ଗାଁ ଲୋକେ ଚାନ୍ଦା କରି ଦେଇଥିଲେ ଟଙ୍କା, ଏବେ ଜିତିଲେ ଅଲିମ୍ପିକ୍ସ ଗୋଲ୍ଡ

ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।

Arshad Nadeem

କଠିନ ପରିଶ୍ରମ ଓ ସଂଘର୍ଷ ପରେ ସଫଳତାର ସ୍ୱାଦ ନିଆରା ହୋଇଥାଏ । ଯାହା ପ୍ରମାଣିତ ହୋଇଛି ଜାଭେଲିନ୍ ଥ୍ରୋରେ ନୂଆ ଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କ କ୍ଷେତ୍ରରେ । ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ନୂଆ ଅଲିମ୍ପିକ୍ସ ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।

ଏହା ହେଉଛି ଗତ ତିନି ଦଶନ୍ଧୀରେ ପାକିସ୍ତାନର ପ୍ରଥମ ଅଲିମ୍ପିକ୍ସ ପଦକ । ଶେଷ ଥର ପାଇଁ ୧୯୯୨ ଅଲମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ ।

ତେବେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନଦୀମଙ୍କ ସଫଳତାକୁ ନେଇ ଏବେ ବେଶ୍ ଚର୍ଚ୍ଚା ।  କାରଣ ସଫଳତା ଠାରୁ ଅଧିକ ସଂଘର୍ଷ କରିଛନ୍ତି ଏହି ଯୁବ ଆଥଲେଟ୍ । ଏମିତିକି ସେ ଅଧିକ ଭଲ ପାଉଥିବା ଖେଳ ପାଇଁ ଅଭ୍ୟାସ କରିବାକୁ ମଧ୍ୟ ସଂଘର୍ଷ କରିଛନ୍ତି । ପଞ୍ଜାବର ଏକ ଛୋଟ ଗାଁ ମିଆଁ ଚାନୁ ହେଉଛି ନଦୀମଙ୍କ ଘର । ନଦୀମଙ୍କ ପିତା କହିଛନ୍ତି, ଟ୍ରେନିଂ ଓ ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ଯାତ୍ରା ଖର୍ଚ୍ଚ ଲାଗି ଗ୍ରାମବାସୀ ଚାନ୍ଦା କରି ଅର୍ଥ ଦେଇଛନ୍ତି । ଏହା ପ୍ରମାଣ କରୁଛି ଗ୍ରାମବାସୀଙ୍କ ସମର୍ଥନ କିପରି ନଦୀମଙ୍କ ସହ ରହିଥିଲା ।

ଅଭ୍ୟାସ ପାଇଁ ଜାଭେଲିନ କିଣିବାକୁ ଅସମର୍ଥ ଥିବା ଆଥଲେଟ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ନିଜ ପ୍ରଦର୍ଶନରେ ପ୍ରଭାବିତ କରିଛନ୍ତି । ସ୍ୱର୍ଣ୍ଣ ପଦକର ଯାତ୍ରା ନଦୀମଙ୍କ ପାଇଁ ଏତେ ସହଜ ନଥିଲା । ଆହତ ସମସ୍ୟା ମଧ୍ୟ ତାଙ୍କର ପିଛା ଛାଡୁନଥିଲା । ଟ୍ରେନିଂ ପାଇଁ କୌଣସି ନିର୍ଦ୍ଦିଷ୍ଟ ଗ୍ରାଉଣ୍ଡ ନଥିଲା । ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନରେ ରହିଥିଲେ । ନଦୀମଙ୍କ ଆର୍ଥିକ ସ୍ଥିତି ଏପରି ଥିଲା ଯେ, ଟ୍ରେନିଂ ପାଇଁ ନୂଆ ଜାଭେଲିନ୍ କିଣିବାକୁ ସଂଘର୍ଷ କରିଥିଲେ ଓ ଲୋକଙ୍କୁ ସହଯୋଗ କରିବାକୁ ଅପିଲ୍ କରିଥିଲେ । ସୋସିଆଲ ମିଡିଆରେ ଏହାକୁ ସମର୍ଥନ ମଧ୍ୟ କରିଥିଲେ ନୀରଜ ଚୋପ୍ରା । ଉଭୟ ନୀରଜ ଓ ନଦୀମ ଉଭୟଙ୍କୁ ସବୁ ସମୟରେ ପ୍ରଂଶସା କରିଛନ୍ତି ।  

କ୍ରିକେଟକୁ ଅଧିକ ସମର୍ଥନ ମିଳୁଥିବା ଦେଶ ପାକିସ୍ତାନ କ୍ରୀଡାରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତର ନୀରଜ ଚୋପ୍ରାଙ୍କ ବିପକ୍ଷରେ ବିଜୟ ପାକିସ୍ତାନ କ୍ରୀଡାରେ ନଦୀମଙ୍କ ସ୍ଥାନକୁ ସ୍ୱତନ୍ତ୍ର କରିଛି ।