ଲାଗିଛି ।