ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର 

ପ୍ୟାରିସ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମଙ୍କୁ ମିଳିଲା ମଇଁଷି ଉପହାର ।

Arshad Nadeem

ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ବିଜେତାଙ୍କୁ ମିଳିଲା ମଇଁଷି ଉପହାର । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଅଲିମ୍ପିକ୍ ଚାମ୍ପିଅନଙ୍କୁ ଉପହାରରେ ଏକ ମଇଁଷି ମିଳିଥିବା ଜଣାପଡ଼ିଛି । ପାକିସ୍ତାନର ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । କାରଣ ତିନି ଦଶନ୍ଧୀ ପରେ ପାକିସ୍ତାନ ଅଲିମ୍ପିକ୍ସରେ ମେଡାଲ ଜିତିବାକୁ ସକ୍ଷମ ହୋଇଛି ।  ନିଜ ଦେଶ ପାଇଁ ପ୍ରଥମ ଖେଳାଳି ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତି ରେକର୍ଡ କରିଛନ୍ତି ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ ।

ଏହି ସଫଳତା ପରେ ଅନେକ ବ୍ୟକ୍ତି ଓ ସଂସ୍ଥା ଅର୍ଶଦଙ୍କୁ ଉପହାର ଦେବାକୁ ଘୋଷଣା କରିଛନ୍ତି । ତେବେ ତାଙ୍କର ନିଜ ଶ୍ୱଶୁର ଏକ ମଇଁଷି ଉପହାର ଦେଇଛନ୍ତି । ଏହି ଉପହାରକୁ ଅତି ମୂଲ୍ୟବାନ ଓ ସମ୍ମାନଜନକ ଭାବେ ତାଙ୍କର ପରିବାର ଗ୍ରହଣ କରିଛନ୍ତି । କାରଣ ଅର୍ଶଦଙ୍କ ଗାଁରେ ମଇଁଷି ଉପହାରକୁ ବଡ଼ ଉପହାର ଓ ପରମ୍ପରା ଭାବେ ଗ୍ରହଣ କରାଯାଏ । 

ଅର୍ଶଦ ମଧ୍ୟ ଅଲିମ୍ପିକ୍ସରେ ବଡ଼ ସଫଳତା ସତ୍ତ୍ୱେ ନିଜ ଗାଁ ଓ ଗାଁର ପରମ୍ପରା ପାଇଁ ଗର୍ବିତ ବୋଲି କହିଛନ୍ତି । ଅର୍ଶଦ ତାଙ୍କର ପରିବାର ସହ ଏବେବି ଗାଁରେ ରହୁଛନ୍ତି । ନଦୀମଙ୍କର ଶ୍ୱଶୁରଙ୍କର ୪ଟି ପୁଅ ଓ ତିନୋଟି ଝିଅ । ସାନ ଝିଅ ଆୟେସା ନଦୀମଙ୍କୁ ବିବାହ କରିଛନ୍ତି । ନଦୀମଙ୍କର ମଧ୍ୟ ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି ।

ପଞ୍ଜାବ ଖାନେୱାଲର ଏକ ଗାଁରେ ଅର୍ଶଦ ନଦୀମଙ୍କ ଘର । ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଭ୍ୟାସ ଓ ପ୍ରତିଯୋଗିତାରେ ଭାଗନେବାକୁ ଯାତ୍ରା ପାଇଁ ନଦୀମଙ୍କ ଅନେକ ସଂଘର୍ଷ କରିଛନ୍ତି ।  କିଛି ସଂପର୍କୀୟ ଓ ଗାଁ ଲୋକଙ୍କ ସହାୟତା ଅର୍ଥରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ସଦ୍ୟ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ୯୨.୯୭ ମିଟର ଥ୍ରୋ ସହ ଭାରତର ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ପ୍ରଥମ ହୋଇଥିଲେ ପାକିସ୍ତାନର ଅର୍ଶଦ ନଦୀମ ।