Police-Public
ଭରତପୁର ଥାନା ତାତି ଯେତେବେଳେ ସମଗ୍ର ଭାରତକୁ ବ୍ୟାପିବାରେ ଲାଗିଥିଲା ରାୟଗଡା କାଶୀପୁର ଥାନା ଆଗାରେ ସେତେବେଳେ ନିଆଁ ଜଳୁଥିଲା! ହଜାର ହଜାର ଆଦିବାସୀ ହାତରେ ତ୍ରିରଙ୍ଗା ଧରି ଥାନା ଆଗରେ ଘେରି ରହିଥିଲେ । ଏମାନଙ୍କ ମଧ୍ୟରେ ଥିବା ଅନେକ ମହିଳା ନିଜ ନିଜ ଶିଶୁଙ୍କୁ କାଖେଇ ପ୍ରତିବାଦ କରୁଥିବା ପରିଲକ୍ଷିତ ହୋଇଥିଲା । ତେବେ କାହିଁକି ୨୦ କିଲୋମିଟର ବାଟ ପାଦରେ ଚାଲି ଚାଲି ଆସି ଥାନା ଆଗରେ ପ୍ରତିବାଦ କାରୁଥିଲେ? ଏତିକି ବେଳେ ନବରଙ୍ଗପୁର ତେନ୍ତୁଳିଖୁଂଟି ଏବଂ ରାଉରକେଲା ବିର୍ସାମୁଣ୍ଡା ଛକର ଲଜ୍ଜା ମଧ୍ୟ ରାଜ୍ୟବାସୀଙ୍କୁ ସ୍ତବ୍ଦ କରିଦେଇଛି । ସେ ରାଜଧାନୀ ଭୁବନେଶ୍ୱର ହେଉ ଅବା ଗ୍ରାମାଂଚଳ, ଲୋକଙ୍କଠାରେ ପୁଲିସ ନିଜର ବିଶ୍ୱସନିୟତା ହରାଉଛି କାହିଁକି? ସାଧାରଣରେ ପୁଲିସକୁ କାହିଁକି ଏକ “ଭିଲେନ୍” ନଜରରେ ଦେଖାଯାଉଛି? ପୁଲିସ-ପବ୍ଲିକ ଫ୍ରେଣ୍ଡଲି କ’ଣ କେବଳ ପରିକଳ୍ପନା?
ଭରତପୁର ଭୟ:
ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା ଦେଶରେ କମ୍ପନ ସୃଷ୍ଟି କରିଛି। ପ୍ରମୁଖ ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରସାରଣ ପରେ ଜାତୀୟ ରାଜନୈତିକ ନେତୃତ୍ୱମାନଙ୍କ ପ୍ରତିକ୍ରିୟା ଘଟଣାର ଗୁରୁତ୍ୱକୁ ଢେର ଗୁଣ ବଢାଇ ଦେଇଛି । ଜଣେ ମହିଳା ଅଧରାତିରେ ରାସ୍ତାରେ ଅସାମାଜିକ ଯୁବକଙ୍କ ଅତ୍ୟାଚାରରୁ ବର୍ତ୍ତି ଥାନାରେ ଯାହାକୁ ଗୁହାରୀ କରିବାକୁ ଯାଇଥିଲେ ସେହି ପୁଲିସ ଦ୍ୱାରା ତାଙ୍କୁ ନିର୍ଯାତନାର ଶୀକାର ହେବାକୁ ପଡିଲା? ଜଣେ କ୍ୟାପଟେନ୍ ଆଉ ଜଣେ ଓକିଲ, ରାଜଧାନୀ ଭଳି ଆଦର୍ଶ ଥାନାରେ ଅଭିଯୋଗ ଶୁଣିବା ବଦଳରେ ଯଦି ଜଣେ ମହିଳାଙ୍କୁ ପୁଲିସ ଦ୍ୱାରା ଅକଥନୀୟ ନିର୍ଯାତନାର ସାମ୍ନା କରିବାକୁ ପଡେ ତେବେ ଜଣେ ସାଧାରଣ ଲୋକ କି ଆଶା କରିବ? ଭରତପୁର ଘଟଣାରେ ଏଭଳି ଧାରଣା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ।
ବିଶ୍ୱାସ ଜିଣିଲେ ମୋହନ ସରକାର:
ସେପଟେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସେନା ଅଧିକାରୀ ଲେଫ୍ଟନାଂଟ ଜେନେରାଲ ଏହି ଘଟଣାରେ ହସ୍ତକ୍ଷେପ ପାଇଁ ଚିଠିଲେଖି ଅନୁରୋଧ ମଧ୍ୟ କରିଥିଲେ । ବିରୋଧୀଦଳମାନେ ଏହି ଘଟଣାକୁ କେନ୍ଦ୍ର କରି ତୀବ୍ର ପ୍ରତିବାଦ ଓ ଆନ୍ଦୋଳନ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଘଟଣାର ନ୍ୟାୟୀକ ତଦନ୍ତ ଦାବୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାର ଆଇନଗତ ଯାଂଚ କରିବାକୁ ଘୋଷଣା କରିବା ପରେ ପରିସ୍ଥିତିରେ ଏକରକମ ସ୍ୱାଭାବିକକା ଆସିଛି । ବିରୋଧୀ ବିଜେଡି ମଙ୍ଗଳବାର ୨୪ ତାରିଖ ଦିନ ୬ ଘଂଟିଆ ରାଜଧାନୀ ବନ୍ଦ ଡାକରାକୁ ପ୍ରତ୍ୟାହୃତ କରିଛି । ବିରୋଧୀଙ୍କ କଥା ମାନି ମୋହନ ସରକାର ଲୋକଙ୍କ ବିଶ୍ୱାସ ଜିତିଛନ୍ତି । ବର୍ତ୍ତମାନ ଜଷ୍ଟିସ ଚିତ୍ତରଂଜନ ଦାଶ ଭରତପୁର ଥାନା ଘଟଣାର ଯାଂଚ କରି ୬୦ ଦିନ ଭିତରେ ରିପୋର୍ଟ ଦେବେ । ଏବେ କମିଶନଙ୍କ ରିପୋର୍ଟକୁ ଅପେକ୍ଷା ।
କାଶୀପୁର ନହେଉ ଢିଙ୍କିଆ:
କାଶୀପୁର ଘଟଣା କିନ୍ତୁ ଭିନ୍ନ! ଭରତପୁର ଥାନା ଘଟଣାରେ ସମଗ୍ର ରାଜ୍ୟ ତଥା ଦେଶ ଯେତେବେଳେ କମ୍ପନ ସୃଷ୍ଟି କରୁଥିଲା ସେତିକି ବେଳେ ଶୁକ୍ରବାର ଦିନ କାଶୀପୁରରେ ଶହ ଶହ ପୁରୁଷ ମହିଳା ଆଦିବାସୀ ମେଳି ବାନ୍ଧି ଥାନା ଆଗରେ ପ୍ରତିବାଦର ନିଆଁ ଜାଳିଥିଲେ । ସେମାନଙ୍କ ଅଭିଯୋଗ ଥିଲା ପୁଲିସ ମିଛଟାରେ ଅଗଣତାନ୍ତ୍ରୀକ ଭାବେ ତାଙ୍କର ଜଣେ ନେତା କାର୍ତ୍ତିକ ନାୟକଙ୍କୁ ଉଠାଇ ଆଣିଛି । ପ୍ରକୃତରେ ଏଠାରେ ସିଜିମାଳୀ ଖଣି ଖନନକୁ ନେଇ ସ୍ଥାନୀୟ ଆଦିବାସୀ ବିରୋଧ କରି ଆସୁଛନ୍ତି । ଆଉ ଶ୍ରୀ ନାୟକ ଏହାର ନେତୃତ୍ୱ ନେଉଛନ୍ତି । ତେବେ ଶୁକ୍ରବାର ଥାନା ଆଗରେ ଆଦିବାସୀମାନଙ୍କ ପ୍ରତିବାଦ ପୋଡା ଜଳା ଘଟଣା ଆଗାମୀ ଦିନରେ ଢିଙ୍କିଆ ଘଟଣାର ପୁନରାବୃତ୍ତି ଆଶଙ୍କା କରିଛନ୍ତି ପରିବେଶବିତ ଓ ବୁଦ୍ଧିଜୀବୀ । ଜାନୁଆରୀ ୨୦୨୨ରେ ୩୦ଟି ଗ୍ରାମର ଲୋକେ କମ୍ପାନୀ ବିରୋଧରେ ପ୍ରତିବାଦ କରି ପୁଲିସର ନିର୍ମମ ବର୍ବରୋଚିତ ଲାଠିମାଡରେ ଲହୁଲୁହାଣ ହେବାର ସେହି ଢିଙ୍କିଆ ଚିତ୍ର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେଣୁ ଏଭଳି ସ୍ଥିତି ଯେଭଳି ସିଜିମାଳୀ ଆନ୍ଦୋଳନ କ୍ଷେତ୍ରରେ ନଘଟେ ସେଥିପାଇଁ ବର୍ତ୍ତମାନର ସରକାର ଚିନ୍ତାଶୀଳ ହେବା ଆବଶ୍ୟକ ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727422535.jpg)