ପ୍ୟାରିସରେ ଇତିହାସ ରଚିଲା ଭାରତ, ପାରା ଅଲିମ୍ପିକ୍ସରେ ଭାଙ୍ଗିଲା ସବୁ ରେକର୍ଡ

ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ। ୬ଟି ସ୍ୱର୍ଣ୍ଣ,୯ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହିତ ମୋଟ ୨୭ ପଦକ ଜିତିସାରିଲେଣି ଭାରତୀୟ ଆଥଲେଟ୍ସ ।

All Time Paralympics Record

ପ୍ୟାରିସରେ ଇତିହାସ ରଚିଛନ୍ତି ଭାରତୀୟ ପାରା ଆଥଲେଟ୍ସ । ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସର୍ବାଧିକ ସଂଖ୍ୟକ ପଦକ ଜିତି ସାରା ଦେଶକୁ ଗୌରବାନ୍ନିତ କରିଛନ୍ତି ପାରା ଆଥଲେଟ୍ସ । ମେଗା ଇଭେଣ୍ଟ ଶେଷ ହେବାକୁ ଆହୁରି ଦୁଇଦିନ ଥିବାବେଳେ ଟୋକିଓ ପାରା ଅଲିମ୍ପିକ୍ସର ପଦକ ସଂଖ୍ୟାକୁ ଟପିସାରିଲାଣି ଭାରତ । ଏଯାବତ ଭାରତୀୟ ଆଥଲେଟ୍ସ ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହିତ ମୋଟ ୨୭ ପଦକ ଜିତିସାରିଲେଣି ।

ପାରା ଅଲିମ୍ପିକ୍ସରେ ଏହା ହେଉଛି ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ । ପୂର୍ବଥର ଟୋକିଓ ପାରା ଅଲିମ୍ପିକ୍ସରେ ୧୯ଟି ପଦକ ଜିତିଥିଲା ଭାରତ । ଚଳିତ ଥରର ପ୍ରଦର୍ଶନ ନିଆରା ଓ ଜବରଦସ୍ତ କାରଣ ସଟଲର ଓ ଟ୍ରାକ୍ ଫିଲ୍ଡ ଆଥଲେଟ୍ସ ଆଥଲେଟ୍ସଙ୍କ କମାଲ ଦେଖିବାକୁ ମିଳିଛି । ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ ସଟଲର ୪ଟି ପଦକ ଜିତିଥିଲେ ମାତ୍ର ପ୍ୟାରିସରେ ୫ଟି ପଦକ ଜିତି ସାରିଲେଣି । ତେବେ ପଦକ ପାଇଁ ସଂଘର୍ଷ କରୁଥିବା ଭାରତ ପାଇଁ କିପରି ଏହା ସମ୍ଭବ ହୋଇପାରିଲା ? ନଜର ପକାନ୍ତୁ କିଛି ପ୍ରମୁଖ କାରଣ ଉପରେ...

ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନର ୫ କାରଣ 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତର ସରକାର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ୩ ବର୍ଷର ସମୟ ଅବଧି ମଧ୍ୟରେ ପାରା ଆଥଲେଟ୍ସଙ୍କ ଉପରେ ୭୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । 

ସରକାରୀ ସହାୟତା
ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ୮୪ ଜଣ ଆଥଲେଟ୍ ସରକାରୀ ପ୍ରୋତ୍ସାହନ ମିଳିଛି । ଏଥିସହ ଅନ୍ତର୍ଜାତୀୟ ମଞ୍ଚରେ ଖେଳିବାର ଅଭିଜ୍ଞତା, ବିଦେଶରେ ପ୍ରତିଯୋଗିତା ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ସହାୟତା ମିଳିଛି । 

ରିକୋଭରି ସେଣ୍ଟର
କେବଳ ସରକାରୀ ସହାୟତା ନୁହେଁ ବରଂ ଚଳିତଥର ପ୍ରଥମ କରି ଏକ ରିକୋଭରି ସେଣ୍ଟରର ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତା ସମୟରେ ଆହତ ହେଲେ ସୁସ୍ଥ ହେବାଲାଗି ଆବଶ୍ୟକୀୟ ସେବା ଉପଲବ୍ଧ କରାଯାଇଛି । କ୍ରୀଡାଗ୍ରାମରେ ସ୍ୱତନ୍ତ୍ର ଭାବେ ଭାରତୀୟ ଆଥଲେଟ୍ସଙ୍କ ପାଇଁ ରିକୋଭରି ସେଣ୍ଟର ପ୍ରସ୍ତୁତ କରାଯାଇଛି ।

ଅଧିକ କୋଚ୍ ଓ ସପୋର୍ଟ ଷ୍ଟାଫ
ପାରା ଅଲମ୍ପିକ୍ସ ପାଇଁ ଭାରତର ମୋଟ ୭୭ଜଣ କୋଚ୍ ଓ ସପୋର୍ଟ ଷ୍ଟାଫ ଏଥର ପ୍ୟାରିସରେ ରହିଛନ୍ତି । ୨୦୨୧ରେ ହୋଇଥିବା ଟୋକିଓ ପାରା ଅଲିମ୍ପିକ୍ସରେ ଏହି ସଂଖ୍ୟା ୪୫ ରହିଥିଲା ।

ବଜେଟ ବୃଦ୍ଧି
ଭାରତ ସରକାର ପ୍ୟାରିସ ପାରା ଅଲିମ୍ପିକ୍ସ (୨୦୨୧-୨୦୨୪) ପାଇଁ ୭୪ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଏହାର ପରିମାଣ ୨୬ କୋଟି ରହିଥିଲା ।