Advertisment

Sheetalshashti Festival: କାହିଁକି ପାଳନ ହୁଏ ଶୀତଳଷଷ୍ଠୀ ଯାତ୍ରା, କେମିତି ଶାନ୍ତ ହେଲେ କ୍ରୋଧୀ ଶିବ, ଏଥିପାଇଁ କିଏ କରିଥିଲା ଯୋଜନା

କାହିଁକି ପାଳନ ହୁଏ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରା? କେଉଁ ପୌରାଣିକ ଘଟଣା ଉପରେ ପର୍ଯ୍ୟବେଶିତ ଏହି ଯାତ୍ରା। କେମିତି ହେଲା ଶିବ ପାର୍ବତୀଙ୍କର ଭେଟ। କିଏ ଏଥିପାଇଁ ତିଆରି କରିଥିଲେ ଯୋଜନା? ଶୀତଳଷଷ୍ଠୀ ଯାତ୍ରା ପଛରେ ଥିବା କୌତୁହଳପ୍ରଦ କାହାଣୀଟିକୁ ପଢ଼ନ୍ତୁ।

ଅଦ୍ୟତନ ହୋଇଛି
Why do sitalasasthi jatra observed know the mythological story behind it

Why do sitalasasthi jatra observed know the mythological story behind it

Advertisment

ବର୍ଷର ବିଭିନ୍ନ ସମୟରେ ବିଷ୍ଣୁଙ୍କୁ ନେଇ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲା ବେଳେ, ଶିବ ଦେବତାଙ୍କର ମଧ୍ୟ କେତେକ ପର୍ବପର୍ବାଣି ପାଳନ ହୋଇଥାଏ। ତା’ ମଧ୍ୟରେ ଶିବ ବିବାହ ପର୍ବଟି ସବୁଠାରୁ ଅଧିକ ପ୍ରସିଦ୍ଧ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏହା ପାଳନ କରାଯାଏ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ପାର୍ବତୀଙ୍କର ବିବାହ ହୋଇଥାଏ।

Advertisment

ଅସୁର ଧ୍ଵଂସ ପାଇଁ ଶିବ ବିବାହ

ତାରକାସୁର ନାମରେ ଏକ ପ୍ରବଳ ପରାକ୍ରମୀ ରାକ୍ଷସ ଥିଲା। ସେ ଘୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବର ପାଇଥିଲା। ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମର୍ତ୍ତ୍ୟରେ ବହୁତ ଗୋଳମାଳ କରୁଥିଲା। ଏପରିକି ସେ ଦେବତା, ଗନ୍ଧର୍ବ, କିନ୍ନରମାନଙ୍କୁ ମଧ୍ୟ ପାଦସେବା ପାଇଁ ବନ୍ଦୀ କରିଥିଲା। ମୁନି ଋଷିମାନଙ୍କ ଆଶ୍ରମକୁ ଭାଙ୍ଗିଦେବା ଫଳରେ ସ୍ୱର୍ଗବାସୀ ଓ ମର୍ତ୍ତ୍ୟବାସୀମାନେ ବହୁତ ଅସୁବିଧା ଭୋଗକଲେ। ଦିନେ ଇନ୍ଦ୍ର ଦେବତାମାନଙ୍କୁ ଏକତ୍ରିତ କରି ବ୍ରହ୍ମାଙ୍କ ପାଖରେ ଗୁହାରି କଲେ। ବ୍ରହ୍ମା କହିଲେ– ଦେଖ ବତ୍ସ! ମୁଁ ନିଜେ ତାରକାସୁରକୁ ବର ଦେଇଛି। ତେଣୁ ମୁଁ ନିଜେ ତାର ଧ୍ଵଂସ କରିବା ଅସୁନ୍ଦର ହେବ। ତୁମେମାନେ ନାରାୟଣଙ୍କୁ ଏକଥା କୁହ।

ତାରକାସୁରର ଧ୍ଵଂସ ପାଇଁ ନାରାୟଣଙ୍କ ଉପାୟ!

ଦେବତାମାନେ କ୍ଷୀର ସମୁଦ୍ର କୂଳରେ ଯାଇ ନାରାୟଣଙ୍କୁ ପ୍ରାର୍ଥନା କଲେ। ନାରାୟଣ ସେତେବେଳେ ଅନନ୍ତ ଶଯ୍ୟାରେ ବିଶ୍ରାମ କରୁଥାନ୍ତି। ଦେବତାମାନଙ୍କର ଆର୍ତ୍ତନାଦରେ ତାଙ୍କର ନିଦ ଭାଙ୍ଗିଗଲା। ଦେବତାମାନଙ୍କୁ ସେ ସାକ୍ଷାତ କଲେ ଓ ତାରକାସୁରର ଧ୍ଵଂସର ଉପାୟ ବତାଇ ଦେଲେ। ନାରାୟଣ କହିଲେ– ଶିବ ପ୍ରଣୟିନୀ, ଦକ୍ଷ କନ୍ୟା ସତୀ, ଦକ୍ଷଯଜ୍ଞ ଅଗ୍ନିରେ ଝାସ ଦେବାପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷଯଜ୍ଞ ଧ୍ୱଂସ କରି ସତୀଙ୍କ ବିଚ୍ଛେଦରୁ କୈଳାସରୁ ଆସି ହିମବନ୍ତ ଶିଖରରେ ବାସ କରୁଛନ୍ତି ଏବଂ ସେହିଠାରେ ହିଁ ଯୋଗସାଧନ କରୁଛନ୍ତି।

Advertisment

ତୁମେମାନେ ରତି ଆଉ କନ୍ଦର୍ପଙ୍କୁ ହିମାଳୟକୁ ପଠାଅ, ବର୍ତ୍ତମାନ ସତୀ ସେଠାରେ ପାର୍ବତୀ ରୂପରେ ଅବସ୍ଥାନ କରୁଛନ୍ତି। ରତି ଆଉ କନ୍ଦର୍ପ ସେଠାରେ ଗୋପନରେ ରହିବେ। ଉପଯୁକ୍ତ ସମୟ ଦେଖି ସେମାନେ ଫୁଲଶର ମାରି ଶିବଙ୍କୁ କାମନାସକ୍ତ କରାଇବେ, ଫଳରେ ଶିବ ଓ ସତୀଙ୍କର ମିଳନ ହେବ। ତାଙ୍କରି ମିଳନ ଫଳରେ ଯେଉଁ ଶକ୍ତି ଉତ୍ପନ୍ନ ହେବ, ତାହା ହିଁ ତାରକାସୁରର ଧ୍ଵଂସ କରିବାକୁ ସକ୍ଷମ ହେବ।

ଶିବଙ୍କ କ୍ରୋଧରେ କନ୍ଦର୍ପ ନାଶ

ସେହି ଅନୁସାରେ ରତି ଓ କନ୍ଦର୍ପ ହିମାଳୟକୁ ଗଲେ ଏବଂ ହିମାଳୟକୁ ଅଦିନ ବସନ୍ତର ଆବାହନ କଲେ। ଫଳରେ ହିମାଳୟର ଶୋଭା ଏତେ ବଢ଼ିଗଲା ଯେ, ପାର୍ବତୀ ଆଉ ସହିପାରିଲେ ନାହିଁ। କୌଣସି ଏକ ଶୁଭ ମୁହୂର୍ତ୍ତରେ ପାର୍ବତୀ ମଲ୍ଲୀ-ଚମ୍ପାର ମାଳା ଗୁନ୍ଥି ଶିବଙ୍କ ପାଖରେ ପହଞ୍ଚିଲେ। ଶିବ ସେତେବେଳକୁ ଧ୍ୟାନରତ ଥିଲେ। ‌ପାର୍ବତୀ ପଥକ୍ଳାନ୍ତ ଅନୁଭବ କରି, ଶିବଙ୍କ ପାଖରେ କିଛି କଅଁଳ ପତ୍ର ବିଛାଇ ବସିଗଲେ।

Advertisment

ଠିକ୍ ଏହି ସମୟରେ ରତି ଓ କନ୍ଦର୍ପ ଗୋପନରେ ଥାଇ କାମ ଶରକୁ ଶିବଙ୍କ ପ୍ରତି ନିକ୍ଷେପ କଲେ। ତାହା ଶିବଙ୍କର ଉରୁ ଭେଦ କଲା। ଶିବ ସଂସାର ରହସ୍ୟ ଭେଦ କରୁଥିବାରୁ ହଠାତ କିଛି ଜାଣି ପାରିଲେ ନାହଁ। ତେଣୁ ତାଙ୍କର ଧ୍ୟାନ ଭଗ୍ନ ହେଲା ଓ ସେ ପାର୍ବତୀଙ୍କୁ ଦେଖି ଲୋଭାସକ୍ତ ହେଲେ। ପାର୍ବତୀ ଏହି ସମୟରେ କହିଲେ- ‘ପ୍ରଭୁ ମୁଁ ଆପଣଙ୍କୁ ଚାହେଁ। ମୋ ଆଶା କ’ଣ ପୂରଣ ହେବନାହିଁ?’ ଶିବ କାମବାଣରେ ଜର୍ଜ୍ଜରିତ ଥିବାରୁ, ଭୋଳରେ କହିଲେ- ‘ନିଶ୍ଚୟ ମୁଁ ତୁମକୁ ଗ୍ରହଣ କରିବି। ଏ କଥା ସତ୍ୟ, ତୁମେ ହିଁ ମୋ ପତ୍ନୀ।’

ଠିକ୍ ଏହି ସମୟରେ ପାର୍ବତୀ ତାଙ୍କର ମାଳାଟିକୁ ଶିବଙ୍କ ଗଳାରେ ପିନ୍ଧାଇ ଦେଲେ। ଶିବ ଏହା ଦେଖି ଚିନ୍ତା କରିବାକୁ ଲାଗିଲେ। ମୋତେ ପୁଣି ବିବାହ ବନ୍ଧନ ଆଉ କାମନା ଗ୍ରାସ କଲା କାହିଁକି? କ’ଣ ପାଇଁ? ତେଣୁ ସେ ତାଙ୍କର ଜ୍ୟୋତି ନୟନରେ ଗୋଟି ଗୋଟି କରି ସବୁ କଥା ଦେଖିଲେ। ସେ ଦେଖିଲେ, ଅଳ୍ପ ଦୂରରେ ରତି ଆଉ କନ୍ଦର୍ପଙ୍କର ଯୁଗଳ ମୂର୍ତ୍ତି। ଶିବ କ୍ରୋଧିତ ହେବାରୁ ତାଙ୍କର ତୃତୀୟ ନୟନରୁ ନିଆଁ ବର୍ଷିଲା l ଫଳରେ କନ୍ଦର୍ପ ଜଳିଗଲେ ଏବଂ ରତି ମୂର୍ଚ୍ଛା ହୋଇଗଲେ। ତାହାପରେ ଶିବ ସଙ୍ଗେସଙ୍ଗେ ଅନ୍ତର୍ଦ୍ଧାନ ହୋଇଗଲେ। ପାର୍ବତୀ ମନଦୁଃଖରେ ବାପଘରକୁ ଫେରିଗଲେ।

ଦେବୀ ପାର୍ବତୀଙ୍କ ତପସ୍ୟା

ଶିବ ପାର୍ବତୀଙ୍କୁ ବିବାହ ପାଇଁ ସମ୍ମତ ନହେବାରୁ, ମାତା ପାର୍ବତୀ ଗୌରୀ ଶୃଙ୍ଗରେ ବଟବୃକ୍ଷ ତଳେ ଆଶ୍ରମ କରି ଘୋର ତପସ୍ୟା କଲେ। ତାଙ୍କ ସଙ୍ଗେ ଜୟା ଓ ବିଜୟା ସଖୀଦ୍ଵୟଙ୍କୁ ମଧ୍ୟ ନେଲେ। ପାର୍ବତୀଙ୍କ ତପସ୍ୟା ଦେଖି, ଜଣେ ମୁନି ଆସି ତାଙ୍କୁ ଶିବଙ୍କର ମନ୍ତ୍ର ପଞ୍ଚାକ୍ଷର ଦେଲେ। ପାର୍ବତୀ ତାହାକୁ ଜପି ଘୋର ତପସ୍ୟା କଲେ। ମାତା ପାର୍ବତୀ ବସନ୍ତ ଋତୁ ଯୋଗୁ ଖାଦ୍ୟ ଗ୍ରହଣ କଲେ ନାହିଁ, ଗ୍ରୀଷ୍ମଋତୁରେ ଚାରିପଟେ ନିଆଁ ଜଳାଇ ଶିବଙ୍କ ତପ କଲେ। ବର୍ଷା ଦିନେ ପର୍ବତର ବର୍ଷାଧାରା ତଳେ, ଶୀତଋତୁରେ ଘୋର କାକର ଜାଡ଼ରେ ତପସ୍ୟା କଲେ।

ପ୍ରଥମେ ତିନିଦିନରେ ଥରେ ଭୋଜନ କଲେ, ପରେ ଭୋଜନ ତ୍ୟାଗ କରି ପାଞ୍ଚଦିନରେ ଥରେ ଶୁଖିଲା ପତ୍ର ଗ୍ରହଣ କଲେ, ପରେ ପତ୍ର ତ୍ୟାଗ କରି କେବଳ ପବନ ଆହାର କରି ତପସ୍ୟା କରୁଥାନ୍ତି। ଏହିପରି ଭାବେ ମାତା ପାର୍ବତୀ ଶିବଶଙ୍କରଙ୍କୁ ପାଇବା ପାଇଁ ଶହେ ତପସ୍ୟା କଲେ। ଦେବୀ ପାର୍ବତୀଙ୍କର ଘୋର ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ, ପ୍ରଥମେ ଛଦ୍ମବେଶରେ ପାର୍ବତୀଙ୍କୁ ପରୀକ୍ଷା କଲେ ଓ ମାତାଙ୍କ ଅଟଳ ଭକ୍ତି ଓ ଶକ୍ତିରେ ସନ୍ତୁଷ୍ଟ ହୋଇ ଦେବୀଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ ବରଦାନ କଲେ।

ଶିବ ପାର୍ବତୀଙ୍କ ବିବାହ

ଶିବ ମାତା ପାର୍ବତୀଙ୍କୁ ବେଦୋକ୍ତ ମତରେ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ପରେ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ, ପାର୍ବତୀ ଦେବୀଙ୍କ ସହିତ ଦେବଦେବ ମହାଦେବଙ୍କ ବିବାହ ହିମବନ୍ତଙ୍କର ଗୃହରେ ସଂପନ୍ନ ହେଲା। ବିବାହ କାର୍ଯ୍ୟ ଶେଷ ହେବା ପରେ ଦେବତାମାନେ ଶିବ-ପାର୍ବତୀଙ୍କୁ ମହାସମାରୋହରେ ପୃଥିବୀ ପ୍ରଦକ୍ଷିଣ କରାଇଥିଲେ। ଶିବ-ପାର୍ବତୀଙ୍କ ସନ୍ତାନ କାର୍ତ୍ତିକେଶ୍ୱର ହିଁ ତାରକାସୁରକୁ ବଧ କରି ଦେବଲୋକରେ ଶାନ୍ତି ପ୍ରତିଷ୍ଠା କରିଥିଲେ।

ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ। ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ। ଏହି ଶୀତଳ ଷଷ୍ଠୀ ପର୍ବ ସମ୍ବଲପୁର ଅଞ୍ଚଳରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଶୀତଳଷଷ୍ଠୀ ଯାତ୍ରାରେ ଶିବ ମନ୍ଦିରରୁ ବିଭିନ୍ନ ଦେବଗଣ ବା ବରଯାତ୍ରୀଙ୍କ ସହିତ ଶ୍ୱଶୁରାଳୟ ଆସନ୍ତି। ପାର୍ବତୀଙ୍କ ପିତାମାତା ଯେକୌଣସି ମଧ୍ୟବିତ୍ତ ବା ଧନୀକ ପରିବାରର ବ୍ୟକ୍ତି ହୋଇଥାନ୍ତି। ସେମାନେ ବିବାହ ଉପଲକ୍ଷେ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି।

ଉଭୟ ଲୌକିକ ଓ ବୈଦିକ ରୀତିରେ ବିବାହସଂପନ୍ନ ହୋଇଥାଏ। କନ୍ୟାପିତାଙ୍କ ଶାଳକ ମଉଳା ଭାର ଧରି ଆସିଥାନ୍ତି। ମାତା ପାର୍ବତୀଙ୍କ ପିତା ପ୍ରତିବର୍ଷ ପରିବର୍ତ୍ତିତ ହେଉଥାନ୍ତି। ପଞ୍ଚମୀ ଦିନ ଶିବ ବର ବେଶରେ ଅନ୍ୟ ଦେବ ବରଯାତ୍ରୀଙ୍କ ସହିତ କନ୍ୟାଗୃହକୁ ରୋଷଣି କରି ଯାଆନ୍ତି। କନ୍ୟାପିତା ନିଜ ସାମର୍ଥ୍ୟ ଅନୁଯାୟୀ ଯୌତୁକ ଦେଇଥାନ୍ତି। ବରଯାତ୍ରୀଙ୍କୁ ଉତ୍ତମ ଭାବେ ଚର୍ଚ୍ଚା କରିଥାନ୍ତି। ଷଷ୍ଠୀ ଦିନ ରାତିରେ ଶିବ ବୃଷଭପିଠିରେ ଓ ପାର୍ବତୀ ସିଂହ ଉପରେ ଅଳଂକାର ଭୂଷିତା ହୋଇ ଗୃହକୁ ଯାତ୍ରା କରିଥାନ୍ତି।

ଶିବଙ୍କ ମେଢ଼ ସହିତ ଅନ୍ୟ କିଛି ଦେବତାଙ୍କ ମେଢ଼ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ଶୋଭାଯାତ୍ରା ସପ୍ତମୀ ଦିନ ମଧ୍ୟାହ୍ନରେ ଶେଷ ହୋଇଥାଏ। ବାହୁଡ଼ା ଦିନ ଶିବ-ପାର୍ବତୀ ବିରାଟ ଶୋଭାଯାତ୍ରାରେ ସହର ବୁଲିଥାନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଦଳ, ବାଦ୍ୟଦଳ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Sambalpur Sitala Sasthi Sitala Sasthi Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ