Astrospeak
  • Live TV
  • Read In English

IPL 2025 : ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ ଶର୍ମା ?

ଆଇପିଏଲ୍ ୨୦୨୫ରେ ନୂଆ ଫିନିଶର୍ ଭାବେ ଉଭା ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଆଶୁତୋଷ ଶର୍ମା । ଲକ୍ଷ୍ନୌ ବିପକ୍ଷ ଟିମ୍‌ର ପ୍ରଥମ ମ୍ୟାଚ୍‌ରେ ୩୧ ବଲ୍‌ରୁ ଅପରାଜିତ ୬୬ ରନ୍‌ର ମ୍ୟାଚ୍‌-ବିଜୟୀ ଇନିଂସ୍ ଖେଳିଥିଲେ ଏହି ପ୍ରତିଭାଶାଳୀ ବ୍ୟାଟର୍ । ଆଗାମୀ ଦିନରେ ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ?

ଆଶୁତୋଷ ଶର୍ମା
ଆଶୁତୋଷ ଶର୍ମା

ଟି-୨୦ ଆନ୍ତର୍ଜାତିକରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ ଓ ରିଙ୍କୁ ସିଂହ ଭାରତୀୟ ଟିମ୍‌ର ଫିନିଶର୍ ଭୂମିକା ତୁଲାଉଥିବା ବେଳେ ଆଗକୁ ଏହି ତାଲିକା ବଢ଼ିବାର ସମ୍ଭାବନା ରହିଛି । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ରେ ନୂଆ ଫିନିଶର୍ ଭାବେ ଉଭା ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଆଶୁତୋଷ ଶର୍ମା ।

ଚଳିତ ଆଇପିଏଲ୍ ସିଜନ୍‌ରେ ଦିଲ୍ଲୀର ପ୍ରଥମ ମ୍ୟାଚ୍‌ରେ ଆଶୁତୋଷ ବିସ୍ଫୋରକ ଅପରାଜିତ ଇନିଂସ୍ ଖେଳି ଟିମ୍‌କୁ ଜିତାଇଥିଲେ । ଏହାପରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି ଯେ ଆଗାମୀ ଦିନରେ ନୂଆ ଫିନିଶର୍ ଭାବେ ଭାରତୀୟ ଟି-୨୦ ଟିମ୍‌ରେ ସ୍ଥାନ ପାଇବେ କି ଏହି ପ୍ରତିଭାଶାଳୀ ବ୍ୟାଟର୍‌? ଲିଗ୍‌ର ପୂର୍ବ ସିଜନ୍‌ରେ ମଧ୍ୟ ଆଶୁତୋଷ ସୁଯୋଗ ପାଇବା ସ୍ଥଳେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ । ସେତେବେଳେ ସେ ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଖେଳୁଥିଲେ । ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୩ରେ ବି ତାଙ୍କ ଚମକ ଦେଖିବାକୁ ମିଳିଥିଲା ।

ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍‌-ବିଜୟୀ ପ୍ରଦର୍ଶନ

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍‌ରେ ହିଁ ଆଶୁତୋଷ ଶର୍ମା ଚହଳ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ମଧ୍ୟରେ ସିଜନ୍‌ର ଚତୁର୍ଥ ମ୍ୟାଚ୍ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଶୁତୋଷ ଟିମ୍ ପକ୍ଷରୁ ଇମ୍ପାକ୍ଟ ପ୍ଲେୟର୍ ଭାବେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ତାଙ୍କ ଚମକପ୍ରଦ ବ୍ୟାଟିଂ ବଳରେ ଦିଲ୍ଲୀ ୧ ୱିକେଟ୍‌ରେ ରୋମାଞ୍ଚକ ଭାବେ ବିଜୟ ହାସଲ କରିଥିଲା । ଲକ୍ଷ୍ନୌ ୨୦୯ ରନ୍‌ର ବଡ଼ ସ୍କୋର୍‌କୁ ବି ବଞ୍ଚାଇପାରି ନ ଥିଲା । ଆଶୁତୋଷ ୩୧ ବଲ୍‌ରୁ ୬୬ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୫ ଲେଖାଏଁ ଚୌକା ଓ ଛକା ରହିଥିଲା । ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ।

ସେ ବ୍ୟାଟିଂ କରିବାକୁ ଆସିବା ବେଳେ ଟିମ୍‌ର ସ୍କୋର୍ ଥିଲା ୧୧୩/୬ ଏବଂ ବିଜୟ ପାଇଁ ୪୫ ବଲ୍‌ରୁ ଆବଶ୍ୟକ ଥିଲା ୯୭ ରନ୍ । ସେ ବିପରାଜ ନିଗମ (୩୯)ଙ୍କ ସହ ୫୫ (୨୨ ବଲ୍‌ରୁ) ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ ।
ଆଶୁତୋଷଙ୍କ ବ୍ୟାଟିଂରେ ନିର୍ଭୀକତା ଥିଲା । ସେ ନିଜ ଉପରେ ଚାପ ପଡ଼ିବାକୁ ଦେଇ ନ ଥିଲେ । ଶେଷ ୪ ବଲ୍‌ରୁ ୫ ରନ୍ ଆବଶ୍ୟକ ଥିବା ବେଳେ ଶାହବାଜ ଅହମଦଙ୍କ ବଲ୍‌ରେ ସେ ଏକ ଛକା ମାରି ମ୍ୟାଚ୍ ଫିନିଶ୍ କରିଥିଲେ ।    

ସଫଳତା ପଛରେ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି

ରତଲାମ୍ ହେଉଛି ମଧ୍ୟ ପ୍ରଦେଶର ଏକ ଛୋଟ ସହର, ଯେଉଁଠୁ ହାତଗଣତି କ୍ରିକେଟର୍ ଲୋକଲୋଚନକୁ ଆସିଛନ୍ତି । ସେଠାରେ ୧୯୯୮ ସେପ୍ଟେମ୍ବର ୧୫ରେ ଆଶୁତୋଷ ଶର୍ମା ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ କ୍ରିକେଟ୍ କିଟ୍ କିଣିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା ।

ସେ ନିଜ ରାଜ୍ୟର ନମନ ଓଝାଙ୍କ ବଡ଼ ପ୍ରଶଂସକ । ଜଣେ ଭଲ ଖେଳାଳି ହେବାର ଲକ୍ଷ୍ୟ ତାଙ୍କୁ ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍‌ର ଏକାଡେମୀ ପର୍ଯ୍ୟନ୍ତ ନେଇଥିଲା । ସେଠାରେ ସେ କ୍ରିକେଟ୍‌ର କୌଶଳ ଶିଖିଥିଲେ । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସେ ୨୦୧୮ରେ ମଧ୍ୟ ପ୍ରଦେଶ ପକ୍ଷରୁ ଟି-୨୦ କ୍ରିକେଟ୍ ଖେଳିବାର ସୁଯୋଗ ପାଇଥିଲେ ।

ତେବେ ୨୦୨୦ରେ ଚନ୍ଦ୍ରକାନ୍ତ ପଣ୍ଡିତ କୋଚ୍ ହେବା ପରେ ସେ ଟି-୨୦ ଟିମ୍‌ରୁ ବାଦ୍ ପଡ଼ିଥିଲେ । ଏହା ଫଳରେ ସେ ସାମୟିକ ଭାବେ ଅବସାଦଗ୍ରସ୍ତ ହୋଇଥିଲେ, ହେଲେ ହାର୍ ମାନି ନ ଥିଲେ । ସେ ରେଳବାଇ ଟିମ୍ ପକ୍ଷରୁ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।    

ଭାଙ୍ଗିଛନ୍ତି ଯୁବରାଜଙ୍କ ରେକର୍ଡ

ଆଶୁତୋଷ ଏବେ ଘରୋଇ କ୍ରିକେଟ୍‌ରେ ରେଳବାଇ ପକ୍ଷରୁ ଖେଳୁଛନ୍ତି । ଏହି ଟିମ୍ ପକ୍ଷରୁ ଖେଳୁଥିବା ବେଳେ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୩ରେ ସେ ଚର୍ଚ୍ଚାକୁ ଆସିଥିଲେ । ସେ ଅରୁଣାଚଳ ପ୍ରଦେଶ ବିପକ୍ଷ ଏକ ମ୍ୟାଚ୍‌ରେ ମାତ୍ର ୧୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଏହା ଭାରତୀୟ କ୍ରିକେଟ୍ ଇତିହାସର ଦ୍ରୁତତମ ଟି-୨୦ ଅର୍ଦ୍ଧଶତକ ଥିଲା, ଯାହା ଯୁବରାଜ ସିଂହଙ୍କ ୧୨ ବଲ୍‌ରେ ଅର୍ଦ୍ଧଶତକ ରେକର୍ଡକୁ ଭାଙ୍ଗିଥିଲା । ଆଶୁତୋଷ ସେହି ମ୍ୟାଚ୍‌ରେ ୧୨ ବଲ୍‌ରୁ ୫୩ ରନ୍ କରିଥିଲେ, ଯେଉଁଥିରେ ଆଠ ଛକା ଓ ଗୋଟିଏ ଚୌକା ରହିଥିଲା ।

ଆଶୁତୋଷଙ୍କ ଏହି ଇନିଂସ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍‌ମାନଙ୍କ ଧ୍ୟାନ ଆକର୍ଷଣ କରିଥିଲା । ୨୦୨୪ ନିଲାମୀରେ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଆଇପିଏଲ୍‌ରେ ସେ ନିଜ ପଦାର୍ପଣ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୧ (୧୭ ବଲ୍‌ରୁ) ରନ୍‌ର ପ୍ରଭାବଶାଳୀ ଇନିଂସ୍ ଖେଳି ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏହାଛଡ଼ା ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୮ ବଲ୍‌ରୁ ୬୧ ରନ୍‌ର ବିସ୍ଫୋରକ ଇନିଂସ୍ ଖେଳିଥିଲେ ।

ମେଗା ନିଲାମୀରେ ହେଲେ କୋଟିପତି

ଆଇପିଏଲ୍ ୨୦୨୪ରେ ଉତ୍ତମ ପ୍ରଦର୍ଶନ ପରେ ଆଶୁତୋଷଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ସହ ୨୦୨୫ର ମେଗା ନିଲାମୀରେ ସାମିଲ କରାଗଲା । ତେବେ ଆଶ୍ଚର୍ଯ୍ୟର ବିଷୟ, ତାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ନିଲାମଡାକରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ।

ଶେଷରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ତାଙ୍କୁ ୩.୮୦ କୋଟି ଟଙ୍କାରେ କିଣିଥିଲା । ତାଙ୍କର ପୂର୍ବ ନିଲାମ ରାଶି ଠାରୁ ଏହା ୧୯ ଗୁଣ ଅଧିକ ଥିଲା । ଏହା ଦର୍ଶାଇଥିଲା ଯେ ଆଶୁତୋଷ ଏକ ବଡ଼ ନାଁ ହୋଇଗଲେଣି । ଚଳିତ ସିଜନ୍‌ରେ ଦିଲ୍ଲୀର ପ୍ରଥମ ମ୍ୟାଚ୍‌ରେ ହିଁ ସେ ତାଙ୍କ ଚୟନର ଯଥାର୍ଥତା ସାବ୍ୟସ୍ତ କରିଛନ୍ତି । ଆଶୁତୋଷ ଆଇପିଏଲ୍‌ର ସେହି ବଛା ବଛା ଖେଳାଳିଙ୍କ ମଧ୍ୟରେ ଜଣେ, ଯିଏ ଯେକୌଣସି ପରିସ୍ଥିତିରେ ନିଜ ଟିମ୍‌କୁ ଜିତାଇବାର ସାମର୍ଥ୍ୟ ରଖନ୍ତି । ସେ ରିସ୍କ ନେଇ ବଡ଼ ସଟ୍ ଖେଳିବାରେ ବିଶ୍ୱାସ କରନ୍ତି । ଉଭୟ ପେସ୍ ଓ ସ୍ପିନ୍ ବିପକ୍ଷରେ ଖେଳିବା ପାଇଁ ସେ ଅଭ୍ୟସ୍ତ ହୋଇଛନ୍ତି ।  

ତଥାପି ରହିଛି ସମ୍ଭାବନା...

ଆଇପିଏଲ୍‌ରେ ନିଜ ପରିଚୟ ସୃଷ୍ଟି କରିପାରିଥିବା ଆଶୁତୋଷ ଶର୍ମା ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ପ୍ରୟାସ କରିବେ । ଦେଶର ସବୁ ଯୁବ ଖେଳାଳି ଏହି ସ୍ୱପ୍ନ ଦେଖିଥା’ନ୍ତି । ତେବେ ଖୋଦ୍ ଆଶୁତୋଷ ବି ଜାଣନ୍ତି ଯେ ଏହି ସ୍ୱପ୍ନ ସାକାର ହେବା ଏତେ ସହଜ ନୁହେଁ ।
ଦେଶରେ ପ୍ରତିଭାଶାଳୀ ଯୁବ ଖେଳାଳିଙ୍କ ଅଭାବ ନାହିଁ । ସୀମିତ ଓଭର୍ କ୍ରିକେଟ୍‌ରେ ଭାରତ ପାଖରେ ବିଶ୍ୱବିଜୟୀ ଟିମ୍ ରହିଛି । ବିଶେଷକରି ଟି-୨୦ରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅବସର ପରେ ବି ଟିମ୍‌ର ପ୍ରଦର୍ଶନ ପ୍ରଭାବିତ ହୋଇ ନାହିଁ ବରଂ ଅଧିକ ଦମ୍‌ଦାର ହୋଇଛି ।

ଏପରି ସ୍ଥଳେ ହ୍ୱାଇଟ୍ ବଲ୍ ଟିମ୍‌ରେ ସୁଯୋଗ ପାଇବା ୨୬ବର୍ଷୀୟ ଆଶୁତୋଷଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବ । ଯଦି କେବଳ ଟି-୨୦କୁ ବିଚାରକୁ ନିଆଯାଏ, ସେଥିରେ ମଧ୍ୟ ନିଜ ଫିନିଶିଂ ଦକ୍ଷତା ସତ୍ତ୍ୱେ ବର୍ତ୍ତମାନର ଫିନିଶର୍‌ମାନଙ୍କୁ ଅତିକ୍ରମ କରି ଆଗକୁ ଯିବା ତାଙ୍କ ପାଇଁ କଷ୍ଟସାଧ୍ୟ ।
ତେବେ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି । ତାଙ୍କ ଭିତରେ ବଡ଼ ଖେଳାଳି ହେବାର ସାମର୍ଥ୍ୟ ରହିଛି । ଯଦି ସେ ଏଭଳି ଚମକପ୍ରଦ ପ୍ରଦର୍ଶନ ବଜାୟ ରଖନ୍ତି, ତା’ହେଲେ ଭବିଷ୍ୟତରେ ହୁଏତ ନୂଆ ଫିନିଶର୍ ଭାବେ ଭାରତୀୟ ଟି-୨୦ ଟିମ୍‌ରେ ସ୍ଥାନ ପାଇପାରିବେ ।