Story of Shani Dev
ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର ଦେବତା ରୂପେ ବିଚାର କରାଯାଏ। ଜ୍ୟୋତିଷ ଶାସ୍ତ୍ର ମତେ ଶନି ହେଉଛନ୍ତି ନବଗ୍ରହ ମାନଙ୍କ ମଧ୍ୟରେ ଗ୍ରହରାଜ। ରାଶି ମଧ୍ୟରେ ଶନି ଚଳନର ପ୍ରଭାବକୁ ଅଧିକ ଗୁରୁତ୍ଵ ଦିଆଯାଏ। ତେଣୁ ସମସ୍ତେ ଗ୍ରହରାଜ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ବିଭିନ୍ନ ପୂଜା ଓଷାବ୍ରତ କରିଥା’ନ୍ତି। ମେଷ ମାସ ବା ବୈଶାଖ ମାସର ଶନିବାର ସବୁ ଶନି ଦେବଙ୍କୁ ସମର୍ପିତ ହୋଇଥାଏ। ଅକ୍ଷୟ ତୃତୀୟା ପର ଶନିବାର ଦିନଟିକୁ ଶନିଶ୍ଚରଙ୍କ ଜନ୍ମ ଉତ୍ସବ ଭାବେ ପାଳନ କରାଯାଏ।ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଆସିଛି।
ଶନିଙ୍କ ରୂପ କଳା କାହିଁକି?
ପୁରାଣ କୁହେ ସୂର୍ଯ୍ୟ ଦେବଙ୍କ ପତ୍ନୀ ସଂଜ୍ଞାଙ୍କ ଛାୟାର ଗର୍ଭରୁ ଶନିଦେବ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ଶନିଦେବ ଛାୟାଙ୍କ ଗର୍ଭରେ ଥିଲେ ସେତେବେଳେ ଛାୟା ଭଗବାନ ଶିବଶଙ୍କରଙ୍କର ଭକ୍ତି ଓ ତପସ୍ୟାରେ ଏତେ ମଗ୍ନ ଥିଲେ ଯେ ତାଙ୍କ ନିଜ ଖାଇବା ପିଇବା ମଧ୍ୟ ଶୁଦ୍ଧ ନଥିଲା, ଯାହା ଫଳରେ ଶନିଦେବଙ୍କ ଶରୀରର ରଙ୍ଗ କଳା ହୋଇଗଲା।
ନିଜ ପିତାଙ୍କ ଶତ୍ରୁ କାହିଁକି ହେଲେ ଶନି?
ଶନିଙ୍କର ଶରୀରର ରଙ୍ଗ କଳା ଦେଖି ପିତା ସୂର୍ଯ୍ୟଦେବ ତାଙ୍କୁ ନିଜର ପୁତ୍ର ରୂପେ ସ୍ବୀକାର କଲେ ନାହିଁ, ଫଳରେ ମାତା ଛାୟା ଦେବୀଙ୍କ ମନ ଖୁବ୍ ଦୁଃଖ ହେଲା। ଏହା ଦେଖି ଶନି ନିଜ ପିତାଙ୍କୁ ଶତ୍ରୁ ବିଚାର କଲେ। ନିଜ ସାଧନା ଓ ତପସ୍ୟା ବଳରେ ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରି ବର ମାଗିଲେ ଯେ କିପରି ନିଜ ପିତା ସୂର୍ଯ୍ୟଙ୍କ ପରି ବା ତାଙ୍କଠୁ ଅଧିକ ଶକ୍ତିଶାଳୀ ହେବେ। ସେତେବେଳେ ଦେବଦେବ ମହାଦେବ ତାଙ୍କୁ ନବଗ୍ରହଙ୍କ ମଧ୍ୟରେ ଶ୍ରେଷ୍ଠ ଗ୍ରହ ହେବାର ବର ଦେଲେ। ଯାହା ଫଳରେ କେବଳ ମଣିଷ କାହିଁକି ଦେବତା ମଧ୍ୟ ଶନି ନାଁରୁ ଭୟଭୀତ ହୋଇଥା’ନ୍ତି।
ଶନିଙ୍କ ଦୃଷ୍ଟିରୁ ଗୁରୁ ବୃହସ୍ପତି ମଧ୍ୟ ରକ୍ଷା ପାଇନଥିଲେ
ଶନିଙ୍କର ବିଦ୍ୟା ଅଧ୍ୟୟନର ବୟସ ହେବା ବେଳକୁ ଦେବଗୁରୁ ବୃହସ୍ପତି କୌଣସି ଏକ କାରଣରୁ ସ୍ଵର୍ଗରୁ ଆସି ମର୍ତ୍ତ୍ୟରେ ବାସ କରୁଥିଲେ। ଶନି ନିଜର ପରିଚୟ ଗୋପନ ରଖି ଗୁରୁ ବୃହସ୍ପତିଙ୍କ ନିକଟରେ ବିଦ୍ୟା ଗ୍ରହଣ କଲେ। ବିଦ୍ୟା ଅଧ୍ୟୟନ ଶେଷ ହେବା ପରେ ଶନି ଗୁରୁ ଦକ୍ଷିଣା ଦେବାପାଇଁ କହିବାରୁ ଗୁରୁ ବୃହସ୍ପତି ଶନିଙ୍କୁ ତାଙ୍କ ପ୍ରକୃତ ପରିଚୟ ମାଗିଲେ। ଶନି ନିଜର ପ୍ରକୃତ ପରିଚୟ ଦେବାରୁ ବୃହସ୍ପତି ଭୟ ପାଇ କହିଲେ ତୁମେତ ଗ୍ରହରାଜ। ତୁମେ ମୋତେ ଗୁରୁ ଦକ୍ଷିଣା ଦିଅ ଯେ ଯେତେଦିନ ମୁଁ ମର୍ତ୍ତ୍ୟ ମଣ୍ଡଳରେ ରହିଥିବି ସେତେଦିନ ତୁମର କଠୋର ଦୃଷ୍ଟି ମୋ ଉପରେ ପଡ଼ିବ ନାହିଁ। ଏହା ଶୁଣି ଶନିଶ୍ଚର କହିଲେ ଯେ ଗୁରୁଦେବ ଏହା ସମ୍ଭବ ହୋଇ ପାରିବ ନାହିଁ। ମାତ୍ର ଦିନକ ପାଇଁ ଆପଣଙ୍କ ଉପରେ ମୋର ଦୃଷ୍ଟି ପଡ଼ିବ।
ଦିନକ ପାଇଁ ଦେବଗୁରୁ ବୃହସ୍ପତି ଭୋଗିଲେ ଶନିଦଶା
ଶନିଙ୍କର ଗୋଟିଏ ଦିନ ଦୃଷ୍ଟି ପଡ଼ିବା କଥା ଜାଣି ବୃହସ୍ପତି ନିଜ କୋଷ୍ଠି ଗଣନା କଲେ। ଶନିଙ୍କ ଦୃଷ୍ଟି ପଡ଼ିବାର ଚାରିଦିନ ପୂର୍ବରୁ ଯୋଗାସନରେ ବସି ବ୍ରହ୍ମ ଉପାସନା କରୁଥିଲେ। ନାରାୟଣଙ୍କ ଉପାସନା ପାଇଁ ବୃହସ୍ପତି ବଣକୁ ଫୁଲ ତୋଳିବାକୁ ଗଲେ ଓ ବିଭିନ୍ନ ପ୍ରକାରର ସୁବାସିତ ଫୁଲ ତୋଳି ଚଙ୍ଗୁଡ଼ାରେ ରଖି ଆସୁଥିଲେ । ଏହି ସମୟରେ ରାଜା ବୀରବାହୁ ନିଜର ରାଣୀ ଓ ପୁତ୍ରଙ୍କୁ ଧରି ବହୁ ସୈନ୍ୟ ସାମନ୍ତଙ୍କ ସହ ବଣ ଭିତରକୁ ମୃଗୟା ପାଇଁ ଯାଇଥିଲେ। ରାଣୀ ହଠାତ୍ ଦେଖିଲେ ଯେ ତାଙ୍କ ପୁଅ ପାଖରେ ନାହିଁ। ସୈନ୍ୟସାମନ୍ତ ପାତ୍ରମନ୍ତ୍ରୀ ସମସ୍ତେ ପୁଅକୁ ବଣସାରା ଖୋଜିଲେ ମାତ୍ର ପାଇଲେ ନାହିଁ। ବାଟରେ ଦେଖିଲେ ଯେ ଗୁରୁ ବୃହସ୍ପତି ଫୁଲ ଚାଙ୍ଗୁଡି ଧରି ଯାଉଛନ୍ତି। ମାତ୍ର ଚାଙ୍ଗୁଡାରୁ ଝରଝର ହୋଇ ରକ୍ତ ଝରିଝରି ରାସ୍ତା ସାରା ଯାଉଛି। ଏହା ନିଜେ ବୃହସ୍ପତି ମଧ୍ୟ ଜାଣି ନାହାନ୍ତି। ଗୁରୁଙ୍କ ଚାଙ୍ଗୁଡାରୁ ରକ୍ତ ଝରୁଥିବାର ଦେଖି ସୈନ୍ୟମାନେ ତାଙ୍କୁ ଅଟକାଇ ଦେଖିବାରୁ ସେଥିରେ ରାଜାଙ୍କ ପୁଅର କଟାମୁଣ୍ଡ ଥିବାର ଦେଖିଲେ। ସୈନ୍ୟମାନେ ଗୁରୁଙ୍କୁ ଧରି ରାଜାଙ୍କ ନିକଟକୁ ନେଲେ। ଦେବଗୁରୁ ବୃହସ୍ପତି ଜାଣିଲେ ଯେ ଶନିଙ୍କ କଠୋର ଦୃଷ୍ଟି ପାଇଁ ସେ ଆଜି ହତ୍ୟାକାରୀ ଦୋଷରେ ରାଜଦରବାରରେ ଉପସ୍ଥିତ ହୋଇଛନ୍ତି। ସେଠାରେ ଗୁରୁ ଶନିଶ୍ଚରଙ୍କୁ ମନେ ପକାଇ ଶନିଙ୍କ ସ୍ତୁତି କଲେ। ବୃହସ୍ପତିଙ୍କ ସ୍ତବରେ ସନ୍ତୁଷ୍ଟ ହୋଇ ଶନିଶ୍ଚର ଶୂନ୍ୟବାଣୀ କଲେ ଯେ ହେ ଗୁରୁଦେବ ଏବେ ସ୍ଥିର ହୁଅନ୍ତୁ, ଆପଣଙ୍କ ଉପରେ କଠୋର ଦୃଷ୍ଟି ଶେଷ ହେଲା। ଯେତେଦିନ ଏ ପୃଥିବୀରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଥିବେ ସେତେଦିନ ଯାଏଁ ଆପଣଙ୍କ ଉପରେ ଆଉ ମୋର ଦୃଷ୍ଟି ପଡ଼ିବ ନାହିଁ। ରାଜା ବୀରବାହୁଙ୍କୁ କହିଲେ ଯେ ହେ ରାଜା ଆଉ ମନ ଦୁଃଖ କରନାହିଁ, ମୋର ମାୟା ବଳରେ ତୁମ୍ଭର ପୁତ୍ର ଭଣ୍ଡାର ଘରେ ସୁରକ୍ଷିତ ଭାବେ ଶୋଇଛି ତାକୁ ସେଠାରୁ ଆଣ। ଏହିପରି ଭାବେ ଦେବଗୁରୁ ବୃହସ୍ପତି ଶନିଦଶାରୁ ରକ୍ଷା ପାଇଲେ।
ଭାରତର ତିନୋଟି ବିଶିଷ୍ଟ ସିଦ୍ଧ ଶନିପୀଠ
ଶନିଙ୍କ ଚମତ୍କାରି ସିଦ୍ଧ ପୀଠମାନଙ୍କ ମଧ୍ୟରୁ ଭାରତର ତିନୋଟି ପୀଠକୁ ମୂଖ୍ୟ ଭାବେ ଗଣନା କରାଯାଏ। ମହାରାଷ୍ଟ୍ରର ସିଙ୍ଗଣାପୁରର ଶନିପୀଠ, ମଧ୍ୟପ୍ରଦେଶ ଗ୍ୱାଲିଅରର ଶନିଶ୍ଚର ମନ୍ଦିର ଏବଂ ଉତ୍ତରପ୍ରଦେଶ କାଶୀ ନିକଟବର୍ତ୍ତୀ କୋକିଲାବନର ସିଦ୍ଧ ଶନିଦେବ ମନ୍ଦିର।
ମହାରାଷ୍ଟ୍ରର ସିଙ୍ଗଣାପୁରର ଶନିପୀଠ
ଏହି ଗାଁରେ ଶନିଦେବଙ୍କର ଅଦ୍ଭୁତ ଚମତ୍କାର ଦେଖାଯାଏ। ଏହି ଗାଁରେ ଆଜିପର୍ଯ୍ୟନ୍ତ କେହି ନିଜ ଘରେ ତାଲା ଲଗାନ୍ତି ନାହିଁ। କୁହାଯାଏ ଯେ ଏଠାରେ କେହି ଚୋର ଚୋରୀ କରନ୍ତି ନାହିଁ ବା ଚୋରୀ କରିବାର ଚେଷ୍ଟା କଲେ ଶନି କୋପଦୃଷ୍ଟିରେ ପଡ଼ିଥାଏ।
ଗ୍ୱାଲିଅରର ଶନିଶ୍ଚର ମନ୍ଦିର
ଏହି ମନ୍ଦିରରେ ଅଛନ୍ତି ମହାବୀର ହନୁମାନଙ୍କ ଦ୍ଵାରା ଲଙ୍କାରୁ ଫିଙ୍ଗା ହୋଇଥିବା ଅଲୌକିକ ଶନିଦେବଙ୍କ ପିଣ୍ଡ। ଏଠାରେ ଅମାବାସ୍ୟାରେ ସନିଶ୍ଚର ମେଳା ଅନୁଷ୍ଠିତ ହୋଇଥାଏ।
କୋକିଲାବନର ସିଦ୍ଧ ଶନିଦେବ ମନ୍ଦିର
କୁହାଯାଏ ଯେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏଠାରେ ଶନିଦେବଙ୍କୁ ଦର୍ଶନ ଦେଇଥିଲେ ଓ ଆଶୀର୍ବାଦ ଦେଇଥିଲେ ଯେ ଏ ବନ ଶନିଦେବଙ୍କର, ଯିଏ ଏହି ବନ ପରିକ୍ରମା କରିବ ସେ ଶନିଦେବଙ୍କ କୃପା ଲାଭ କରିବ। ଏବଂ ଶ୍ରଦ୍ଧା ସହକାରେ ପୂଜାପାଠ କଲେ ଶନିଦେବଙ୍କ ଦୃଷ୍ଟି ପଡ଼ିବ ନାହିଁ।
ଓଡିଶାରେ ଶନି ଓଷା
ଓଡିଶାରେ ଶନି ଓଷା ବେଶ୍ ଉତ୍ସାହର ସହ ପାଳନ କରାଯାଏ। ଭକ୍ତମାନେ ନିଷ୍ଠାର ସହ ମାସ ସାରା ଶୁଦ୍ଧପୂତ ଭାବେ ଶନିଶ୍ଚରଙ୍କ ପୂଜା କରିବା ସହ ଶନି ବୃକ୍ଷରେ ଜଳଦାନ କରନ୍ତି। ଅକ୍ଷୟ ତୃତୀୟା ପର ଶନିବାର ଦିନ ଶନିଶ୍ଚରଙ୍କ ଜନ୍ମୋତ୍ସବ ପାଳନ ହେବା ସହ ଏହି ଓଷା ଉଦଯାପନ ହୋଇଥାଏ। ଓଡିଶାରେ ସବୁ ସ୍ଥାନରେ ଶନି ମନ୍ଦିର ମାନଙ୍କରେ ଏହି ଦିନ ଉତ୍ସବ ଆୟୋଜିତ ହୁଏ। ମାତ୍ର କେତୋଟି ପ୍ରସିଦ୍ଧ ଶନି ମନ୍ଦିର ରହିଚି ଯେଉଁଠି ବେଶ୍ ଧୂମଧାମରେ ଏହି ଓଷା ସହ ମହାଯଜ୍ଞ ପାଳିତ ହୁଏ।
ଯାଜପୁର ଜିଲ୍ଲା ରାଛିପୁରର ଆଦ୍ୟ ଶନିପୀଠ
ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଆଦ୍ୟ ଶନିଶ୍ଚର ଦେବଙ୍କ ପୀଠ ରାଜ୍ୟରେ ବେଶ୍ ପୁରାତନ ଓ ପ୍ରସିଦ୍ଧ। ରାଛିପୁରର ଶନିଦେବତା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏଠାରେ ଶନିଦେବ ଏକ ଆମ୍ବଗଛରୁ ଆବିର୍ଭାବ ହୋଇଛନ୍ତି।
ଯାହାପାଇଁ ଏଠାରେ ଓଷା ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ନିଜ ପରିବାରର ମଙ୍ଗଳ ପାଇଁ ଗ୍ରହରାଜଙ୍କୁ ସନ୍ତୁଷ୍ଟ କରନ୍ତି। ଅନେକ ଭକ୍ତ ଜଳଲାଗି କରିବା ସହିତ ଶନିଦେବଙ୍କ ହୁକୁମ୍ ମିଳିବା ଯାଏ ଅଧିଆ ମଧ୍ୟ ପଡ଼ିଥାନ୍ତି। ସେଥିପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746262746.jpg)