Advertisment

Buddha Purnima Celebrations: ଯେଉଁଦିନ ପ୍ରଭୁ ବୁଦ୍ଧ ନିର୍ବାଣ ପ୍ରାପ୍ତି ହୋଇଥିଲେ..

ଦିନେ ବୌଦ୍ଧଧର୍ମ ପୃଥିବୀର ସବୁଠାରୁ ଲୋକପ୍ରିୟ ବିଚାରଧାରା ଥିଲା। ପୃଥିବୀର ଅଧିକାଂଶ ସ୍ଥାନରେ ପ୍ରଭୁ ବୁଦ୍ଧଙ୍କର ଲୋକପ୍ରିୟତା ରହିଥିଲା। ଓଡ଼ିଶା ସହ ସଂପର୍କ ମଧ୍ୟ ଅତି ନିବିଡ଼ ଥିଲା।

ଅଦ୍ୟତନ ହୋଇଛି
Buddha Purnima

Buddha Purnima

Advertisment

ବୌଦ୍ଧ ପରମ୍ପରାରେ ପର୍ବପର୍ବାଣି ଓ ଆଡ଼ମ୍ବର ଖୁବ୍ କମ୍। ତଥାପି ଉପସନା ଆରାଧନା, ଧ୍ୟାନ ଓ ଅଧ୍ୟବସାୟ ପାଇଁ ସାଧନା ପଥରେ ଯେଉଁ ପବିତ୍ରତା ଆବଶ୍ୟକ, ତାହାର ଆଚରଣ ବିଧି ପାଇଁ ସାରା ବର୍ଷର ପ୍ରତ୍ୟେକ ମାସର ପୂର୍ଣ୍ଣିମା ଅର୍ଥାତ୍ ବାରଟି ଯାକ ପୂର୍ଣ୍ଣିମା ତିଥି ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଇଁ ଅତ୍ୟନ୍ତ ପୁଣ୍ୟ ଦିବସ। ସେମାନେ ସାଧାରଣତଃ ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଉପବାସ ରହନ୍ତି। ଅର୍ଥାତ୍ ସନ୍ଧ୍ୟା ପରେ ରାତିରେ କଛି ଖାଦ୍ୟ ସେବନ କରନ୍ତି ନାହିଁ ଏବଂ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ଦୈନଦିନ ପ୍ରାର୍ଥନା ଓ ଧ୍ୟାନ ଛଡ଼ା ସ୍ଵତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହି ଉକ୍ତ କର୍ତ୍ତବ୍ୟ ପାଳନ କରନ୍ତି। ଏହି ସବୁ ପୂର୍ଣ୍ଣମୀ ମଧ୍ୟରେ ବୁଦ୍ଧ ପୂର୍ଣ୍ଣିମା ବା ବୈଶାଖ ପୁର୍ଣ୍ଣିମା ସର୍ବଶ୍ରେଷ୍ଠ ପୂର୍ଣ୍ଣିମା ବୋଲି ପରିଗଣିତ। ଏହି ଦିବସରେ ବୁଦ୍ଧ ଜୟନ୍ତୀ ମଧ୍ୟ ପାଳନ ହୁଏ।

Advertisment

ଦଶାବତାର ବୁଦ୍ଧ

ବୌଦ୍ଧଧର୍ମରେ ମୂର୍ତ୍ତି ପୂଜାର ବିରୋଧ କରଯାଏ ଏବଂ କୌଣସି ଦେବଦେବୀଙ୍କ ଅସ୍ତିତ୍ଵର ଅସ୍ଵୀକାର କରା‌ଯିବା ସଙ୍ଗେ ସଙ୍ଗେ ଈଶ୍ଵରଙ୍କ ସ୍ଥିତି ସମ୍ବନ୍ଧରେ ନୀରବତା ଅବଲମ୍ବନ କରିଯାଏ। କିନ୍ତୁ ସମାଲେଚକ ଗଣ ବୌଦ୍ଧଧର୍ମକୁ ସନାତନ ହିନ୍ଦୁ ଧର୍ମର ଏକ ସଂସ୍କରଣ ରୂପେ ଗ୍ରହଣ କରିଛନ୍ତି। ବୁଦ୍ଧଦେବଙ୍କୁ ଦଶ ଅବତାର ମଧ୍ୟରେ ସ୍ଥାନ ଦିଆଯାଇଛି।

ଯେତେବେଳେ ବଳିଦାନ ପ୍ରଥା ପ୍ରବଳ ଓ ଜାତିଭେଦ ବ୍ୟବସ୍ଥା ପ୍ରଚଣ୍ଡ ଏବଂ କୁସଂସ୍କାର ଭରା ସଭ୍ୟତା ସମଗ୍ର ଭାରତ ବର୍ଷକୁ ଗ୍ରାସ କରିଥିଲା, ଠିକ୍ ସେତିକି ବେଳେ ବୁଦ୍ଧଦେବ ଅବତାର ରୂପେ ଜନ୍ମଗ୍ରହଣ କରିଥିଲେ ବୋଲି ଐତିହାସିକ ତଥା ଗବେଷକମାନେ କହନ୍ତି। ଶ୍ରୀଜଗନ୍ନାଥ ଧର୍ମଧରଣା, ସନାତନ ହିନ୍ଦୁ ଧର୍ମ ଅନ୍ତର୍ଗତ ହୋଇଥିବାରୁ ବୌଦ୍ଧଧର୍ମ ଓ ହିନ୍ଦୁ ଧର୍ମ ମଧରେ ଏକ ସାଲିସ ଉଦ୍ୟମରେ ଜଗନ୍ନାଥଙ୍କୁ ରୁଦ୍ଧ ରୂପେ କେତେକ ଗ୍ରହଣ କରିଛନ୍ତି।

Advertisment

ଜଗନ୍ନାଥ ଓ ବୁଦ୍ଧ

ଜାତକ କାହାଣୀରେ ଉଲ୍ଲେଖ ଅଛି ଯେ, ବୁଦ୍ଧଦେବଙ୍କର ଗୋଟିଏ ଦନ୍ତ କଳିଙ୍ଗରେ ସୁରକ୍ଷିତ ହୋଇଥିଲା। ଏହି ଦନ୍ତ ସଂରକ୍ଷିତ ହୋଇଥିବା ସ୍ଥାନଟି ତତ୍କାଳୀନ ଦନ୍ତପୁର ନାମରେ ଖ୍ୟାତି ଅର୍ଜନ କରିଥଲା। ସେହି ସ୍ଥାନଟିକୁ ଏବେ ପୁରୀ ବୋଲି ଗବେଷକମାନେ ଅନୁମାନ କରନ୍ତି। କମ୍ବଦନ୍ତୀରୁ ଯାହା ଜଣାଯାଏ, ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ମଧ୍ୟରେ ଗୋଟିଏ ଫରୁଆରେ ଏହି ଦାନ୍ତ ଏପରି ଭାବରେ ଦୃଷ୍ଟିର ଅନ୍ତରାଳରେ ସ୍ଥାପିତ ହୋଇଛି ଯେ, ନିଜେ ରକ୍ଷକ ପଣ୍ଡା ମଧ୍ୟ ଜାଣନ୍ତି ନାହିଁ ସେଥିରେ କ’ଣ ଅଛି। ଆଖି ବନ୍ଦ କରି ସେ ଫରୁଆକୁ ନବକଳେବର ସମୟରେ ପୁଣି ଯଥାସ୍ଥାନରେ ରଖି ଦିଆଯାଏ ବୋଲି ଗବେଷଣମାନେ କୁହନ୍ତି। ବଡ଼ଦେଉଳର ତ୍ରିମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରାଙ୍କୁ ବୌଦ୍ଧଧର୍ମର ‘ ତ୍ରିରତ୍ନ’ (ବୁଦ୍ଧ, ଧର୍ମ ଓ ସଂଘ) ସହିତ ଅନେକ ଆଲୋଚକ ତୁଳନା କରନ୍ତି। ଏପରିକି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରାକୁ ବୌଦ୍ଧଧର୍ମର ତ୍ରିରତ୍ନଙ୍କ ରଥଯାତ୍ରା ବୋଲି ଅନୁମାନ କରଯାଏ।

ବୁଦ୍ଧ ଜୟନ୍ତୀର ତାତ୍ପର୍ଯ୍ୟ

ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଉଛି ଯେ, ଏହି ଦିନ ଗୌତମ ବୁଦ୍ଧ ଯେ କେବଳ ଜନ୍ମଗ୍ରହଣ କରିଥିଲେ ତାହା ନୁହେଁ, ଏହି ପୂର୍ଣ୍ଣିମା ଦିନ ବୁଦ୍ଧତ୍ତ୍ୱ ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ନିର୍ବାଣ (ମୋକ୍ଷ) ମଧ୍ୟ ପ୍ରାପ୍ତ ହୋଇଥିଲେ। ବୁଦ୍ଧଦେବଙ୍କ ସାଧନାର ସିଦ୍ଧି ପ୍ରାପ୍ତି ଆଜକୁ ଅଢ଼େଇ ହଜାର ବର୍ଷରୁ ଉର୍ଦ୍ଧ୍ବ ହେବ। ଅଦ୍ୟାବଧି ଓଡ଼ିଆମାନେ ନାନା ଭାବରେ ବୌଦ୍ଧଧର୍ମର ସିଦ୍ଧାନ୍ତକୁ ଓଡ଼ଶାର ଧର୍ମ, ସଂସ୍କୃତି,ସାହିତ୍ୟ ଓ ଆଚାରବ୍ୟବ‌ହାର କ୍ଷେତ୍ରରେ ପ୍ରୟୋଗ କରି ଆସିଛନ୍ତି। ଏହା ଅନ୍ୟାନ୍ୟ ବହୁ ଧର୍ମକୁ ଶୀଳ, ସମାଧି, ପ୍ରଜ୍ଞା ସୂତ୍ରରେ ତଥା ସତ୍ୟ, ଅହିଂସା ଓ କରୁଣାର ବାଣୀ ପ୍ରଚାର କରି ଯେପରି ପ୍ରଭାବିତ କରି ପାରିଛି; ସେହପରି ଅନ୍ୟାନ୍ୟ ବହୁ ଧର୍ମ ଦର୍ଶନ ଆଦର୍ଶ ଦ୍ୱାର ମଧ୍ୟ ପ୍ରଗତିଶୀଳ ସାମାଜିକ ମୂଲ୍ୟବୋଧ କ୍ଷେତ୍ରରେ ପରିମାର୍ଜିତ ହୋଇଛି। ମାତ୍ର ବୌଦ୍ଧ ସିଦ୍ଧାନ୍ତର ମୌଳିକତା ଯେପରି ଚିରନ୍ତନ ଏବଂ ଅପରିବର୍ତ୍ତନୀୟ ସେହିପରି ଦୃଢ଼ ଓ ଭାସ୍ଵର।

Advertisment

ଓଡ଼ିଶାରେ ବୁଦ୍ଧ ପୂର୍ଣ୍ଣିମା ପାଳନ

ଓଡ଼ିଶାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବୌଦ୍ଧ ବିହାରମାନ ସୃଷ୍ଟି ହୋଇଥଲା। କାଳକ୍ରମେ ସେଗୁଡ଼ିକ କ୍ଷୟ ହୋଇଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏବେ ମଧ୍ୟ ବୌଦ୍ଧ ଧର୍ମର ପ୍ରଭାବ ରହିଚି। କୁହାଯାଇଥାଏ ଯେ, ବରଗଡ଼ ଜିଲ୍ଲାର ଗନ୍ଧମାର୍ଦନ ପର୍ବତରେ ନୃସିଂହନାଥ ପୀଠ ବୈଷ୍ଣବ କ୍ଷେତ୍ର ରୂପେ ପରିଚିତ ହେବା ପୂର୍ବରୁ ଏହା ଏକ ବୌଦ୍ଧବିହାର ରୂପେ ଖ୍ୟାତି ଲାଭ କରିଥିଲା। ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ନାଗାର୍ଜୁନଙ୍କର ଏହା ସାଧନା କ୍ଷେତ୍ର ଥିଲା। ଏହି ପୀଠର ଅନତି ଦୂରର କେତେକ ସ୍ଥାନରୁ ବୁଦ୍ଧ ମୂର୍ତ୍ତିମାନ ଆବିଷ୍କୃତ ହୋଇଛି। ଗନ୍ଧମାର୍ଦନ ପର୍ବତର ବିଭିନ୍ନ ସ୍ଥଳରେ ବୌଦ୍ଧଶ୍ରମଣ ଗୁମ୍ଫା ଗୁଡିକ ଆଜିଯାଏଁ ଦେଖାଯାଏ।

ଓଡ଼ିଶାର ଆଠଗଡ଼, ମାଣିଆବନ୍ଧ, ସତ୍ୟବାଦୀ, ନୟାଗଡ଼, ବାଙ୍କୀ ଓ ତୁଳସୀପୁର ଆଦି ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି। ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ। ନିରବତା ଓ ନିସ୍ତବ୍‌ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି। ବୁଦ୍ଧ ଜୟନ୍ତୀ ପଡୁଥିବା ଏହି ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କହନ୍ତି। ଭାରତ ବାହାରେ ମଧ୍ୟ ବୌଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଭାରତ ବ୍ୟତୀତ ବହୁ ଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ। ସିଙ୍ଗାପୁର, ନେପାଳ, ଥାଇଲ୍ୟାଣ୍ତ, ଜାପାନ, ଶ୍ରୀଲଙ୍କା, ଇଣ୍ତୋନେସିଆ, ମାଲେସିଆ, କାମ୍ବୋଡ଼ିଆ ଆଦି ଦେଶରେ ବେଶ ଧୁମଧାମରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏହି ଅବସରରେ ଏକ ମେଳାର ମଧ୍ଯ ଆୟୋଜନ କରାଯାଇଥାଏ।

Gautam Buddha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ