Advertisment

Story of Savitri Brata: ସତ୍ୟବାନଙ୍କୁ କେମିତି ପାଇଥିଲେ ସାବିତ୍ରୀ, ତାଙ୍କର କେଉଁ ଗୁଣ ତାଙ୍କୁ ମୁଗ୍ଧ କରିଥିଲା

ଅଳ୍ପ ଆୟୂଷ ଅଛି ବୋଲି ଜାଣିବା ପରେ ମଧ୍ୟ କାହିଁକି ସତ୍ୟବାନଙ୍କୁ ବିବାହ କଲେ ସାବିତ୍ରୀ। ତାଙ୍କର କେଉଁ ଗୁଣ ସାବିତ୍ରୀଙ୍କୁ ମୁଗ୍ଧ କରିଥିଲା। ସତ୍ୟବାନଙ୍କୁ କେଉଁଠି ଓ କେଉଁ ଅବସ୍ଥାରେ ଭେଟିଥିଲେ ସାବିତ୍ରୀ?

ଅଦ୍ୟତନ ହୋଇଛି
how did savitree found her husband satyaban and which quality attracts her

how did savitree found her husband satyaban and which quality attracts her

Advertisment

ଓଡ଼ିଶାରେ ବାର ମାସରେ ତେର ପର୍ବ। ପୁଣି କେହି କେହି କହନ୍ତି ବାର ଦିନରେ ତେର ପର୍ବ। ବିଶେଷତଃ ବହୁ ପୁରାତନ କାଳରୁ ଭିନ୍ନ ଭିନ୍ନ ଓଷା ବ୍ରତ ଓଡ଼ିଶାର ଜନଜୀବନ ସହ ସଂପୃକ୍ତ। ବ୍ରତାଚାରୀ ଓ ବ୍ରତଚାରିଣୀମାନଙ୍କ ମନରେ ଦେବତାଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଉପବାସ ଓ ଉପାସନା ମାଧ୍ୟମରେ ଧର୍ମଧାରଣାକୁ ଦୃଢ଼ କରିବା ଏଗୁଡ଼କର ଉଦ୍ଦେଶ୍ୟ। ଧନପ୍ରାପ୍ତ, ପୁତ୍ରପ୍ରାପ୍ତି ଓ ସୌଭଗ୍ୟ ଲାଭ ସହ ପରକାଳର ମଙ୍ଗଳ ଇଚ୍ଛା ଏଗୁଡ଼କର ମୁଖ୍ୟ ଲକ୍ଷ୍ୟ। ସେହିପରି ଏକ ବ୍ରତ ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ମାସର ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା କୁହନ୍ତି। ସେଦିନ ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ପୂଜା ହୋମ ଓ ବ୍ରତ ପାଳିତ ହୁଏ। ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ସଧବା ନାରୀମାନେ ନିଜ ନିଜର ସ୍ଵାମୀଙ୍କ ସୁନ୍ଦର ସ୍ବାସ୍ଥ୍ୟ ଓ ସୁଦୀର୍ଘ ଆୟୁଷ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି।

Advertisment

ପାଳନ ବିଧି

ଅମାବାସ୍ୟା ଦିନ ମଧ୍ୟାହ୍ନରେ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାକର୍ମ ଆରମ୍ଭ ହୁଏ। ଗୋଟିଏ ଶିଳପୁଆକୁ ପଞ୍ଚାମୃତରେ ସ୍ନାନ କରାଇ, କଳା, ସିନ୍ଦୂର, ଲୁଗା ଓ ଅଳଙ୍କାର ପିନ୍ଧାଇ ଦିଆଯାଏ। ମୁରୁଜରେ ଅଙ୍କିତ ଏକ ମଣ୍ଡଳରେ ସେହି ଶିଳପୁଆକୁ ସାବିତ୍ରୀ ଦେବୀଙ୍କ ପ୍ରତୀକ ରୂପେ ଥୋଇ ଧୂପ, ଦୀପ, ଗନ୍ଧ, ପୁଷ୍ପ ଦେଇ ପୂଜା କରଯାଏ। ଅନ୍ୟାନ୍ୟ ବ୍ରତ ପରି ସାବିତ୍ରୀ ବ୍ରତରେ ମଧ୍ୟ ସାବିତ୍ରୀଙ୍କ ସହିତ ଗଣେଶ, ଭାସ୍କର, ବିଷ୍ଣୁ, ଶିବ ଓ ଦୁର୍ଗା ଏହି ପଞ୍ଚଦେବତାଙ୍କୁ ଏକ ଘଟ ସ୍ଥାପନ କରି ଆବାହନ ଓ ପୂଜା କରଯାଏ। ପାଚିଲା ଆମ୍ବ, ପଣସ, ସପୁରୀ, କଦଳୀ, କୋଳି ପ୍ରଭୃତି ନାନାପ୍ରକାର ଫଳ, ନଡ଼ିଆ, ମୁଗ ନୈବେଦ୍ୟ ରୂପେ ବଢ଼ାଯାଏ। ବରଗଛ ମୂଳରେ ଏହାର ସମସ୍ତ ପୂଜାବିଧି ଅନୁଷ୍ଠିତ ହୁଏ। ଅସୁବିଧା ବା ଅଭାବ ପକ୍ଷେ ବରଗଛର ଡାଳ ଖଣ୍ଡିଏ ଆଣି ପୂଜାର ମଣ୍ଡଳ ପାଖରେ ବୃକ୍ଷର ପ୍ରତୀକ ରୂପେ ସ୍ଥାପନ କରାଯାଏ। ପୂଜା ଶେଷରେ ସାବିତ୍ରୀଙ୍କ ଉପାଖ୍ୟାନ ପଢ଼ାଯାଏ। ହୋମ ଓ ପୁଷ୍ପାଞ୍ଜଳି ଦେବା ପରେ ପୂଜା ଶେଷ ହୁଏ। କଳସରେ ଆହୂତ ଦେବଗଣଙ୍କୁ ବିସର୍ଜନ ଦିଆଯାଏ। କଳସରେ ଦିଆଯାଇଥିବା ଶାଢ଼ୀ ଓ ଅଳଙ୍କାରକୁ ନେଇ ବ୍ରତାଚାରିଣୀମାନେ ପିନ୍ଧନ୍ତି ଓ ପ୍ରସାଦ ସେବନ କରନ୍ତି।

ବ୍ରତ କଥା

ଧର୍ମପ୍ରାଣ ଯୁଧିଷ୍ଠିର ଦ୍ରୌପଦୀ ଓ ଅନ୍ୟ ପାଣ୍ଡବ ଭାଇମାନଙ୍କ ସହ ବନବାସ କରୁଥିବା ସମୟରେ, ମାର୍କଣ୍ଡେୟ ଋଷି ଏମାନଙ୍କ ଆଗରେ କହିଲେ ଯେ- ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ। ନିର୍ଦ୍ଦିଷ୍ଟ ସମୟ ଉପନୀତ ହେବାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍‌ସିତ ବର ମାଗିବାକୁ କହିଲେ। ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ। ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ'ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ। ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା। ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରିଥିବାରୁ ତାହର ନାମ ସାବିତ୍ରୀ ରଖିଥିଲେ।

Advertisment

ସାବିତ୍ରୀଙ୍କର ବର ଖୋଜା

ସାବିତ୍ରୀ କ୍ରମେ ଯୌବନରେ ପାଦ ଦେବା ପରେ, ପିତା ଅଶ୍ୱପତିଙ୍କ ଆଦେଶ ନେଇ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଖୋଜିବାକୁ ଭ୍ରମଣ କରିବାକୁ ବାହାରିଲେ। ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ। ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ହୋଇ ଯାଇଥିଲେ। ତା ସହିତ ସେ ନିଜ ରାଜ୍ୟ ହରାଇ ବନବାସୀ ହୋଇ ଯାଇଥିଲେ। ତେଣୁ ସତ୍ୟବାନ ମଧ୍ୟ ସେମାନଙ୍କ ସହ ବଣରେ ରହୁଥିଲେ ଓ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ।

Advertisment

ଅଳ୍ପାୟୁଷ ସତ୍ୟବାନ

ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ।

ସତ୍ୟବାନଙ୍କ ମୃତ୍ୟୁ

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତିନିରାତି-ବ୍ରତ ଅବଲମ୍ବନ କଲେ। ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ଜାଳ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ। ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ଚିରନିଦ୍ରା ହେଲା। କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସି ରହିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସତୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ।

ଯମ ଫେରାଇଲେ ଜୀବନ

ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁସରଣ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ପ୍ରତିବଦଳରେ ତିନୋଟି ବର ଦେବାକୁ ସତ୍ୟ ରଖିଲେ। କହିଲେ, ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି। ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟଚକ୍ଷୁ ଓ ହୃତରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ। ତଥାସ୍ତୁ କହି ଯମରାଜ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ, ସାବିତ୍ରୀ ପଚାରିଲେ- ହେ ଯମରାଜ ! ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ରର ଜନନୀ ହୋଇପାରିବି? ସାବିତ୍ରୀଙ୍କ ପ୍ରଶ୍ନରେ ନିଜେ ହଡ଼ବଡ଼େଇ ଗଲେ ଯମରାଜ। କଣ ବା ଆଉ କରିପାରନ୍ତେ। ନିଜେ ତ ବର ପ୍ରଦାନ କରିଛନ୍ତି। ଅଗତ୍ୟା ନିରୁପାୟ ହୋଇ ସେ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ।

ସାବିତ୍ରୀ ବ୍ରତ ପାଳନ ଆଦର୍ଶ ଦାମ୍ପତ୍ୟ ଜୀବନର ଏକ ସଫଳ ମାର୍ଗ ବିଷୟରେ ସୂଚନା ଦିଏ। ସତୀ ଅନୁସୂୟା, ସୀତା, ଓ ସାବିତ୍ରୀ ଏବଂ ମହର୍ଷି ଅତ୍ରି , ଶ୍ରୀ ରାମ ଓ ସତ୍ୟବାନ ଆଦର୍ଶ ନାରୀ ଓ ପୁରୁଷର ଆଲେଖ୍ୟ ରୂପେ ଯୁଗଯୁଗ ଧରି ଭାରତର ଦାମ୍ପତ୍ୟ ଜୀବନକୁ ଅନୁପ୍ରାଣିତ କରି ଆସିଛନ୍ତି। ଆଜିକାଲି ଏହି ସବୁ ଆଦର୍ଶ ଅନୁସରଣ କରିବାର ଯଥାର୍ଥତା ଅଛି କି ନାହିଁ ତାହା କେବଳ ଯୁକ୍ତି ଦ୍ଵାରା ପ୍ରତିପାଦନ ନକରି ଅନୁଭୂତି ଦ୍ଵାରା ଅନୁଭବ କରିବା ବାଞ୍ଛନୀୟ।

Savitri Brata Sabitri Amabasya Sati Sabitri Sabitri Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ