Advertisment

Sports: ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ସାମିଲ୍ ହୋଇଥିଲା କ୍ରିକେଟ୍‌

ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ୍ ଟି-୨୦ ଫର୍ମାଟ୍‌ କ୍ରୀଡ଼ା ମହାକୁମ୍ଭକୁ ପ୍ରତ୍ୟାବର୍ତ୍ତନ କରିବ। ଅଲିମ୍ପିକ୍ କ୍ରୀଡ଼ାରେ କେବଳ ଥରେ ୧୨୪ ବର୍ଷ ପୂର୍ବେ କ୍ରିକେଟ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ମାତ୍ର ଦୁଇ ଟିମ୍ ଭାଗ ନେଇଥିଲେ ଏବଂ ଆୟୋଜକ ଫ୍ରାନ୍ସକୁ ହରାଇ ଗ୍ରେଟ୍ ବ୍ରିଟେନ୍ ଚାମ୍ପିଅନ୍ ହୋଇଥିଲା।

ଅଦ୍ୟତନ ହୋଇଛି
Cricket was held at the Paris Olympics in 1900; will returns in 2020

Cricket was held at the Paris Olympics in 1900; will returns in 2020

Advertisment

ଲସ୍ ଆଞ୍ଜେଲସ୍ ୨୦୨୮ରେ କ୍ରିକେଟ୍ ଟି-୨୦ ଫର୍ମାଟ୍‌ ଅଲିମ୍ପିକ୍ସକୁ ପ୍ରତ୍ୟାବର୍ତ୍ତନ କରିବ। ଅନେକେ ହୁଏତ ଜାଣି ନ ଥିବେ ଯେ ଅଲିମ୍ପିକ୍ କ୍ରୀଡ଼ାରେ କେବଳ ଥରେ ୧୨୪ ବର୍ଷ ପୂର୍ବେ କ୍ରିକେଟ୍ ପ୍ରତିଯୋଗିତା ହୋଇଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ଗ୍ରେଟ୍ ବ୍ରିଟେନ୍‌ର କ୍ରିକେଟ୍ ଟିମ୍ ଆୟୋଜକ ଫ୍ରାନ୍ସକୁ ହରାଇ ଚାମ୍ପିଅନ୍ ହୋଇଥିଲା।

Advertisment

ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ଯେଉଁ ଦେଶ ପ୍ରଥମକରି ଅଲିମ୍ପିକ୍ସରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିଥିଲା, ସେଠାରେ ଏହି ଖେଳ ଏତେ ବର୍ଷ ପରେ ବି ବିକାଶ ଲାଭ କରିପାରି ନାହିଁ।

ମାତ୍ର ଦୁଇ ଟିମ୍‌, ଗୋଟିଏ ମ୍ୟାଚ୍‌:

୧୯୮୬ରେ ଏଥେନ୍ସ ଠାରେ ଖେଳାଯାଇଥିବା ପ୍ରଥମ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ୍ କରିବା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ପର୍ଯ୍ୟାପ୍ତ ଟିମ୍ ଯୋଗାଡ଼ ହୋଇ ନ ପାରିବାରୁ ଏହାର ସଫଳ ରୂପାୟନ ହୋଇପାରି ନ ଥିଲା। ତେବେ ଏହାର ଚାରି ବର୍ଷ ପରେ କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ୍ ପଦାର୍ପଣ କରିଥିଲା।

Advertisment

ପ୍ୟାରିସ୍ କ୍ରୀଡ଼ାରେ ଚାରି ଟିମ୍ - ଗ୍ରେଟ୍ ବ୍ରିଟେନ୍‌, ଫ୍ରାନ୍ସ, ନେଦରଲାଣ୍ଡ୍‌ସ ଓ ବେଲ୍‌ଜିୟମ୍ କ୍ରିକେଟ୍ ମଇଦାନକୁ ଓହ୍ଲାଇବେ ବୋଲି ସ୍ଥିର ହୋଇଥିଲା। ଟିମ୍‌ଗୁଡ଼ିକ ଏକ ଦୁଇଦିନିଆ ନକ୍‌ଆଉଟ୍ ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥା’ନ୍ତେ। ଅଗଷ୍ଟ ୪-୫ ଓ ୧୧-୧୨ରେ ସେମିଫାଇନାଲ୍ ଏବଂ ୧୯-୨୦ରେ ଫାଇନାଲ୍ ଖେଳାଯିବା ପାଇଁ ଧାର୍ଯ୍ୟ ହୋଇଥିଲା।

କିନ୍ତୁ ନେଦରଲାଣ୍ଡ୍‌ସ ଓ ବେଲ୍‌ଜିୟମ୍ ଡ୍ର’ ପୂର୍ବରୁହିଁ କ୍ରିକେଟ୍ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ଏହାପରେ କେବଳ ଦୁଇ ଟିମ୍ - ଗ୍ରେଟ୍ ବ୍ରିଟେନ୍ ଓ ଆୟୋଜକ ଫ୍ରାନ୍ସ ରହିଯାଇଥିଲେ।

Advertisment

ସେମିଫାଇନାଲ୍ ପର୍ଯ୍ୟାୟକୁ ବାତିଲ୍ କରିଦିଆଯାଇଥିଲା। ସିଧା ଫାଇନାଲ୍ ମ୍ୟାଚ୍ ହୋଇଥିଲା। ଗୋଟିଏ ଟିମ୍‌ରେ ୧୧ ପରିବର୍ତ୍ତେ ୧୨ ଜଣ ଖେଳାଳି ଥିଲେ ଏବଂ ମ୍ୟାଚ୍ ଚାରି ଇନିଂସ୍ ବିଶିଷ୍ଟ ଥିଲା। ଯେହେତୁ ଟିମ୍‌ରେ ଖେଳାଳି ସଂଖ୍ୟା ୧୨ ଥିଲା ଏବଂ ମ୍ୟାଚ୍ ମାତ୍ର ଦୁଇ ଦିନ ଖେଳାଯାଇଥିଲା, ତେଣୁ ଏହାକୁ ପ୍ରଥମ-ଶ୍ରେଣୀ ମ୍ୟାଚ୍‌ର ମର୍ଯ୍ୟାଦା ମିଳିପାରି ନ ଥିଲା।

ଆଶ୍ଚର୍ଯ୍ୟର ବିଷୟ ଯେ ଜାତୀୟ ସ୍ତରରେ ଉଭୟ ଟିମ୍‌ର ଚୟନ ହୋଇ ନ ଥିଲା। ଡେଭନ୍ ଓ ସମର୍‌ସେଟ୍ ୱାଣ୍ଡରର୍ସ କ୍ଲବ୍ ଗ୍ରେଟ୍ ବ୍ରିଟେନ୍‌ର ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ସେମାନେ ଫ୍ରାନ୍ସ ଗସ୍ତରେ ଆସିଥିଲେ। ସେମାନଙ୍କୁ ଅଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା। ଏ ଅବସରରେ ସେମାନେ ‘ଡେଭନ୍ କାଉଣ୍ଟି ୱାଣ୍ଡରର୍ସ’ ନାମରେ ଖେଳିଥିଲେ।

ସେମାନଙ୍କ ବିପକ୍ଷରେ ଯେଉଁ ଫ୍ରାନ୍ସ ଦଳ ଥିଲା, ସେଥିରେ ଅଧିକାଂଶ ଖେଳାଳି ପ୍ୟାରିସ୍‌ରେ ରହୁଥିବା ବ୍ରିଟିଶ୍ ପ୍ରବାସୀ ଥିଲେ। ସେମାନେ ‘ଅଲ୍‌-ପ୍ୟାରିସ୍‌’ ନାମରେ ଖେଳିଥିଲେ।

ମୋଟ୍ ୨୪ ଜଣ ଖେଳାଳିଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ପ୍ରଥମ-ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସେମାନେ ହେଲେ ଗ୍ରେଟ୍ ବ୍ରିଟେନ୍‌ର ଆଲ୍‌ଫ୍ରେଡ୍ ବାଓରମାନ୍ ଓ ମୋଣ୍ଟାଗୁ ଟୋଲର୍।

ସହଜରେ ଜିତିଥିଲା ଗ୍ରେଟ୍ ବ୍ରିଟେନ୍:

ପ୍ୟାରିସ୍‌ର ଭେଲୋଡ୍ରୋମ୍ ଡି’ ଭିନ୍ସେନେସ୍ ଠାରେ ଏହି ମ୍ୟାଚ୍ ଆୟୋଜିତ ହୋଇଥିଲା। ଅଗଷ୍ଟ ୧୯ରେ ଆରମ୍ଭ ହୋଇଥିବା ଫାଇନାଲ୍‌ରେ ଗ୍ରେଟ୍ ବ୍ରିଟେନ୍ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସ୍‌ରେ ୧୧୭ ରନ୍ ସଂଗ୍ରହ କରିଥିଲା। ଜବାବରେ ଫ୍ରାନ୍ସ ୭୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ଏହାପରେ ଗ୍ରେଟ୍ ବ୍ରିଟେନ୍ ୧୪୫/୫ ସ୍କୋର୍‌ରେ ଦ୍ୱିତୀୟ ଇନିଂସ୍ ସମାପ୍ତି ଘୋଷଣା କରି ୧୮୫ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। କିନ୍ତୁ ଫ୍ରାନ୍ସ ଟିମ୍ ମାତ୍ର ୨୬ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା ଏବଂ ଗ୍ରେଟ୍ ବ୍ରିଟେନ୍ ୧୫୮ ରନ୍‌ରେ ବିଜୟ ହାସଲ କରିଥିଲା।

ଦ୍ୱିତୀୟ ତଥା ଶେଷ ଦିନ ଷ୍ଟମ୍ପ୍ସର ପାଞ୍ଚ ମିନିଟ୍ ପୂର୍ବରୁ ମ୍ୟାଚ୍ ସମାପ୍ତ ହୋଇଥିଲା। ମ୍ୟାଚ୍‌ରେ କେବଳ ଦୁଇ ଜଣ ବ୍ୟାଟର୍ - ଗ୍ରେଟ୍ ବ୍ରିଟେନ୍‌ର ଅଧିନାୟକ ଚାର୍ଲ୍ସ ବିଚ୍‌କ୍ରଫ୍ଟ ଓ ଆଲ୍‌ଫ୍ରେଡ୍ ବାଓରମାନ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିପାରିଥିଲେ। ଉଭୟ ଅର୍ଦ୍ଧଶତକ ଦ୍ୱିତୀୟ ଇନିଂସ୍‌ରେ ହୋଇଥିଲା। ବୋଲିଂରେ ଗ୍ରେଟ୍ ବ୍ରିଟେନ୍‌ର ଫ୍ରେଡେରିକ୍ କ୍ରିଷ୍ଟିଆନ୍ ପ୍ରଥମ ଇନିଂସ୍‌ରେ ଓ ମୋଣ୍ଟାଗୁ ଟୋଲର୍ ଦ୍ୱିତୀୟ ଇନିଂସ୍‌ରେ ୭ ଲେଖାଏଁ ୱିକେଟ୍ ନେଇଥିଲେ।

Cricket was held at the Paris Olympics in 1900ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ସାମିଲ୍ ହୋଇଥିଲା କ୍ରିକେଟ୍‌

କୌତୂହଳର ବିଷୟ ଯେ ଚାମ୍ପିଅନ୍ ଟିମ୍‌କୁ ରୌପ୍ୟ ଓ ଫ୍ରାନ୍ସକୁ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା। ଏହା ସହିତ ଉଭୟ ଟିମ୍‌କୁ ଏଫିଲ୍ ଟାୱାର୍‌ର କ୍ଷୁଦ୍ର ପ୍ରତିକୃତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ପଦକ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟରେ ପରିଣତ ହୋଇଥିଲା ଏବଂ ୨୦୧୨ରେ ଏହି କ୍ରିକେଟ୍ ପ୍ରତିଯୋଗିତା ଉପରେ ବିଧିବଦ୍ଧ ଭାବେ ଅଲିମ୍ପିକ୍ ଇଭେଣ୍ଟର ମୋହର ବାଜିଥିଲା।

ଏହାପରେ ଅନ୍ୟ ଦୁଇ ମଲ୍ଟି-ସ୍ପୋର୍ଟ୍ସ ଇଭେଣ୍ଟରେ କ୍ରିକେଟ୍ ପ୍ରତିଯୋଗିତା ଦେଖିବାକୁ ମିଳିଛି। କୁଆଲାଲମ୍ପୁର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୧୯୯୮ରେ ପୁରୁଷ କ୍ରିକେଟ୍ ୫୦-ଓଭର୍ ଫର୍ମାଟ୍‌ରେ ଖେଳାଯାଇଥିବା ବେଳେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଟି-୨୦ ଫର୍ମାଟ୍‌ରେ ମହିଳା କ୍ରିକେଟ୍ ସ୍ଥାନ ପାଇଥିଲା। ଏତଦ୍‌ଭିନ୍ନ, ଏସିଆଡ୍‌ର ତିନି ସଂସ୍କରଣ - ୨୦୧୦, ୨୦୧୪ ଓ ୨୦୨୨ରେ କ୍ରିକେଟ୍ ଉଭୟ ପୁରୁଷ ଓ ମହିଳା ବର୍ଗରେ ଟି-୨୦ ଫର୍ମାଟ୍‌ରେ ଆୟୋଜିତ ହୋଇଥିଲା।

ଅଲିମ୍ପିକ୍ସରେ କ୍ରିକେଟ୍‌କୁ କାହିଁକି ଗୁରୁତ୍ୱ ଦିଆଯାଉ ନ ଥିଲା:

କ୍ରିକେଟ୍‌କୁ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି ସତ, କିନ୍ତୁ ଏହା ଏବେ ବି ବେଶୀ ଦେଶରେ ଲୋକପ୍ରିୟ ନୁହେଁ। ତେବେ ଏହା ଭିନ୍ନ କଥା ଯେ ଭାରତରେ କ୍ରିକେଟ୍ ଏକ ଧର୍ମ ଭଳି। ଆନ୍ତର୍ଜାତିକ ସ୍ତରରେ ମାତ୍ର ୧୨ ଦେଶକୁ ଟେଷ୍ଟ କ୍ରିକେଟ୍ ଖେଳିବାର ମାନ୍ୟତା ମିଳିଛି।

କ୍ରିକେଟ୍‌ର ପ୍ରସାର ଓ ଏହାର ଲୋକପ୍ରିୟତା ବଢ଼ାଇବା ପାଇଁ ଚଳିତ ବର୍ଷ ଜୁନ୍ ମାସରେ ଖେଳାଯାଇଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ୱେଷ୍ଟଇଣ୍ଡିଜ୍ ସହ ଆମେରିକାକୁ ବି ଆୟୋଜନ ଅଧିକାର ମିଳିଥିଲା।

ପ୍ରଶ୍ନ ଉଠୁଛି ଯେ ଯଦି ହାତଗଣତି ଦେଶରେ ଖେଳାଯାଉଥିବା ଅନ୍ୟ ଖେଳକୁ ଅଲିମ୍ପିକ୍ସରେ ସ୍ଥାନ ମିଳିପାରୁଛି, ତା’ହେଲେ କ୍ରିକେଟ୍‌କୁ କାହିଁକି ଗୁରୁତ୍ୱ ଦିଆଯାଉ ନ ଥିଲା?

କିଛି ଲୋକଙ୍କ ମତ ହେଉଛି ଯେ ଅଲିମ୍ପିକ୍ କ୍ରୀଡ଼ାରେ କ୍ରିକେଟ୍ ନ ଥିବା ଭଲ କଥା, କାରଣ ଏହି ସମୟରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ଧ୍ୟାନ କ୍ରିକେଟ୍‌ରୁ ହଟି ଅନ୍ୟ ଖେଳ ଉପରେ କେନ୍ଦ୍ରିତ ହୁଏ। କେତେକାଂଶରେ ବି ଏହା ଠିକ୍।

ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ନିଷ୍ପତ୍ତି ନିଆଯାଇଥିଲା ଯେ ସେଇ ଲୁଇସ୍‌ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ାର ତୃତୀୟ ସଂସ୍କରଣରେ ମଧ୍ୟ କ୍ରିକେଟ୍ ଅନ୍ତର୍ଭୁକ୍ତ ହେବ। କିନ୍ତୁ ପୁଣି ଥରେ ଏଥିରେ ଭାଗ ନେବା ଲାଗି ପର୍ଯ୍ୟାପ୍ତ ଟିମ୍ ମିଳିଲେନି। ଏହି କାରଣରୁ ଏହି କ୍ରୀଡ଼ା ଶୃଙ୍ଖଳାକୁ ସାମିଲ୍ କରିବା ଯୋଜନାକୁ ବାତିଲ୍ କରାଯାଇଥିଲା।

ସେଣ୍ଟ ଲୁଇସ୍ କ୍ରୀଡ଼ା ୧୯୦୪ ଠାରୁ ପ୍ୟାରିସ୍ କ୍ରୀଡ଼ା ୨୦୨୪ ଯାଏଁ କ୍ରିକେଟ୍ ଅଲିମ୍ପିକ୍ସରେ ସ୍ଥାନ ପାଇ ନାହିଁ। ଅବଶ୍ୟ ୨୦୨୮ରେ କ୍ରିକେଟ୍ କ୍ରୀଡ଼ା ମହାକୁମ୍ଭକୁ ପ୍ରତ୍ୟାବର୍ତ୍ତନ କରିବ।

Cricket was held at the Paris Olympics in 1900୧୯୦୪ ଠାରୁ ପ୍ୟାରିସ୍ କ୍ରୀଡ଼ା ୨୦୨୪ ଯାଏଁ କ୍ରିକେଟ୍ ଅଲିମ୍ପିକ୍ସରେ ସ୍ଥାନ ପାଇ ନାହିଁ

ଅଲିମ୍ପିକ୍ କ୍ରୀଡ଼ାରେ ଏତେ ବର୍ଷ ଧରି କ୍ରିକେଟ୍‌କୁ ସାମିଲ କରା ନ ଯିବା ପଛର ବଡ଼ କାରଣ ହେଉଛି ଏହାର ଦୀର୍ଘ ଫର୍ମାଟ୍। ଯେତେବେଳେ ଆଧୁନିକ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଲା, ସେତେବେଳେ କେବଳ ଟେଷ୍ଟ ମ୍ୟାଚ୍‌ର ପ୍ରଚଳନ ଥିଲା। ଏହାର ବହୁ ବର୍ଷ ପରେ ୧୯୭୧ରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଆରମ୍ଭ ହୋଇଥିଲା।

ଅଲିମ୍ପିକ୍ସରେ ପାଞ୍ଚଦିନିଆ ଏପରିକି ଦ୍ୱିତୀୟ ସଂସ୍କରଣ ଭଳି ଦୁଇଦିନିଆ ମ୍ୟାଚ୍ ଆୟୋଜନ ପାଇଁ ବ୍ୟବସ୍ଥା କରିବା ବି କଷ୍ଟସାଧ୍ୟ ଥିଲା। ଅଧିକ ଟିମ୍ ଭାଗ ନେବା ସ୍ଥଳେ ପ୍ରତିଯୋଗିତା ଆହୁରି ଦୀର୍ଘ ହୋଇଯିବାର ସମ୍ଭାବନା ଥିଲା। ଏହି କାରଣରୁ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ୍ କରିବା ପାଇଁ ଆଗ୍ରହ ପ୍ରକାଶ କରାଯାଉ ନ ଥିଲା। କ୍ରିକେଟ୍ ଖେଳୁଥିବା ଜାତୀୟ ଟିମ୍‌ଗୁଡ଼ିକର ସଂଖ୍ୟା ବେଶୀ ନ ଥିବା ମଧ୍ୟ ଅନ୍ୟତମ କାରଣ ଥିଲା।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Olympic Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ