Advertisment

Chitau Amavasya: ଚିତୋଉ ଅମାବାସ୍ୟାରେ କାହିଁକି ପୂଜା ପାଆନ୍ତି ଗେଣ୍ଡା?

ଓଡ଼ିଆ ଘରେ ଅଧିକାଂଶ ଓଷାବ୍ରତ କିମ୍ବା ପୂଜାପାର୍ବଣ, କୃଷି ସହିତ ଜଡ଼ିତ। ଏହାର ମୁଖ୍ୟ କାରଣ ହେଲା ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଚିତଉ ଅମାବାସ୍ୟାକୁ ମଧ୍ୟ ଓଡ଼ିଆ ଘରେ ପାଳନ କରାଯାଏ। ତେବେ କଣ ଏହାର କାରଣ ପଢ଼ନ୍ତୁ।

ଅଦ୍ୟତନ ହୋଇଛି
Why Do People in Odisha Worship Rhinos on Chitau Amavasya?

Why Do People in Odisha Worship Rhinos on Chitau Amavasya?

Advertisment

ଚିତାଲାଗି ଅମାବାସ୍ୟା

ଚିତାଲାଗି ଅମାବାସ୍ୟା ଓଡ଼ଶାର କୃଷି ସହିତ ସଂପୃକ୍ତ ଏକ ଲୋକପର୍ବ। ଶ୍ରୀଜଗନ୍ନାଥ ଲେକଦେବତା ରୂପେ ପ୍ରତିଷ୍ଠିତ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରୁ ଅଧିକାଂଶ କୃଷି ସମ୍ବନ୍ଧୀୟ ଲୋକପର୍ବ। ଓଡ଼ିଆ ମାନଙ୍କର ସର୍ବଶ୍ରେଷ୍ଠ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତେଣୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଯେଉଁ ସବୁ ପର୍ବପର୍ବାଣୀ ପାଳନ କରଯାଏ, ଓଡିଶାର ଜନସାଧାରଣ ସେଗୁଡିକୁ ପାଳନ କରନ୍ତି। ‘ଚିତାଲାଗି ଅମାବାସ୍ୟା’ ବା ‘ଚିତଉ ଅମାବାସ୍ୟା’ ସେହପରି ଏକ ପର୍ବ।

Advertisment

ଶ୍ରାବଣ ମାସର ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା କୁହାଯାଇଥାଏ। ସେଦିନ ପୁରୀ ବଡ଼ଦେଉଳରେ ଶ୍ରୀଜଗନ୍ନାଥଙ୍କ ତ୍ରିମୂର୍ତ୍ତିଙ୍କୁ ସୁନାଚିତା ଲାଗି କରାଯାଏ ଓ ଚିତଉ-ପିଠା ଭୋଗ ଦିଆଯାଏ। ଓଡ଼ିଶାର ଘରେ ଘରେ ସେଦିନ ଚିତଉ ପିଠା ପ୍ରସ୍ତୁତ କରାଯାଇ ଠାକୁରମାନଙ୍କୁ ନୈବେଦ୍ୟ ଦିଆଯାଏ। ସମ୍ଭବତଃ ଚିତା ଓ ଚିତଉର ସମ୍ପର୍କ ଥିବାରୁ ଅମାବାସ୍ୟାର ନାମ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ହୋଇଛି।

ଚିତଉ ଅମାବାସ୍ୟା ଓ କୃଷି ପରମ୍ପରା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ। ଧାର୍ମିକ ପର୍ବପର୍ବାଣି ଛଡ଼ା ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ। ଓଡ଼ିଶାର ଧାନ ମୁଖ୍ୟ ଫସଲ। ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ। ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ। ଆଉ ଶ୍ରାବଣ ମାସ ବେଳକୁ ଧାନ ବିଲରେ ଧାନ ରୋଇବା, ବିଲ ବାଛିବା ପରି ଅନେକ କାମ ହୁଏ। ଏହି ସମୟରେ ପାଳନ ହୁଏ ଚିତଉ ଅମାବାସ୍ୟା। ଚିତଉ ଅମାବାସ୍ୟା ଦିନ କୃଷକମାନେ ଚିତଉ ପିଠା ଓ ପୂଜା ସାମଗ୍ରୀ ନେଇ ଧାନକ୍ଷେତକୁ ପୂଜା କରନ୍ତି ଓ ଭୋଗ ଦିଅନ୍ତି। ଧାନକ୍ଷେତରେ ସ୍ଵୟଂ ମହାଲକ୍ଷ୍ମୀ ବିଜେ କରିଥାନ୍ତି। ତାଙ୍କୁ ପୂଜାକରି ଚିତଉ ପିଠା ନୈବେଦ୍ୟ ଦେଲେ ଅଧିକ ଧାନ ଫସଲ ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ଅନେକଙ୍କ ମତରେ ସେଦିନ ଚିତଉ ପିଠା ଖାଇଲେ ସାରାବର୍ଷ ସ୍ବାସ୍ଥ୍ୟ ଭଲ ରହେ।

Advertisment

ଗେଣ୍ଡା ପୂଜା

ଏହି ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଏହି ପ୍ରଥା ଆଦିବାସୀ ପରମ୍ପରାରୁ ଆସିଥିବା ଅନୁମାନ କରାଯାଏ କାରଣ ସେମାନେ ପ୍ରକୃତି ପୂଜା ଯଥା ବୃକ୍ଷଲତା ଜୀବଜନ୍ତୁ ଆଦିଙ୍କୁ ଦେବତାଙ୍କ ସ୍ଥାନ ଦିଅନ୍ତି। ଚିତଉ ଅମାବାସ୍ୟା ଦିନ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି। ସେଥି ପାଇଁ ଏହି ଅମାବାସ୍ୟା “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା। ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ। ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ।

ଚିତାଲାଗି ଅମାବାସ୍ୟା ଦିନ ଗେଣ୍ଡାପୂଜା ବା ଗେଣ୍ଡଇଷୂଣୀ ପୂଜା କରାଯାଏ। ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ। ଏହାଦ୍ୱାରା ଗେଣ୍ଡା କାହାର ଗୋଡ଼ କାଟେ ନାହିଁ ବୋଲି ଲୋକବିଶ୍ୱାସ ରହିଛି। ଗେଣ୍ଡା ପୂଜା କରିବାର ସ୍ବତନ୍ତ୍ର କାରଣ କାରଣ ମଧ୍ୟ ରହିଛି। ଶ୍ରାବଣ ମାସରେ ବେଉଷଣ ହୁଏ। ଚାଷୀମାନେ ଦିନରାତି ବିଲରେ କାଦୁଅ ପାଣିରେ ପଡି ଚାଷକାମ କରନ୍ତି। ସେହି ସମୟରେ ବିଲରେ ଗେଣ୍ଡାଗୁଡ଼ିକ ଜନ୍ମ ହୁଅନ୍ତି । ଗେଣ୍ଡାର ଧାରରେ ଗୃଷୀମାନଙ୍କ ହାତଗୋଡ ଖଣ୍ଡିଆ ଖାବରା ହୋଇଯାଏ। ସମାନେ ବହୁତ କଷ୍ଟ ଭୋଗନ୍ତି। ତେଣୁ ଗେଣ୍ଡା ଯେପରି କ୍ଷତି ନକରିବ ସେପରି ବ୍ୟବସ୍ଥା ଅମାବାସ୍ୟା ଦିନ କରାଯାଏ। ସେଗୁଡ଼କୁ ପୂଜା କରାଯାଏ ଓ ଚିତଉ ପିଠା ଭୋଗ ଦିଆଯାଏ। ଏହାଦ୍ୱାରା ଗେଣ୍ଡା ମଣିଷର କ୍ଷତି କରେ ନାହିଁ ବୋଲି ବିଶ୍ୱାସ ଅଛି। ବିପଦରୁ ମୁକ୍ତି ପାଇବା ପାଇଁ ମଣିଷ ଅନାଦି କାଳରୁ ବିଭିନ୍ନ ବୃକ୍ଷଲତା, ଜୀବଜନ୍ତୁ, ପଶୁପକ୍ଷୀ ଓ ସରୀସୃପଙ୍କୁ ପୂଜା କରି ଆସୁଛି । ମଣିଷର ବିଶ୍ଵାସ ପୂଜା କଲେ ଓ ଭୋଗ ଦେଲେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି। ଗେଣ୍ଡାପୂଜା ସେଇ ବିଶ୍ଵାସର ଏକ ନିଦର୍ଶନ।

Advertisment

ନଦୀକୁ ଚିତଉ ଦାନ

ଚିତଉ ଅମାବାସ୍ୟା ସମୟରେ ଓଡିଶାରେ ନଦୀନାଳ ଜଳ ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ ନଈ ଯେତେ ଶୁଖିଲା ପଡ଼ିଥିଲେ ମଧ୍ୟ ଚିତଉକୁ ନିଶ୍ଚୟ ପାଣି ଆସିବ। ଓଡିଶାରେ ବହୁ ପ୍ରଳୟଂକାରୀ ବନ୍ୟା ଏଇ ସମୟରେ ଘଟି ଯାଇଛି।ତେଣୁ ବନ୍ୟାର ପ୍ରକୋପ କମାଇବା ପାଇଁ ଓ ଧନଜୀବନର ସୁରକ୍ଷା ପାଇଁ ଅମାବାସ୍ୟା ଦିନ ଜଳ ଦେବତା ବରୁଣଙ୍କୁ ଚିତଉ ପିଠା ଭୋଗ ଲଗାଯାଏ ବୋଲି ଅନେକ କୁହନ୍ତି।

ଚିତଉ ପିଠା ପ୍ରସ୍ତୁତି ବିଧି

ଚିତଉ ଅମାବାସ୍ୟା ଦିନ ପ୍ରସ୍ତୁତ ହେଉଥିବା ଚିତଉପିଠା ଭୋଗ ପାଇଁ ଉଦ୍ଦିଷ୍ଟ ଥିବାରୁ ଓ ଜଳଚର ଜୀବଙ୍କ ପାଇଁ ସମର୍ପଣ କରାଯାଉଥିବାରୁ, ଲେଉଟା ଯାଏ ନାହିଁ। ଗାଁ ଗହଳିରେ ବର୍ଷାଦିନେ ବିରିମୁଗ ମିଳିବା କଷ୍ଟ ସାଧ୍ୟ ତେଣୁ ଚିତଉ ପିଠା କେବଳ ଅରୁଆ ଚାଉଳରେ ହୁଏ। ଓଡ଼ିଆଣୀମାନଙ୍କର ଏ ପ୍ରକାର ପିଠା ପ୍ରସ୍ତୁତିରେ ସ୍ବତନ୍ତ୍ର ଦକ୍ଷତା ଅଛି। ପଲମ ଅଥବା ତାୱା ଦେହରେ ପିଠଉ ଦିଆଯାଇ ସରା ଢାଙ୍କି ଦିଆଯାଏ। ସରା ଚାରିପଟେ ଖଣ୍ଡେ ଓଦାକନା ଗୁଡେ଼ଇ ଦିଆଯାଏ। ଫଳରେ ପିଠା ଭଲ ଭାବରେ ସିଝେ , ତଳୁ ପୋଡ଼ିଯିବାର ଭୟ ନଥାଏ। ଏହି ପିଠାରେ ଖଦ୍ୟଗୁଣ ପରିପୂର୍ଣ୍ଣ ଭାବରେ ଥାଏ ଓ ସୁସ୍ୱାଦୁ ମଧ୍ୟ ହେଇଥାଏ।

ଭାତ ଓଡିଶାର ପ୍ରଧାନ ଖାଦ୍ୟ। ଖାଦ୍ୟର ପରିବର୍ତ୍ତନ ପାଇଁ ପୁନେଇଁ ପରବରେ ପିଠାପଣା କରଯାଏ। ଭାତ ଅପେକ୍ଷା ପିଠା ଅଧିକ ସ୍ୱାସ୍ଥ୍ୟକର ବୋଲି ମଧ୍ୟ ଧାରଣା ରହିଛି। ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ ଅନ୍ନଭୋଗ ପରେ ପୋଡ଼ପିଠା ଭୋଗ ଦିଆଯାଏ। ଗାଁ ଗହଳିରେ ଶିଶୁ ମୁଖ୍ୟତଃ ପୋଡ଼ପିଠା ଖାଇ ବଢ଼ନ୍ତି। ତେଣୁ ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଲୋକପର୍ବ ରୂପେ ଗୃହିତ ହୋଇଛି।

Festivals Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ