ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ତୃତୀୟ ଟେଷ୍ଟ ଶେଷ ସୁଦ୍ଧା ୧-୧ ବରାବର ସ୍ଥିତିରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି)ରେ ସିଧାସଳଖ ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ଟିମ୍ ଇଣ୍ଡିଆକୁ ସିରିଜ୍ର ଅବଶିଷ୍ଟ ଦୁଇ ମ୍ୟାଚ୍ ଜିତିବାକୁ ହେବ । ତେଣୁ କେବଳ ସିରିଜ୍ ବିଜୟ ଯଥେଷ୍ଟ ନୁହେଁ, ୩-୧ରେ ଜିତିବା ଆବଶ୍ୟକ ।
ଏ ଯାବତ ଏହି ସିରିଜ୍ ଭାରତ ପାଇଁ ଚାଲେଞ୍ଜ୍ପୂର୍ଣ୍ଣ ରହିଆସିଛି । ତେବେ ଉପ-ଅଧିନାୟକ ତଥା ପେସ୍ ବାହିନୀର ମୁଖ୍ୟ ଯଶପ୍ରୀତ ବୁମ୍ରା ନିଜର ଦମ୍ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ।
Also Read
ସେ ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କ ପାଇଁ ଆତଙ୍କ ସାଜିଛନ୍ତି । ମେଲ୍ବର୍ଣ୍ଣ ଓ ସିଡ୍ନୀ ଠାରେ ମଧ୍ୟ ଟିମ୍ ତାଙ୍କ ଠାରୁ ଅନୁରୂପ ପ୍ରଭାବଶାଳୀ ପ୍ରଦର୍ଶନ ଆଶା କରିବ ।
ଯଦି କୌଣସି କାରଣରୁ ଏହି ତାରକା ପେସର୍ ସିରିଜ୍ରେ ଖେଳୁ ନ ଥା’ନ୍ତେ, ତା’ହେଲେ ଆଜି ଟିମ୍ର ଅବସ୍ଥା କ’ଣ ହୋଇଥା’ନ୍ତା? ଅନ୍ୟତମ ଅଭିଜ୍ଞ ପେସର୍ ମହମ୍ମଦ ଶାମୀ ବି ଟିମ୍ରେ ନାହାନ୍ତି ।
ତିନି ଟେଷ୍ଟରେ ୨୧ ୱିକେଟ୍ ହାସଲ
ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଏ ଯାବତ ଖେଳାଯାଇଥିବା ତିନି ମ୍ୟାଚ୍ରେ ସର୍ବାଧିକ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ପରିସଂଖ୍ୟାନ ତାଙ୍କ ଘାତକ ବୋଲିଂ ପ୍ରଦର୍ଶନର ପ୍ରମାଣ ଦେଉଛି ।
ଏହା ସହିତ ବୁମ୍ରା ଅଷ୍ଟ୍ରେଲିଆରେ ଭାରତର ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ହୋଇପାରିଛନ୍ତି । ସେ ତୃତୀୟ ଟେଷ୍ଟ ସମୟରେ ପୂର୍ବତନ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ କପିଳ ଦେବଙ୍କ ୫୧ ୱିକେଟ୍ ରେକର୍ଡ ଭାଙ୍ଗିଥିଲେ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ କ୍ଲିନ୍ ସୁଇପ୍ର ଶିକାର ହେବା ପରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଆସିଛି । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ଖେଳିପାରି ନ ଥିଲେ । ଏପରି ସ୍ଥଳେ ପର୍ଥର ବାଉନ୍ସିଂ ୱିକେଟ୍ରେ ବୁମ୍ରା ଟିମ୍ର ନେତୃତ୍ୱ ନେଇଥିଲେ ।
ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୨୯୫ ରନ୍ର ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଥିଲା । ବୁମ୍ରା କେବଳ ସଫଳ ନେତୃତ୍ୱ ନେଇ ନ ଥିଲେ, ୮ ୱିକେଟ୍ ନେଇ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ମଧ୍ୟ ବିବେଚିତ ହୋଇଥିଲେ ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ରେ ସେ ମାତ୍ର ୩୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ, ଯେଉଁଥିରେ ତାଙ୍କ ଇକନମୀ ରେଟ୍ ଥିଲା ୧.୬୭ । ଦ୍ୱିତୀୟ ଇନିଂସ୍ରେ ସେ ୩ ୱିକେଟ୍ ପାଇଥିଲେ ।
ଆଡିଲେଡ୍ ଠାରେ ଖେଳାଯାଇଥିବା ଦ୍ୱିତୀୟ (ପିଙ୍କ୍ ବଲ୍) ଟେଷ୍ଟରେ ସେ ପ୍ରଥମ ଇନିଂସ୍ରେ ୪ ୱିକେଟ୍ ନେଇଥିଲେ । କିନ୍ତୁ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗ୍ୁଁ ଟିମ୍ ଏହି ମ୍ୟାଚ୍ ହାରିଯାଇଥିଲା ।
ଏହାପରେ ଗାବା ଠାରେ ହୋଇଥିବା ବର୍ଷା-ବାଧାପ୍ରାପ୍ତ ତୃତୀୟ ଟେଷ୍ଟ ଡ୍ର’ ରହିଥିଲା । ଏଥିରେ ବି ବୁମ୍ରା ଟିମ୍ ପକ୍ଷରୁ ଉଜ୍ଜ୍ୱଳ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଇନିଂସ୍ରେ ୬ ଓ ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ନେଇଥିଲେ ।
ଏହାଛଡ଼ା ଟିମ୍କୁ ଫଲୋଅନ୍ରୁ ବଞ୍ଚାଇବାରେ ମଧ୍ୟ ତାଙ୍କର ଭୂମିକା ଥିଲା । ସେ ଆକାଶ ଦୀପଙ୍କ ସହ ୧୦ତମ ୱିକେଟ୍ ପାଇଁ ୪୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ଆକାଶ ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ବୁମ୍ରା ୧୦ ରନ୍ କରି ଅପରାଜିତ ଥିଲେ ।
ମେଲ୍ବର୍ଣ୍ଣରେ ରେକର୍ଡ ଭାଙ୍ଗିବାର ସୁଯୋଗ
ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖିଥିବା ବୁମ୍ରା ମେଲ୍ବର୍ଣ୍ଣ ଟେଷ୍ଟରେ ଏକ ରେକର୍ଡ ଭାଙ୍ଗିପାରନ୍ତି । ସେ ଚତୁର୍ଥ ମ୍ୟାଚ୍ରେ ମାତ୍ର ଗୋଟିଏ ୱିକେଟ୍ ନେଲେ, ମେଲ୍ବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ହୋଇପାରିବେ ।
ମେଲ୍ବର୍ଣ୍ଣରେ ସେ ଏ ଯାବତ ଟେଷ୍ଟରେ ୧୫ ୱିକେଟ୍ ଅକ୍ତିଆର କରିଛନ୍ତି । ପୂର୍ବତନ ଲେଗ୍ ସ୍ପିନର୍ ଅନିଲ କୁମ୍ବଲେ ମଧ୍ୟ ଏହି ଭେନ୍ୟୁରେ ୧୫ (ଛଅ ଇନିଂସ୍ରେ) ୱିକେଟ୍ ନେଇଛନ୍ତି ।
ଏହି ତାଲିକାରେ ଥିବା ପୂର୍ବତନ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ କପିଳ ଓ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ୧୪ ଲେଖାଏଁ ୱିକେଟ୍ ନେଇଥିବା ବେଳେ ପେସର୍ ଉମେଶ ଯାଦବ ୧୩ ୱିକେଟ୍ ପାଇଛନ୍ତି ।
ପରବର୍ତ୍ତୀ ଟେଷ୍ଟ ଅଧିନାୟକ ଦୌଡ଼ରେ ବି ଆଗରେ
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ୍ ବର୍ଡର ପେସର୍ ବୁମ୍ରାଙ୍କ ବିରଳ ବୋଲିଂ ଶୈଳୀ ଓ ପର୍ଥରେ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି । ବର୍ଡରଙ୍କ କହିବାନୁଯାୟୀ ବୁମ୍ରା ପର୍ଥରେ ଅଧିନାୟକ ଭାବେ ଖୁବ୍ ସୁନ୍ଦର ଭୂମିକା ତୁଲାଇଛନ୍ତି । ସେ ଯେଭଳି ପଡ଼ିଆ ସଜେଇଥିଲେ, ତାଙ୍କୁ କେହି ଦୋଷ ଦେଇପାରିବେନି ।
ରୋହିତ ଶର୍ମାଙ୍କ ପରେ ଭାରତର ଟେଷ୍ଟ ଅଧିନାୟକ ଦୌଡ଼ରେ ବୁମ୍ରା, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ ପ୍ରମୁଖ ରହିଛନ୍ତି । ପର୍ଥରେ ବୁମ୍ରା ନିଜ ନେତୃତ୍ୱ-ଦକ୍ଷତା ସାବ୍ୟସ୍ତ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି ତାଙ୍କୁ ଟିମ୍ର ଉପ-ଅଧିନାୟକ କରାଯାଇଛି ।
ଗୋଟିଏ-ଦୁଇଟି ମ୍ୟାଚ୍ ପାଇଁ ଠିକ୍ ଅଛି, କିନ୍ତୁ ସବୁବେଳେ ଦ୍ୱୈତ ଭୂମିକା (ଅଧିନାୟକତ୍ୱ ଓ ବୋଲିଂ) ତୁଲାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଏହାଦ୍ୱାରା ତାଙ୍କ ବୋଲିଂ ପ୍ରଦର୍ଶନ ବି ପ୍ରଭାବିତ ହୋଇପାରେ ।
ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟରେ ଅଧିନାୟକ ରୋହିତଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ, କାରଣ ସେ ଆଶାଜନକ ବ୍ୟାଟିଂ ପ୍ରଦର୍ଶନ କରିପାରୁ ନାହାନ୍ତି । ଟିମ୍ର ସାମଗ୍ରିକ ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡ଼ୁଛି । ଶୀର୍ଷକ୍ରମ ଓ ମଧ୍ୟକ୍ରମ - ଉଭୟ ସ୍ଥାନରେ ସେ ବିଫଳ ହେଉଛନ୍ତି ।
ଯଦି ଭାରତୀୟ ଟିମ୍ କୌଣସିମତେ ଡବ୍ଲ୍ୟୁଟିସି ଫାଇନାଲ୍ରେ ସ୍ଥାନ ପାଇବାରେ ବିଫଳ ହୁଏ, ତା’ହେଲେ ରୋହିତ ଅଧିନାୟକତ୍ୱ ହରାଇପାରନ୍ତି । ଅନ୍ୟଥା ସେ ଅଧିନାୟକତ୍ୱ ଛାଡ଼ିପାରନ୍ତି । ଏପରିକି ଟେଷ୍ଟ କ୍ରିକେଟ୍ରୁ ବି ଦୂରେଇ ଯାଇପାରନ୍ତି । ଏପରି ସ୍ଥଳେ ନୂଆ ଡବ୍ଲ୍ୟୁଟିସି ଚକ୍ରରେ ଟିମ୍କୁ ନୂଆ ଅଧିନାୟକ ମିଳିପାରେ ।
ଭାରତ ଶେଷ ଦୁଇ ଟେଷ୍ଟ ଜିତିବା ଜରୁରୀ
ଏବେ ଡବ୍ଲ୍ୟୁଟିସି ଟେବୁଲ୍ରେ ଭାରତ ୫୫.୮୮ ପଏଣ୍ଟ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ଟିମ୍ ୧୭ ମ୍ୟାଚ୍ ଖେଳି ନଅ ବିଜୟ, ଛଅ ପରାଜୟ ଓ ଦୁଇ ଡ୍ର’ ସହ ୧୧୪ ପଏଣ୍ଟ ପାଇଛି । ଦକ୍ଷିଣ ଆଫ୍ରିକା (୬୩.୩୩ ପଏଣ୍ଟ ପ୍ରତିଶତ) ପ୍ରଥମ ଓ ଅଷ୍ଟ୍ରେଲିଆ (୫୮.୮୯) ଦ୍ୱିତୀୟ ସ୍ଥାନରେ ରହିଛି ।
ସିଧାସଳଖ ଫାଇନାଲ୍ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆ ଚଳିତ ଟେଷ୍ଟ ଚକ୍ରରେ ଅଷ୍ଟ୍ରେଲିଆ ଗସ୍ତରେ ହେବାକୁ ଥିବା ନିଜର ଶେଷ ଦୁଇ ମ୍ୟାଚ୍ ଜିତିବା ଜରୁରୀ ।
ଅନ୍ୟପଟେ, ଅଷ୍ଟ୍ରେଲିଆ ତା’ର ଅବଶିଷ୍ଟ ଚାରି ଟେଷ୍ଟ ମଧ୍ୟରୁ ତିନି ମ୍ୟାଚ୍ ଜିତିଲେ ଟପ୍-୨ ମଧ୍ୟରେ ରହିପାରିବ । କଙ୍ଗାରୁ ଟିମ୍ ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ସେହିପରି ଦକ୍ଷିଣ ଆଫ୍ରିକୀୟ ଟିମ୍ ପାକିସ୍ତାନ ବିପକ୍ଷରେ ନିଜର ଶେଷ ଦୁଇ ଟେଷ୍ଟ ମଧ୍ୟରୁ ଅନ୍ତତଃ ଗୋଟିଏ ମ୍ୟାଚ୍ ଜିତିବା ଆବଶ୍ୟକ ।
ଭାରତୀୟ ଟିମ୍ ୩-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ, ୬୦.୫୩ ପଏଣ୍ଟ ପ୍ରତିଶତ ସହ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ଭାରତ ୨-୧ରେ ସିରିଜ୍ ଜିତେ ଅଥବା ସିରିଜ୍ ୨-୨ରେ ବରାବର ରହେ, ତା’ହେଲେ ଟିମ୍କୁ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା-ପାକିସ୍ତାନ ସିରିଜ୍ର ଫଳାଫଳକୁ ଅପେକ୍ଷା କରିବାକୁ ହେବ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)