Advertisment

Akshaya Tritiya Celebration in Odisha: ଅକ୍ଷୟ ତୃତୀୟାରେ କାହିଁକି କରାଯାଏ ଜଳଦାନ, କେଉଁ ଦେବୀଙ୍କୁ ସ୍ମରଣ କରି ବୁଣାହୁଏ ବିହନ

ଅକ୍ଷୟ ତୃତୀୟା ଓଡିଶାରେ ଏକ ଶୁଭ ଦିନ ଭାବରେ ପାଳିତ ହୁଏ। ଆଜିଠାରୁ ଅନେକ ବଡ଼ ବଡ଼ କାମ ଆରମ୍ଭ ହୋଇଥାଏ। ଏହିଦିନ ପଛରେ ଅନେକ ସୁନ୍ଦର ପୌରାଣିକ ଆଖ୍ୟାନ ରହିଛି। ଆସନ୍ତୁ ପଢ଼ିବା କିଛି ଭଲ କାହାଣୀ

ଅଦ୍ୟତନ ହୋଇଛି
Mythological story behind Akshaya Tritiya traditional festival of Odisha

Mythological story behind Akshaya Tritiya traditional festival of Odisha

Advertisment

ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ। ଚାଷ ହେଉଛି ଓଡ଼ିଶାବାସୀଙ୍କର ପ୍ରଧାନ ସମ୍ବଳ। ତେଣୁ ଏହାକୁ ଭିତ୍ତି କରି ବିଭିନ୍ନ ପର୍ବ, ବ୍ରତ ପାଳିତ ହୁଏ। ଭୂମିକୁ ପୂଜା ଓ ଆରାଧନା କରିବାର ଦୃଷ୍ଟାନ୍ତ ବେଦରେ ମଧ୍ୟ ଦେଖିବାକୁ ମିଳେ। ଏହି ମାଟିର ବିଭିନ୍ନ ପ୍ରାକୃତିକ ଦୃଶ୍ୟାବଳୀ ଦେଖି ଆମେ ମୁଗ୍ଧ ହେଉ। ଏହି ମାଟିକୁ ଚାଷ କରି ଆମେ ଫସଲ ଉତ୍ପାଦନ କରୁ, ତେଣୁ ଜୀବନଧାରଣ ପାଈଁ ମାଟି ହେଉଛି ଆମର ପ୍ରଧାନ ସମ୍ବଳ। ମାଟି ଆମର ମାଆ। ତେଣୁ ତା’ର ପୂଜା ଓ ବନ୍ଦନା କରିବା ଆମର କର୍ତ୍ତବ୍ୟ। ମାଟି ପୂଜାର ଏକ ପ୍ରଧାନ ପର୍ବ ହେଉଛି ଅକ୍ଷୟ ତୃତୀୟା। ଏହା ମୁଖ୍ୟତଃ ଗୋଟିଏ କୃଷି ପର୍ବ। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ।

Advertisment

ଅକ୍ଷୟ ତୃତୀୟା ପାଳନ ବିଧି

ଅଖିମୁଠି ଏହି ଦିନ ଅନୁକୂଳ ହୁଏ। ପାଗ ଭଲ ହେଉ ବା ମନ୍ଦ ହେଉ, ଧାନବୁଣା ଆରମ୍ଭହୁଏ। ସକାଳେ ନୂଆ ଗୌଣୀରେ ବିହନ ପୂରାଇ ତାକୁ ଗୋଟିଏ ନୂଆ ଟୋକେଇରେ ରଖାଯାଏ, ତା’ ଉପରେ ନୂଆ ପାଟକନା ବା ନୂଆ ବସ୍ତ୍ର ଖଣ୍ଡିଏ ଘୋଡ଼ା ହୋଇଥାଏ। ଲକ୍ଷ୍ମୀଙ୍କୁ ନୈବେଦ୍ୟ ଦିଆଯିବା ପାଇଁ ନାନା ପିଠା ତିଆରି ହୋଇଥାଏ। ଲକ୍ଷ୍ମୀ ଠାକୁରଣୀ ପ୍ରସନ୍ନ ହେଲେ ଘରକୁ ‘ଅକ୍ଷୟ’ ଫସଲ ଆସିବ, ଘର ପୂରି ଉଠିବ। କ୍ଷେତରେ ଲକ୍ଷ୍ମୀ ପୂଜା ହୁଏ। ଈଶାଣ କୋଣରେ ଭୋଗ ଦିଆହୁଏ। ତାକୁ ସେଠିପୋତି ଦିଆଯାଏ ଓ ତା ପରେ ହଳ ବୁଲା ହୋଇ ନୂଆ ବିହନ ବୁଣାଯାଏ। ବିଶେଷତଃ ଓଡ଼ିଶା ପକ୍ଷରେ ନୂତନ ବୀଜବପନ ଦୃଷ୍ଟିରୁ ଏହା ଏକ ଶୁଦ୍ଧ ଦିବସ।

ଗଙ୍ଗା ସ୍ଵର୍ଗରୁ ଆସିଥିଲେ

ପଶ୍ଚିମ ଓଡ଼ିଶାରେ ଏହାକୁ ମୁଠି ଛୁଆଁ ଓ ଅନ୍ୟ କେତେକ ସ୍ଥାନରେ ଅଖିମୁଠି ବୋଲି କହନ୍ତି। ପୁରାଣର ବର୍ଣ୍ଣନା ଅନୁସାରେ ଗଙ୍ଗାଦେବୀ ନଦୀ ରୂପରେ ଅକ୍ଷୟ ତୃତୀୟା ଦିନ ସ୍ଵର୍ଗରୁ ମର୍ତ୍ତ୍ୟକୁ ଅବତରଣ କରିଥିଲେ। ଟଙ୍ଗା ଜଳର ଅଧିଷ୍ଠାତ୍ରୀ ଦେବୀ। ଜଳ ହେଉଛି ଶସ୍ୟର ମୂଳ କାରଣ। ଶସ୍ୟ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଶାକମ୍ବରୀ। ଗଙ୍ଗା ଓ ଶାକମ୍ବରୀ, ଦେବୀ ଦୁର୍ଗାଙ୍କର ଦୁଇଟି ନାମ। ତେଣୁ ସେହି ଦେବୀଙ୍କୁ ସ୍ମରଣ କରିବା ପାଇଁ ଅକ୍ଷୟ ତୃତୀୟା ଦିନ ବିହନ ବୁଣିବା ଆରମ୍ଭ ହୁଏ। ଏହି ଦିନ ସତ୍ୟ ଯୁଗ ଆରମ୍ଭ ହୋଇଥିବାରୁ ଏ ଦିବସଟି ବର୍ଷକ ବାର ମାସ ମଧ୍ୟରେ ସାର।

Advertisment

ପୁଣ୍ୟ ନଷ୍ଟ ହୁଏ ନାହିଁ ଏହିଦିନ

ଅକ୍ଷୟ ତୃତୀୟା ଦିନ ବ୍ରତ, ବିବାହ, ନୂତନ ଗୃହ ପ୍ରବେଶ, ଯାଗ ଯଜ୍ଞ, ଅନ୍ନ ଓ ଜଳଦାନ ପ୍ରଭୃତି ଶୁଭ କାର୍ଯ୍ୟ କରଯାଏ। ଏହି ଦିନ ତୃଷାର୍ତ୍ତକୁ ଜଳ କ୍ଷୁଧାର୍ତ୍ତକୁ ଖାଦ୍ୟ ଦାନ ଦେବାର ପରମ୍ପରା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଙ୍କ ପାଇଁ ରଥ ତିଆରି କାମ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୁଏ। ସଧବା ସ୍ତ୍ରୀମାନେ ସେଦିନ ଷଠୀଦେବଙ୍କୁ ପୂଜା କରନ୍ତି। ପୁରୀରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ।ଭଲ କାମ କଲେ ଭଲ ଫଳ ମିଳେ। ଅକ୍ଷୟ ତୃତୀୟା ଦିନ ଯେଉଁ ସବୁ ଭଲ କାମ କରଯାଏ ତା ହାର ସୁଫଳ କ୍ଷୟ ହୁଏ ନାହିଁ ବୋଲି ଲେକେ ବିଶ୍ୱାସ କରନ୍ତି । ତେଣୁ ଏହାର ନାମ ରଖା ଯାଇଛି ଅକ୍ଷୟ ତୃତୀୟା।

ଜଳଦାନର ମହତ୍ତ୍ଵ ପଛର କାହାଣୀ

ଅକ୍ଷୟ ତୃତୀୟା ଦିନ ଜଳଦାନକୁ ଏକ ବିଶେଷ ଧର୍ମ କାର୍ଯ୍ୟ ରୂପେ ଗ୍ରହଣ କରା ଯାଇଥାଏ। ଏ ବିଷୟରେ ଏକ ସୁନ୍ଦର କାହାଣୀ ଅଛି। ଜଣେ ବ୍ରାହ୍ମଣ ଥିଲା। ସେ ଥିଲା ବଡ଼ ପାପୀ। ଦିନେହେଲେ ସେ କୌଣସି ଧର୍ମ କାର୍ଯ୍ୟ କରି ନଥିଲା। ଥରେ ଆଉ ଜଣେ ବ୍ରାହ୍ମଣ ତା ଦୁଆରକୁ ଆସି ପିଇବା ପାଣି ମାଗିବାରୁ ସେ ତାକୁ ନିଷ୍ଠୁର ଭାବେ ବାଡ଼େଇବାକୁ ବାହାରିଲା। କନ୍ତୁ ଦୟା-ପରବେଶ ହୋଇ ତା ସ୍ତ୍ରୀ ସ୍ଵାମୀକୁ ସେପରି ପାପ କାର୍ଯ୍ୟରୁ ନିବୃତ କରି ବ୍ରାହ୍ମଣକୁ ଜଳଦାନ କଲା। ବହୁକାଳ ପରେ ସେହି ପାପୀ ବ୍ରାହ୍ମଣ ମରିଗଲା। ଯମ ଦୂତମାନେ ତାକୁ ବାନ୍ଧି ନେଇ ବହୁତ ଦୁଃଖ ଓ ଯନ୍ତ୍ରଣା ଦେଲେ। ପାପୀ ବ୍ରାହ୍ମଣ ଯନ୍ତ୍ରଣାରେ ଆକୁଳ ହୋଇ ଯେତେବେଳେ ପିଇବା ପାଇଁ ପାଣି ମାଗିଲା ସେତେବେଳେ ଯମ ଦୂତମାନେ କହିଲେ– ତୁ ତ ଜଳଦାନ କରି ନାହୁଁ, ଏବେ କିପରି ଜଳ ପାଇବୁ? ଏହି ସମୟରେ ସ୍ଵୟଂ ଯମରାଜ ସେଠାରେ ଉପସ୍ଥିତ ହୋଇ ବ୍ରାହ୍ମଣକୁ ପିଇବା ପାଇଁ ପାଣି ଦେଲେ। ଏହା ଦେଖି ଯମ ଦୂତମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଯମରାଜ କହିଲେ ଏହି ବ୍ରାହ୍ମଣ ଜୀବନ-ସାର ନାନା ପ୍ରକାର ଖରାପ କାର୍ଯ୍ୟ କରିଥିଲେ ମଧ୍ୟ ଏହାର ସ୍ତ୍ରୀ ଅକ୍ଷୟ ତୃତୀୟା ଦିନ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥଲା। ସ୍ତ୍ରୀର ପୁଣ୍ୟବଳରୁ ଏ ବ୍ରାହ୍ମଣ ଆଉ ନରକ ଯନ୍ତ୍ରଣା ଭେଗ କରିବ ନାହିଁ ଯମଙ୍କ ଆଦେଶରେ ତାକୁ ମୁକ୍ତି ଦିଆଗଲା।

Advertisment

ଏହି ଦିନର ବିଶେଷତ୍ଵ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ଏହି ଦିନରୁ ହୋଇ ଥାଏ। ଅକ୍ଷୟ ତୃତୀୟାରେ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରାର ମଧ୍ୟ ଶୁଭାରମ୍ଭ ହୋଇଥାଏ। ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବତା ହଳାୟୁଧ ବଳରାମଙ୍କର ଦେବୀ ରେବତୀଙ୍କ ସହ ବିବାହୋତ୍ସବ ଏହି ଅକ୍ଷତୃତୀୟା ଦିନ ଅନୁଷ୍ଠିତ ହୁଏ। ଏହି ଅକ୍ଷୟ ତୃତୀୟା ଦିନଟି ଓଡିଶାରେ କବି ଜୟଦେବଙ୍କ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ଭାରତର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରୀନାଥ ଧାମ ଏହି ଦିନ ଖୋଲାଯିବାର ବିଧି ରହିଛି। ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ (ଥାଳ ଉଠା ବିଧି) ଏହି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ।

ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କହନ୍ତି। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି।

ଆମ ଉତ୍କଳୀୟ ପରମ୍ପରାରେ ବାରମାସରେ ତେର ପର୍ବ। ତା ମଧ୍ୟରୁ ଅନେକ ପର୍ବ କୃଷି ସହ ଜଡ଼ିତ ହୋଇ ଆମ ଜନଜୀବନ ସହ ମିଶି ଯାଇଛି। ସେହିପରି ଆକ୍ଷୟତୃତୀୟା ପର୍ବ ମଧ୍ୟ ପିଢ଼ି ପରେ ପିଢ଼ି ଆମ ସମାଜରେ ତାର ଗୁରୁତ୍ବ ବଜାୟ ରଖିଚି।

Akshay Tritiya Akshaya Trutiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ