ଏଣିକି ବାରବାଟୀରେ ଲଣ୍ଡନ୍‌ ସୁବିଧା ପାଇବେ ଦର୍ଶକ; ବର୍ଷାରେ ବି ଓଦା ହେବନି ଷ୍ଟାଡିଅମ ପଡିଆ

ଏଣିକି ବାରବାଟୀରେ ଲଣ୍ଡନ ଷ୍ଟାଡିଅମ ପରି ସୁବିଧା ପାଇବେ ଦର୍ଶକ ।

ଏଣିକି ବର୍ଷାରେ ବି ଓଦା ହେବନି ବାରବାଟୀ ପଡିଆ

ଖେଳ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡିଆ । ବର୍ଷାରୁ ରକ୍ଷା ପାଇଁ ପଡିଆକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ଦିଆଯିବ । ଏଥିପାଇଁ ବିଦେଶରୁ ବାରବାଟୀ ଷ୍ଟାଡିୟମକୁ ଆସିବ ହୋଭର୍ କଭର୍ ।

ଏହି କଭର୍ ଜରିଆରେ ପିଚ୍ ସହ ସମ୍ପୂର୍ଣ୍ଣ ଆଉଟ୍‌ଫିଲ୍ଡକୁ ଘୋଡାଇ ଦିଆଯାଇଥାଏ । ଇଡେନ ଗାର୍ଡେନରେ ଏହି ବ୍ୟବସ୍ଥା ଅଛି। ବାରବାଟୀ ପାଇଁ ଲଣ୍ଡନରୁ ଏଭଳି କଭରକୁ ମଗାଯାଇଛି । ତେଣୁ ବର୍ଷା ଆଶଙ୍କା ଥିଲେ ବି ପଡିଆ ଓଦା ହେବନି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀରେ ଗୋଟିଏ ସୁପରସପର୍ ଅଛି । ତଥାପି ଅଷ୍ଟ୍ରେଲିଆରୁ ଆଉ ଗୋଟିଏ ସୁପରସପର୍ ମଗାଯାଇଛି ବୋଲି କହିଛନ୍ତି ସଞ୍ଜୟ । ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ସାଉଥ୍ ଆଫ୍ରିକା ଟିଟ୍ୱେଣ୍ଟି ମ୍ୟାଚ୍‌ରେ ଶତ ପ୍ରତିଶତ ଦର୍ଶକ ବସିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି । ଯାହା ପରେ ଏବେ ଫ୍ୟାନମାନଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି ।

ଆସନ୍ତା ୧ ତାରିଖରୁ ଅନ୍‌ଲାଇନରେ ଭାରତ-ସାଉଥ୍ ଆଫ୍ରିକା ଟିଟ୍ୱେଣ୍ଟି ମ୍ୟାଚ୍‌ର ଟିକେଟ୍ ବିକ୍ରି ଆରମ୍ଭ ହେବ । ଆଉ ଜୁନ୍ ୯ ଓ ୧୦ରେ ଅଫଲାଇନ୍ ଟିକେଟ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।