Odisha Politics: ନିର୍ବାଚନରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କାହିଁକି କମୁନି ମହିଳା ବିରୋଧୀ ହିଂସା 

ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ । 

ବଢୁଛି ନେତୃତ୍ୱ, କମୁନି ହିଂସା

ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବଢୁଛି । ରାଜନୀତିରେ ନାରୀ ନେତୃତ୍ୱ ଏବଂ ନିର୍ବାଚନରେ ଦଳୀୟ ମହିଳା ପ୍ରାର୍ଥୀଙ୍କ ହାର ପୂର୍ବାପେକ୍ଷା ଢ଼େର ଗୁଣା ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ମହିଳା ସଶକ୍ତିକରଣ, ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ନାରୀ ଶିକ୍ଷା ଆଦି ସମସ୍ତ କ୍ଷେତ୍ରରେ ସରକାରଙ୍କ ମାଳ ମାଳ ଯୋଜନା ରହିଛି । ମହିଳାଙ୍କ ଆର୍ଥିକ ଓ ସାମାଜିକ ନିରାପତ୍ତା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ଏଭଳି କି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ବାର୍ଷିକ ବଜେଟ ମଧ୍ୟ କିଛି କମ୍ ନୁହେଁ । ଏସବୁ ସତ୍ୱେ ଓଡିଶାରେ ମହିଳା ବିରୋଧୀ ହିଂସା ହାର ବେଧଡକ ବଢି ଚାଲିଛି କାହିଁକି ? 

ରାଜ୍ୟରେ ବୃଦ୍ଧି ପାଉଥିବା ମହିଳାଙ୍କ ପ୍ରତି ନିର୍ଯାତନା, ଦୁଷ୍କର୍ମ, ହିଂସା ଆଦି ଘଟଣା ସମାଜ ପାଇଁ ଚିନ୍ତାର ପ୍ରମୁଖ କାରଣ ମଧ୍ୟରେ ପରିଗଣିତ ହେଉଛି । ଅନ୍ୟତମ ବ୍ୟାଧି ହେଉଛି ବାଲ୍ୟ ବିବାହ ଘଟଣା, ଯେଉଁଥିରେ ଆଦୌ ବ୍ରେକ ଲାଗିପାରୁ ନାହିଁ । ରାଜନୀତିରେ ନାରୀ ନେତୃତ୍ୱଙ୍କ ସଂଖ୍ୟା ବୃଦ୍ଧି ସତ୍ୱେ ଏଭଳି ଘଟଣାଗୁଡିକର ହାର କମୁନଥିବାର କାରଣ କଣ? କେବଳ ସଂରକ୍ଷଣ ଦୃଷ୍ଟିରୁ ବାଧ୍ୟବାଧକତା ଏବଂ ପାରିବାରିକ ଚାପରେ ପଡି ମହିଳାମାନେ ରାଜନୀତିକୁ ଆସନ୍ତି ନା ମହିଳା ନେତୃତ୍ୱଙ୍କୁ ନିଷ୍ପତି ନେବାର ଅଧିକାର ଓ କ୍ଷମତାରେ ନିଜ ଦଳୀୟ ପ୍ରତିବନ୍ଧକ ରହୁଛି?

ବିଧାନସଭା ୨୦୦୯ଠାରୁ ୨୦୨୪ ବିଧାନସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୦୯ ମସିହାରେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସର୍ବାଧିକ ୧୨୯ଜଣ ମହିଳାଙ୍କ ମଧ୍ୟରୁ ୭ଜଣ ନିର୍ବାଚିତ ହୋଇଥିଲେ । ୨୦୧୪ରେ ୧୧୭ଜଣ ମହିଳା ନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ୧୧ଜଣ ବିଜୟୀ ହୋଇଥିଲେ । ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ବିଭିନ୍ନ ଦଳରୁ ୧୧୧ଜଣ ମହିଳା ପ୍ରାର୍ଥୀ ହୋଇଥିଲେ । ଏଥିମଧ୍ୟରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସମସ୍ତ ୧୩ଜଣ ମହିଳା ବିଜେଡି ଦଳର । ୨୦୧୪ ଭଳି ୨୦୨୪ ନିର୍ବାଚନରେ ମଧ୍ୟ ୧୧ ଜଣ ମହିଳା ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ସର୍ବାଧିକ ୧୭୮ ଜଣ ମହିଳା ନାମାଙ୍କନ ଭରିଥିଲେ । 

ବିଜେଡି ଶାସନ କ୍ଷମତାରେ ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ବିଧାନସଭା ନିର୍ବାଚନ ପାଇଁ ୩୩% ଏବଂ ପଞ୍ଚାୟତରେ ୫୦% ସଂରକ୍ଷଣ ନିଷ୍ପତ୍ତି କରି ନବୀନ ପଟ୍ଟନାୟକ ଚର୍ଚ୍ଚାରେ ରହିଥିଲେ । ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ମହିଳାଙ୍କ ଭୂମିକାକୁ ଧ୍ୟାନରେ ରଖି, ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଜାତୀୟ ନୀତି ଗ୍ରହଣ କରି ୨୦୦୧କୁ ମହିଳା ସଶକ୍ତିକରଣ ବର୍ଷ ଭାବରେ ଘୋଷଣା କରିଥିଲେ । ମହିଳାମାନଙ୍କୁ ସାମାଜିକ, ଆର୍ଥିକ, ଆଇନଗତ ଏବଂ ରାଜନୈତିକ ଭାବରେ ସଶକ୍ତ କରିବା ପାଇଁ ଅନେକ ଆଇନ ମଧ୍ୟ ଗ୍ରହଣ କରାଯାଇଛି ।

ଯଦିଓ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ହିଁ ରାଜ୍ୟରେ ମହିଳା ବିରୋଧୀ ହିଂସା ଦେଶର ଅପରାଧୀକ ତାଲିକାରେ ଶୀର୍ଷରେ ରହିଥିଲା ,ନୂଆ ସରକାର ଆସିବା ପରେ ଗତ ୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ ଅଧିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏଥିରୁ ମାତ୍ର ୭ଶହ ୩୮ଟି ମାମଲାରେ ·ଚାର୍ଜସିଟ ଦାଖଲ ହୋଇଛି । ବିଧାନସଭାରେ ମୁମ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିବା ତଥ୍ୟ ମୁତାବକ ୨୦୨୩ ତୁଳନାରେ ୨୦୨୪ରେ ଧର୍ତ୍ତବ୍ୟ ଅପରାଧ ମାମଲା ବୃଦ୍ଧି ପାଇଛି । ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି, ଗତ ୪ ବର୍ଷ ମଧ୍ୟରେ ପାଖାପାଖି ୩୬ ହଜାରରୁ ଅଧିକ ମହିଳା ଓ ୮ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହକୁ ଅବଗତ କରିଛନ୍ତି । 

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୃହରେ ଯେଉଁ ଉତ୍ତର ରଖିଛନ୍ତି ତାହା ଆହୁରି ଚିନ୍ତାର ବିଷୟ! ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମ ଓଡିଶାରେ ବେଧଡକ ଚାଲିଛି ବାଲ୍ୟବିବାହ ପ୍ରଥା । ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି । ଏହି ସମୟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭, ଗଞ୍ଜାମ ଜିଲ୍ଲାରେ ୯୬୬ ଏବଂ କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି । ସମାଜରେ ଏହି ପ୍ରଥାକୁ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ ଫଳ ଏମିତି!

ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ । 

ଓଡ଼ିଶାର ଗ୍ରାମ ପଞ୍ଚାୟତ ଉପରେ ଅଧ୍ୟୟନରୁ ଜଣାପଡିଛି ଯେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ମହିଳାମାନେ ବାଧ୍ୟତାମୂଳକ ଭାବେ ରାଜନୀତିରେ ପ୍ରବେଶ କରିଥାନ୍ତି । ଅଧିକାଂଶ ମହିଳା ଅଣରାଜନୈତିକ ପୃଷ୍ଠଭୂମିର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରରୋଚନା କିମ୍ବା ଗ୍ରାମ ସମ୍ପ୍ରଦାୟର ଚାପ ଯୋଗୁଁ ରାଜନୀତିରେ ପ୍ରବେଶ କରିଛନ୍ତି । ପ୍ରାୟତଃ ଦେଖାଯାଏ ଯେ ସ୍ୱାମୀ ଏବଂ ପରିବାରର ଅନେକ ସଦସ୍ୟ ନିଷ୍ପତ୍ତି ନେବାରେ ମହିଳା ପ୍ରତିନିଧିମାନଙ୍କୁ ପ୍ରଭାବିତ କରନ୍ତି । ଅଧିକାଂଶ କ୍ଷେତ୍ରରେ ମହିଳା ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଏ ଏବଂ ସେମାନେ ପରିବାରର ସଦସ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି । 

ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ପ୍ରୟାସକୁ ଆହୁରି ମଜବୁତ କରିବା ପାଇଁ, ସରକାର ମହିଳାମାନଙ୍କୁ ବିଭିନ୍ନ ଉପାୟରେ କ୍ଷତି ପହାଇବା ଏବଂ ହଇରାଣ କରିବାକୁ ଚେଷ୍ଟା କରୁଥିବା ଶକ୍ତିଶାଳୀ ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ କ୍ରୋଧରୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଚିତ । ଏହା ବ୍ୟତୀତ ସରକାର ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମିଳିତ ଭାବରେ ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ କ୍ଷମତା ନିର୍ମାଣ ପାଇଁ ପ୍ରୟାସ କରିବା ଉଚିତ ।

(ବି.ଦ୍ର- ଏହି ଲେଖାରେ ଥିବା ସମସ୍ତ ତଥ୍ୟ ସଂପୃକ୍ତ ଲେଖକଙ୍କ ନିଜସ୍ୱ ମତ)