Advertisment

ଲଗାତର ୫ମ ଥର ପାଇଁ ଖୋର୍ଦ୍ଧାରେ ପରିଷଦ ଗଢ଼ିବ ବିଜେଡି ? ନା ଏଥର ବାଜି ପଲଟେଇବ ବିଜେପି ?

ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ ।

ଅଦ୍ୟତନ ହୋଇଛି
panchayat poll

panchayat poll

Advertisment

ଦୀର୍ଘ ଦୁଇ ଦଶନ୍ଧି ହେଲା ଖୋର୍ଦ୍ଧା ଜିଲ୍ଲା ପରିଷଦ ଶାସକ ବିଜେଡି କବଜାରେ । ଏଥର ପଂଚମ ଥର ପାଇଁ ପରିଷଦ ଗଢିବାକୁ ଅଂଟା ଭିଡିଛି ଦଳ । ଗଲା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏଠି ବିପୁଳ ବିଜୟ ସହ ପରିଷଦ ଗଢ଼ିଥିଲା ବିଜେଡି । ଅଧ୍ୟକ୍ଷ ପଦରେ ବସିଥିଲେ ପ୍ରଫୁଲ୍ଲ କୁମାର ଦଳେଇ, ଉପାଧ୍ୟକ୍ଷ ହୋଇଥିଲେ ପ୍ରଦୀପ୍ତ କିଶୋର ଛୋଟରାୟ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୩୦ ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ଜିତିଥିଲା ୨୦ଟି ଜୋନ୍ ବିଜେପି ୧୦ଟି ଜୋନରେ ଗେରୁଆ ବାନା ଉଡ଼ାଇଥିଲା ବେଳେ ଖାତା ଖୋଲିବାକୁ ସକ୍ଷମ ହୋଇ ପାରି ନଥିଲା କଂଗ୍ରେସ । ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୧୦ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୦ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୯୦ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ , ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୨୭୧୧ ।

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । କିଏ ଦଖଲ କରିବ ପଂଚାୟତ? କାହା ସମିତି ସଭ୍ୟ ହେବେ ବ୍ଳକ୍ ଚେୟାରମ୍ୟାନ୍? ରାଜନୈତିକ ଦଳ ମାନଙ୍କ ଅଙ୍କକଷା ଭିତରେ ସାଧାରଣ ଭୋଟର କିନ୍ତୁ ନିଜ ଅଂଚଳର ସମସ୍ୟାକୁ ନେଇ ଚିନ୍ତିତ । ରାତି ପାହିଲେ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ପ୍ରାର୍ଥୀଙ୍କ ଠାରୁ ପ୍ରତିଶ୍ରୁତି ଚାହୁଁଛି ଭୋଟର । କେବଳ ସମସ୍ୟା ନୁହେଁ, ବହୁ ଦିନର ଦାବି ପ୍ରତି ଅଣଦେଖା କରିଥିବା ନେତାଙ୍କ ପାଖରେ ଏବେ ସେସବୁ ପୁଣି ଦୋହରାଉଛନ୍ତି ଆଉ ମାଗୁଛନ୍ତି ତାର ଜବାବ ।

ରାତି ପାହିଲେ ପାୱାର ଟିଲରର କାନଫଟା ଶବ୍ଦ । ପ୍ରତିଦିନ ଶହ ଶହ ଟନ୍ ପଥର ଖନନ । ଜିଲ୍ଲାରେ ଗଢି ଉଠିଛି ଏମିତି ଏକାଧିକ ପଥର ଖଣି । ସେଥିରୁ ଅଧିକାଂଶ ବେଆଇନ୍ ପଥର ଖଣି ପାଇଁ ଗାଁ ମୁଣ୍ଡରେ ଶହ ଶହ ଫୁଟ ଗଭୀରର ଗାତ ସୃଷ୍ଟି ହେଲାଣି । ଆଉ ପ୍ରତିବାଦ କଲେ ମାଫିଆ ଦେଉଛନ୍ତି ଧମକ । ସେପଟେ ପଥୁରିଆ ଅଂଚଳ ହୋଇଥିବାରୁ ଜଳସେଚନ ବିନା ଏଠି ଚାଷୀ ପାଇଁ ଫସଲ ଅମଳ କାଠିକର ପାଠ । ବର୍ଷା ହେଲେ ଅମଳ ନଚେତ୍ ଗଜା ମରୁଡି । ଖାଲି ଏତିକିରେ ଦୁଃଖ ସରେନି ବିଲରେ । ଏକର ଏକର ଫସଲ ଉଜାଡିଦିଅନ୍ତି ହାତୀପଲ । ଖଳାରେ ବି କମେନି ହାତୀ ବିପଦ ।

Advertisment

ଜିଲ୍ଲାରେ ରହିଛି ବଡ ବଡ ଶିଳ୍ପ ସଂସ୍ଥା । ଖୋର୍ଦ୍ଧା ଶିଳ୍ପାଂଚଳରେ ହଜାର ହଜାର ଲୋକ ନିଯୁକ୍ତି ପାଇଥିଲେ ମଧ୍ୟ ଗ୍ରାମାଂଚଳରେ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ସୁଯୋଗ ନାହିଁ । ଖୋର୍ଦ୍ଧା ଏବଂ ସାରୁଅ ଶିଳ୍ପାଂଚଳ ଚିମିନିର ଧୂଆଁ ଦେଖି ଗାଁର ବେକାର ଶିକ୍ଷିତ ବେକାର , ଭାଗ୍ୟକୁ ନିନ୍ଦିବା ଛଡା କୌଣସି ଚାରା ନାହି । ସେହିପରି ଖୋର୍ଦ୍ଧାର ପରିଚୟ ଓ ବୀରତ୍ୱର ପ୍ରତୀକ ପାଇକ ମଧ୍ୟ ଆଜି ଅବହେଳିତ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ହେଉ ଅବା ପାଇକ ବଂଶଧରଙ୍କ ପ୍ରତି ସମ୍ମାନ, ଯେପରି ଏଥିପ୍ରତି ନିଘା ନାହିଁ କାହାର । ଏହାକୁ ନେଇ ଖୋର୍ଦ୍ଧା ଅଂଚଳରେ ତୀବ୍ର ପ୍ରତିକ୍ରିୟା ରହିଛି ।

ଚିଲିକା ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି । ଏହି ନିର୍ବାଚନମଣ୍ଡଳୀର ୧୫ ହଜାରରୁ ଅଧିକ ପରିବାର ହ୍ରଦ ଉପରେ ନିର୍ଭରଶୀଳ । ନିର୍ବାଚନ ଆସିଲେ ବିଭିନ୍ନ ଦଳର ନେତା ଚିଲିକା ଖୋଳିବା, ଜାଲ ହଟାଇବା ଏବଂ ଚିଲିକାର ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ସରିଲେ ସବୁ ଭୁଲିଯାଆନ୍ତି । ଜିଲ୍ଲାର ବାଣପୁର ଓ ଚିଲିକା ବ୍ଳକର ୩୪ଟି ପଂଚାୟତବାସୀଙ୍କ ଆଉ ଏକ ସମସ୍ୟା ହେଉଛି ଦାଦନ ଅଧିକାଂଶ ଘରୁ କେହି ନା କେହି ବାହାର ରାଜ୍ୟକୁ ଯାଆନ୍ତି ଦାଦନ ଖଟିବାକୁ ।

Advertisment

ତେବେ ଭୋଟ୍ ପାଖେଇ ଆସୁଥିବା ବେଳେ ଜିଲ୍ଲାରେ ଜମୁଛି କ୍ୟାମ୍ପେନ୍। ଦଳ ଦଳ ହୋଇ ଜନତାଙ୍କ ଦୁଆର ଦୁନଆର ନେତା । ଭୋଟ୍ ହାତେଇବାକୁ ଗାଁ ଗାଁରେ ଦମ୍ ଲଗେଇ ଦେଲେଣି ସବୁ ଦଳ । ହେଲେ ଏଥର କାହାର ହେବ ଖୋର୍ଦ୍ଧା ଜିଲ୍ଲା ପରିଷଦ ? ଲଗାତର ୫ମ ଥର ପାଇଁ ପରିଷଦ ଗଢ଼ିବ ବିଜେଡି ? ନା ଏଥର ବାଜି ପଲଟେଇବ ବିଜେପି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ । କାରଣ ଯଦିଓ ସେତେବେଳେ ୧୦ଟି ଜୋନ୍ ହାତେଇ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି, କିନ୍ତୁ ୧୭ ପରଠୁ ସ୍ଥିତି ଆହୁରି ବଦଳି ଯାଇଛି । ସେତେବେଳେ ବିଜେପିରେ ଥିବା ଜିତୁମିତ୍ର ଏବେ ବିଜେଡିର ବିଧାୟକ । କଂଗ୍ରେସର ଟାଣୁଆ ନେତା ପ୍ରଦୀପ ସାହୁ ବି ହାତ ଛା଼ଡ଼ି ଏବେ ଶଙ୍ଖ ଶିବିରରେ । ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ନିଲମ୍ବିତ ହୋଇ ମଧ୍ୟ ଦଳୀୟ ଟିକେଟରୁ ଆରମ୍ଭ କରି ପ୍ରଚାରର ମଙ୍ଗ ତାଙ୍କ ହାତରେ । ତେଣୁ ଏସବୁ ସମୀକରଣ ସହ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କ ମ୍ୟାଜିକ୍ ଓ ଜନହିତକାରୀ ଯୋଜନା ବଳରେ ଦଳ ସମସ୍ତ ୩୦ ଆସନ ଜିତି ପରିଷଦ ଗଢ଼ିବ ବୋଲି ଦୃଢୋକ୍ତି ବାଢ଼ିଛି ବିଜେଡି ।

ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ରଙ୍କ ସହ ଖୋର୍ଦ୍ଧାରୁ ବଳରାମ ଲେଙ୍କାଙ୍କ ରିପୋର୍ଟ ଓଟିଭି

Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ