ବନ୍ଦେ ମାତରମ୍ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ । ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ୍ ଇଣ୍ତିଆ । କ୍ରିକେଟ୍ ଫିଲ୍ଡ ହେଉ ବା ହକି, ଯେତେବେଳେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ସାମ୍ନାସାମ୍ନି ହୁଅନ୍ତି । ସେତେବେଳେ ଏକ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳେ । ମ୍ୟାଚ୍ ଭାରତ-ପାକିସ୍ତାନ ମଧ୍ୟରେ ଥିଲେ, ଉଭୟ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ । ଗ୍ୟାଲେରୀ ଆପେ ଆପେ ଭର୍ତ୍ତି ହୋଇଯାଏ । ମ୍ୟାଚ୍ ଜିତିବା ପାଇଁ ଦର୍ଶକଙ୍କ ସମର୍ଥନ ବେଶ୍ ସହାୟକ ହୁଏ ।
ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍ ମ୍ୟାଚ୍ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଗ୍ୟାଲେରୀରୁ ଜାତୀୟ ସଙ୍ଗୀତ ଗାଇଥାନ୍ତି ଦର୍ଶକ । ଏଭଳି ଦୃଶ୍ୟ ବହୁବାର ଦେଖିବାକୁ ମିଳିଛି । ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଦାୟ ରାସ୍ତା ଦେଖାଇଛି ଭାରତ । ଶେଷ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ।
ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦର୍ଶକ ଗ୍ୟାଲେରୀରୁ ‘ବନ୍ଦେ ମାତରମ୍’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ଆଉ ଏକ ଆକର୍ଷଣ ପାଲଟିଲା ଆଲୋକ ସାଜସଜ୍ଜା । ବନ୍ଦେ ମାତରମ୍ ଗୀତ ସାଙ୍ଗକୁ ଚିକିମିକି ଆଲୁଅ ଷ୍ଟାଡିୟମକୁ ରଙ୍ଗୀନ କରିଥିଲା।
Also Read
ଭାରତ-ପାକିସ୍ତାନ ମ୍ୟାଚ୍ରେ ଘରୋଇ ଦର୍ଶକଙ୍କ ସମର୍ଥନ ମ୍ୟାଚ୍ ଜିତିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ୧୩ ପଏଣ୍ଟ ପାଇ ଟେବୁଲ ଟପ୍ ସହ ସେମିରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ(୧୫ ଓ ୨୩ ମିନିଟ) ସ୍କୋର କରିଥିବା ବେଳେ ଯୁଗରାଜ ସିଂ(୩୬ ମିନିଟ ) ଓ ଆକାଶଦୀପ ସିଂହ(୫୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି ।
ପାକିସ୍ତାନ ଏହି ମ୍ୟାଚ୍ରେ ଗୋଲ ଦେବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ହେଁ ଭାରତୀୟ ଡିଫେଣ୍ଡରଙ୍କ ଆଗରେ ଦଳର କୌଣସି ରଣନୀତି କାମ କରିନଥିଲା । ଭାରତକୁ ସପୋର୍ଟ କରିବା ପାଇଁ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମ୍ୟାଚ୍ ଦେଖିବାକୁ ଆସିଥିଲେ । ଘରୋଇ ଦର୍ଶକଙ୍କୁ ଭାରତୀୟ ଟିମର ଖେଳ ମଧ୍ୟ ଅଧିକ ଉତ୍ସାହିତ କରିଥିଲା।
ଭାରତ ଏବେ ସେମିରେ ଜାପାନକୁ ଭେଟିବ। ପ୍ରଥମ ସେମିରେ ମାଲେସିୟାର ମୁକାବିଲା କୋରିଆ ସହ ହେବ। ପାକିସ୍ତାନ ୫ମ ସ୍ଥାନ ପାଇଁ ଚାଇନା ସହ ଖେଳିବ।