Maa Tarini Brata: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ନେହୁରା ହେଉଥିଲେ ବ୍ରାହ୍ମଣ, ସହି ପାରିଲେ ନାହିଁ ମାତା ପାର୍ବତୀ, ତା ପରେ...

ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ।

ତାରିଣୀ ବ୍ରତର ଅଲୌକିକ କାହାଣୀ

ତାରିଣୀ ବ୍ରତ

ଦେବେନ୍ଦ୍ର ନାଥ ପରିଡ଼ା

କୁହାଯାଏ ଦେବତାମାନେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରଭୁଙ୍କ ରଥଯାତ୍ରାର ଆକର୍ଷଣ ଅଲଗା। ମହାପ୍ରଭୁ ନିଜେ ନୀଳକନ୍ଦରରୁ ପଦାକୁ ଆସନ୍ତି। ଭକ୍ତଙ୍କୁ ଭେଟନ୍ତି, ସେମାନଙ୍କ ସୁଖଦୁଃଖ ବୁଝନ୍ତି। ଲୀଳାଖେଳା ଦେଖାନ୍ତି ଓ ଭକ୍ତ ଭଗବାନ ପରମ୍ପରାକୁ ଆଗେଇ ନିଅନ୍ତି। ରଥଯାତ୍ରା ସଂପର୍କରେ ଏହି ପୌରାଣିକ କାହାଣୀଟି ପଢ଼ନ୍ତୁ, ଯାହା ସହିତ ଜଡ଼ିତ ରହିଛି ମାଆ ତାରିଣୀଙ୍କ ବ୍ରତ ପାଳନର।

ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ଓ ଜଗତ ଜନନୀ ଦେବୀ ପାର୍ବତୀ ବସି ଆଳାପ କରୁଥାନ୍ତି। ସୁନ୍ଦର ପରିବେଶ ଓ ସୁନ୍ଦର ସମୟ। ସେହିଦିନ ଥିଲା ଆଷାଢ଼ ମାସ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥି। ହଠାତ୍ ଦେବୀ ପାର୍ବତୀଙ୍କର ମନେପଡ଼ିଲା, ଏହିଦିନ ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଚାଲିଥାଏ। ରଥଯାତ୍ରା ଦେଖିବାକୁ ତାଙ୍କର ମନ ବ୍ୟାକୁଳ ହେଲା। କିନ୍ତୁ ଏ ସଂପର୍କରେ ତ ସ୍ୱାମୀଙ୍କ ସହ ଆଲୋଚନା କରିବାକୁ ପଡ଼ିବ। ଏକା ଯିବାକୁ ମନ ବଳୁନି। ତେଣୁ ମାତା ପାର୍ବତୀ ସ୍ୱାମୀ ଶିବଙ୍କ ପାଖରେ ଅଳି କରି ବସିଲେ।

‘ପ୍ରଭୁ ! ଆଜି ହେଉଛି ଆଷାଢ଼ ମାସର ଶୁକ୍ଳପକ୍ଷର ଦ୍ୱିତୀୟା ତିଥି। ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଚାଲିଛି। ମୋର ମନ ବଳୁଛି ଟିକେ ରଥଯାତ୍ରା ଦେଖିବାକୁ। ଆପଣ ସେଥିପାଇଁ ବ୍ୟବସ୍ଥା କରିଦିଅନ୍ତୁ ଓ ମୋ ସାଥୀରେ ଚାଲନ୍ତୁ।’

ଜଗତ ଜନନୀ ପାର୍ବତୀଙ୍କ ଏକଥା ଶୁଣି ସମଗ୍ର ଶିବଲୋକର ବାସିନ୍ଦା ମଧ୍ୟ ଆଗ୍ରହ ପ୍ରକାଶ କଲେ ପବିତ୍ର ରଥଯାତ୍ରା ଦେଖି ଯିବାକୁ। ଇଏତ ବଡ଼ ଅସମ୍ଭବ କଥା ହେଲା ! ପ୍ରଭୁ ଶିବ ଏବେ କରିବେ କ’ଣ? ଏବେ ସମଗ୍ର ଶିବଲୋକର ବାସିନ୍ଦାଙ୍କୁ କୁଆଡ଼େ ନେଇକି ଯିବେ। କେବଳ ପତ୍ନୀଙ୍କ ପୁରୀ ଯିବା କଥା ହେଇଥିଲେ ଚଳିଥାନ୍ତା, ଏବେ ପୂରା ଶିବଲୋକର ବାସିନ୍ଦା ଯିବେ। ସମସ୍ତଙ୍କ ଅନୁରୋଧ ଭାଙ୍ଗିବେ ବା କେମିତି। ତେଣୁ ପ୍ରଭୁ ଶିବ ରାଜି ହେଲେ। ପତ୍ନୀ ପାର୍ବତୀଙ୍କ ସମେତ ସମଗ୍ର ଶିବଲୋକକୁ ନେଇ ସେ ରଥଯାତ୍ରା ଦେଖିଯିବାକୁ ପୁରୀ ବାହାରିଲେ।

ରଥଯାତ୍ରା ଦର୍ଶନ ପାଇଁ ପୁରୀରେ ଅସମ୍ଭବ ଭିଡ଼। କିଏ ରଥ ଟଣାରେ ବ୍ୟସ୍ତ ତ କିଏ ରଥକୁ ପୂଜା କରିବାରେ ବ୍ୟସ୍ତ। କିଏ କାଳିଆ ଠାକୁରଙ୍କୁ ସୁମରଣ କରୁଛି ତ କିଏ ଯାତ୍ରୀଙ୍କ ସେବାରେ ଲାଗିଛି। ଏହି ସମୟରେ ଦେବୀ ପାର୍ବତୀଙ୍କର ଦୃଷ୍ଟି ପଡ଼ିଲା ଜଣେ ଗରିବ ବ୍ରାହ୍ମଣଙ୍କ ଉପରେ। ସେ ଜଗନ୍ନାଥଙ୍କୁ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଉଥାନ୍ତି।

ତାଙ୍କର ଦୟନୀୟ ଅବସ୍ଥା ଦେଖି ମାଆ ପାର୍ବତୀଙ୍କର ହୃଦୟ ଦୟାରେ ଉଛୁଳି ଉଠିଲା। ଶ୍ରୀଜଗନ୍ନାଥ ରଥ ଯାତ୍ରାରେ ବିଜେ କରୁଥିବାରୁ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବାରେ ବ୍ୟସ୍ତ ଥାଆନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ କଥା ଶୁଣି ସେମାନଙ୍କୁ ନ୍ୟାୟ ଦେବା ସମ୍ଭବ ନୁହେଁ। ତେଣୁ ବ୍ରାହ୍ମଣଙ୍କ ପ୍ରାର୍ଥନା ମଧ୍ୟ ସେ ଶୁଣି ନପାରିବା ସ୍ୱଭାବିକ ଥିଲା।

ଘଟଣାଟି ଦେଖି ମାତା ପାର୍ବତୀ ଆଉ ସମ୍ଭାଳି ପାରିଲେ ନାହିଁ। ଭାବିଲେ, ସେ ହୁଏତ ଟିକିଏ ଚେଷ୍ଟା କଲେ ବ୍ରାହ୍ମଣଙ୍କର ଦୁଃଖ ଶ୍ରୀଜଗନ୍ନାଥଙ୍କ ପାଖରେ ପହଞ୍ଚି ପାରିବ। ମାତା ପାର୍ବତୀ ସ୍ୱତଃ ପ୍ରବୃତ୍ତ ହୋଇ, ନିଜ ପଟରୁ ବ୍ରାହ୍ମଣଙ୍କ ଦୁର୍ଦ୍ଦଶା ମୋଚନ ଯେଭଳି ଶୀଘ୍ର ହୋଇପାରିବ ସେଇ ବ୍ୟବସ୍ଥା କଲେ।

ସେ ଦିନ ଥିଲା ମଙ୍ଗଳବାର। ମାଆ ପାର୍ବତୀ, ବ୍ରାହ୍ମଣୀ ବେଶ ଧାରଣ କରି ବ୍ରାହ୍ମଣଙ୍କୁ ସଙ୍ଗେ ସଙ୍ଗେ ଦେଖା ଦେଲେ। ନୂଆ ବେଶ ଧାରଣ ନକଲେ ତାଙ୍କୁ ନିଶ୍ଚୟ ବ୍ରାହ୍ମଣ ଚିହ୍ନି ପକେଇବେ ଯେ ସିଏ ହେଉଛନ୍ତି ଦେବୀ ପାର୍ବତୀ। ତେଣୁ ବେଶ ଧାରଣ କରି ସେ ବ୍ରାହ୍ମଣଙ୍କ ପାଖକୁ ଗଲେ ଓ କହିଲେ- ତାରିଣୀ ବ୍ରତ ପାଳନ କଲେ ଆପଣଙ୍କ ସମସ୍ତ ଦୁଃଖ ନିଶ୍ଚୟ ଘୁଞ୍ଚିଯିବ। ସେ ପୁତ୍ର ସନ୍ତାନ ଲାଭ କରିବେ ଓ ଧନ ଲାଭ କରି ପାରିବେ ବୋଲି ବ୍ରାହ୍ମଣଙ୍କୁ ମାତା ପାର୍ବତୀ କହିଲେ।

‘କିନ୍ତୁ ଏହି ବ୍ରତ ତ ମୁଁ କେବେ କରିନାହିଁ। ଏହା ସଂପର୍କରେ ମୋର ବିଶେଷ କିଛି ଜ୍ଞାନ ମଧ୍ୟ ନାହିଁ। ଆପଣ ମତେ ଏହି ବ୍ରତର ବିଧି ଓ ନୀତି ସଂପର୍କରେ ବତେଇ ଦେଇ ପାରିବେ କି?’

ମାତା ପାର୍ବତୀଙ୍କୁ ସେହି ବ୍ରାହ୍ରଣ ଆଗ୍ରହରେ ବ୍ରତର ବିଧାନ ସଂପର୍କରେ ପଚାରିଲା। ଦେବୀ ପାର୍ବତୀ ମଧ୍ୟ ସେ କଥା ତାଙ୍କୁ ବତାଇ ଦେଲେ। କହିଲେ- ‘ଆଷାଢ଼ ଶୁକ୍ଳ ନବମୀ ଦିନ ମଙ୍ଗଳବାର ପଡ଼ିଲେ ଏହି ଦୁର୍ଲଭ ବ୍ରତ ଦିବସ ପଡ଼ିଥାଏ।’ ସେ ଦିନଟି ଥିଲା ମଙ୍ଗଳବାର ଓ ଆଷାଡ଼ ଶୁକ୍ଳ ନବମୀ। ବ୍ରାହ୍ମଣ ବ୍ରତ ବିଧାନ ବୁଝି ନେଇ ସପରିବାର ବଡ଼ ଦେଉଳର ଦକ୍ଷିଣ ଦ୍ୱାର ପଟକୁ ଗଲେ। ସେଠାରେ ନିଷ୍ଠାର ସହିତ ଧୂପ, ଦୀପ, ଫୁଲ, ଫଳ ନୈବେଦ୍ୟ ଦେଇ ମାଆ ତାରିଣୀଙ୍କୁ ପୂଜା ଅର୍ଚ୍ଚନା କଲେ। ପାର୍ବତୀ ଏଥିରେ ସନ୍ତୁଷ୍ଟ ହେଲେ। ନିଜେ ବ୍ରାହ୍ମଣଙ୍କ ପୂଜା ଅର୍ଚ୍ଚନା ଗ୍ରହଣ କରି ବର ଦାନ କଲେ। ଏହାପରେ ସମସ୍ତେ ସ୍ୱସ୍ଥାନକୁ ଫେରିଗଲେ।

ସମୟ କ୍ରମେ ତାରିଣୀ ବ୍ରତ ପାଳନର ଚମତ୍କାର ଫଳ ମିଳିଲା। ବ୍ରାହ୍ମଣ ପୁତ୍ର ଲାଭ କଲେ। ତାଙ୍କର ସମସ୍ତ ପ୍ରକାର ସୌଭାଗ୍ୟ ଲାଭ ହେଲା। ସବୁଦିନ ପାଇଁ ଜୀବନର ଦୁର୍ଦ୍ଦଶା ଦୂର ହେଲା। ମହାଲକ୍ଷ୍ମୀ ନିଜେ ଏ ବ୍ରତର ଚମତ୍କାରିତାରେ ମୁଗ୍ଧ ହୋଇ ବ୍ରତ ପାଳନ କରିଥିଲେ। ବ୍ରାହ୍ମଣଙ୍କ ଦ୍ୱାରା ଏହି ବ୍ରତ ପ୍ରଚାରିତ ହେଲା। ସେହି ଦିନଠାରୁ ଲୋକମାନେ ତାରିଣୀ ବ୍ରତ ପାଳନ କରି ସୌଭାଗ୍ୟ ଲାଭ କରି ପାରୁଛନ୍ତି।