Suniti Mund: ସନ୍ୟାସ ନେଲେ ସୁନୀତି !! କୁମ୍ଭରେ ବାଳ ପକେଇ ଲାଣ୍ଡି ହେଲେ, ଫେସବୁକରେ ଲେଖିଲେ ଏମିତି କଥା...

ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...

ସନ୍ୟାସିନୀ ବେଶରେ ସୁନୀତି ମୁଣ୍ଡ

ସେତେବେଳେ ପ୍ରବଳ ଚର୍ଚ୍ଚାରେ ଥିଲେ। ଦେଖା ନାହିଁ ଶୁଣା ନାହିଁ, ହଠାତ୍ କୁଆଡ଼ୁ ଆସି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଗଲେ। ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇ ଭଲ ଭୋଟ୍ ବି ପାଇଲେ। କିନ୍ତୁ ଅଧିକ ଚର୍ଚ୍ଚା ହେବା ଆଗରୁ ତାଙ୍କ ରାଜନୈତିର କ୍ୟାରିୟର ଏକପ୍ରକାର ଆକ୍ସିଡେଣ୍ଟ ହେଇଗଲା। ଫଳରେ ଚର୍ଚ୍ଚା ସେଇଠି ଥମିଗଲା। ଯେମିତି ଝଡ଼ ପରି ଆସିଥିଲେ ସେମିତି ମହାବାତ୍ୟା ପରି ଉଭାନ ହୋଇଗଲେ।

ଇଏ ହେଉଛି ଭୁବନେଶ୍ୱର ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କ ରାଜନୈତିକ କାହାଣୀ। ନିକଟରେ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କିଛି ଫଟୋ ଓ ଭିଡିଓକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ କୁମ୍ଭମେଳା ପାଇଁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଯାଇଛନ୍ତି। ଆପଣ କହିପାରନ୍ତି, ମହାକୁମ୍ଭ ତ ସମସ୍ତେ ଯାଉଛନ୍ତି ସୁନୀତି ମୁଣ୍ଡ ଚାଲିଯିବା କୋଉ ଗୋଟେ ବଡ଼କଥା। କିନ୍ତୁ ସେ ଫଟୋ ଆଉ ଭିଡିଓ ଦେଖିଲେ ଆପଣ ଅସଲ କଥାଟି ଜାଣିବେ। ଯେଉଁଥିରୁ ଅନୁମାନ କରିହେଉଛି ସେ ସନ୍ୟାସ ନେବାକୁ ଭିତ୍ତିପ୍ରସ୍ତର ପକେଇଛନ୍ତି। ଏମିତିକି ଲଣ୍ଡା ବି ହେଇ ସାରିଲେଣି।

ଏହି ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି, ସୁନୀତି ସେଠି ଲଣ୍ଡା ହୋଇଛନ୍ତି। ଅର୍ଥାତ ଈଶ୍ୱରୀୟ ମାନସିକ ରଖି ବାଳ-ବିସର୍ଜନ କରିଛନ୍ତି। ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀରେ ନିଜ ଫେସବୁକ୍ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସୁନୀତି ଲେଖିଛନ୍ତି- ‘ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା। ଆଜିର ଏହି ପବିତ୍ର ଦିନରେ ନିଜ ଶରୀରର ସୌନ୍ଦର୍ଯ୍ୟ ବଢ଼ାଉଥିବା କେଶ ତ୍ୟାଗ କଲି। ହେ ମା ସରସ୍ଵତୀ, କୃପା କରି ମୋ ଲେଖନୀରେ ଅଧିକ ଶକ୍ତି ସ୍ଫୁରିତ କର। ଅନ୍ୟାୟ ବିରୁଦ୍ଧରେ ମୋ ଲେଖନୀ ଅଧିକ ଶାଣିତ ହେଉ।

କୁମ୍ଭକୁ ଯିବା ପୂର୍ବରୁ ଗୋଟେ ୱେବ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ସୁନୀତି ଅଳ୍ପେ ବହୁତେ ସନ୍ୟାସ ନେବା ସଂପର୍କରେ ସୂଚନା ଦେଇଥିଲେ। ସତରେ ସେ କଣ କରିବେ ତାହା ତାଙ୍କୁ ହିଁ ଜଣା, କିନ୍ତୁ ସେ କହିଛନ୍ତି, କୁଣ୍ଡଳିନୀ ଜାଗ୍ରତ କରିବାକୁ ମୁଁ ଭବିଷ୍ୟତରେ ଚେଷ୍ଟା କରିବି, ସେ ଦିଗରେ ଆଗକୁ ଯିବି, ଆଧ୍ୟାତ୍ମିକ ଆଡ଼କୁ ଢ଼ଳିବେ। କିନ୍ତୁ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି କହିଲେ ସୁନୀତି ମୁଣ୍ଡ। ତେବେ ସେଇଠି ସେ ମଧ୍ୟ କୁମ୍ଭମେଳା ଯାଇ ଲଣ୍ଡା ହେବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

ଜଣେ ଲେଖିକା ଓ ସାମ୍ବାଦିକା ଭାବରେ ସେମିତି କିଛି ଉଲ୍ଲେଖନୀୟ ସଫଳତା ପାଇନଥିବା ସୁନୀତି ମୁଣ୍ଡଙ୍କ ରାଜନୈତିକ କ୍ୟାରିୟର ଅଚାନକ ଆରମ୍ଭ ହୋଇଥିଲା ୨୦୨୨ ମସିହା ମାର୍ଚ୍ଚ ୫ ତାରିଖରେ, ଯେଉଁଦିନ ତାଙ୍କୁ ବିଜେପି ତରଫରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଓଡ଼ିଶା ରାଜନୈତିକ ଜଗତରେ ଆଦୌ ପରିଚିତ ନଥିବା ସୁନୀତି ହଠାତ୍ ରାତାରାତି ଏକ ପରିଚିତ ଚେହେରାରେ ପରିଣତ ହୋଇଥିଲେ। ବିଜେପି ପରି ଏକ ରାଷ୍ଟ୍ରୀୟ ଦଳର ମେୟର ପ୍ରାର୍ଥୀ ହେବା କିଛି କମ୍ ସୌଭାଗ୍ୟର କଥା ନଥିଲା। କିନ୍ତୁ ତାଙ୍କୁ ମିଳିଥିବା ଏହି ରାଜନୈତିକ ଲିଫ୍ଟର ଫାଇଦା ସେ ନେଇପାରିବେ ନାହିଁ। ପାଖାପାଖି ୬୧ ହଜାର ଭୋଟ୍ ବ୍ୟବଧାନରେ ସେ ବିଜେଡିର ସୁଲୋଚନା ଦାସଙ୍କଠାରୁ ହାରି ଯାଇଥିଲେ।

ଏହାପରେ ପ୍ରାୟ ସୁନୀତି ପୁଣି ଲୁଚି ଯାଇଥିଲେ। କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା। କେବଳ ଅପରାଜିତା ଷଡ଼ଙ୍ଗୀର କିଛି କାଁ ଭାଁ ପ୍ରୋଗ୍ରାମରେ ସେ ଯୋଗ ଦେଉଥିଲେ। କିନ୍ତୁ ହଠାତ୍ ଗତବର୍ଷ ଅର୍ଥାତ୍ ୨୦୨୪ ସେପ୍ଟେମ୍ବର ମାସ ୩ ତାରିଖରେ ସେ ପୁଣି ଚର୍ଚ୍ଚାକୁ ଆସିଗଲେ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ପାର୍ଟି ଅଫିସରେ ତାଙ୍କର କିଛି କାର୍ଯ୍ୟକଳାପକୁ ନେଇ ସେ ପୁଣି ଖବରର ଶିରୋନାମାକୁ ଆସିଥିଲେ। ବିଜେପି କାର୍ଯ୍ୟାଳୟରେ ତାଙ୍କର ତାଙ୍କରି ଦଳର କିଛି ନେତ୍ରୀଙ୍କ ସହ ବଚସା ହୋଇଥିଲା ଓ ଠେଲାପେଲା ମଧ୍ୟ ହୋଇଥିଲା।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ-୨୦୨୪ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଯାଇଥିବା ବେଳେ ତାଙ୍କର କିଛି ବିଜେପି କର୍ମୀଙ୍କ ସହ ଠେଲାପେଲା ହୋଇଥିଲା। ସେ ହଟହଟା ହେଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଶେଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ନିଲମ୍ବିତ ହୋଇଥିଲେ। ଏହାସତ୍ତ୍ୱେ ସେ ଦଳୀୟ ଅଫିସକୁ ଆସି ସେଠାରେ ଦଳ ବିରୋଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଅଭିଯୋଗ କରି ବିଜେପିର କେତେକ ମହିଳା କର୍ମୀ ତାଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ।

ତେବେ ସୁନୀତି ମୁଣ୍ଡଙ୍କୁ ହଠାତ୍ ମହାକୁମ୍ଭ ମେଳାରେ ଏପରି ଲଣ୍ଡା ହେବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶୁଣାଯାଉଛି ସେ ଏକ ଆଶ୍ରମ କରିବେ ଓ ସେଠାରେ ସନ୍ୟାସିନୀ ହୋଇ ରହିବେ। ଏହି ମର୍ମରେ ସେ କିଛି କଥା କିଛି ଗଣମାଧ୍ୟମକୁ କହିଛନ୍ତି। ଏବେ ତାଙ୍କର ରାନଜୈତିକ ଜୀବନ ବ୍ଲକ୍ ହୋଇସାରିଛି। ସେଥିପାଇଁ ଏବେ ସେ ଲେଖାଲେଖି କରିବାକୁ ନିଷ୍ପତ୍ତି ନେଇଛନ୍ତି।