Advertisment

Sudasha Brata: ସ୍ୱର୍ଗର ନନ୍ଦନକାନନରେ ରମ୍ଭାଙ୍କ ସହ ପ୍ରେମରେ ମାତିଥିଲେ ଇନ୍ଦ୍ର, ହଠାତ୍ ଆସିଗଲେ ମହାଋଷି ଦୁର୍ବାସା, ଏହାପରେ...

ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ଓଡ଼ିଆ ନାରୀ ପାଳନ କରେ ପବିତ୍ର ସୁଦଶା ବ୍ରତ। ମାଆ ଲକ୍ଷ୍ମୀଙ୍କ ପୂଜା ପଛରେ ରହିଛି ଏକ ସୁନ୍ଦର ପୌରାଣିକ କାହାଣୀ। ଇନ୍ଦ୍ର କେମିତି ଓ କାହିଁକି ହୋଇଥିଲେ ଲକ୍ଷ୍ମୀଛଡା ଜାଣନ୍ତୁ ଏହି କାହାଣୀରୁ।

ଅଦ୍ୟତନ ହୋଇଛି
Maa Laxmi Story

Maa Laxmi Story

Advertisment

କୁହାଯାଏ, ମାଆ ଲକ୍ଷ୍ମୀଙ୍କ କରୁଣା ଥିଲେ ଜଣେ ରଙ୍କରୁ ରାଜା ହେଇପାରେ। କିନ୍ତୁ ମାଆ ଥରୁଟିଏ କାହାଠାରୁ ନିଜର ଦୟାଭାବ ହଟେଇ ଦେଲେ, ସେ ରାଜାରୁ ରଙ୍କ ହେଇଯାଏ। ମାଆ ଲକ୍ଷ୍ମୀ ହେଉଛନ୍ତି ଧନ, ଜନ, ସୁଖ, ଐଶ୍ୱର୍ଯ୍ୟର ଦେବୀ। ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗୀ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ଯୁଗେ ଯୁଗେ ମା ଲକ୍ଷ୍ମୀଙ୍କର ଆରାଧନା ହେଇ ଆସୁଛି। ମାଆ ଲକ୍ଷ୍ମୀଙ୍କ ଦୟାରୁ ଦିନେ ଦୀନାହୀନା ଶ୍ରୀୟା ଚଣ୍ଡାଳୁଣୀ ସର୍ବ ସୁଖ ସମ୍ପଦ ଲାଭ କରିଥିଲା। ସେଇ ମାଆଙ୍କ କୋପରୁ ଦିନେ ସ୍ଵୟଂ ଜଗନ୍ନାଥ, ବଳଭଦ୍ର ମହାପ୍ରଭୁଙ୍କୁ ବି ଭୋକ ଉପାସରେ ରହିବାକୁ ପଡ଼ିଥିଲା। ଦିନେ ଦେବରାଜ ଇନ୍ଦ୍ରଙ୍କ କାନ୍ଧରୁ ମଧ୍ୟ ଲକ୍ଷ୍ମୀ ଛାଡ଼ି ଯାଇଥିଲେ। କ’ଣ ଥିଲା ଏହା ପଛର କାହାଣୀ ଆସନ୍ତୁ ଜାଣିବା।

Advertisment

ପାରିଜାତ ମାଳ

ଦିନେ ଇନ୍ଦ୍ରଦେବ ଆନନ୍ଦିତ ମନରେ ନନ୍ଦନକାନନରେ ବୁଲୁଥିଲେ। ଏହି ସମୟରେ ସ୍ଵର୍ଗର ଅପୂର୍ବ ସୁନ୍ଦରୀ ଅପସରା ରମ୍ଭା, ଇନ୍ଦ୍ର ଦେବଙ୍କ ନିକଟକୁ ଗଲେ। ରମ୍ଭାଙ୍କୁ ଦେଖି ଇନ୍ଦ୍ରଙ୍କ ମନରେ କାମଭାବ ଜାଗ୍ରତ ହେଲା। ସେ ସେହି ନନ୍ଦନକାନନରେ ରମ୍ଭାଙ୍କ ସହିତ ପ୍ରେମରେ ମାତିଗଲେ। କିଛି ସମୟ ପରେ, ମହାୠଷି ଦୁର୍ବାସା ଇନ୍ଦ୍ରଙ୍କୁ ଦେଖା କରିବା ପାଇଁ ବଗିଚା ଭିତରକୁ ଆସିଲେ। ଦୁର୍ବାସା ଋଷିଙ୍କୁ ଦେଖି ରମ୍ଭା ଇନ୍ଦ୍ରଙ୍କ କୋଳରୁ ଉଠି ଗଛ ଆଢ଼ୁଆଳରେ ଲୁଚିଗଲେ। ଇନ୍ଦ୍ର ଦୁର୍ବାସାଙ୍କୁ ପ୍ରଣାମ କରି ତାଙ୍କ ଆସିବାର ଉଦ୍ଦେଶ୍ୟ ପଚାରିଲେ। ଦୁର୍ବାସା ଇନ୍ଦ୍ରଙ୍କୁ କଲ୍ୟାଣ କରି କହିଲେ- ‘ମୁଁ ନାରାୟଣଙ୍କ ପାଖକୁ ଯାଇଥିଲି। ସେ ପ୍ରସନ୍ନ ହୋଇ ତୁମ ପାଇଁ ଏ ପାରିଜାତ ମାଳ ପଠାଇଛନ୍ତି। ତୁମକୁ ଏ ମାଳ ଦେବାକୁ ମୁଁ ଏଠାକୁ ଆସିଛି।’ ମାଳ ପାଇ ଇନ୍ଦ୍ରଦେବ ଗର୍ବ କରିବା ଆରମ୍ଭ କଲେ। ରମ୍ଭାଙ୍କୁ ପାଖକୁ ଡାକି ତାଙ୍କୁ ସେ ମାଳ ଦେଇଦେଲେ।

ଇନ୍ଦ୍ରଙ୍କୁ ଅଭିଶାପ

ଇନ୍ଦ୍ରଙ୍କର ଏପରି ଗର୍ବ ଆଚରଣ ଦେଖି, ମହାଋଷି ଦୁର୍ବାସା ରାଗ ଜରଜର ହୋଇଗଲେ। ଆଉ କହିଲେ- ‘ପାପିଷ୍ଠ ! ତୁ ସ୍ଵର୍ଗର ଇନ୍ଦ୍ରପଦ ପାଇଛୁ, କିନ୍ତୁ ଦିନରେ ବାରାଙ୍ଗନା ଧରି ବୁଲୁଛୁ। ନାରାୟଣଙ୍କର ଯେଉଁ ମାଳକୁ ତପୀ, ଜପୀ, ଯୋଗୀ ଓ ସିଦ୍ଧମାନେ ପାଇପାରୁ ନାହାନ୍ତି, ତାହା ତୁମକୁ ମିଳିଛି। କିନ୍ତୁ ତୁମେ ତାକୁ ଗର୍ବରେ ଜଣେ ବାରାନାରୀ ହାତରେ ଦେଇଦେଲ ! ସେଥିପାଇଁ ଆଜି ତୋତେ ମୁଁ ଅଭିଶାପ ଦେଉଛି ଯେ- ‘ମାତା ଲକ୍ଷ୍ମୀଦେବୀ ତୋ ପୁରରେ ଆଜିଠାରୁ ଆଉ ରହିବେନି। ମର୍ତ୍ତ୍ୟର ମଣିଷ ପରି ତୋ ଦେହ ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ ସବୁ ଭୋଗ କରିବ। ନାରାୟଣଙ୍କ ପ୍ରତି ଥିବା ତୋର ଭକ୍ତି ଶେଷ ହେଇଯିବ। ତୋର ଆଉ ସୁଖ ଐଶ୍ୱର୍ଯ୍ୟ କିଛି ରହିବ ନାହିଁ। ସାରା ଜଗତ ତୋତେ ପାପୀ ବୋଲି କହିବ।’ ସେହି ସମୟରୁ ଇନ୍ଦ୍ରଙ୍କ କାନ୍ଧରୁ ଲକ୍ଷ୍ମୀ ଚାଲିଗଲେ। ଇନ୍ଦ୍ର ଲକ୍ଷ୍ମୀଛଡ଼ା ହୋଇ ଶ୍ରୀହୀନ ହୋଇଗଲେ।

Advertisment

ଇନ୍ଦ୍ରଙ୍କ କାନ୍ଧରୁ ଲକ୍ଷ୍ମୀ ଚାଲିଯିବା ପରେ, ସେ ଦେବସଭାରେ ମନଦୁଃଖରେ ବସିଥାନ୍ତି। ଇନ୍ଦ୍ରଙ୍କର ଏପରି ଅବସ୍ଥା ଦେଖି ଦେବଗଣ ଚିନ୍ତାରେ ପଡ଼ିଲେ ଆଉ ଇନ୍ଦ୍ରଙ୍କୁ ତାଙ୍କ ମାନଦୁଃଖର କାରଣ ପଚାରି ବୁଝିଲେ। ଇନ୍ଦ୍ର ଲଜ୍ଜାରେ ସବୁକଥା ଗୋଟି ଗୋଟି କରି କହିଲେ। ଦେବତାମାନେ ଇନ୍ଦ୍ରଙ୍କ କଥା ଶୁଣି ତାଙ୍କୁ ଦେବଗୁରୁ ବୃହସ୍ପତିଙ୍କଠାରୁ ପରାମର୍ଶ ନେବାକୁ କହିଲେ।

ବୃହସ୍ପତିଙ୍କ ପରାମର୍ଶ

ଇନ୍ଦ୍ରଙ୍କ ବିନତୀ ଶୁଣି ଦେବଗୁରୁ ତାଙ୍କୁ ମୁକ୍ତି ପାଇବାର ଉପାୟ ଦେଲେ। ଲକ୍ଷ୍ମୀ ଇନ୍ଦ୍ରଙ୍କ କାନ୍ଧରୁ ଚାଲିଯିବା ପରେ, ବିଷ୍ଣୁଙ୍କ ଭୁବନ ବୈକୁଣ୍ଠରେ ରହୁଛନ୍ତି। ତେଣୁ ବୃହସ୍ପତି ଇନ୍ଦ୍ରଙ୍କୁ ମହାମନ୍ତ୍ର ଦେଲେ- ସେହି ବିଷ୍ଣୁଙ୍କ ପାଦପଦ୍ମରେ ଧ୍ୟାନ କରୁଥାଅ। ମନ୍ତ୍ର ପାଇ ଇନ୍ଦ୍ରଦେବ ଆହାର, ନିଦ୍ରା ତ୍ୟାଗ କରି କଠୋର ତପସ୍ୟା କଲେ। ନାରାୟଣ ଇନ୍ଦ୍ରଙ୍କ ତପସ୍ୟା ଦେଖି, ତାଙ୍କୁ ପୁଣି ଏପରି ଅସତ କର୍ମ ନକରିବା ପାଇଁ ଆଦେଶ ଦେଲେ ଓ ପଦ୍ମାସନରେ ଲକ୍ଷ୍ମୀକବଚ ପଢ଼ି ଲକ୍ଷ୍ମୀଙ୍କୁ ଧ୍ୟାନ କରିବାକୁ କହିଲେ।

Advertisment

ଇନ୍ଦ୍ରଙ୍କ ଲକ୍ଷ୍ମୀ ପୂଜା

ଇନ୍ଦ୍ର ନାରାୟଣଙ୍କ ଆଜ୍ଞାରେ ପୁଷ୍କର ତୀର୍ଥକୁ ଯାଇ ଲକ୍ଷ୍ମୀଙ୍କ ଉପାସନା କଲେ। ଲକ୍ଷ୍ମୀକବଚ ପଢ଼ି ମହାଲକ୍ଷ୍ମୀଙ୍କ ସହସ୍ର ନାମ ଜପ କଲେ। ଏହିପରି ବହୁ ପୂଜା, ସ୍ତବ ସହ କଠୋର ତପ ପରେ ମହାଲକ୍ଷ୍ମୀ ଇନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ତୁମେ ତପସ୍ୟାରେ ମୋ ମନ ମୋହି ପାରିଚ। ମାତ୍ର ବ୍ରହ୍ମ ଅଭିଶାପକୁ ଏଡ଼େଇବା ପାଇଁ ମୋର ବଳ ନାହିଁ। ବ୍ରାହ୍ମଣମାନେ ବିଷ୍ଣୁଙ୍କ ଭକ୍ତ ହୋଇଥିବାରୁ ସେମାନେ ମୋ ପ୍ରାଣଠୁ ଅଧିକ ପୁଅ ସମାନ। ବ୍ରାହ୍ମଣ ଯେଉଁ ବସ୍ତୁ ଦିଏ, ତାହା ମୁଁ ଆଦରରେ ଗ୍ରହଣ କରେ। ତୁମେ ଏବେ ସେହି ବ୍ରାହ୍ମଣଙ୍କୁ ପୂଜା କର। ସେମାନେ ତୁମ ଉପରେ ସନ୍ତୁଷ୍ଟ ହୋଇ ମୋତେ କହିଲେ, ମୁଁ ତୁମର ସବୁ କଷ୍ଟ ଦୂର କରିବି।

ମାଆଙ୍କ ଆଦେଶ ଶୁଣି ଇନ୍ଦ୍ରଦେବ ସବୁ ଋଷିଙ୍କୁ ମନରେ ସ୍ମରଣ କଲେ। ଏହା ଜାଣି ସବୁ ଋଷିଙ୍କ ନିକଟକୁ ଆସିଲେ। ଅଙ୍ଗିରା, ପ୍ରଚେତା, କ୍ରତୁ, ଭୃଗୁ, ମରୀଚି, ଅତ୍ରି , ପୁଲହ, ପୁଲସ୍ତ୍ୟ, ସନକ, ସନନ୍ଦ ଆଦି ଅସଂଖ୍ୟ ୠଷି ଆସି ସେଠାରେ ପହଞ୍ଚିଲେ। ସେମାନେ ମହାଲକ୍ଷ୍ମୀଙ୍କୁ ଦେଖି ତାଙ୍କ ସ୍ତବ ସ୍ତୁତି କରି ବହୁ ପୂଜା କଲେ। ସେମାନଙ୍କ ପୂଜାରେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁ ସବୁ ୠଷି ମାଆଙ୍କୁ ପ୍ରାର୍ଥନା କଲେ ଯେ, ଆପଣ ଏଥର ଇନ୍ଦ୍ରଙ୍କ ଭବନରେ ରୁହନ୍ତୁ। ଆପଣଙ୍କ ବିନା ଇନ୍ଦ୍ରଦେବ ବହୁତ କଷ୍ଟ ପାଇଲେଣି। ସମସ୍ତ ବ୍ରହ୍ମର୍ଷିଙ୍କ ପ୍ରାର୍ଥନା ଶୁଣି ମାଆ ପୁଣି ଇନ୍ଦ୍ରଭୁବନକୁ ଫେରିଲେ ଓ ଇନ୍ଦ୍ର ତଥା ସର୍ବ ଦେବଗଣ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ଭୋଗ କଲେ।

ମାଆ ଲକ୍ଷ୍ମୀ ସଂସାର ଜନଙ୍କୁ ପୁତ୍ର ପରି ପାଳିଥାଆନ୍ତି। କିନ୍ତୁ ଯେଉଁ ଲୋକ ଗୁରୁଜନ, ପିତାମାତା, ଦେବଲୋକ, ପିତୃଲୋକ, ଜ୍ୟେଷ୍ଠଭାତ୍ରା ଆଦିଙ୍କୁ ଆଦର ନକରନ୍ତି ଲକ୍ଷ୍ମୀ ତାଙ୍କ ଉପରେ ରୁଷ୍ଟ ହୋଇଥାନ୍ତି। ମହାଲକ୍ଷ୍ମୀ ପ୍ରସନ୍ନ ନଥିଲେ ମଣିଷ ଋଣଗ୍ରସ୍ତ ହୁଅନ୍ତି, ଅଭାବରେ ପଡ଼ନ୍ତି। ତେଣୁ ସୌଭାଗ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଭାବେ ମାଆ ଲକ୍ଷ୍ମୀଙ୍କୁ ଭାରତର ବିଭିନ୍ନ ପ୍ରାନ୍ତରରେ ବିଭିନ୍ନ ଭାବେ ପୂଜା କରାଯାଏ। ଓଡ଼ିଶାରେ ମାଆ ଲକ୍ଷ୍ମୀଙ୍କୁ ସୁଦଶା ବ୍ରତ ଓ ମାର୍ଗଶୀର ମାସ ଗୁରୁବାରଙ୍କରେ ବିଶେଷ ଆରାଧନା କରାଯାଏ। କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡ଼ିଲେ ସୁଦଶା ବ୍ରତ ପାଳନ କରାଯାଏ। ଏହି ବ୍ରତଟିକୁ ବିବାହିତା ସ୍ତ୍ରୀ ଲେକମାନେ ପାଳନ କରିଥାନ୍ତି। ଏହି ସୁଦଶା ବ୍ରତ ଓଡ଼ିଶାର ବିଶେଷତ୍ଵ, ଏହାକୁ କେବଳ ଓଡ଼ିଆ ମହିଳାମାନେ ପାଳନ କରିଥାନ୍ତି।

Maa Laxmi Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ