କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍‌ ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ।

Chandrayaan-3

କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? କ’ଣ ରହିଛି ପୁରା ପ୍ରକ୍ରିୟା। କାହିଁକି ଏହି ପ୍ରକ୍ରିୟା ଅତି ଜଟିଳ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ। ଏହା ପୂର୍ବରୁ ଆସନ୍ତୁ ଜାଣିବା ଲ୍ୟାଣ୍ଡର୍ ଓ ରୋଭର ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ...

ଅଧିକ ପଢ଼ନ୍ତୁ: କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍‌ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହି ସମୟରେ ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ।

୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏ। ଏହାପରେ ଲ୍ୟାଣ୍ଡର୍‌ ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡର୍‌ର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ। ଏହାପରେ ୮ଶହ ମିଟର ଅଲ୍‌ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। 

ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର୍‌ ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍‌ସର୍‌ ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ। ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡିଂ କରିବ, ନଚେତ୍‌ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।

ଯଦି ସବୁକିଛି ଠିକ୍‌ଠାକ୍ ଚାଲେ, ଯୋଜନା ମୁତାବକ ଘଟେ, ତେବେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ପାଦ ଥାପିବ ଚନ୍ଦ୍ରର ଦକ୍ଷିଣ ମେରୁରେ। ଏହାପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିବ, ଏବଂ ସେଥିରେ ତଳକୁ ଗଡ଼ି ଆସିବ ୬ ଚକିଆ ରୋଭର୍। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର। ୧୪ ଦିନ ଯାଏ ଏହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଏବଂ ଇସ୍ରୋ ଲୋଗୋର ଛାପ ଛାଡ଼ିବ।

ବୈଜ୍ଞାନିକ ଗବେଷଣା ଦିଗକୁ ଦେଖିଲେ, ଲ୍ୟାଣ୍ଡର୍‌ରେ ଲାଗିଥିବା ୩ଟି ପେ'ଲୋଡ୍ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ । ସେହିପରି ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସଂରଚନା ଯାଞ୍ଚ କରିବା ସହିତ, ସେଠାରେ ଥିବା ମାଟି ଓ ପଥରର ମୌଳିକ ଗଠନ ପରଖିବ । ରୋଭର୍ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର୍‌କୁ ପଠାଇବ ଏବଂ ଲ୍ୟାଣ୍ଡର୍‌ ନିଜର ଓ ରୋଭରର ତଥ୍ୟକୁ ଚନ୍ଦ୍ରୟାନର ଅର୍ବିଟର୍ ମାଧ୍ୟମରେ ଇସ୍ରୋକୁ ପ୍ରେରଣ କରିବ ।