ସଂପର୍କ ଏମିତି ... ତୁମ ବିନା ସବୁ ଚୁନା...

ରାଜନୀତିର ସେ ସାଇଲେଣ୍ଟ କିଲର୍ । ମୁହଁ ନଖୋଲି, ତାଙ୍କର ଅନେକ ରାଜନୀତିର ଶତ୍ରୁଙ୍କୁ ସେ ଗୋଟିଏ ଗୋଟିଏ ଧାଡ଼ିକିଆ ଚିଠିରେ ତଳିତଳାନ୍ତ କରିଦେଇଛନ୍ତି ।

Odisha Politics

କେହି ମାନନ୍ତୁ କି ନମାନନ୍ତୁ, ଏବେ ଯାଏଁ ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ସଫଳ ଖେଳାଳି ପଦଟି, ନବୀନ ବାବୁଙ୍କ ନାଁରେ ହିଁ ରହିଛି । ରାଜନୀତିର ସେ ସାଇଲେଣ୍ଟ କିଲର୍ । ମୁହଁ ନଖୋଲି, ତାଙ୍କର ଅନେକ ରାଜନୀତିର ଶତ୍ରୁଙ୍କୁ ସେ ଗୋଟିଏ ଗୋଟିଏ ଧାଡ଼ିକିଆ ଚିଠିରେ ତଳିତଳାନ୍ତ କରିଦେଇଛନ୍ତି । ରାଜନୈତିକ ପଣ୍ଡିତଙ୍କ ମତରେ, ତାଙ୍କର ପାଖଲୋକ ବୋଲି କେହି ନଥାଏ । ଅନେକ ପାଖ ଲୋକଙ୍କୁ ସେ ଅତି ନିର୍ମମ ଭାବରେ ଫିଙ୍ଗି ଦେବାରେ ଆନନ୍ଦ ପାଆନ୍ତି ।

କିନ୍ତୁ ଗତ ୧୩ ବର୍ଷ ଧରି ତାଙ୍କର ପଟ୍ଟଶିଷ୍ୟ ପାଲଟିଥିବା ପୂର୍ବତନ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କ କଥା ଅଲଗା । ଗତ ନିର୍ବାଚନରେ ବିରୋଧୀଙ୍କ ତାଲିକାରେ ସବୁଠାରୁ ନିନ୍ଦିତ ବ୍ୟକ୍ତି ଥିଲେ ପାଣ୍ଡିଆନ । ତାଙ୍କରି ପାଇଁ, ପାଞ୍ଚ ପାଞ୍ଚଥର ସରକାର କରିଥିବା ବିଜେଡିକୁ ଏଥର ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି ଯିଏ ଯେତେ କହିଲେ ବି ଏ କଥାକୁ ମାନିବାକୁ ନାରାଜ ଦଳ ସୁପ୍ରିମୋ ତଥା ପାଣ୍ଡିଆନଙ୍କ ଗୁରୁ ନବୀନ ପଟ୍ଟନାୟକ ।

ଏକ ଦୈନିକ ଇଂରାଜୀ ଖବରକାଗଜରେ ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶିତ ବିସ୍ଫୋରକ ଖବରକୁ ନେଇ ବିଜେଡିରେ ଦିନସାରା ଚର୍ଚ୍ଚା ଜାରି ରହିଲା । ଖବର ପ୍ରକାଶ ପାଇଛି ଯେ, ପାଣ୍ଡିଆନ ବିଜେଡିକୁ ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହାୟତାରେ ଏସବୁ ଚାଲିଥିଲା । ବିଜେପି ସହ ପାଣ୍ଡିଆନ ସଂପର୍କରେ ରହିଥିଲେ ।

ଏଥିପାଇଁ ସେ ବହୁଥର ଦିଲ୍ଲୀ ଗସ୍ତ କରିଛନ୍ତି । ବିଜେଡିକୁ ଭାଙ୍ଗି ବିଜେପିକୁ ଆହୁରି ଆଗକୁ ନେବାରେ ସେ ସହାୟତା କରିବେ ବୋଲି ଇଂରାଜୀ ଖବର ବାହାରିଛି । କିନ୍ତୁ ଶିଷ୍ୟଙ୍କ ସଂପର୍କିତ ଏହି ଖବରକୁ ବିଶ୍ୱାସ କରିନାହାଁନ୍ତି ଗୁରୁ ନବୀନ ପଟ୍ଟନାୟକ । ଖବର ବାହାରିବା ସଙ୍ଗେ ସଙ୍ଗେ ସକାଳୁ ସକାଳୁ ହିଁ ସେ ସୋସିଆଲ୍ ମିଡିଆରେ ପାଣ୍ଡିଆନଙ୍କୁ ସମର୍ଥନ ଦେଇ ପଦୁଟିଏ ଲେଖିଛନ୍ତି ।

କହିଛନ୍ତି, ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠା ପାଇଁ ପାଣ୍ଡିଆନ ଜଣାଶୁଣା । ଏଥିପାଇଁ ସେ ସାରା ଓଡ଼ିଶାରେ ପରିଚିତ । ଖବର ସଂପର୍କରେ ଶିଷ୍ୟ ପାଣ୍ଡିଆନ୍ ଏଯାଏଁ ପଦୁଟିଏ ବି କହିନଥିବା ବେଳେ, ଗୁରୁ କିନ୍ତୁ ତାଙ୍କ ସୁରକ୍ଷା ପାଇଁ ଚଟାପଟ୍ ବାହାରି ଆସିଛନ୍ତି । ନିର୍ବାଚନ ପରେ ରାଜନୈତିକ ସମୀକ୍ଷକଙ୍କ କଥା ଆପଣ ଜାଣିଥିବେ ।

ଏମିତିକି ବିଜେଡିର ଅନେକ ବରିଷ୍ଠ ନେତା ମଧ୍ୟ ବୁଲେଇ ବାଙ୍କେଇ କହିଥିଲେ, ପାଣ୍ଡିଆନଙ୍କ ପାଇଁ ହିଁ ବିଜେଡି ହାରିଲା । ହେଲେ ଏକଥା କିନ୍ତୁ ମାନିବାକୁ ରାଜି ନୁହଁନ୍ତି ଗୁରୁଜୀ । ସ୍ଥିତି ଏମିତି ଯେ, ବିଜେଡି ଡଙ୍ଗାକୁ କୁମ୍ଭୀର ନେଇକି ମଝି ନଈରେ କଲାଣି, କିନ୍ତୁ ଗୁରୁ କହୁଛନ୍ତି, ଆମେ ଦୋଳି ଖେଳୁଛୁ ।

ବିଜେଡି ସମର୍ଥକ ପଚାରୁଛନ୍ତି, ପାଞ୍ଚ ପାଞ୍ଚଥର ସରକାର ଗଢ଼ିଥିବା ଏ ଦଳ ଏବେ ବିରୋଧୀ ଆସନରେ ବସିଛି କାହା ପାଇଁ? ଉତ୍ତରରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନାଁ ପ୍ରତିଧ୍ୱନିତ ହେଉଥିଲେ ମଧ୍ୟ, ଏହାକୁ ଶୁଣିବାକୁ ନବୀନ କିନ୍ତୁ ରାଜି ନୁହଁନ୍ତି । ବାସ୍ତବରେ ରାଜନୀତିରେ ଗୁରୁ ଶିଷ୍ୟ ସଂପର୍କ ହେବ ତ ଏମିତି ।

ଆଗକୁ ଦେଖିବାକୁ ବାକି ରହିଲା, ଇଂରାଜୀ ଖବରକାଗଜରେ ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶିତ ଖବରଟି ସତ ନା ମିଛ । ଯଦି ସତ ହୋଇଥାଏ ତେବେ ନବୀନ କି ପଦକ୍ଷେପ ନେବେ । ହେଲେ ପାଣ୍ଡିଆନ ତ ରାଜନୀତିରୁ ସନ୍ୟାସ ନେଇ ସାରିଛନ୍ତି, ତେଣୁ ଏବେ ଆଉ ତାଙ୍କୁ ସମର୍ଥନ ଦେବା କିମ୍ବା ସଜା ଦେବାର କୌଣସି ଅର୍ଥ କିଛି କି ।