Mahakumbh 2025: କାଳର ଭଉଣୀ, ମୋକ୍ଷର ଦେବୀ : ପୁରାଣରେ ଗଙ୍ଗା ଠାରୁ ଅଧିକ ମହତ୍ତ୍ୱ ରଖେ ଯମୁନା ନଦୀ...

ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା ।

ଯମୁନା ନଈର ଇତିହାସ

ମହାକୁମ୍ଭ ପାଇଁ ପ୍ରୟାଗରାଜରେ ଭକ୍ତି ଓ ଆସ୍ଥାର ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି । ଅକଳ୍ପନୀୟ ଦୃଶ୍ୟ, ପ୍ରବଳ ଭିଡ଼ ତଥା ସମାନତା ଓ ସମନ୍ବୟର ଏକ ଅସାଧାରଣ ସଙ୍ଗମରେ ପୂରି ଉଠୁଛି ମହାକୁମ୍ଭ । ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ପବିତ୍ର ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ବୁଡ଼ ପକାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ସାଂସ୍କୃତିକ ଓ ପୌରାଣିକ ଗାଥା ଯୋଗୁଁ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ସଙ୍ଗମ ସ୍ଥଳରେ ଲାଗୁଥିବା ଏହି ମହାମେଳାର ଅଧିକ ମହତ୍ୱ ଥିବା କୁହାଯାଏ । ଏହି ତିନି ନଦୀକୁ ବେଦ ଏବଂ ପୁରାଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି । ଗଙ୍ଗା, ଯମୁନା ଏବଂ ସରସ୍ୱତୀ ମାନବ ସମାଜ ପାଇଁ ବିସ୍ତୃତ ଉର୍ବର ସମତଳ ଭୂମି ସୃଷ୍ଟି କରିବା ସହିତ ସଂସ୍କୃତି, ସଭ୍ୟତା ଏବଂ ସହରୀ ବିକାଶର ଜନନୀ ହୋଇଛନ୍ତି ।

ଋକବେଦରେ ବର୍ଣ୍ଣିତ ନଦୀମାନଙ୍କ ମଧ୍ୟରୁ ସରସ୍ୱତୀ ନଦୀ ଅନ୍ୟତମ । ଋକବେଦର ରଚନା ବୈଦିକ ସଂସ୍କୃତ ଭାଷାରେ କରାଯାଇଛି ଏବଂ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ସହସ୍ରାବ୍ଦ ସମୟରେ ସରସ୍ୱତୀ ନଦୀତଟରେ ବସବାସ କରୁଥିବା ଲୋକେ ଋକବେଦର କିଛି ଅଂଶର ରଚନା କରିଛନ୍ତି ବୋଲି ବିଶ୍ୱାସ କରାଯାଏ । ସେହିପରି ଗଙ୍ଗା ନଦୀକୁ ପିବତ୍ର ବୋଲି କୁହାଯାଏ । ବ୍ରହ୍ମାଙ୍କର କମଣ୍ଡଳରୁ ବାହାରି ଭଗବାନ ବିଷ୍ଣୁଙ୍କ ଚରଣାମୃତ ଓ ଶିବ ମହାଦେବଙ୍କ ଜଟାରେ ସ୍ଥାନ ପାଇଥିବା ନଦୀ .. ଗଙ୍ଗା ନଦୀ, ଯାହାର କୂଳେ କୂଳେ ଅନେକ ପୌରାଣିକ ଗାଥା ରହିଛି । ବିଭିନ୍ନ ଧାର୍ମିକ କାର‌୍ୟ୍ୟରେ ଏହାର ଜଳ ବ୍ୟବହାର ହୋଇଥାଏ । ଗଙ୍ଗା ଜଳ ଛିଞ୍ଚିଲେ ମଧ୍ୟ ସ୍ଥାନ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ ଓ ବୌଦ୍ଧଧର୍ମାବଲମ୍ବୀମାନେ ପୂଜା କରନ୍ତି ଓ ଗଙ୍ଗା ନଦୀରେ ସ୍ନାନ କଲେ ସକଳ ପାପ ଧୋଇ ହୋଇ ମୋକ୍ଷ ହେବା ବିଶ୍ୱାସ ରହିଛି । ତା’ପରେ ଆସେ ପବିତ୍ର ଯମୁନା ନଦୀ । ଯମୁନା ନଦୀ ଗଙ୍ଗା ଠାରୁ ମଧ୍ୟ ଅଧିକ ପୌରାଣିକ ମହତ୍ତ୍ୱ ରଖୁଥିବା ନଦୀ ତଥା ଅନେକ ବିବରଣୀରେ ଏହାକୁ ଗଙ୍ଗା ଠାରୁ ମଧ୍ୟ ଅଧିକ ପ୍ରାଚୀନ କୁହାଯାଏ । ତେବେ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ସମୟରେ ଯମୁନା ନଦୀର ପବିତ୍ରତା ଓ ନିର୍ମଳ ଜଳର ମାନ୍ୟତା ତୁଳନାତ୍ମକ ଭାବରେ ଦ୍ୱାପର ଯୁଗରେ ବଢ଼ି ଯାଇଥିଲା ।

କୃଷ୍ଣଲୀଳାର ସାକ୍ଷୀ ଯମୁନା

ଭଗବାନ ଶ୍ରୀକୃଷ୍ଣ ଯମୁନା କୂଳରେ ଥିବା ନଗରୀରେ ଜନ୍ମ ନେଇଥିଲେ । ଆଉ ଏହାର କୂଳେ କୂଳେ ଲୀଳାଖେଳା କରି ବଡ଼ ହୋଇଥିଲେ । ଯମୁନା ନଦୀ କାଳିନ୍ଦୀ ନାମରେ ଶ୍ରୀକୃଷ୍ଣଙ୍କ ଆଠ ପାଟରାଣୀଙ୍କ ମଧ୍ୟରୁ ଅନ୍ୟତମ । ଏହି ଯମୁନା ନଦୀ ପ୍ରୟାଗରାଜରେ ଗଙ୍ଗା ନଦୀ ସହ ମିଳିତ ହୁଏ ଏବଂ ଏହି ସ୍ଥାନ ତୀର୍ଥରାଜ ନାମରେ ଜଣାଶୁଣା ।

ହିମାଳୟର କଳିଙ୍ଗ ପର୍ବତରୁ ବାହାରିଛି ଯମୁନା

ହିମାଳୟର କଳିଙ୍ଗ ପର୍ବତ ଶୃଙ୍ଖଳାରୁ ବାହାରିଥିବା ଯମୁନା ନଦୀର ଆଉ ଏକ ନାମ ହେଲା କାଳନ୍ଦୀ । ପୁରାଣରେ ଯମୁନାଙ୍କୁ ସୂର୍ଯ୍ୟଙ୍କ ପୁତ୍ରୀ ଓ ଯମରାଜଙ୍କ ଭଉଣୀ ରୂପରେ ବର୍ଣ୍ଣନା କରାଯାଇଛି । ପ୍ରଥମେ ତାଙ୍କର ଜନ୍ମ ମାନବୀ ରୂପରେ ହୋଇଥିଲା. .କିନ୍ତୁ ପରିସ୍ଥିତିବଶତଃ ସେ ନଦୀରେ ପରିବର୍ତ୍ତିତ ହୋଇଯାଇଥିଲେ । ଋକ ବେଦର ସମ୍ବାଦ ସୁକ୍ତରେ ଯମୁନାଙ୍କ ତୁଳନା ଯମଙ୍କ ସହିତ କରାଯାଇଛି, ଯେଉଁଠାରେ ତାଙ୍କ ପ୍ରକୃତ ନାମ ଯମୀ କୁହାଯାଉଛି । ଋକବେଦରେ ଯମ ଓ ତାଙ୍କ ଭଗିନୀ ଯମୁନା(ଯମୀ)ଙ୍କ କଥାବାର୍ତ୍ତା ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ସମ୍ବାଦ ସୁକ୍ତ ଭାରତୀୟ ବ୍ୟବସ୍ଥାରେ ପରିବାରର ମୂଲ୍ୟବୋଧକୁ ବ୍ୟାଖ୍ୟା କରିବା ସହ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତାକୁ ସୂଚିତ କରେ ।

ଋକବେଦରେ ଯମୁନା ନଦୀର ବର୍ଣ୍ଣନା

ଋକବେଦରେ ଯମ-ଯମୀଙ୍କ କାହାଣୀକୁ ବେଦ ପଣ୍ଡିତରେ ଅନେକ ବିରୋଧାଭାଷ ରହିଛି । ଥରେ ଯମରାଜ ଯମୀଙ୍କ ଘରକୁ ଯାଆନ୍ତି । ଯମୀ ଓ ଯମଙ୍କ ପିତା ହେଲେ ବିବସସ୍ୱାନ ଅର୍ଥ ସୂର୍ଯ୍ୟଦେବ । କିନ୍ତୁ ନିଜ ଭାଇ ଠାରୁ ସବୁବେଳ ଅଲଗା ରହୁଥିବାରୁ ଯମୀ ଯମରାଜଙ୍କୁ ଚିହ୍ନି ନପାରି ପ୍ରେମିକ ବୋଲି ଭାବି ନିଅନ୍ତି । ଆଉ ଦିନେ ସେ ଯମଙ୍କ ସାମ୍ନାରେ ମନର କଥା ଖୋଲି କୁହନ୍ତି । ଯମୀଙ୍କ କଥା ଶୁଣିବା ପରେ ଆମେ ଦୁଇଜଣ ଭାଇଭଉଣୀ,ଗୋଟିଏ ମାତାପିତାର ସନ୍ତାନ ବୋଲି ଯମ ତାଙ୍କୁ ବୁଝାଇଥିଲେ । ଯମଙ୍କ ଠାରୁ ସତ୍ୟ ଜାଣିବା ପରେ ଯମୀ ନିରାଶ ହେବା ସହ ପଶ୍ଚାତାପ କରିଥିଲେ । ଋକଦେବରରେ ଯମଙ୍କର ଏହି ନିର୍ଣ୍ଣୟକୁ ଖୁବ ମହାନ ବାଖ୍ୟା କରାଯାଇଛି ଏବଂ ଏହି କାହାଣୀ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ସମ୍ମାନର ଏକ ଉଦାହରଣ ହୋଇଯାଏ ।

ଯମ ଓ ଯମୀଙ୍କ ଏହି କାହାଣୀ ପୁରାଣରେ ଭିନ୍ନ ସନ୍ଦର୍ଭରେ ବର୍ଣ୍ଣନା କରାଯାଇଛି । ବିଷ୍ଣୁ ପୁରାଣ ଅନୁଯାୟୀ ଦିନେ ଯମ ନିଜ ଭଉଣୀ ଯମୀ ଘରକୁ ଯାଇଥିଲେ । ଭଗବତ କଥା ଅନୁସାରେ ମୃତ୍ୟୁର ଦେବତା ଯମ ଯେଉଁଠାକୁ ଯାଆନ୍ତି ସେଠାରେ କାନ୍ଦବୋବାଳି ପଡ଼େ, କେହି ଖୁସି ହୁଅନ୍ତି ନାହିଁ । ହେଲେ ଭାଇକୁ ଦେଖି ଖୁସିରେ ବିଭୋର ହୋଯାଇଥିଲେ ଯମୀ । ଯମୀ ବହୁତ ସମ୍ମାନ ସହିତ ଯମଙ୍କୁ ଆସନ ଦେଇଥିଲେ । ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ଖାଇବାକୁ ଦେଇଥିଲେ ଓ ସେବାରେ ସନ୍ତୁଷ୍ଟ କରିଥିଲେ ।

ପ୍ରଥମ ଥର ପାଇଁ ଏପରି ଆତିଥ୍ୟତାରେ ଅପ୍ୟାୟିତ ହୋଇଥିବା ଯୋଗୁଁ ଯମ ଭଉଣୀ ଉପରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ କହିଥିଲେ । ହେଲେ ଯମୀ ନିଜ ପାଇଁ କୌଣସି ବର ମାଗିନଥିଲେ । ଯେଉଁ ଭଉଣୀ ଭାଇକୁ ବିଭିନ୍ନ ପ୍ରକାର ଭୋଜନ କରାଇବ ଓ ଖୁସିରେ ଘରକୁ ସ୍ୱାଗତ କରିବ ତାକୁ କାଳ ବା ମୃତ୍ୟୁର ଡର ରହିବ ନାହିଁ । ସେହିପରି ଯେଉଁ ଭାଇ ଭଉଣୀ ଘରକୁ ଯାଇ ତାର ମାନମର୍ଯ୍ୟାଦା ରଖିବ ଓ ଯତ୍ନ ନେବ ତାକୁ ଅକାଳ ମୃତ୍ୟୁ କିଛି କରିପାରିବ ନାହିଁ ବୋଲି ବର ମାଗିଥିଲେ । ଏଥିରେ ଯମରାଜ ତଥାସ୍ତୁ ବୋଲି କହିଥିଲେ ।

କିପରି ନଦୀରେ ପରିଣତ ହୋଇଗଲେ ଯମୁନା

ଭଉଣୀ ହୋଇଥିବାରୁ ଯେତେବେଳେ ଯମୀଙ୍କର ପ୍ରେମ ସ୍ୱୀକାର କରିବା ପାଇଁ ମନା କରିଦେଇଥିଲେ ଯମ, ଏଥିରେ ଯମୀ ଖୁବ ଦୁଃଖୀ ହୋଇଥିଲେ । ଭଉଣୀ ହୋଇ ଭାଇକୁ ପ୍ରେମ ନିବେଦନ କରିଥିବାରୁ ପଶ୍ଚାତାପର ନିଆଁରେ ଜଳୁଥିଲେ । ଧୀରେ ଧୀରେ ତାଙ୍କ ଦେହ ତରଳି ପାଣିରେ ପରିଣତ ହୋଇଥିଲା । ଆଉ ସେହି ଜଳର ଧାରରୁ ଉତ୍ପର୍ଣ୍ଣ ହେଲା ଯମୁନା ନଦୀ । ଯମୁନା ନଦୀର ପ୍ରାଚୀନତା ଗଙ୍ଗା ନଦୀ ଠାରୁ ମଧ୍ୟ ପୁରୁଣା ବୋଲି ମାନ୍ୟତା ରହିଛି । ଯମ-ଯମୀଙ୍କ କାହାଣୀ ପରେ ଦୀପାବଳି ପରେ ପଡ଼ୁଥିବା ଯମ ଦ୍ୱିତୀୟାର ବି ଅନେକ ମହତ୍ତ୍ୱ ରହିଛି । ଏହି ଦିନ ଭାଇ-ଭଉଣୀ ଏକ ସଙ୍ଗେ ଯମୁନା ସ୍ରୋତରେ ସ୍ନାନ କରିବାର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏହାସହ ନଦୀ କୂଳରେ ଭୋଜନ ପ୍ରସ୍ତୁତ କରି ଖୁଆଇବାର ମାନ୍ୟତା ମଧ୍ୟ ରହିଛି । ଉତ୍ତର ଭାରତର ଅନେକ ଅଞ୍ଚଳରେ ଏହି ପରମ୍ପରାର ପାଳନ ଏବେ ବି ହେଉଛି ।
 

ବ୍ରଜ ସଂସ୍କୃତିର ଜନନୀ ଯମୁନା ନଦୀ

ଭୁବନଭାସ୍କର ସୂର୍ଯ୍ୟ ତାଙ୍କ ପିତା, ମୃତ୍ୟୁର ଦେବତା ଯମ ଭାଇ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ସ୍ୱାମୀ ରୂପରେ ଅଭିହିତ କରାଯାଇଛି । ଭଗବାନ ଶ୍ରୀକୃଷ୍ଣ ବ୍ରଜ ସଂସ୍କୃତିର ପିତା ବୋଲି କୁହାଯାଉଥିବା ବେଳେ ଯମୁନା ନଦୀକୁ ମାତା କୁହାଯାଏ । ଏହିପରି ସେ ପ୍ରକୃତ ଅର୍ଥରେ ବ୍ରଜ ଲୋକଙ୍କ ମାତା । ତେଣୁ ବ୍ରଜରେ ଯମୁନାଙ୍କୁ ମା’ କୁହାଯାଏ । ବ୍ରହ୍ମା ପୁରାଣରେ ଯମୁନାଙ୍କ ଆଧ୍ୟାତ୍ମିକ ରୂପ ବିଷୟରେ ବର୍ଣ୍ଣନା କରିବାବେଳେ ଏକ ବିବରଣ ଉପସ୍ଥାପିତ ହୋଇଛି - ସେ ସୃଷ୍ଟିର ଆଧାର ଅଟେ.. ଯାହାକୁ ସଚ୍ଚିଦାନନ୍ଦ ସ୍ୱରୂପ କୁହାଯାଏ. . ଉପନିଷଦରେ ଯାହାଙ୍କର ବ୍ରହ୍ମ ରୂପର ଗାୟନ କରାଯାଇଛି. . ସେହି ପରମତତ୍ତ୍ୱ ହେଉଛନ୍ତି ସାକ୍ଷାତ ଯମୁନା । ପଣ୍ଡିତ ଶ୍ରୀରୁପ ଗୋସ୍ୱାମୀ ଯମୁନାଙ୍କୁ ଚିଦାନନ୍ଦମୟୀ ବୋଲି ବର୍ଣ୍ଣନା କରିଛନ୍ତି । ଚିଦାନନ୍ଦମୟୀ ଅର୍ଥାତ ଯାହାଙ୍କ ଦର୍ଶନ ଦ୍ୱାରା ଆତ୍ମାକୁ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇଥାଏ । ଯମୁନା ନଦୀକୁ ଗଙ୍ଗା ନଦୀ ସମାନ ମା’ର ମାନ୍ୟତା ପ୍ରଦାନ କରାଯାଇଛି ।

ଯେଉଁଭଳି ସ୍ନାନ, ସ୍ତୁତି ଓ ଆଚମନ ପାଇଁ ଗଙ୍ଗା ଜଳର ମହତ୍ତ୍ୱ ରହିଛି, ସେହିପରି ଯମୁନା ନଦୀର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି । ଗଙ୍ଗା ପରି ଯମୁନା ମଧ୍ୟ ତୀର୍ଥଯାତ୍ରାର କେନ୍ଦ୍ର ପାଲଟିଛି । ଏହା ବ୍ୟତୀତ ବିଷ୍ଣୁଙ୍କ ଅବତାରର ଭଗବାନ କୃଷ୍ଣଙ୍କର ଲୀଳାର ସହଯୋଗୀ ଓ ସାକ୍ଷୀ ହୋଇଥିବାରୁ ଏହାର ଜଳ ହରି ଚରଣାମମୃତ ସହିତ ସମାନ ବୋଲି ବିବେଚନା କରାଯାଏ । ପୁରାଣର ଅନେକ ସ୍ଥାନରେ ଏହାକୁ ବନ୍ଦନୀୟ କୁହାଯାଇଛି ।

ସ୍କନ୍ଧ ପୁରାଣରେ ଯମୁନା ନଦୀର ବନ୍ଦନା କରି କୁହାଯାଇଛି, ଯମୁନାରେ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହ ସମସ୍ତ ପାପ କ୍ଷୟ ହୋଇଯାଏ । ସ୍କନ୍ଧ ପୁରାଣରେ ଯମୁନା ନଦୀକୁ ଗଙ୍ଗା ନଦୀ ଠାରୁ ଅଧିକ ପବିତ୍ର ମାନ୍ୟତା ଦିଆଯାଇଛି । ଏଥିରେ କୁହାଯାଇଛି ଗଙ୍ଗା ନଦୀର ଦର୍ଶନରେ ପାପ କ୍ଷୟ ଓ ଛୁଇଁଲେ ପାତକ ସମାପ୍ତ ହୋଇଯାଏ କିନ୍ତୁ ଯମୁନାରେ ସ୍ନାନ କରିବା ଦ୍ୱାରା ସିଧା ମୋକ୍ଷପ୍ରାପ୍ତ ହୋଇଯାଏ । ସେହିପରି ବ୍ରହ୍ମପୁରାଣରେ ଯମୁନା ନଦୀକୁ ପାପନାଶିନୀ, ଶୋକହାରିଣୀ ଓ କଲ୍ୟାଣୀ କୁହାଯାଇଛି । ଯମୁନା ନଦୀରେ ବୁଡ଼ ପକାଇଲେ ସମସ୍ତ ଦୁଃଖ ଧୋଇ ହୋଇଯିବା ସହ ପାପ ନାଶ ହୋଇଯାଏ ।

ମହାଭାରତରେ ଯମୁନା ନଦୀର ବର୍ଣ୍ଣନା

ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା । ଏହି ନଦୀ କୂଳେ କୂଳେ ଗଢ଼ି ଉଠିଛି ହରିୟାଣାର ପ୍ରମୁଖ ସହର । ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀ ମଧ୍ୟ ଯମୁନା ଜଳରେ ସିଞ୍ଚିତ । ଉତ୍ତରପ୍ରଦେଶ ଇତିହାସର ପ୍ରମୁଖ ସହର ଆଗ୍ରା, ଯେଉଁଠାରେ ଅନେକ କିଲ୍ଲା ଓ ତାଜମହଲ ରହିଛି, ଏସବୁ ଯମୁନା କୂଳରେ ରହିଛି ।