ପାକିସ୍ତାନ ଓ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇ ଠାରେ ଚାମ୍ପିଅନ୍ସ ଟ୍ରଫିର ନବମ ସଂସ୍କରଣ ଆରମ୍ଭ ହୋଇଛି । ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ଦୁଇ ଥର ଚାମ୍ପିଅନ୍ ହୋଇଥିବା ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ ମୁକୁଟ ଜିତିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛି । ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ସତ୍ତ୍ୱେ ବ୍ୟାଟର୍ ଓ ସ୍ପିନର୍ଙ୍କ ଦମ୍ରେ ରୋହିତ ଶର୍ମାଙ୍କ ଟିମ୍ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ୍ ହୋଇଛି ।
ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଆଠ ଟିମ୍କୁ ଦୁଇ ଗ୍ରୁପ୍ରେ ବଣ୍ଟାଯାଇଛି । ଗ୍ରୁପ୍-ଏ’ରେ ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ସହ ଭାରତ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଥିବା ବେଳେ ଗ୍ରୁପ୍-ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ନବାଗତ ଆଫଗାନିସ୍ତାନ ସ୍ଥାନ ପାଇଛି । ଉଭୟ ଗ୍ରୁପ୍ରୁ ପ୍ରଦର୍ଶନ ଭିତ୍ତିରେ ଦୁଇ ଶୀର୍ଷ ଟିମ୍ ମାର୍ଚ୍ଚ ୪ ଓ ୫ରେ ହେବାକୁ ଥିବା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ । ୯ରେ ଫାଇନାଲ୍ ମ୍ୟାଚ୍ ହେବ ।
Also Read
ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଫେବ୍ରୁଆରୀ ୨୦ରେ ବାଂଲାଦେଶକୁ, ୨୩ରେ ପାକିସ୍ତାନକୁ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ । ନିରାପତ୍ତାଜନିତ କାରଣରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପାକିସ୍ତାନକୁ ଟିମ୍ ପଠାଇବା ପାଇଁ ରାଜି ନ ହେବାରୁ ଭାରତର ସମସ୍ତ ମ୍ୟାଚ୍ ଦୁବାଇ ଠାରେ ଆୟୋଜନ କରାଯାଉଛି ।
ଭାରତ ଓ ଅଷ୍ଟ୍ରେଲିଆ ସବୁଠୁ ସଫଳ ଟିମ୍
ଭାରତୀୟ ଟିମ୍ ସର୍ବପ୍ରଥମେ ୨୦୦୨ରେ ଶ୍ରୀଲଙ୍କା ସହ ମିଳିତ ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଫାଇନାଲ୍ ମ୍ୟାଚ୍ର ଉଭୟ ନିର୍ଦ୍ଧାରିତ ଓ ରିଜର୍ଭ ଦିବସରେ ବର୍ଷା ହେବାରୁ ଖେଳ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା । ଶେଷରେ ଭାରତର ଅଧିନାୟକ ସୌରଭ ଗାଙ୍ଗୁଲି ଓ ଶ୍ରୀଲଙ୍କାର ଅଧିନାୟକ ସନତ ଜୟସୂରିୟା ଟ୍ରଫି ସେୟାର୍ କରିଥିଲେ ।
ଏହାପରେ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଦ୍ୱିତୀୟ ଥର ଚାମ୍ପିଅନ୍ସ ଟ୍ରଫି ମୁକୁଟ ହାସଲ କରିଥିଲା । ସେଥର ବି ଫାଇନାଲ୍ ମ୍ୟାଚ୍ରେ ବର୍ଷା ବାଧା ଉପୁଜାଇଥିଲା, ଯାହା ଫଳରେ ଭାରତ-ଇଂଲଣ୍ଡ ମ୍ୟାଚ୍କୁ ୨୦ ଓଭର୍ ବିଶିଷ୍ଟ କରାଯାଇଥିଲା । ଟିମ୍ ଇଣ୍ଡିଆ ୫ ରନ୍ରେ ଇଂଲଣ୍ଡକୁ ହରାଇଥିଲା ।
ଟୁର୍ଣ୍ଣାମେଣ୍ଟ ଇତିହାସରେ ମେନ୍ ଇନ୍ ବ୍ଲୁ ଅଷ୍ଟ୍ରେଲିଆ ସହ ମିଳିତ ଭାବେ ସବୁଠାରୁ ସଫଳ ଟିମ୍ । ଅଷ୍ଟ୍ରେଲିଆ ବି ଦୁଇ ଥର (୨୦୦୬ ଓ ୨୦୦୯) ମୁକୁଟ ଜିତିଛି । ୨୦୧୭ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ପୂର୍ବ ସଂସ୍କରଣରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା । ପାକିସ୍ତାନ ଭଳି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ଥରେ ଲେଖାଏଁ ମୁକୁଟ ଜିତିଛି ।
ଭାରତର ସର୍ବାଧିକ ମ୍ୟାଚ୍ ବିଜୟ
ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ନାମରେ ସର୍ବାଧିକ ମ୍ୟାଚ୍ ବିଜୟ ରେକର୍ଡ ରହିଛି । ୧୯୯୮ରେ ଆୟୋଜିତ ପ୍ରାରମ୍ଭିକ ସଂସ୍କରଣ ଠାରୁ ୨୦୧୭ ମଧ୍ୟରେ ଟିମ୍ ଇଣ୍ଡିଆ ୨୯ରୁ ୧୮ ମ୍ୟାଚ୍ ଜିତିଛି । ଏହି ସମୟରେ ଟିମ୍ ଆଠ ମ୍ୟାଚ୍ ହାରିଥିବା ବେଳେ ଅନ୍ୟ ତିନି ମ୍ୟାଚ୍ର ଫଳାଫଳ ବାହାରିପାରି ନାହିଁ । ଏଥର ଟିମ୍ ନିଜ ରେକର୍ଡର ସମ୍ପ୍ରସାରଣ ଲକ୍ଷ୍ୟରେ ଖେଳିବ ।
ଇଂଲଣ୍ଡ ଟିମ୍ ୨୫ରୁ ୧୪ ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୨୭ରୁ ୧୪ ଓ ୱେଷ୍ଟଇଣ୍ଡିଜ୍ ୨୪ରୁ ୧୩ ମ୍ୟାଚ୍ ଜିତି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି । ଏହି ତାଲିକାରେ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି, ଯିଏ ୨୪ରୁ ୧୨ ମ୍ୟାଚ୍ରେ ବିଜୟ ହାସଲ କରିଛି । ଷଷ୍ଠ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ ସପ୍ତମରେ ଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ୨୪ରୁ ୧୨ ମ୍ୟାଚ୍ ଜିତିଛି ।
କଙ୍ଗାରୁ ଟିମ୍ ଆଠ ମ୍ୟାଚ୍ ହାରିଥିବା ବେଳେ କିୱି ଟିମ୍ ୧୦ ଓ ଦକ୍ଷିଣ ଆଫ୍ରିକୀୟ ଟିମ୍ ୧୧ ମ୍ୟାଚ୍ରେ ପରାଜିତ ହୋଇଛି । ଏହି କାରଣରୁ ଅଷ୍ଟ୍ରେଲିଆ ଏହି ତିନି ଟିମ୍ ମଧ୍ୟରେ ଆଗରେ ଅଛି । ପାକିସ୍ତାନ (୨୩ରୁ ୧୧ ବିଜୟ), ବାଂଲାଦେଶ (୧୨ରୁ ୨) ଓ କେନିଆ (୫ରୁ ୦) ଯଥାକ୍ରମେ ଅଷ୍ଟମରୁ ୧୦ମ ସ୍ଥାନ ମଧ୍ୟରେ ରହିଛି ।
ବୁମ୍ରାଙ୍କ ବିନା ଅଭିଯାନ
ବିଶ୍ୱ କ୍ରିକେଟ୍ରେ ସମ୍ପ୍ରତି ଶ୍ରେଷ୍ଠ ପେସର୍ଙ୍କ ମଧ୍ୟରେ ପରିଗଣିତ ହେଉଥିବା ଯଶପ୍ରୀତ ବୁମ୍ରାଙ୍କ ଚାମ୍ପିଅନ୍ସ ଟ୍ରଫିରେ ଅନୁପସ୍ଥିତି ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ । ତାଙ୍କ ବିନା ଟିମ୍ର ପେସ୍ ବାହିନୀ ଟିକେ ଦୁର୍ବଳ ଜଣାପଡ଼ୁଛି । ବୁମ୍ରା ଏବେ ତାଙ୍କ କ୍ୟାରିଅର୍ର ଶିଖରରେ ଅଛନ୍ତି, ହେଲେ ପିଠିର ନିମ୍ନଭାଗରେ ଯନ୍ତ୍ରଣା ଯୋଗୁଁ ସେ ଶେଷ ମୁହୂର୍ତ୍ତରେ ଚାମ୍ପିଅନ୍ସ ଟ୍ରଫି ଟିମ୍ରୁ ବାଦ୍ ପଡ଼ିଥିଲେ । ଅଷ୍ଟ୍ରେଲିଆ ଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ସମୟରେ ସେ ଆହତ ହୋଇଥିଲେ । ଏହାପରେ ସେ ଘରେ ଇଂଲଣ୍ଡ ବିପକ୍ଷରେ ଆୟୋଜିତ ଟି-୨୦ କି ଦିନିକିଆ ଆନ୍ତର୍ଜାତିକ - କୌଣସି ସିରିଜ୍ରେ ଖେଳିପାରି ନ ଥିଲେ ।
୨୦୨୪ରେ ବୁମ୍ରା ଭାରତର ଟି-୨୦ ବିଶ୍ୱକପ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିଲେ । ସବୁ ଫର୍ମାଟ୍ ପାଇଁ ତାଙ୍କର ଆବଶ୍ୟକତା ରହିଛି । ବୁମ୍ରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମୀଙ୍କ ଉପରେ ପେସ୍ ଆକ୍ରମଣର ନେତୃତ୍ୱ ଦାୟିତ୍ୱ ରହିବ । ଆଘାତରୁ ସୁସ୍ଥ ହୋଇ ସେ ଦୀର୍ଘ ଦିନ ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, କିନ୍ତୁ ସେ ତାଙ୍କ ଶ୍ରେଷ୍ଠ ଫର୍ମରେ ନାହାନ୍ତି । ଶାମୀଙ୍କୁ ସହଯୋଗ କରିବା ପାଇଁ ଚୟନ କମିଟି ଦୁଇ ଯୁବ ଖେଳାଳି - ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଉପରେ ଭରସାବ୍ୟକ୍ତ କରିଛି । ଏହାଛଡ଼ା ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ରେ ଅଛନ୍ତି ।
ଅର୍ଶଦୀପ ଓ ହର୍ଷିତ ନିଜ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିପାରିଛନ୍ତି, ହେଲେ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ମଞ୍ଚରେ ସେମାନେ କିଭଳି ପ୍ରଦର୍ଶନ କରିବେ, ତାହା ଏକ ବଡ଼ ପ୍ରଶ୍ନ । ମହମ୍ମଦ ସିରାଜଙ୍କ ଠାରୁ ହର୍ଷିତଙ୍କୁ ଅଗ୍ରାଧିକାର ଦିଆଯିବା ନେଇ ପ୍ରଶ୍ନ ବି ଉଠିଥିଲା ।
ଅନ୍ୟପଟେ, ୧୫-ଜଣିଆ ଟିମ୍ରେ ପାଞ୍ଚ ସ୍ପିନର୍ ଅଛନ୍ତି । ସେଥିମଧ୍ୟରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ବିଶେଷଜ୍ଞ ସ୍ପିନର୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ଅଲ୍ରାଉଣ୍ଡର୍ ।
ପୂର୍ବତନ ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଟିମ୍ରେ ପାଞ୍ଚ ସ୍ପିନର୍ଙ୍କୁ ରଖାଯିବା ରଣକୌଶଳକୁ ନେଇ ପ୍ରଶ୍ନ ଉଠାଇଥିଲେ । ତାଙ୍କ ବିଚାରରେ ଦୁବାଇ ପିଚ୍ ସେତେ ସ୍ପିନ୍-ଅନୁକୂଳ ହେବ ନାହିଁ ।
ମଜଭୁତ ବ୍ୟାଟିଂ ଲାଇନ୍-ଅପ୍
ଟିମ୍ ଇଣ୍ଡିଆ ଏକ ମଜଭୁତ ବ୍ୟାଟିଂ ଲାଇନ୍-ଅପ୍ ସହ ଦୁବାଇ ଯାଇଛି । ଏଥିରେ ଅଭିଜ୍ଞ ଓ ଯୁବ ବ୍ୟାଟର୍ଙ୍କ ଏକ ଉତ୍ତମ ମିଶ୍ରଣ ରହିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜରିଆରେ ଦୁଇ ସିନିଅର୍ ବ୍ୟାଟର୍ - ରୋହିତ ଓ ବିରାଟ କୋହଲି ଫର୍ମ ହାସଲ କରିଥିଲେ । ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଉଭୟଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରିବ । ଓପନର୍ ଶୁବମନ ଗିଲ୍ ଓ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର ମଧ୍ୟ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଶୁବମନ ଓ ଶ୍ରେୟସ ଦମ୍ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅକ୍ଷର ପଟେଲ୍ ମଧ୍ୟ ପ୍ରଭାବିତ କରିଥିଲେ ।
ୱିକେଟ୍କିପର୍-ବ୍ୟାଟର୍ ଭାବେ ଲୋକେଶ ରାହୁଲଙ୍କୁ ରିଷଭ ପନ୍ତଙ୍କ ଠାରୁ ଅଗ୍ରାଧିକାର ଦିଆଯାଇପାରେ । ତେବେ ରାହୁଲଙ୍କ ବିଫଳତା ସ୍ଥଳେ ପନ୍ତ ସୁଯୋଗ ପାଇବେ । ଚୂଡ଼ାନ୍ତ ଏକାଦଶରେ ବିଶେଷଜ୍ଞ ବ୍ୟାଟର୍ଙ୍କୁ ଛାଡ଼ିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଅଲ୍ରାଉଣ୍ଡର୍ଙ୍କ ଉପସ୍ଥିତି ବ୍ୟାଟିଂ ଲାଇନ୍-ଅପ୍କୁ ସଶକ୍ତ କରିଛି ।
ଦୁବାଇ ପିଚ୍ ଯଦି ଧିମା ହେବ, ତା’ହେଲେ ଅଧିକ ସ୍ପିନର୍ଙ୍କୁ ଖେଳାଇବା ରଣକୌଶଳ କାମରେ ଆସିବ । କୁଲଦୀପ ଓ ବରୁଣ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି । ନିକଟରେ ଶେଷ ହୋଇଥିବା ଆଇଏଲ୍ଟି-୨୦ର ମ୍ୟାଚ୍ ଆୟୋଜନ ହୋଇଥିବା ଯୋଗୁଁ ଦୁବାଇ ପିଚ୍ ଧିମା ହେବାର ପୂରା ସମ୍ଭାବନା ଅଛି ।
ଦୁବାଇ ପିଚ୍ରେ ସାଧାରଣତଃ ଘାସ ଅଧିକ ଥାଏ । ଯଦି ପିଚ୍ ପାରମ୍ପରିକ ରହିବ, ତା’ହେଲେ ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ବଢ଼ିପାରେ । ଟିମ୍ର ପେସ୍ ଆକ୍ରମଣ ସେତେ ମଜଭୁତ ନ ଥିବାରୁ ବ୍ୟାଟର୍ଙ୍କ ଉପରେ ଅଧିକ ଚାପ ପଡ଼ିପାରେ ।
କେବଳ ଅଧିନାୟକ ରୋହିତ ନୁହନ୍ତି, ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଏକ ଅଗ୍ନିପରୀକ୍ଷା ହେବ । ଘରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର୍ ସିରିଜ୍ ବିଜୟ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭଲ ‘ରିହର୍ସଲ’ ହୋଇଛି । କିନ୍ତୁ ବିଶ୍ୱ ମାନ୍ୟତାର ଶୀର୍ଷ ଟିମ୍ର ପଥ ସେତେ ସୁଗମ ନୁହେଁ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ମଧ୍ୟ ମୁକୁଟର ଅନ୍ୟତମ ଦାବିଦାର ।
ରୋହିତଙ୍କ ପାଇଁ ଏହା ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଇପାରେ । ଅନ୍ୟପଟେ, କୋଚ୍ ଭାବେ ଗମ୍ଭୀରଙ୍କ ପାଇଁ ଏହା ପ୍ରଥମ ଆଇସିସି ଚାଲେଞ୍ଜ୍ । ଭାରତ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ଉଭୟ ରୋହିତ ଓ ଗମ୍ଭୀରଙ୍କ ପାଇଁ ଚାମ୍ପିଅନ୍ସ ଟ୍ରଫି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏଥିରେ ସେମାନେ ଟିମ୍ ପାଇଁ ମୁକୁଟ ଜିତାଇ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଯେ ଉଜ୍ଜ୍ୱଳ, ତାହା ପ୍ରମାଣିତ କରିବାକୁ ଚାହିଁବେ ।