ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେତେବେଳେ ମୁମ୍ବାଇ ଓ ଦିଲ୍ଲୀରେ ରୋଡ ଶୋ’ କରି ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରୁଥିଲେ ଏହି ସମୟରେ ସୁନ୍ଦରଗଡର କୋଇଡା ଖଣି ଅଂଚଳରେ ହଜାର ହଜାର ଆଦିବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଖଣ୍ଡଯୁଦ୍ଧର ଚିତ୍ର ସାମ୍ନାକୁ ଆସିଲା । ସମ୍ପୃକ୍ତ ଖଣି କମ୍ପାନୀ ୨୦୨୧ରେ ଏଠାରେ ଖନନ କାର୍ଯ୍ୟ ଆରମ୍ଭ କଲାବେଳେ ଯେଉଁସବୁ ନିୟମ ପ୍ରତିଶ୍ରୁତି ଦେଇଥିଲା ସେଗୁଡିକ ବାରମ୍ବାର ଦାବୀ ସତ୍ତ୍ୱେ ପୂରଣ ହୋଇନଥିବାରୁ ଏଭଳି ସ୍ଥିତି ଦେଖାଦେଇଥିଲା ।
କେବଳ କୋଇଡା ନୁହେଁ, ଏହାର କିଛି ଦିନ ପୂର୍ବରୁ ରାୟଗଡା, କୋରାପୁଟ ଆଦି ରାଜ୍ୟର ଅନେକ ଖଣିଜ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବିଭିନ୍ନ ଆପତ୍ତି ଅଭିଯୋଗରେ ଲୋକଙ୍କ ବିକ୍ଷୋଭ, ଆନ୍ଦୋଳନ ସାମ୍ନାକୁ ଆସିଛି । ଏଭଳି କି ପୂର୍ବ ସରକାରରେ ସବୁ ନୀତି, ନିୟମ, ଆଇନ, କାନୁନକୁ ଦଳିମକଚି ବେଆଇନ ବେଧଡକ ଖଣିଜ ସମ୍ପଦ ହରିଲୁଟ ହେବାର କୁଢ କୁଢ ଅଭିଯୋଗ ହୋଇଛି । ସିଏଜି ଏନେଇ ଅନେକ ଖୁଲାସା କରିଛନ୍ତି । ଖାଲି ସେତିକି ନୁହେଁ, ଆଜି ରାଜଧାନୀ ଦିଲ୍ଲୀ ଯେଉଁ ପ୍ରଦୂଷଣର ସାମ୍ନା କରୁଛି ଓଡିଶା ପାଇଁ ମଧ୍ୟ ବିଷ ବଳୟର ଆହ୍ୱାନ କିଛି କମ୍ ନାହିଁ! ରାଜ୍ୟର ଜଙ୍ଗଲ ଧ୍ୱଂସ, ପ୍ରାକୃତିକ ସମ୍ପଦର ଅବକ୍ଷୟ, ନଦୀ, ପାଣି, ପବନ ପ୍ରଦୂଷିତ ହେବା ସହିତ ଅଦିନିଆ ବର୍ଷା, ମରୁଡି ଓ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଦେଖାଦେଇଛି ।
ଆଉ ଏସବୁ ସତ୍ତ୍ୱେ ବି ବାହାର ରାଜ୍ୟକୁ ଛୁଟୁଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କ ସୁଅକୁ ରୋକାଯାଇ ପାରି ନାହିଁ । ରାଜ୍ୟର ବିକାଶ ପାଇଁ ଉତ୍କର୍ଷ ଓଡିଶା କନକ୍ଲେଭ ଆୟୋଜନ କଲାବେଳେ ଏବଂ ଖଣି ଭିତ୍ତିକ ଶିଳ୍ପ କାରଖାନା ନିଷ୍ପତ୍ତି ନେବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ସରକାରରେ ହୋଇଥିବା ଏ ସମସ୍ତ ବିଷୟ ଉପରେ ସମୀକ୍ଷା କରିବା ଉଚିତ ।
୨୦୧୬ରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଇତି ମଧ୍ୟରେ ୩ଟି କନ୍କ୍ଲେଭର ଆୟୋଜନ କରିଛି । ୨୦୧୮ କନକ୍ଳେ୍ଭରେ ଯୋଗ ଦେଇ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆବଶ୍ୟକୀୟ କଂଚାମାଲର ମାତ୍ର ୨୦ ପ୍ରତିଶତ ମିଳୁଥିବା କହିଥିଲେ । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ସେ କହିଥିଲେ, ସରକାରୀ କମ୍ପାନୀକୁ କୋଇଲା ଦିଆଯାଉଛି, ପ୍ରାଇଭେଟ୍ କମ୍ପାନୀକୁ କୋଇଲା ଦିଆଯାଉ ନାହିଁ । ସେହିଭଳି ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ କୋଇଲା, ଆଇରନ୍ ଓର୍ ସହିତ ଭିତ୍ତିଭୂମିର ଆହ୍ୱାନକୁ ସାମ୍ନା କରିବାକୁ ପଡୁଥିବା କହିଥିଲେ । ଅନୁଗୁଳରେ ୪୫ ହଜାର କୋଟି ନିବେଶରେ ପ୍ଲାଣ୍ଟରୁ ବାର୍ଷିକ ୬ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବାବେଳେ ଆଗାମୀ ୨୦୩୦ ସୁଦ୍ଧା ଏହାକୁ ୨୦ ମିଲିୟନ ଟନ୍କୁ ବୃଦ୍ଧି କରାଯିବ ଆଉ ଏଥିପାଇଁ ୫୦ ହଜାର କୋଟି ନିବେଶ କରିବା ନେଇ ଶ୍ରୀ ଜିନ୍ଦଲ କହିଥିଲେ । ୨୦୨୨ ତୃତୀୟ ପର୍ଯ୍ୟାୟ କନ୍କ୍ଲେଭରେ ୧୦ ଲକ୍ଷ କୋଟି ନିବେଶ ପ୍ରସ୍ତାବ ଆସିବା ଦାବୀ କରାଯାଇଥିଲା ।
ତେବେ ଏହି ୩ଟି ପର୍ଯ୍ୟାୟରେ ଦେଶ ବିଦେଶ ବୁଲି ନିବେଶକଙ୍କୁ ସାକ୍ଷାତ କରିବା, ରୋଡ ଶୋ’ ଏବଂ କାର୍ଯ୍ୟକ୍ରମର ମୋଟାମୋଟି ଆୟୋଜନ ବାବଦକୁ କେତେ ରାଜସ୍ୱ ଖର୍ଚ୍ଚ ହୋଇଛି? କେତେ କୋଟିର କେତୋଟି ଶିଳ୍ପ ଓଡିଶାକୁ ଆସିଛି? ରାଜ୍ୟର କେତେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ଏବଂ କେତେ ଅଧିବାସୀ ନିଜର ଜୀବିକା ହରାଇଛନ୍ତି? କେତୋଟି ବୃହତ ଶିଳ୍ପ ଅଧାରୁ ବନ୍ଦ ହୋଇଛି ଓ କାହିଁକି? ନଦ ନଦୀ, ପାହାଡ, ଜଙ୍ଗଲ, ଜମି, ବିଜୁଳି ସର୍ବୋପରି ଓଡିଶାର ପରିବେଶ କେତେ କ୍ଷତି ସହିଛି? ରାଜ୍ୟ ସରକାର ଓ ଶିଳ୍ପ କମ୍ପାନୀ ବିରୋଧରେ କେଉଁ ଅଭିଯୋଗରେ କେତେ ମାମଲା ଏନଜିଟି ଏବଂ ଅନ୍ୟାନ୍ୟ ଅଦାଲତକୁ ଯାଇଛି?
ମୋହନ ସରକାର ଆସନ୍ତା ଜାନୁଆରୀ ମାସରେ ଆୟୋଜନ କରିବାକୁ ଯାଉଛନ୍ତି ‘ଉତ୍କର୍ଷ ଓଡିଶା କନ୍କ୍ଲେଭ ୨୦୨୫’ । ଜାନୁଆରୀ ୨୮ ଓ ୨୯ରେ ଏହି କନ୍କ୍ଲେଭ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ ହୋଇଛି । ୫ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶ ବିଦେଶର ପ୍ରଖ୍ୟାତ ପୁଞ୍ଜିପତି, ଶିଳ୍ପପତିମାନଙ୍କ ସମାଗମରେ ହେବ ମହାସମ୍ମେଳନ । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଓ ଦିଲ୍ଲୀରେ ସଫଳ ରୋଡ ଶୋ’ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଡ ବଡ କମ୍ପାନୀ ମୁଖ୍ୟଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କୁ ଏହି କନ୍କ୍ଲେଭକୁ ଆମନ୍ତ୍ରିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଳୀ ରୋଡ଼ ସୋ’ ସମୟରେ ବେଦାନ୍ତ ପକ୍ଷରୁ ରାଜ୍ୟରେ ଏକ ନୂଆ ଆଲୁମିନିୟମ ରିଫାଇନାରି ଓ ଆଲୁମିନିୟମ ପ୍ରସ୍ତୁତି ପାଇଁ ନୂତନ ପ୍ଲାଣ୍ଟ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗର ପ୍ରତିଶ୍ରୁତି ପାଇଛନ୍ତି ।
ଓଡିଶାରେ ଅଧିକ ନିବେଶ ହେଲେ ଶିଳ୍ପ ସମୃଦ୍ଧି ଘଟିବ, ରାଜ୍ୟର ବିକାଶ ହେବ, ବେକାର ଯୁବକ ଯୁବତୀଙ୍କ ଲାଗି ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ; ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ପ୍ରଶଂସନୀୟ! କିନ୍ତୁ କେବଳ ପ୍ରାକୃତିକ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ଖଣି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କଲାବେଳେ ପୂର୍ବ ସରକାରଙ୍କ ନିୟମଗୁଡିକୁ ନିରୀକ୍ଷଣ କରିବା ଆବଶ୍ୟକ । ଗ୍ରାମସଭା ଓ ସ୍ଥାନୀୟ ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବୀକୁ ପ୍ରାଧାନ୍ୟ ଏବଂ ଆବଶ୍ୟକ ଅନୁସାରେ ଖନନ ଅନୁମତି ଦେବା ଉଚିତ । ତା’ନହେଲେ ଦକ୍ଷିଣ ଓଡିଶାରୁ ବକ୍ସାଇଟ ଆଉ କେନ୍ଦୁଝରରେ ସନ୍ଧାନ ମିଳିଥିବା ସୁନା ଖଣି ବି ଦିନେ ଖାଲି ହୋଇଯିବ!
‘ଓଡିଆ ଅସ୍ମିତା’ କେବଳ ଏକ ରାଜନୈତିକ ସ୍ଲୋଗାନ ନୁହେଁ, ଯାହାକୁ ଅସ୍ତ୍ର କରି ନିର୍ବାଚନୀ ବିଜୟ ହାସଲ କରି ହେବ । ଓଡିଶାର ମାଟି, ବନ, ପାଣି, ପବନରେ ମଧ୍ୟ ରହିଛି ଅସ୍ମିତାର ବାସ ଓ ଶ୍ୱାସ । ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ପ୍ରତିଟି ଓଡିଆଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ନୂଆ ସରକାର ଏହା ଭୁଲିବା ଅନୁଚିତ ଯେ, ଏହି ‘ଓଡିଆ ଅସ୍ମିତା’ର ନାରାରେ ସରକାର ପରିବର୍ତ୍ତନ ଘଟିଲା । ୨୪ ବର୍ଷର ନିରବଛିନ୍ନ ସରକାରକୁ ପ୍ରତ୍ୟାଖ୍ୟାନ କରି ଲୋକେ ବିକଳ୍ପ ବାଛିଲେ । ଏବେ ‘ବିକଳ୍ପ ସରକାର’ ପୂର୍ବ ସରକାରଙ୍କ ସେହି ରାସ୍ତା ଠାରୁ ଭିନ୍ନତାର ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାର ସମୟ ଆସିଛି l
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)