୧୫ ଜଣ ଶିବସେନା ବିଧାୟକଙ୍କୁ ଓ୍ୱାଇ ପ୍ଲସ ସୁରକ୍ଷା ପ୍ରଦାନ କଲା କେନ୍ଦ୍ର

ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ପୋଲିସ କର୍ମୀ ମୁତୟନ କରାଯାଇଛି

ବିଧାୟକଙ୍କ ଅଫିସ, ଘର ଆଗରେ ସୁରକ୍ଷାକର୍ମୀ ମୁତୟନ

ମହାରାଷ୍ଟ୍ରରେ ରାଜନୈତିକ ଅନିଶ୍ଚିତତା ଲାଗି ରହିଥିବା ଭିତରେ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ପ୍ରଦାନ କରିଛନ୍ତି । ଉଦ୍ଧବଙ୍କ ନେତୃତ୍ୱରେ ଚାଲିଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ କରୁଥିବା ୧୫ ଜଣ ଶିବସେନା ବିଧାୟକଙ୍କୁ କେନ୍ଦ୍ର ସରକାର ଓ୍ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି । ବିଦ୍ରୋହର ନେତୃତ୍ୱ ନେଉଥିବା ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ଅଫିସ, ଘର ଓ ମାଲିକାନାରେ ଥିବା ସ୍ଥାନରେ ଶିବସେନା କର୍ମୀମାନେ ଆକ୍ରମଣ ଓ ଭଙ୍ଗାରୁଜା କରୁଥିବାରୁ ଏଭଳି ସୁରକ୍ଷା ପ୍ରଦାନ କରାଯାଇଥିବା କୁହାଯାଉଛି ।

ତେବେ ସିନ୍ଧେ ଏହି ସୁରକ୍ଷା ଭିତରେ ନାହାନ୍ତି । ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ପୋଲିସ କର୍ମୀ ମୁତୟନ କରାଯାଇଛି । ସେହିପରି ଆଉ କିଛି ବିଧାୟକଙ୍କ ଘର ଆଗରେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ସୁରକ୍ଷା ଦିଆଯାଉଛି । ସିନ୍ଧେଙ୍କ ଗୋଷ୍ଠୀରେ ଥିବା ଅନ୍ୟ ବିଧାୟକଙ୍କୁ ପୋଲିସ ସୁରକ୍ଷା ଦିଆଯାଇଛି । ସେପଟେ ଗତକାଲି ଉଦ୍ଧବ ଠାକରେଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗ ଦେଇନଥିବା ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ନୋଟିସ ଦିଆଯାଇଛି । ଅନ୍ୟପକ୍ଷରେ ଏହାର ଜବାବ ଦେବା ଲାଗି ୭ ଦିନ ସମୟ ଦେବାକୁ ସିନ୍ଧେ କ୍ୟାମ୍ପ ଦାବି କରିଛନ୍ତି ।

ଅନ୍ୟପଟେ ବିଦ୍ରୋହୀଙ୍କୁ ସୁରକ୍ଷା ଦିଆଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ । ସାନ୍ତାକ୍ରୁଜର କାଲିନାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଆଦିତ୍ୟ କହିଛନ୍ତି ଯେ, ସୁରକ୍ଷା ବିଦ୍ରୋହୀଙ୍କୁ ନୁହଁ କାଶ୍ମୀରର ପଣ୍ଡିତଙ୍କୁ ଅଧିକ ଆବଶ୍ୟକ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶିବସେନାର ଚିହ୍ନ ଓ ଲୋକଙ୍କ ଭଲ ପାଇବା ତାଙ୍କଠାରୁ କେହି ନେଇ ପାରିବେ ନାହିଁ ।